ଡଃ ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ
ୟୁ-ଟର୍ନ ପାଖରେ ବାଁ ହାତିଆ ଖଣ୍ଡିଆ ନମସ୍କାରଟେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉଠେଇଲା ବେଳକୁ ଅନ୍ଧାର ରାତିରେ ମନ୍ଦିର ବୋଲି ଯାହାକୁ ଭାବିଥିଲି ତା ଚିଲିକା ଫ୍ରେଶ ମାଛ ଦୋକାନଟା !
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଅନେକେ ଭାବୁଥିବେ –“ଅତି ପଣ୍ଡିତ ବାଇ “….ମ୍ୟାଡ଼ାମ ଟିକିଏ ବାଚାଳ ହେଲେଣି ବୋଧହୁଏ l
ଘରୁ ନ’ଟା ବେଳେ ବାହାରିଲା ବେଳକୁ ନସର ପସର ହୋଇ, ରୋଷେଇ, ଘରକରଣା ,ପିଲାଙ୍କ ଦାୟିତ୍ତ୍ୱ କୁ କୋଳେଇ କାଖେଇ, ଜୋର ଜବରଦସ୍ତି କରି ଘରେ ତାଲା ବନ୍ଦ କରି, ଘର ଓ ମନକୁ ଠାକୁରଙ୍କୁ ସମର୍ପି ଦେଇ ଯେତେବେଳେ ଗାଡିକୁ ମେନ ରୋଡ଼ରେ ପୂରା ଦମରେ ଛୁଟାଇ ଦିଏ , ରାସ୍ତା ସେପାରିରେ ଥିବା ଏକ ମନ୍ଦିର ଦେଖି ଅଧା ଖଣ୍ଡିଆ ଅର୍ଥାତ ଗୋଟେ ହାତିଆ ନମସ୍କାର କରି ଭାବେ, ଦିନେ ଅନ୍ତତଃ ନିଶ୍ଚୟ ପାହାଚ ଚଢ଼ି , ଠାକୁରଙ୍କୁ ଦର୍ଶନ କରିବି l
ଗଲା ବେଳେ ଭାବେ ଫେରିଲା ବେଳେ , ଫେରିଲା ବେଳେ ଭାବେ ଗଲା ବେଳକୁ ସାତ୍ତ୍ଵିକ ମନୋଭାବ ନେଇ ଦର୍ଶନ କରିବି lଏ ଭିତରେ 5 ବର୍ଷ ବିତି ଗଲାଣି l ଆପାତତଃ ଠାକୁରଙ୍କ ସହ ଲୁଚକାଳି ଖେଳ ଅବା କିଛି କଥା ଦେଇ କଥା ରଖିବାର ଆଶାର ଏକ ନିବିଡ଼ ସମ୍ପର୍କ ହୋଇ ଯାଇଛି l
ଏ ଭଳି ଅଭ୍ୟାସରେ ପଡି ଯାଇଛି ଯେ, ସେ ପାଖାପାଖି ହେଲେ ହାତ ଆପେ ଉଠିଯାଏ ଅର୍ଦ୍ଧ -ନମସ୍କାର ମୁଦ୍ରାକୁ l ଠାକୁର ମନ୍ଦିର ଭିତରୁ ଓହ୍ଲେଇ ଆସି ସତେ ଯେମିତି ହୃଦୟ କନ୍ଦରରେ ଆସ୍ଥାନ ଜମେଇ ଦେଇଛନ୍ତି l କେତେବେଳେ କେମିତି ଆଗ ପଛ ହୋଇ ମନ୍ଦିର ଆଗରୁ ଥିବା କାର ୱାର୍କଶପ ପାଖେ ତ, କେତେବେଳେ ମନ୍ଦିର ପରେ ଥିବା ଚିଲିକା ଫ୍ରେଶ ଦୋକାନ ପାଖେ ହାତ ଉଠେ l
ମନ୍ଦିର, ମସଜିଦ , ଗୀର୍ଜା …ଏ ସବୁ କେବଳ ଏକ ରିମାଇଣ୍ଡର , ଈଶ୍ୱରଙ୍କୁ ମନେ ପକେଇବାର ଜରିଆ , ଏକ ସାଧନାସ୍ଥଳୀ l ଅନ୍ତସ୍ଥ ଜ୍ୟୋତି ଜାଗରଣ ପାଇଁ ଏକ ବାହ୍ୟ ଜ୍ୟୋତିର ଆବଶ୍ୟକତା ଥିବା ପରି , ପୂଜା କେନ୍ଦ୍ର ଗୁଡିକ ଈଶ୍ୱରଙ୍କୁ ପାଇବାର ଅଭ୍ୟାସ ସ୍ଥାନ ମାତ୍ର l
ନିରନ୍ତର ଚେତନା ଜାଗ୍ରତ ରହୁ ..ଶୁଭମସ୍ତୁ l