ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
Ryan Partner– ଏ ଅତରଟା ଖୁବ ଚାଲିଥିଲା ଆମେ MBBS ପଢୁଥିଲାବେଳେ I ସେତେବେଳେ ଜନ୍ମଦିନରେ କାର୍ଡ ଓ ଉପଢୌକନ ଦେବାର ପ୍ରଥାଟା ବଡ ଜୋର ଧରିଥାଏ I ନୂଆ ନୂଆ ପ୍ରେମୀଯୁଗଳ ପାଇଁ, ଅଥବା ସେ ଭଳି ଯୋଡି଼ଟିଏ ବନେଇବାକୁ ଇଚ୍ଛୁକ ଯୁବାବର୍ଗ ପାଇଁ ଏ ଅତରଟା ଏକ ସୁ–ମାଧ୍ୟମ ଥିଲା ।
ତେବେ ମୋ କାହାଣୀଟା ଥିଲା ଟିକିଏ ଅଲଗା I ମୋତେ କେହି ଜଣେ କୌଣସି ବାହାଘର ପାଇଁ ତିଆର ହେଉଥିଲା ବେଳେ ଏ ଅତରଟା କେହି ମୋ ଉପରେ ସ୍ପ୍ରେ କରିଦେଲେ I ଆଃ ! ଏତେ ସୁନ୍ଦର ବାସ୍ନା …ହେଲେ ମୋ ପାଟିରୁ ଏକ ବିରକ୍ତିଭରା ଚିତ୍କାର ବାହାରିଗଲା ଦବିଲା ସ୍ୱରରେ …..ଉହୁଁ …ହୁଁ I
ଏତେ ସୁନ୍ଦର ବାସ୍ନା ମୋତେ ମୋର କୌଣସି ପାର୍ଟନର ନୁହେଁ , ବରଂ ପହଞ୍ଚେଇ ଦେଲା ଆମ ପୋଷ୍ଟ ମର୍ଟମ ଘର ପାଖେ , ଯେଉଁଠି ଶବ ବ୍ୟବଚ୍ଛେଦ କରାଯାଏ I
ତୃତୀୟ ଓ ଚତୁର୍ଥ ବର୍ଷରେ ଆମର ଅପରାଧ ବିଜ୍ଞାନ ବିଷୟରେ (Forensic Medicine and toxicology) ଶବ ବ୍ୟବଚ୍ଛେଦ ଶିଖାଯାଏ I ଥରକେ ପୂରା କ୍ଳାସକୁ ଏକାଠି ନିଆଯାଏ , କାରଣ ଦିନ ବାର ଦେଖି ତ ଆଉ ଶବ ବ୍ୟବଚ୍ଛେଦ ପାଇଁ ଆସିବନି …ଜନମ , ମରଣ, ବରଷା ; କହି ନ ପାରଇ ପୁରୁଷା I
ପ୍ରଫେସରଙ୍କ କଡା ତାଗିଦ, କେହି ବି ମୁହଁରେ ରୁମାଲ ଦେବନି, ସେମିତି ଯିବ I ତୁମ ଆଖି, କାନ , ନାକ ସବୁ ଖୋଲା ରହିବ ଚାହି I ଶବ ବ୍ୟବଚ୍ଛେଦ ପୂର୍ବରୁ , କଲାବେଳେ ଆଉ ତା ପରେ ମଧ୍ୟ ସବୁ ଟିକିନିଖି ଦେଖିବ, ନୋଟ ପକେଇବ I ତୁମର ସାମାନ୍ୟତମ ଭୁଲରେ କେହି ନିର୍ଦ୍ଦୋଷ ଦୋଷୀ ସାବ୍ୟସ୍ତ ହୋଇପାରେ I କେହି ଦୋଷୀ ଖସି ଯାଇପାରେ I
ଆପାତତଃ ଅପରାଧ ବିଜ୍ଞାନ ମୋର ପ୍ରିୟତମ ବିଷୟ ଥିଲା — ଆମେ ଏଥିରେ IPC, CrPC, rape, murder, ବିଭିନ୍ନ ପ୍ରକାର ମୃତ୍ୟୁ, ସାପମାନଙ୍କର ପ୍ରକାରଭେଦ , ଚରସ , ଗଞ୍ଜେଇ ଆଦି ଅନେକ ବିଷୟରେ ପଢୁ l ଏମିତି ପଢୁ ପଢୁ ମୁଁ ଅନେକ କାହାଣୀ, ଉପନ୍ୟାସ ମନ ଭିତରେ ରଚିନିଏ , ଖାଲି ଯାହା ତାହାକୁ କାଗଜ କଲମକୁ ଉତାରିବାକୁ ସମୟ ହୁଏନି I ଭିତରେ ଭିତରେ ଏ ବିଷୟରେ ଆଗକୁ P.G. କରିବାକୁ ମଧ୍ୟ ଭାବି ସାରିଥାଏ I ହେଲେ ଏ ଆଶା ଲତିକାଟି ପ୍ରଥମ ଶବ ବ୍ୟବଚ୍ଛେଦ ଦେଖିଲା ପରେ ହିଁ ମଉଳି ଗଲା I
ଜୀବନରେ ପ୍ରଥମ ମଣିଷ ମୁର୍ଦ୍ଦାର ଦେଖିଥିଲି ସିଧା ମେଡିକାଲ କଲେଜର ଦ୍ଵିତୀୟ ସପ୍ତାହରେ ଆନାଟୋମି ଡିସେକ୍ସନ ହଲରେ I ପିଲାଦିନେ ଯେତେବେଳେ ଆଖପାଖରେ କେଉଁଠି ମୃତ୍ୟୁ ହୁଏ, ଆମମାନଙ୍କୁ ସେଠିକି ଛଡା ଯାଏନି I ଜୀବନର ଏକମାତ୍ର ସତ୍ୟ –“ମୃତ୍ୟୁ” କୁ କାହିଁକି କେଜାଣି ସମସ୍ତେ ଭୀଷଣ ଭୟ ଅବା ଘୃଣା କରନ୍ତି ! ଆମେମାନେ ତୁଠରେ ଗାଧେଇ ନୂଆ ଡ୍ରେସ ପିନ୍ଧିବା ଓ ଭୋଜିଭାତକୁ ହିଁ ଜାଣିଥିଲୁ I ତା ଉପରକୁ ଛୁଟିଦିନ ବାହାରେ ହେଉଥିବା ମେଳିରେ ଆମର ମୁଖ୍ୟତଃ ଲକ୍ଷ ଥିଲା ।
ଡିସେକ୍ସନ ହଲରେ ରଖା ଯାଇଥାଏ ଫର୍ମାଲିନରେ ସିକ୍ତ (embalming) କଳା କାଡାଭର I ସେ ଫର୍ମାଲିନଦିଆ କଳା ମୁର୍ଦ୍ଦାର ଦେଖି କିଛି ଜଣଙ୍କର vaso-vagal attack ହୋଇ, ମୁଣ୍ଡ ବୁଲେଇବାରୁ ତଳେ ବସି ପଡିଲେ I ଆଉ ଆମେ ବାକିମାନେ ସେ ଦୃଶ୍ୟ ଓ ଦୁର୍ଗନ୍ଧକୁ ନାସା ଭ୍ରୁକୁଞ୍ଚନ କରି ସମ୍ଭାଳିନେଲୁ I ରାତିରେ ଶୋଇଲାବେଳେ ଭାବିଲି ଆଜି ନିଶ୍ଚୟ ଭୂତ–ପ୍ରେତ ସ୍ୱପ୍ନ ଦେଖିବି I ହେଲେ ନିଦ୍ରାଦେବୀଙ୍କ ଅପାର କୃପା ଓ ଦିନଯାକର ହାଡଭଙ୍ଗା ପରିଶ୍ରମରେ ଗୋଟିଏ ନିଦରେ ଯେ ଶୋଇଲି, ସିଧା କାଉର କା‘ ଶବ୍ଦରେ ନିଦ ଭାଙ୍ଗିଲା I ପରେ କାଡାଭରମାନଙ୍କର ନାମକରଣ ହେଲା, ମଣିଷ ହାଡ ଧରି ଖାତା ଉପରେ ପଢୁ ପଢୁ ଶୁଆ ହେଲା I ଖପୁରିକୁ ଧରି କେହି ରୁମ ସଜେଇଲା ତ କେହି ଫଟୋ ଉଠେଇଲା I
ତେବେ ଶବ ବ୍ୟବଚ୍ଛେଦ ପାଇଁ ଆସିଥିବା ଶବଟି ଥିଲା ଏକ ବାଇଶ –ତେଇଶ ବର୍ଷ ଯୁବକର I ଅଳ୍ପ କିଛି ଘଣ୍ଟା ତଳେ ପ୍ରାଣତ୍ୟାଗ କରିଥାଏ , ତେଣୁ ଦୁର୍ଗନ୍ଧ ହେବା ଆରମ୍ଭ ହୋଇ ନ ଥାଏ । ହେଲେ ଶବ ବ୍ୟବଚ୍ଛେଦ ଘରେ ଅବା ଦୁର୍ଗନ୍ଧ ନ ହେବ କେମିତି, ଯେଉଁଠି କେତେ ଯେ ଶବ ବ୍ୟବଚ୍ଛେଦ କର ଯାଇଛି !
