ମୋ ଈଶ୍ୱରଙ୍କ ସଂଖ୍ୟା ଏକ

ମାରାଥନର ଶେଷ କିଲୋମିଟର
June 19, 2022
ଜଗନ୍ନାଥେ ଫେରିଲେ
June 19, 2022
ମୋ ଈଶ୍ୱରଙ୍କ ସଂଖ୍ୟା ଏକ

ଡଃ ଵିୟତପ୍ରଜ୍ଞା ଆଚାର୍ଯ୍ୟ

ପ୍ରଫେସର, ବାୟୋକେମିଷ୍ଟ୍ରି

ଯଦି ଶୀର୍ଷକ ଦେଖି ଭାବୁଥିବେ ଯେ , ମୁଁ  କୌଣସି ଆଧ୍ୟାତ୍ମିକ ଚର୍ଚ୍ଚା କରିବାକୁ ଯାଉଛି, ତେବେ ନିରାଶ ହୋଇ ପାରନ୍ତି | ଆପଣ ଯଦି ମୋତେ ତତ୍ତ୍ୱଦର୍ଶୀ  ଭାବୁଥାନ୍ତି, ତେବେ କ୍ଷମା କରିବେ | ମୁଁ  ଦ୍ୱୈତବାଦଅଦ୍ୱୈତବାଦ ଉପରେ ତର୍କ କଲା ପରି ଯାଏଁ ଜ୍ଞାନାର୍ଜନ କରିନାହିଁ

ମୁଁ ନିହାତି ମାମୁଲି ସ୍ତ୍ରୀ ଲୋକଟିଏଯିଏ ଦିନ ଭିତରେ ସ୍ତ୍ରୀ , ମା’ , ସଖୀ, ଭଉଣୀ , ବୋହୂ , ଝିଅ , ଶିକ୍ଷୟତ୍ରୀ , ଡାକ୍ତରାଣୀ ଇତ୍ୟାଦି ଅନେକ ରୂପରେ ନିଜକୁ ସଜେଇ ଦିନ ପରେ ଦିନ , ବର୍ଷ ପରେ ବର୍ଷ ଗଡେଇ ଚାଲିଛି |

ମୂଳରୁ ଗୋଟିଏ କଥା କହି ରଖିବି | ମୁଁ ପ୍ରଚଣ୍ଡ ଭଗବତ ବିଶ୍ୱାସୀ | ମୁଁ ଭଗବାନଙ୍କୁ ପ୍ରାଣଭରି ଭଲପାଏ, ଭୟ କରେନି | ସେ ମୋର ସଖା, ଗୁରୁ , ମୋର ନିବିଡ଼ତମ | ତର୍କ ଜ୍ଞାନୀମାନେ ଯଦି ମୋ ସାଙ୍ଗେ ଯୁକ୍ତିତର୍କ କରିବାକୁ ଇଚ୍ଛା କରୁଥିବେ , ମୁଁ ସେ ତର୍କରୁ ବହୁ ଦୂରରେ ଆଜ୍ଞା !

ମୋ ପିଲାଦିନକୁ ଟିକେ ନେବି ଆଜ୍ଞା | ବୋଉ ଆମକୁ ପିଲାଦିନୁ ପ୍ରାୟତଃ ସବୁ ପ୍ରକାର ବିଦ୍ୟାକୁ ଉନ୍ମୁଖ କରାଇ ଦେଇଥିଲେ | ସେଇଥିରୁ ପୂଜାବିଧିର କର୍ମକାଣ୍ଡ ଗୋଟିଏ | ତେବେ ପଢାପଢିର ଚାପରେ ଯଦି ଆମେ ପୂଜାବିଧିରେ କେବେ କେମିତି ସାହାଯ୍ୟ କରିପାରୁ , ତେବେ ସେ କାମଟା ନନାଙ୍କ ଉପରେ ପଡେ | ତେବେ ନନା  ଶୁଦ୍ଧ ମନ୍ତ୍ରୋଚ୍ଚାରଣରେ ଦକ୍ଷ , ବିଧିବଦ୍ଧ କର୍ମକାଣ୍ଡ ମଧ୍ୟ ଜାଣନ୍ତିହେଲେ ପୂଜା ଉପଚାର ପାଇଁ ବୋଉଙ୍କ ଉପସ୍ଥିତି  ନିହାତି  ଲୋଡ଼ା | ତେଣୁ ଯେଉଁ ଦିନମାନଙ୍କରେ ବୋଉ ରୋଷେଇଘରୁ ଥାଇ କଡେଇ ଟୁଣ ଟାଣ ଭିତରେ ନନାଙ୍କୁ ବତାଉଥିବେ ଚନ୍ଦନ, କର୍ପୂର  ଆଦି କେଉଁଠି ଅଛି , କେଉଁ ଠାକୁର ଠାକୁରାଣୀଙ୍କୁ କେଉଁ ଫୁଲ ଦିଆ ହେବ …. ନନାଙ୍କ ରାଗ ଦେଖେ କିଏ ?

