ବାସ୍ନାର ସ୍ମୃତି (୫)
June 19, 2022
ବାସ୍ନାର ସ୍ମୃତି (ଶେଷଭାଗ) (7)
June 19, 2022

ଆଚ୍ଛା, ରାତ୍ରିର ବାସ୍ନା କେବେ  ଶୁଙ୍ଘିଛନ୍ତି ? ନା, ମୁଁ ରାତିରେ ଫୁଟୁଥିବା ଜୁଇ, ଜାଇ, ରଜନୀଗନ୍ଧାର ବାସ୍ନା କଥା କହୁନି | ରାତିର ସ୍ଵକୀୟ ବାସ୍ନା ସବୁ  ବାଦେ ବି ଥାଏ | ସେଥିରେ ଏକ ମାଦକତା ଥାଏ | ଏକ ଆକର୍ଷି ଶକ୍ତି ଥାଏ |

 ଥରେ ମଧ୍ୟରାତ୍ରିରେ ନିଦ ଭାଙ୍ଗିଲା ପରେ କେଜାଣେ କାହିଁକି ଅନେକ ପ୍ରଚେଷ୍ଟାରେ ମଧ୍ୟ ଆଉ ନିଦ୍ରାଦେବୀ କୋଳାଗ୍ରତ କଲେ ନାହିଁ | ଏମିତି ଏକ ଛଟପଟ ଅବସ୍ଥାରେ ଭାବିଲି ଛାତ ଉପରୁ ଟିକେ ବୁଲି ଆସେ |

ମେଘମୁକ୍ତ ଆକାଶଲକ୍ଷ ଲକ୍ଷ ନା ଭୁଲ କହିଲି , କୋଟି କୋଟି ତାରାମାନଙ୍କର ସମ୍ଭାର; ପୂର୍ଣ୍ଣିମା ଦୁଇ ଦିନ ତଳେ ଯାଇଥାଏ | ତେଣୁ ଚନ୍ଦ୍ରସ୍ନାତ ରଜନୀ | ସବୁଆଡ଼ ନିଶ୍ଚୁପ | ପିଲାଦିନୁ ମୋର ବୈଜ୍ଞାନିକ ମନ ମାନି ନେଇଥାଏ ଯେ ଭୂତ  ଫୁତ  କେହି ନାହାନ୍ତି  – ଯଦିବା ଥିବେ,– ଯିଏ ଚାହିଁବ ସିଏ  ହିଁ ଦେଖିବ | ପ୍ରେତ ଦର୍ଶନର ବିଶେଷ ଅନାଗ୍ରହ ଯୋଗୁଁ ସେମାନଙ୍କ ଉପସ୍ଥିତି ମଧ୍ୟ ଅନୁଭବ କରିବାର କୌଣସି କାରଣ ଥାଏ |

 ପିଲାଦିନୁ ଅନେକ ଥର ଭାବିଛି କବି ହେବି ବା ଲେଖିକା ହେବି | ହେଲେ ପିଲାଦିନେଗରମ ମସଲା ମୁଢିଭଳି କିଛି ପିଲାଳିଆ କବିତା (ଅବଶ୍ୟ ପରେ ସେଭଳି ପିଲାଳିଆ କବିତା ଆଉ ଚେଷ୍ଟା କରି ବି କେବେ ସ୍ଫୁରିନି) କିମ୍ବା ପାରିଜାତ ପ୍ରବନ୍ଧମାଳା ସାହାଯ୍ୟରେ କିଛି ରଚନାରେ ହିଁ ସାରସ୍ୱତ ସାଧନା ସୀମିତ ରହିଗଲା |