ଆମ ପ୍ରଫେସର ପଢ଼ାଇବା ଆରମ୍ଭ କଲେ I କିନ୍ତୁ ବ୍ୟବଚ୍ଛେଦ ଭାର ଥାଏ ବିଦେଶୀ ଉପରେ I ବିଦେଶୀ ନାମକ କର୍ମଚାରୀଟି ଦିନରାତି 24 ଘଣ୍ଟା ମଦ ନିଶାରେ ଟୁଲ ହୋଇ ରହେ, ବେଶୀ ଦୋଷ ଦେଇ ହେବନି ତାକୁ …ଏହା ପରେ ବୁଝିଲି I ବ୍ୟବଚ୍ଛେଦ ପାଇଁ ଶବ ଆସିଲେ କେହି ଜଣେ ତାକୁ ଖୋଜାଖୋଜି କରି ଆଣେ I
ବାହ୍ୟାବସ୍ଥା ପରୀକ୍ଷା ନିରୀକ୍ଷା କଲା ପରେ ବିଦେଶୀକୁ କୁହାଗଲା ଶବର ଶରୀରରୁ ପୋଷାକ ଖୋଲି ଦେବାକୁ I ପୋଷାକ ବୋଇଲେ ଛକିପକା ଲୁଙ୍ଗିଟେ I ଘରେ ଥିଲାବେଳେ ବୋଧେ ମୂଷାମରା ଔଷଧ ଖାଇ ଆତ୍ମହତ୍ୟା କରିଛି I ବିଦେଶୀ ଆଦେଶ ପାଇବା ମାତ୍ରେ ଲୁଂଗୀଟିକୁ ଧରି ଛୁରୀରେ ଚିରିଦେଲା I ସମ୍ପୂର୍ଣ୍ଣ ନଗ୍ନ ଶରୀର ଯୁବକଟିର ୧୧o ହଳ ଆଖି ଆଗରେ I ନୂଆ ନ ଥିଲା ଆମ ପାଇଁ I Anatomy, Surgery, Obsterics & Gynaecology ରେ ସେତେବେଳକୁ ଅନେକ ଉଲଗ୍ନ ଶରୀର ଦେଖିଛୁ I ତେବେ ଅପରେସନ ଅବା ପରୀକ୍ଷଣ ପାଇଁ ସେଠି ସମ୍ମାନ ଦିଆ ହୋଇ ଵିଵସ୍ତ୍ର କରାଯାଏ I
ତେବେ ମୃତ୍ୟୁପରେ ‘କ‘, ‘ଖ‘, ‘ଗ‘ ନାମଧାରୀ ବ୍ୟକ୍ତିଟିକୁ ଆଜି ମୃତ୍ୟୁ ପରେ କେବଳ ବଡି (body) ବୋଲି ଆଖ୍ୟା ଦିଆ ହୋଇଛି I କ‘ଣ ହେଲା ତୋ ଅହଂ ରେ ମଣିଷ ! ଏ ବଡି କୁ ଆଜି କିଛି ଫରକ ପଡୁନି — କିଏ ଛୁଇଁଲା, କିଏ ଲଙ୍ଗଳା କଲା , କିଏ ଫୋପାଡ଼ି ଦେଲା!
ଛାଡ଼ନ୍ତୁ —
ପୁଣି ଥରେ ତନ୍ନ ତନ୍ନ କରି ପରୀକ୍ଷା କରାଗଲା ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗକୁ I କୌଣସି ମାଡ଼ ବାଜିନି ତ, କୌଣସି ପୋକ ଜୋକ ତ ? ବିଦେଶୀ ମୁହଁ ପାଖକୁ ନାକ ନେଇ ମଦର କି ନାହିଁ ଦେଖିଲା I ଘର ଲୋକେ ଯେତେ ଯାହା ବର୍ଣ୍ଣନା କଲେ ମଧ୍ୟ ଆମେ ଆମ ପରୀକ୍ଷା ନିଶ୍ଚିତ ରୂପେ କରୁ , ସମ୍ପୂର୍ଣ୍ଣ ପରତେ ଯାଉନା I
ଏଥର ପେଟ କଟା ହେବ I ଆମ କଳ୍ପନା ବାହାରେ ଏକ ବଡ ଛୁରୀ ଧରି ଠିକ ଛାତି ମଝିରୁ ତଳିପେଟ ଯାଏଁ ବିଦେଶୀ କାଟି ଚାଲିଲା I ଆମ ଆଖି ଆଉ ତରାଟି ହୋଇଗଲା …ପିଠି ମାଂସପେଶୀ ସବୁ ଟାଣ ହୋଇଗଲା I କିଛି ଜଣଙ୍କର ମୁଣ୍ଡ ବୁଲେଇ ସେମାନେ ପଛ ଆଡେ ଯାଇ ବସି ପଡ଼ିଥିଲେ I
ଆଗ ଧାଡ଼ିର ଛାତ୍ର–ଛାତ୍ରୀ ଆମେ …କୁଆଡେ ଯିବୁ …ଏବେ ବି ଶେଷ ଯାଏଁ ଦେଖିବାର ଆଗ୍ରହ ଥାଏ I ପେଟ ଭିତର ନିରେଖି ଦେଖିବା ପରେ ପାକସ୍ଥଳୀ କଟା ହେଲା …ପୁଣି ସେଇ ବଡ ଛୁରୀରେ I ସେଥିରୁ ସାମ୍ପଲ ଯିବ ପରୀକ୍ଷା ପାଇଁ I କେଉଁ ବିଷ ଯୋଗୁଁ ମୃତ୍ୟୁ ହୋଇଛି ଜାଣିବା ଦରକାର l
ପାକସ୍ଥଳୀରେ ଅଧା ହଜମ ହୋଇଥିବା ଭାତ କିଛି ପାଣିରେ ଢଳ ଢଳ ହେଉଥାଏ I ଧରି ନିଅନ୍ତୁ, ଅଧା ଲିଟର ବାନ୍ତି ପରି ଦିଶୁଥାଏ I ସେତେବେଳକୁ ବିଦେଶୀ ହଠାତ ସେ କଟା ପାକସ୍ଥଳୀକୁ ଆମ ପାଖକୁ ନେଇ ଆସିଲା I ଠୋ ଠୋ ହୋଇ ହସି କହିଲା — “ଦେଖି ଥ ଗୋ I ଇଟାକେ ଶୁଙ୍ଘ, ଶୁଙ୍ଘ I ଆମେ ଘୃଣାରେ ଦୁଇ ପାଦ ପଛକୁ ଘୁଂଚି ଆସିଲୁ I ସେ ଆମ ପ୍ରତିକ୍ରିୟା ଦେଖି ହସି ହସି ଗଡି ଯାଉଥାଏ I ଲାଗୁଥାଏ, ଶ୍ମଶାନ ସାଧନା କରୁଥିବା ଅଘୋରୀ ଟିଏ ପରା !
ଏଥର ସାରଙ୍କ କଥା ସଂପୂର୍ଣ୍ଣ ଭୁଲି ପକେଟରୁ ରୁମାଲ ବାହାର କରି ନାକରେ ଚାପି ଧରିଲି I ରୁମାଲରେ ଅତର ପଡିଥାଏ ସେଇ “ରାୟାଁ ପାର୍ଟନର” (Ryan Partner) ର I କେମିତି ସହିବି କହିଲେ ସେ ବାସ୍ନା? ପରେ ସେ ଶବର ଖପୁରୀ କରତରେ କଟା ହେଲା, ମସ୍ତିଷ୍କ ମଧ୍ୟ ଯାଞ୍ଚ କର ହେଲା I ଶେଷଯାଏଁ କିନ୍ତୁ ନାକରେ ରୁମାଲ ଚାପି ଧରି ପ୍ରଥମ ଧାଡ଼ିରୁ ଧୀରେ ପଛ ଧାଡିକୁ ଅପସରି ଆସିଲି I