ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ତୁମରି ପଥକୁ ଚାହିଁ ବସିଛି ଗୋ
ତୁମ ପଦ ପାତକୁ କାନ ଡ଼େରିଛି
ମୋ ପ୍ରତୀକ୍ଷାକୁ ସଫଳ କରି
ବାହୁ ବେଷ୍ଟନୀ ମଧ୍ୟକୁ ଆସିବକି ପ୍ରିୟ ?
ପ୍ରତ୍ୟେକ କ୍ଷଣ ହୁଏ ତୁମ ଚିନ୍ତାରେ ଅତୀତ
ମୁଁ ଯେ ଯୁଗ ଯୁଗ ଧରି ଅପେକ୍ଷମାଣା
ତୁମ ପାଷାଣ ହୃଦୟ କି ତରଳିବ ?
ମୋ ନିକଟକୁ ଆସି
ମୋ ଅବୟବକୁ ତୋଳି ଧରିବକି ପ୍ରିୟ ?
ଦୂର ପାହାଡ଼ରୁ ସୂର୍ଯ୍ୟଙ୍କ କିରଣ ଲିଭିବା ପର୍ଯ୍ୟନ୍ତ
ଚନ୍ଦ୍ରବିଧୌତ ରଜନୀରେ ଚନ୍ଦ୍ରମା ବିଲୀନ ହେବା ପର୍ଯ୍ୟନ୍ତ
ତୁମ ପ୍ରିୟା ଚାହିଁ ବସେ ତୁମକୁ
“ତୁମକୁ ” କେବଳ “ତୁମକୁ” |
ମୋ ପ୍ରତୀକ୍ଷାର ମୂଲ୍ୟ ଦେବ କି ପ୍ରିୟ ?
ମୋ ଜୀବନକୁ ସାର୍ଥକ କରିବକି ପ୍ରିୟ ??
XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX
ମୋ ଖଟ ପଡେ ଝରକାକୁ ଲାଗିକରି , ଟେବୁଲ ବି ଝରକାକୁ ଲାଗି …ଝରକା ସବୁବେଳେ ଖୋଲା …କିଏ ସିନା ଘର ଅନ୍ଧାର କରି ଶୁଏ , ମୁଁ ଖଟରେ ପଡି ଖୋଲା ଝରକା ଦେଇ ଆକାଶକୁ ଦେଖି ଦେଖି ଶୁଏ I ଝରକାକୁ ଲାଗି ନିମ ଗଛଟିଏ …ଆଃ ! କି ସୁନ୍ଦର ତା’ ପତ୍ରର ସଜ୍ଜା ! ତା ଭିତରେ ଦେଇ ଆକାଶକୁ ଦେଖିଲେ ଆହୁରି ସୁନ୍ଦର ଦିଶେ ନୀଳ ଆକାଶଟା l ଏମିତି ଆକାଶକୁ ଚାହିଁ ରହି କେତେବେଳେ ଆଖି ଲାଗି ଯାଏ, ଜାଣି ପାରେନି I
ଏମିତି ଆକାଶକୁ ଦେଖୁ ଦେଖୁ କିଛି ଶବ୍ଦ ଲେଖନୀ ମୂନକୁ ଉଛୁଳି ଆସି କବିତା ପାଲଟି ଯା’ନ୍ତି I ସେଇ ଆଦ୍ୟ ଯୌବନ ବେଳର ଏକ ଛୋଟିଆ କବିତା ….