ଟିକିଏ ପ୍ରାପ୍ତବୟସ୍କ ହୋଇ ଯେତେବେଳେ ଭାବୁକ ହେବାର ସମୟ ଆସିଲା , ରୁଟିନବନ୍ଧା ଜୀବନରେ ସେତିକି ଚିନ୍ତାଧାରା ମଧ୍ୟ କାହିଁ କେମିତି ବୁଦବୁଦ ପରାଏ ମିଳେଇଯାଏ | ଆଉ କେବେ କେମିତି କବିତାଟିଏ ଝରିଲେ ମଧ୍ୟ ମୋର ଗୋପନ ଡାଇରୀରେ  ହିଁ ଚୁପ ରହିଯାଏ | ବହୁତ ଚେଷ୍ଟା  କରି ବର୍ଷାକୁ ଭଲ ପାଇ ପାରିଲିନି କେବଳ ପ୍ରଥମ ବର୍ଷାର ମାଟିବାସ୍ନା ବ୍ୟତିରେକେ | ତେଣୁ ଭାବେମୁଁ  କବି ହେବି ଅବା କେମିତି ? କବିମାନେ ବର୍ଷାକୁ ଦେଖି କୁଆଡେ ଖୁବ ଭାବୁକ   ହୋଇଯାନ୍ତି ହେଲେ ମୁଁ ମେଘ ଉହାଡ଼ରୁ ସୂର୍ଯ୍ୟ କେତେବେଳେ ଉଙ୍କି ମାରିବେ ତାକୁ ଚାହିଁ ବସୁଛି | ପୁଣି ଲେଖକ ଲେଖିକାମାନେ କୁଆଡେ ଭାରି ଖିଆଲି | ଥରକୁ ଥର ଲେଖନ୍ତି, କାଗଜକୁ ଚିରି ପକେଇ ଦିଅନ୍ତି | ମୁଁ ଚିରକୁଟ ଖଣ୍ଡିକରେ କିଛି ଲେଖିଲେ ବି ତାକୁ ସୁନ୍ଦର କରି ତାରିଖ ପକେଇ ମୋ ଡାଏରୀ ଭିତରେ ଲେଖି ରଖୁଛି | ଧେତ, ମୁଁ  ପୁଣି ଲେଖିକାଟେ  ହେବି ? ଆଶା ଛାଡି ଦେଇଥିଲି

ହେଲେ ସେଦିନ ମଧ୍ୟରାତ୍ରିରେ ଛାତ ଉପରେ ବସି ଯେତେବେଳେ କାଗଜକୁ ଅନେଇ ରହିଲି ଯେପରି ମୋ ଅନ୍ତଃକରଣ ସେ ଚନ୍ଦ୍ରକିରଣରେ ଶୁଦ୍ଧ ହୋଇଯାଉଥାଏ | ମୋ ଭାବୁକ ମନ ଶୋଇବାଠୁଁ ଚେତି ଉଠୁଥାଏ | ଝିଙ୍କାରୀର ଝିଈଁ ଝିଈଁ  ଶବ୍ଦ ବୋଲି ଯାହାକୁ ଭାବୁଥିଲି ପ୍ରକୃତରେ ତାଥିଲା  ମୋ ନିଜ ଭିତରେ ଚାଲିଥିବା ଅନାହତ  ଧ୍ୱନି  | ଆକାଶ ସହ ଏକାତ୍ମ ହୋଇ ଗଲା ପରେ ସେ ସ୍ୱର ମୋ ଭିତରୁ ଆସୁଛି ନା ବାହାରୁ ଆସୁଛି ଆଉ ଜାଣି ହେଲାନି

ସେମିତି ଅପଲକ ନୟନରେ ଚାହିଁ ବସିଥାଏ ମନେ ହେଉଥାଏ ସତେ ଯେମିତି ମୋର ସମଗ୍ର କାୟା, ସମଗ୍ର ଚେତନା ପ୍ରସାରିତ ହୋଇଚାଲିଛି | ମନେ ହେଉଥାଏ ସତେ ଯେମିତି ମୋର ଆତ୍ମା ତତକ୍ଷଣାତ ବ୍ରହ୍ମଲୀନ ହୋଇ ଯିବାକୁ ବ୍ୟଗ୍ର | କେବଳ ଶରୀର ପିଞ୍ଜରାରେ ବାନ୍ଧି ହୋଇଛି ବୋଲି ପୁନଃ ପୁନଃ ସେଠାରୁ ଫେରି ଆସୁଛି | ସେ ଘନନୀଳ ଆକାଶରେ କେଜାଣେ କେତେ ଗୁଣରେ ଗାଢ଼ତର ନୀଳ ଉଜ୍ଜଳ ଗୋଲୋକ ଦର୍ଶନ ହେଉଥାଏ | କେତେବେଳେ ସେ ଗୋଲୋକ ବଢି ଆକାଶରେ ଏକାକାର ହୋଇ ଯାଉଥାଏ କେତେବେଳେ ପୁଣି ଏକ ବିନ୍ଦୁରେ ପରିଣତ ହୋଇ ଯାଉଥାଏ | ସେ ଜ୍ୱଳନ୍ତ ଗୋଲୋକ ବାହାରେ କେତେବେଳେ ପୁଣି ଆଲୋକର ସମ୍ଭାର