ମନ୍ତ୍ରୋଚ୍ଚାରଣ  ମଝିରେ ବୋଉଙ୍କ ପ୍ରତି କଟୂଶବ୍ଦ ନିକ୍ଷେପ ହେଉଥିବ | ହଇହୋ ଠାକୁରଙ୍କ ସଂଖ୍ୟା କଣ ବଢ଼ାଇ ଚାଲିଛ , ଦୁର୍ଗା ରହିଲେ, ସେଥିରେ ସମଲେଶ୍ଵରୀ , ତାରିଣୀ , କଟକଚଣ୍ଡୀ ପୁଣି କଣ ?

ବୋଉ ତର୍କର ଉତ୍ତର ଦେଇ ସେସବୁକୁ ଫୁତ୍କାରରେ ଉଡେଇ ଦେଇ ପୁଜାବିଧିରେ ଟିକେ ଡ଼ିସକାଉଣ୍ଟ (ଛାଡ଼)ଦେଇ ଦିଅନ୍ତିକୁହନ୍ତି ହଉ ହଉଠାକୁରଙ୍କୁ ଗୋଟି ଗୋଟି କରି ପୋଛିଆଜି  ପାଣି ଛିଞ୍ଚି ଦିଅ | କଳସ ପାଣିଟା ମୁଁ କାଲି  ଆଡକୁ ବଦଳାଇବି

ନନା ଗୁରୁ ଗୁରୁ ହୋଇ ପୂଜା ସାରି ମନ୍ତ୍ରସବୁ ପୁଣି ଆମୂଳଚୂଳ  ବୋଲି ବୋଲି ଜଳଖିଆ ଖାଇ କଲେଜ ବାହାରିଯାନ୍ତି | ଉଭୟେ ଜାଣନ୍ତି ଯୁକ୍ତିତର୍କର ଅନ୍ତ ନାହିଁ | ବାସ୍ ଏମିତି ଚାଲିବ |

ବାହାହୋଇ ନିଜ ଅବଚେତନ ମନରେ ଏହି ସବୁ ପୂଜାବିଧିର ସଂସ୍କାର ଗଂଠେଇ ଯେତେବେଳେ ନିଜ ପରିବାର ଗଢ଼ିଲୁ , ଆଗ ଠାକୁର ପୂଜା ନିଧାର୍ଯ୍ୟ | ତେବେ ମୁଁ ଟି   ଫଟୋରୁ ମୋ ପୂଜାଘର ଆରମ୍ଭ କରିଥିଲି | ବଡ ଆଶ୍ଚର୍ଯ୍ୟଜନକ ଭାବେ ପୂଜାବିଧିରେ ବିରାଗୀ ମୋ ସ୍ୱାମୀ କିନ୍ତୁ ଠାକୁର ଠାକୁରାଣୀଙ୍କ ଜନସଂଖ୍ୟା ( ଓଃ ସେମାନେ ଜନ ଯେ ନୁହନ୍ତି! ) ବଢ଼େଇ ଚାଲିଲେ | ତେବେ ଆମ ପରିବାର କଥା ଅଲଗା | ଫୁଲତୋଳାରୁ ଆରମ୍ଭ କରି ଠାକୁରଙ୍କ ଗାଧୁଆ , ବେଶ ପରିପାଟୀ, ପ୍ରସାଦ , ମନ୍ତ୍ରପାଠ , କର୍ମକାଣ୍ଡ ମୋ ଭାଗରେ ପଡିଲା | ତାଉପରକୁ ପରିବାର , ରୋଷେଇର ଦାୟିତ୍ୱ ନିଜ ଚାକିରୀ ଭାର |

ସକାଳଟା ବଡ ଆକ୍ତା ମାକ୍ତା ଲାଗିଲା ଧୀରେ ଧୀରେ| ମନ୍ତ୍ରୋଚ୍ଚାରଣ ସବୁକୁ ନିତ୍ୟକର୍ମ ସାଙ୍ଗେ ଫେଣ୍ଟି ଦେଲି | ମନ୍ତ୍ରର ତାଳେ ତାଳେ ନିତ୍ୟକର୍ମ , ଜଳଖିଆ ଉପଚାର ଆଦି ବି ଚାଲିଥିବ | ସ୍କୁଲ ବ୍ୟାଗ ସଜଡାରୁ ଆରମ୍ଭ କରି ଜୋତା ପିନ୍ଧେଇ, ବସରେ ଛୁଆଙ୍କୁ ଲଦିଦେଇ  ମହାମୃତ୍ୟୁଞ୍ଜୟ ମନ୍ତ୍ରଟିଏ ମନେ ମନେ ବୋଲି ମାନସ ନମସ୍କାର ହୋଇ ପୂଜା କରିବାକୁ ବାହାରେ |

ଆମ ପିଲାବେଳେ ଦେଖିଛୁ , ଆମ ଘୁମନ୍ତ ଛୋଟିଆ ସହରରେ ସବୁ ସକାଳ, ସବୁ ସନ୍ଧ୍ୟା ପ୍ରାୟତଃ ଏକା ପରି କାହାଣୀ ଧରି ଆସିଥାଏ ଆମ ପାଇଁ | ଆମେ ସେ ଜୀବନରେ ବେଶ ଅଭ୍ୟସ୍ତ ଥିଲୁ | ହେଲେ ଆଜି ନିଜେ ଘର ସଂସାର କଲା ବେଳକୁ ପ୍ରତିଦିନଜୀବନ ନୂଆ କାହାଣୀ ଧରି ଆସେ | ଯଦି ଭାବୁଥିବ ଆଜି ଦିନଟା ଆରାମରେ ଯିବ , ସେଇ ଦିନ ହିଁ  ଅଧିକ ରୁ ଅଧିକ କାମ | ମନେ ପଡେ ପିଲାଦିନେ ଶୁଣିଥିବା ବୁଢ଼ୀ ଅସୁରୁଣୀ କଥାରାଜକୁମାରୀଙ୍କୁ ଯଦି  କହିଥିବ   ଦିନ ପରେ ଆସିବ , ସେଇ ଦିନ ହିଁ ସେ ସନ୍ଧ୍ୟାରେ ଫେରି ଆସିବ ଆଉ ଯଦି ସନ୍ଧ୍ୟାରେ ଫେରିବ ବୋଲି କହିଥିବ , ସେଥର ଦିନ ପରେ ଫେରିବ |

ଏବେ ଏତେ ଠାକୁର ଠାକୁରାଣୀଙ୍କୁ ସମ୍ଭାଳିବି କେମିତି ? ନିଜେ ଗାଧୋଇଲି ପାଧୋଇଲି, ବେଶ ପରିପାଟୀ ହେଲିଅଥଚ  ଠାକୁରଙ୍କୁ ପାଣି, ଚନ୍ଦନ ଛିଞ୍ଚାରେ କାମ ଚଳେଇ ଦେବିନାଏଥର ହାତଉତ୍କଳ ଏକ୍ସପ୍ରେସରୁରାଜଧାନୀ ଏକ୍ସପ୍ରେସଗତିକୁ ଉନ୍ନୀତ ହେଲା

ଆହାଃ ! ମୋତେ ଭୋକ ଲାଗୁଛି | ଠାକୁରଙ୍କୁ ବି ଲାଗିବଣି ! “ହଉ ଠାକୁରେ, ତୁମକୁ କଦଳୀଟେ ଭୋଗ ଲଗେଇ ଦେଉଛି | ତୁମେ ସୁକ୍ଷ୍ମ ଅଂଶରେ ଗ୍ରହଣ କରିବ | ଦେଖ, କହି ଦେଉଛି, ଚିମୁଟିକି ଯେଉଁ ଚଣ୍ଡ ବଢ଼ାଯାଏ ଆଉ ପରେ ପ୍ରସାଦ ବଣ୍ଟାଯାଏ ମୋତେ ଭାରି ଅସନା ଲାଗେ | ତୁମେ ତୁମ ଉପଦେବତା ଉପଦେବତୀଙ୍କ ଭିତରେ ବି ଟିକେ ଟିକେ ବାଣ୍ଟିଦେବ | ମୁଁ ଆସୁଛି, ଶୀଘ୍ର ଖାଅ | ସେମିତି ଗୋଟାପଣେ ଭୋଗ ଉଠେଇକି ନେବି |”

ଭଗବାନ ବି ମୋ ଗତି ସହ   ତାଳଦେଇ ଖାଇ ଦେଉଥିବେ ପରା ! ନହେଲେ ଯଦି ଅଳସେଇଲେ , ତଡ଼ିତ ବେଗରେ ତାଙ୍କ ସମ୍ମୁଖରୁ ପ୍ରସାଦ ଥାଳି ଯେ ଉଠିଯିବ !

ଯଦି ମାକି ଶାଶୁ ଆସି କେହି ମୋ ଠାକୁରଙ୍କ   ଆସ୍ଥାନ ଏପଟ ସେପଟ କଲେ, ମୁଁ ବଡ ଅଶ୍ୱସ୍ତିକର ମନେକରେ | ଠାକୁରମାନେ ସବୁ ନିଜ ସମ୍ପର୍କୀୟଙ୍କ ଅନୁସାରେ ସଜା ହୋଇଥାନ୍ତି | ଅଗ୍ରପୂଜ୍ୟ ଗଣେଶ | ହଉ, ପୁଅକୁ ମିଳିଛି ସୌଭାଗ୍ୟ, ହେଲେ ଶିବ, ପାର୍ବତୀ ଯାହାହେଲେ ବି ବାପା ମାନା | ତାଙ୍କୁ ଦ୍ୱିତୀୟରେ, ତାଙ୍କୁ ଲଗେଇକି ଦୁର୍ଗାମାଧବଙ୍କ ଫଟୋ , ବାହାଘର ବେଦିରେ ପୂଜା ହୋଇଥିଲେ, ସେଇଦିନଠୁ ଆମ ସାଙ୍ଗରେ ଅଛନ୍ତି |

ଯଦି କେବେ ଲାଲ ମନ୍ଦାର ଫୁଲ ଅଭାବ ପଡିଲା , ତେବେ ପାର୍ବତୀ ଆଉ ଦୁର୍ଗାଙ୍କୁ ମିଶେଇକି ଗୋଟିଏ ଫୁଲରେ ସନ୍ତୁଷ୍ଟ କରିବାକୁ ପଡେ | ବୁଝେଇ ଦିଏ – “ଟିକିଏ ଚଳେଇ ଦିଅ ମାମାନେ ଆଜି” |

ତାପାଖକୁ ଆସିଲେ ତ୍ରିନାଥ | ଫୁଲ ଅଭାବ ପଡନ୍ତେ ଗୋଟିଏ ଫୁଲଆଉ ଯଦି କେବେ ଅଧିକ ମିଳିଗଲା ମନ ପସନ୍ଦର ଫୁଲ ଯେଝା ଯେଝାଙ୍କୁ |

ମଝିରେ ଆଣି ବସେଇଦେଲୁ ଜଗନ୍ନାଥ , ବଳଭଦ୍ର ସୁଭଦ୍ରାଙ୍କୁ | ମୂର୍ତ୍ତି ଦେଖିଦେଲେ, ମନ ପବନ କଠଉରେ ଏକ ଝଟକାରେ ଯାଇ ପୁରୀ ଶ୍ରୀମନ୍ଦିର ଦ୍ୱାର ମୁହଁରେ ଠିଆ ହୋଇଯାଉ | ଚାକିରୀ ସଂକ୍ରାନ୍ତରେ ସୁଦୂର ପଦୁଚେରୀରେ ରହିଥିବା ବେଳେ ମୂର୍ତ୍ତି ଯେମିତି ଓଡିଶା ସହ ଆମର ଏକମାତ୍ର ଡୋର | ଆଖିକୁ ଲୁହ ଟିକିଏ ବେଳେ ବେଳେ ଜକେଇ ଆସେ | କେଜାଣେ କେବେ ପୁଣି ଡୋର ଲାଗିବ , କାଳିଆ ଆମକୁ ଡାକିବ

ଆହାଃ! ବିଚାରୀ ଲକ୍ଷ୍ମୀ ! ହଉ ମାତୁମେ ଜଗନ୍ନାଥଙ୍କ ବାଁ ପଟେ ବସ

ଧୀରେ ଧୀରେ କୃଷ୍ଣଙ୍କ ବାଳଗୋପାଳ ଫୋଟୋଟିଏ , ରାଧା କୃଷ୍ଣ ମୂର୍ତ୍ତିଟିଏ ପୁତ୍ର ସନ୍ତାନ ହେଉ ବୋଲି ସଦିଛାରେ ନଣନ୍ଦ ଦେଇଥିବା ଗୁରୁଣ୍ଡୁ ଗୋପାଳ , ତାମିଲନାଡୁରେ ରହି ଶନିଶ୍ୱର, ଆୟାପ୍ପା ଠାକୁର , ତିରୁପତି ବୁଲିବାକୁ ଯାଇ ତିରୁପତି ….ଏମିତି ଏମିତି ଚାହୁଁ ଚାହୁଁ ଦୁଇ ଥାକ ଠାକୁର ଠାକୁରାଣୀ ବିରାଜମାନ ହେଲେ  |

ଶଶୁରଙ୍କ ଵିୟୋଗାନ୍ତେ ତାଙ୍କ ଫୋଟୋରେ ଫୁଲମାଳ ଦେଇ ପାଖ କାନ୍ଥରେ ଟଙ୍ଗାଗଲା | କ୍ରିୟାଯୋଗରେ ଦୀକ୍ଷିତ ହେବା ପରେ ଅତି ଶ୍ରଦ୍ଧାରେ ପ୍ରାତଃନମସ୍ୟ ଗୁରୁଦେବମାନଙ୍କର ( ଅଷ୍ଟଗୁରୁ ସମ୍ବଳିତ ଫଟୋ ) ଫଟୋଟିଏ ବି ଟାଙ୍ଗିଦେଲି

ଯେଉଁ ଠାକୁର ଠାକୁରାଣୀମାନଙ୍କର ଫଟୋ ଥିଲା , ସେମାନଙ୍କ ମୂର୍ତ୍ତି ମଧ୍ୟ ମିଶିଗଲା | ଆମ ପାର୍ଥିବ ପରିବାର ମଧ୍ୟ ଦୁଇରୁ ତିନି   ତିନିରୁ ଚାରି ହେଲା ସନ୍ତାନମାନଙ୍କ ଦାୟିତ୍ୱ ନେବା ପାଇଁ ଅନ୍ତତଃ ପକ୍ଷେ ଆଉ ଦୁଇ ଜଣ ସଦସ୍ୟ ଘରେ ବଢିଲେ

ଭଗବାନ ସବୁଠୁ ଉପରେସେ ମଣିଷକୁ ଗଢିଲେ , ଆଉ ଭଗବାନଙ୍କୁ କିଏ ଗଢିଲା ? ସିଧା କଥାମଣିଷ ଗଢିଲା |

ଭିନ୍ନ ଭିନ୍ନ ରୂପରେ ଠାକୁରଙ୍କୁ ପୁଜିବାର ସ୍ୱାଧୀନତା କେବଳ ହିନ୍ଦୁ ଧର୍ମରେ ଅଛି | କିଏ ଭଗବାନଙ୍କୁ ନିଜ ଛୁଆ ଭାବିଲାଣି , କିଏ ମା’ , କିଏ ବାପା , କିଏ ସଖା , କିଏ ପ୍ରେମିକ…. ଯିଏ ଯେତେ ରୂପରେ ପାରିଲା, ପୂଜିଲା | ଅନ୍ୟ ଧର୍ମରେ ଯେ ଐକେଶ୍ୱରବାଦ ଅଛି , ତାନୁହେଁ | କ୍ରୁଶବିଦ୍ଧ ଯୀଶୁଙ୍କୁ ଯିଏ ସହି ପାରିଲା, ମାତା ମେରୀଙ୍କ କୋଳର ଯୀଶୁଙ୍କୁ ସେ ପୂଜିଲା | ଆଉ କିଛି ହେଲେ କିଛି ଚିହ୍ନ | କହିବା ବାହୁଲ୍ୟ , ଈଶ୍ୱର ଅରୂପ ସିନାହେଲେ କେତେଜଣ ମଣିଷଙ୍କର ସେ କ୍ଷମତା ଅଛି ଅରୂପକୁ ଅନୁଭବ କରିବାକୁ ? ହେଲେ ମଣିଷ ପଥକୁ ନିଜ ଲକ୍ଷ୍ୟ ବୋଲି ଭାବି ନିଜ ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇଯାଏ |

ଚେତନାକୁ ଏକାଗ୍ର କରିବାକୁ ହୁଏତ ପ୍ରଥମେ ଏକ ମାଧ୍ୟମର ଆବଶ୍ୟକତା ହୋଇଥାଏ | କାନ୍ଥରେ ଏକ ବିନ୍ଦୁ ହେଉ ଅବା ଏକ ଦୀପ ଶିଖା….. ସେଥିରୁ ଆରମ୍ଭ ହୋଇ ଶେଷରେ ମୂର୍ତ୍ତିପୂଜା, ସମାଧି ପୂଜା  ଆରମ୍ଭ ହେଲା |

ତେବେ ଅତିଶୟ ଭକ୍ତିଭାବନା ଯୋଗୁଁ ହେଉ କିମ୍ବା ଅବିଦ୍ୟାର ବଶବର୍ତ୍ତୀ ହୋଇ ସକଳ ପୂଜାରେ ମାତିବା ଯୋଗୁଁ  ହେଉ କିମ୍ବା ଅଶିକ୍ଷା ଜନିତ ଅହେତୁକ ଭୟ ହେଉ, ଆମେ ମୂଳଲକ୍ଷରୁ ହଟିଯାଇ ପୂଜାବିଧି , ନାନାଦି ଉପଚାର ତଥା ନାନାବିଧ ପ୍ରସାଦ ରାନ୍ଧି ବଢ଼ିବାରେ ବେଶୀ ମନୋନିବେଶ କଲୁ |

ଭଦ୍ରଜନେ! ଏଠି କହି ରଖିବି ଉପଚାରାଦି ପ୍ରସାଦ ସେବନ ମଧ୍ୟ ମୁନିଋଷିଙ୍କ ଉପଦେଶାନୁଯାୟୀ ବୈଜ୍ଞାନିକ ତଥ୍ୟ ଭିତ୍ତିରେ ଋତୁ ଅନୁଯାୟୀ , ଆବଶ୍ୟକତା ଅନୁସାରେ ହିଁ ଆରମ୍ଭ ହୋଇଥିଲା | ହେଲେ ଲୋକେ ଅଶିକ୍ଷାର ବଶବର୍ତ୍ତୀ ହୋଇ ମୂଳତଥ୍ୟର ଉଦ୍ଦେଶ୍ୟରୁ ଦୂରେଇଯାଇ ନିଜର ସ୍ୱାର୍ଥ ନିମନ୍ତେ ଅଥବା ଜିହ୍ୱା ଲାଳିସା ପୂର୍ତ୍ତି ଉପଲକ୍ଷେ ନିଜ ନିଜ ସୁବିଧାନୁଯାୟୀ ଏହାକୁ ଅପଭ୍ରଂଶ କରି ଚାଲିଲେ |

କିଏ ପଶୁବଳି ଚଢ଼େଇଲା ମାଙ୍କ ନାଁ ରେ , ତା କିଏ ମଣ୍ଡା ଗଢେଇଲାକେତେବେଳେ ବ୍ୟଞ୍ଜନର ଆବଶ୍ୟକତା ଅନୁଯାୟୀ ପ୍ରସାଦଏଇ ଯେମିତି ଚୁଡା ଚକଟା ପାଇଁ ମୁଁ କଦଳୀ ଭୋଗ ଲଗେଇ ଦିଏକେହି ନାତି ନାତୁଣୀ ପାଇଁ ଚିନି ଖଣ୍ଡ ସବୁ !

ମହାଭାରତ ଯୁଗ ଯାଏଁ ବୋଧହୁଏ ଆମେ କୌଣସି ମନ୍ଦିରର ବର୍ଣ୍ଣନା ପଢି ନାହୁଁ I ତେବେ ଈଶ୍ବରଙ୍କ ଅସ୍ତିତ୍ତ୍ୱ ବିଷୟରେ କଣ କେହି ଅବଗତ ଥିଲେ ? ସେତେବେଳେ ହୁଏତ ଶରୀର ମଧ୍ୟରେ ହିଁ ଈଶ୍ୱରଙ୍କୁ ଖୋଜିବାରେ ସମସ୍ତେ ଅଭ୍ୟସ୍ତ ଥିଲେ I ପତଞ୍ଜଳି ଯୋଗସୂତ୍ର ଅନୁଯାୟୀ ନିଜ ଜୀବନକୁ ଦିଗଦର୍ଶନ ଦେଉଥିଲେ I ମାନବ ଶରୀର ହିଁ ସେମାନଙ୍କ ପାଇଁ ପ୍ରକୃଷ୍ଟ ମନ୍ଦିର ଥିଲା ସ୍ୱାସ୍ଥ୍ୟରକ୍ଷା ଥିଲା ଈଶ୍ୱର ପୂଜନ I

ଆଜିର ପରିବର୍ତ୍ତିତ ଯୁଗରେ ଯେଉଁଠି ନାରୀମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ରୋଷେଇଘରୁ ପାଦ କାଢି ବାହାର ଦୁନିଆରେ ଥାପିଲେ , ସେଠି ଅପଭ୍ରଂଶିତ ପୂଜା ଉପଚାର ବିଧି ବୋଝ ପରି ମନେ ହେଲା |

xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx

କହିଚି ତତ୍ଵଚର୍ଚ୍ଚାରେ ମୁଁ ପଶିବିନି | ନନାଙ୍କ କଥା ମନେ ପଡିଲା | ଦିନେ ହଠାତ ମନେ ହେଲା , ନା , ଏଥର ଏତେ ଈଶ୍ୱରଙ୍କ ସଂଖ୍ୟା ଯୋଗୁଁ  ଯେହେତୁ  ମନ ମୂଳ ଲକ୍ଷରୁ ବିଚ୍ୟୁତ ହୋଇଛି , ପୁନରପି ଏହାକୁ ରାସ୍ତାକୁ ଆଣିବାକୁ ହେବ | ରାଧାକୃଷ୍ଣ , ବାଳକୃଷ୍ଣ , ଗୁରୁଣ୍ଡୁ ଗୋପାଳ ସମସ୍ତଙ୍କୁ ଏକତ୍ରିତ କଲି | କହିଲି ଗୋଟିଏ ଜାଗାରେ ବସ ଠାକୁରମାନେ | ପଚାରିଲି , ” କୃଷ୍ଣ ଙ୍କ ହୃଦୟରେ ରାଧା , ତେଣୁ କୃଷ୍ଣଙ୍କୁ ଖାଲି ବସେଇଲେ ଚଳିବ   !” କୃଷ୍ଣ ଏକ  ମୁଚୁକୁନ୍ଦି ହସରେ ମୋ ଆଡକୁ ବାସ୍ ଅନେଇ ରହିଲେ

ସବୁ  ଠାକୁରାଣୀମାନଙ୍କୁ ଏକତ୍ରିତ କଲି | “ମା’, ତୁମର ଦଶଭୁଜା ମୂର୍ତ୍ତିଟିର ରୂପ ହିଁ ମୋତେ ଭଲ ଲାଗୁଛି |” ଅନ୍ୟ ଠାକୁରାଣୀମାନେ ନୀରବରେ ସମ୍ମତି ଜଣାଇ ଧୀରେ ଅପସରି ଗଲେ |

ପୁଣି କିଛି ଦିନ ପରେ ଲାଗିଲା , କୃଷ୍ଣ ଯିଏ ଜଗନ୍ନାଥ ସିଏ | ଜଗନ୍ନାଥଙ୍କ ହୃଦୟରେ ଲକ୍ଷ୍ମୀ | ତେବେ ଗୋଟିଏ ମୂର୍ତ୍ତି ହିଁ ଯଥେଷ୍ଟ |  

କାର୍ଯ୍ୟଭାର ମାତ୍ରାଧିକ ବଢ଼ିଲା ପରେ ଅନୁମାନ କଲି ଯେ ମୋର ଚୈତ୍ୟ କେବଳ ଯାନ୍ତ୍ରିକ ଭାବେ ଚନ୍ଦନ ସିନ୍ଦୁର ଦେବଦେବୀଙ୍କ ମୁଣ୍ଡରେ ବୁଲି ଆସୁଛି | ହେଲେ ମୁଁ ଦେଖୁଛି ଅନୁଭବ କରୁଛି କେବଳ ଏକ ଉଜ୍ଜଳ ସତ୍ତା |

ସତେ ! ବ୍ରହ୍ମାଵିଷ୍ଣୁ , ମହେଶ୍ୱରଙ୍କ ସମସ୍ତ ଶକ୍ତି ଆୟୁଧ  ନେଇ ମାଦୁର୍ଗା ଆବିର୍ଭୁତ | ତେବେ ପୁରୁଷ ପ୍ରକୃତି ଏକାତ୍ମ ହେଲେ ନା ! ଧୀରେ ଧୀରେ ସେଇ ଉଜ୍ଜଳ ସତ୍ତା ମନମାନସକୁ ଆବୋରି ବସିଲା | ବ୍ରହ୍ମରନ୍ଧ୍ର ଦେଇ ସେ ମୋ ସମଗ୍ର ଚୈତ୍ୟ ସତ୍ତା ଅବଚେତନ ମନକୁ ଅବତରି  ଆସିଲା  |

ବ୍ରହ୍ମାଣ୍ଡର ଉତ୍ସ—“ପ୍ରଣବଧ୍ୱନିର ଗୁଞ୍ଜରଣ ଚତୁର୍ପାର୍ଶ୍ୱରେ  |ସେ ଧ୍ୱନି ଅନ୍ତରର ଗୁହ୍ୟତମ ପ୍ରଦେଶରେ ଖେଳି ଚାଲିଲାଓଁ ….ହୁମ ….ଆମେନ

ଅନ୍ତରରୁ ସ୍ୱର ଆସିଲା , “ପ୍ରଭୁ ! ମୁଁ ଅକିଞ୍ଚନ ନିଜକୁ ତୁମ ଆଗରେ ପ୍ରସାଦ ଭାବେ ବାଢି ଦେଉଛି | ଆସ ପ୍ରଭୁ , ମୋ ହୃଦୟ ଆସ୍ଥାନରେ ବିରାଜମାନ ହୁଅ | ମୋର ପ୍ରତ୍ୟେକ ପ୍ରଶ୍ୱାସ ତୁମ ଆଗରେ ଧୂପ | ପ୍ରତିଦିନ ମୋହରି ଶରୀର ଅନ୍ନ ବ୍ୟଞ୍ଜନ ଗ୍ରହଣ କରିବ ତୁମକୁ ପ୍ରସାଦ ଲଗାଇବା ପାଇଁ | କ୍ଷଣିଏ ମୁହୂର୍ତ୍ତେ ମଧ୍ୟ ତୁମଠାରୁ ଅଲଗା ହେବାକୁ ଚାହୁଁ ନାହିଁ | ଆସ, ମୋ ହାତ ଧରି ଚଲାଇ ନିଅ | ମୋ ପାଦରେ ପାଦ ମିଶାଇ ମୋ ଚରମ ଲକ୍ଷ ସ୍ଥଳରେ ପହଞ୍ଚାଇ ନିଅ | ମୁଁ ତୁମର ଉପକରଣଟିଏ ମାତ୍ର | ଶରୀର , ଜନ୍ମ ତୁମରି କାର୍ଯ୍ୟରେ ହିଁ ବ୍ୟବହୃତ ହେଉ |” 

ସବୁ ଠାକୁର ଠାକୁରାଣୀଙ୍କ ରୂପ ଅପସରି ଯାଇ କେବଳ ଏକ ଉଜ୍ଜଳ ଜ୍ୟୋତିପିଣ୍ଡରେ ପରିବର୍ତ୍ତିତ ହୋଇ ଯାଉଥାନ୍ତି ଧୀରେ ଧୀରେ | ହଁ , ମୋ ଈଶ୍ୱରଙ୍କ ସଂଖ୍ୟାଏକ‘ |

ଭଦ୍ରଜନେ ! ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନଟିଏ ଗୁଡେଇ ତୁଡେଇ ହେବଣି I ଏତକ ସବୁ ଉପଲବ୍ଧି କଲା ପରେ ମୋ ଠାକୁରମାନଙ୍କୁ କେଉଁଠି ବିସର୍ଜନ କରି ଦେଇନି ? ମନ୍ଦିର ଯିବା ଛାଡି ଦେଇଛି କି ?

ନାସେମିତି କିଛି କରିନିକାରଣ ପରିବର୍ତ୍ତନ ଏକ ମହା କାଳଖଣ୍ଡର I ରାତାରାତି କିଛି ସମ୍ଭବ ନୁହେଁ I ମୋ ପରିବାରର ଅନ୍ୟମାନଙ୍କ ପାଇଁ ଏବେବି ପୂଜା ଆସ୍ଥାନ, ଈଶ୍ୱର ଉପାସନାର ଏକ ମାଧ୍ୟମ I ଅନେକ ବୈଜ୍ଞାନିକ ତଥ୍ୟ ସମ୍ବଳିତ ଉପଚାର ବି ମୋ ଛୁଆଙ୍କୁ ଶିଖାଏଯଥା ସମ୍ଭବ ପ୍ରତ୍ୟେକ ଉପଚାରର ତଥ୍ୟ ସେମାନଙ୍କୁ ଦିଏ I ଆଉ ଥରକୁ ରହିଲା ସବୁ କଥା …….

Leave a Reply

Your email address will not be published. Required fields are marked *