ଶିଳ୍ପୀ ମନ ଅପୂର୍ବ ଦୃଶ୍ୟରେ ସମ୍ମୋହିତ ହୋଇ ଉଠୁଥିବା ବେଳେ ସଂଗୀତପ୍ରେମୀ ମନ ଭିନ୍ନ ଭିନ୍ନ ସଂଗୀତର ମୂର୍ଚ୍ଛନାରେ ଉଚ୍ଛ୍ୱସିତ ହୋଇ ଉଠୁଥାଏ | ଯାହା ଝିଙ୍କାରୀର ଝିଈଁ ଝିଈଁ ଶବ୍ଦ ଭାବରେ ଅନୁସୃତ ହୋଇଥିଲା, ଧୀରେ ଧୀରେ ତା ଏକ ଭ୍ରମରର ଗୁଞ୍ଜନ , ଏକ ମୃଦଙ୍ଗର ଗୁରୁ ଗମ୍ଭୀର ଧ୍ୱନି ରେ ପରିବର୍ତ୍ତିତ ହୋଇ ଚାଲିଥାଏ |   ଆଉ କେତେବେଳେ ମୃତ୍ୟୁବତ ନିଃଶ୍ଚୁପତା | ଅପୂର୍ବ ଦୃଶ୍ୟସଂଗୀତ ଅନୁଭବ ଯେପରି ଅନ୍ତଃକରଣରୁ ସମସ୍ତ କଳୁଷ ଧୋଇନେଉଥାଏ | ବୋଧଶକ୍ତି ଯତକିଂଚିତ  କାର୍ଯ୍ୟରତ ଥାଏ | ସେଥିରେ ଭାବୁଥାଏ, ଇଏ ମୃତ୍ୟୁ କି ? ପୁଣି ଭାବୁଥାଏ ଇଏ ସମାଧି ନା ଭଗବାନଙ୍କ ଦର୍ଶନ ? ସେ ଯାହାହେଉ ସେଇମିତି ସମ୍ବିତହୀନ କିମ୍ୱା ସମ୍ବିତସଚେତନ ହୋଇ ସେଇଠି ଛାତ ଉପରେ କେତେ ସମୟ ଯେ ବସି ରହିଲି ଜଣାନାହିଁ | ଧୀରେ ଧୀରେ ଜଡଜଗତର ଧ୍ୱନି ଦୃଶ୍ୟରେ ସ୍ଵଜଗତକୁ  ପୁନରାଗମନ କଲି |

ତଳକୁ ଧୀରେ ଧୀରେ ଓଲ୍ହେଇଲି, ସମସ୍ତେ ପୂର୍ବବତ ନିଦ୍ରାଗତ | ନିଦ୍ରାହୀନତା ଚିନ୍ତା କଟିଯାଇ ନିଦ୍ରାର ଅନାବଶ୍ୟକତା ବୋଧ ହେଲାଣି ସେତେବେଳକୁ| ମୋ ଷ୍ଟଡିକୁ ଆସି ଟେବୁଲଲ୍ୟାମ୍ପ ଲଗେଇ ମୋ ପିଲା ଦିନର ଗୋପନ ଡାଏରୀ ବାହାର କରି ସେଦିନ ସମର୍ପଣର ଏକ କବିତା ଲେଖିଲି | ଆଃ! କେତେ ସୁନ୍ଦର ସେ ରାତ୍ରିର ବାସ୍ନା !


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *