Delusion of immortality
Delusion of immortality
July 20, 2024
Earth overshoot day
ଆମେ ଆମ ଉତ୍ତରପିଢିର ଭାଗ ମଧ୍ୟ ଖାଇ ଚାଲିଛୁ
July 31, 2024
Aum namo Bhagavate Vasudevaya

ଓଁ ନମୋ ଭଗବତେ ବାସୁଦେବାୟ II
***********
ଦୀର୍ଘ ଅଢେଇ ବର୍ଷର ଯାତ୍ରା ଗତ କାଲି ଶେଷ ହେଲା I କିଏ କହିଥିଲା ଆରମ୍ଭ କରିବାକୁ, କାହିଁକି ….ଜାଣିଲେ ହୁଏତ ବୁଝିବେ ଲୀଳାମୟଙ୍କ ଇଚ୍ଛା ବିଷୟରେ I ମୋ ନନା (ବାପା) ଙ୍କ ରଚିତ “ଶ୍ରୀମଦ ଭଗବଦ ଗୀତା ପଦ୍ୟାନୁବାଦ” ଯେତେବେଳେ ପ୍ରେସରୁ ଆସିଲା ଆମେ ଦୁହେଁ ସେ ଭିତରେ ବନାନ ଅଶୁଦ୍ଧି ଖୋଜୁଥିଲୁ l ଏବେ ବି ଡିଜିଟାଇଜେସନ ରେ ଓଡ଼ିଆ ଭାଷା ଦୁର୍ବଳ l ହାତ ଲେଖାକୁ ଡିଟିପି କରେଇ ଆଉ ଗୋଟେ କମ୍ପ୍ୟୁଟରକୁ ଚଢ଼େଇଲା ବେଳକୁ କିଛି ବନାନ ଏପଟ ସେପଟ ହୋଇଯାଏ ।
ନନା ଓ ମୁଁ ଉଭୟ ମାଷ୍ଟ୍ର …ଦୁହିଁଙ୍କ ଆଖି ଭୁଲ ଖୋଜିବାରେ ଅଭ୍ୟସ୍ତ I ଯଦିଓ ପିଲାଦିନୁ ଅନେକ ବାର ପ୍ରଭୁଙ୍କ କୃପାରୁ ଏ ମହାନ ଗ୍ରନ୍ଥ ଅଧ୍ୟୟନ କରିବାକୁ ଓ ଅନ୍ଵୟ ଶୁଣିବାକୁ ମିଳିଛି, ସେଥିରେ ପ୍ରବେଶ ସେମିତି କିଛି ବିଶେଷ ନ ଥିଲା I ଅଳ୍ପ କିଛି ଶ୍ଳୋକ ବୋଲି ପ୍ରାର୍ଥନାରେ ବୋଲିବା ଜାଣିଥିଲୁ, ତେବେ ଅର୍ଥକୁ ବେଶୀ କିଛି ଧ୍ୟାନ ଦେଇ ନ ଥିଲୁ I ନନା ଏ ଭିତରେ ତୃତୀୟ ସଂସ୍କରଣ କରି ସାରିଲେଣି, ଅଥଚ ମୁଁ ଯାନ୍ତ୍ରିକ ଭାବେ ପଢ଼ିଥିଲି ସିନା, ଭିତରକୁ ପ୍ରବେଶ କରି ନ ଥିଲି । ତେଣୁ ଭାବିଲି, ଏଥର ଧୀରେ ସୁସ୍ଥେ ପଢ଼ିବି ଆଉ ଆମ ପୂଜ୍ୟ ଗୁରୁଦେବଙ୍କର ରଚିତ ପୁସ୍ତକକୁ ମଧ୍ୟ ସାଥେ ସାଥେ ପଢି ବୁଝିବି I
ଏ ଭିତରେ ଆମ ଘରେ ମୋର ପୂଜ୍ୟ ପ୍ରାଧ୍ୟାପକ ପ୍ର: ସଦାନନ୍ଦ ରଥ ଆଜ୍ଞା “ଗୀତା ଭବନର” ନିଅଁ ରଖିଥିଲେ I ଭାବିଥିଲି ପାଖ ପଡିଶା ପିଲାଙ୍କୁ ମୋ ପିଲାଙ୍କ ସହ ବସେଇ, ଗୀତା ପାଠ ଶିଖେଇବି ଆଉ ତା ସହ ଅଳ୍ପ ଅଳ୍ପ ଶାସ୍ତ୍ର ବିଷୟକ ତଥ୍ୟ, କିଛି ଦେଶାତ୍ମବୋଧକ ଗୀତ ଶିଖେଇବି I ଏଥିପାଇଁ ଶ୍ରୀମତୀ ସଙ୍ଗୀତା ସାହୁଙ୍କ ଆଗ୍ରହ ମୋତେ ବିଶେଷ ପ୍ରେରିତ କରିଥିଲା I ହେଲେ କୋଭିଡ ମହାମାରୀର କଟକଣା ଓ ପରେ ପରେ ଅନ୍ୟାନ୍ୟ ଅସୁବିଧା ଯୋଗୁଁ ତାହା ଆଉ ଆଗକୁ ବଢି ପାରିଲା ନାହିଁ I
ଯେତେବେଳେ ନିଜେ ଗୀତା ପାଠ ପିକରିବାକୁ ନିଷ୍ପତ୍ତି ନେଲି, ସେତେବେଳେ ଭାବିଲି , ସେଇ ଛୁଆ ମାନଙ୍କ ପାଖକୁ ଦୁଇ ଦୁଇଟି ଶ୍ଳୋକ ରେକର୍ଡିଙ୍ଗ କରି କାହିଁକି ନ ପଠେଇବି? ଟେକ୍ନୋଲୋଜି ଏ ଭିତରେ ଆହୁରି ବାଟ ଦେଖାଇଲା, ମୁଁ ଅଡିଓ ବଦଳରେ ଭିଡ଼ିଓ ପଠେଇବାକୁ ସ୍ଥିର କଲି । ଆଉ ତା’ ପରେ YouTube, reels ଇତ୍ୟାଦି …କେହି କେହି ପଚାରନ୍ତି, କ’ଣ ପାଇଁ କରୁଛ, YouTube ରୁ କିଛି ରୋଜ଼ଗାର ହଉଛି କି, ବେଶି views ହଉନି ତ ….ହାଃ ହାଃ ! ମୋ ଉଦ୍ଦେଶ୍ୟ ତ ନ ଥିଲା ଏ ସବୁ …କିଛି ଦିନ ଅଧିକ ହୁଏତ ଏ କାମ ଇଣ୍ଟେର୍ନେଟ ରେ ରହିବ I ଯେମିତି ଗୀତା ଗ୍ରନ୍ଥ ମୋତେ ବାଛିଛି, ଯେବେ କାହାର ଉଚିତ ସମୟ ଆସିବ, ସେମାନଙ୍କୁ ମଧ୍ୟ ଏ ଭିଡ଼ିଓ ସବୁ ଆସି ଧରା ଦେବ l ସେଥିକୁ ମୁଁ ଏତେ ଭାବିବି କିଆଁ !
ଏ ଅଢେଇ ବର୍ଷ ରେ 306 ଭିଡିଓ ଯେ କଲି, ଏହା ମୋ ପାଇଁ ଏକ ଗ୍ରନ୍ଥାନୁପ୍ରବେଶ ମାତ୍ର I କେବଳ ଗୀତା ଆବୃତ୍ତି ମୋର ଲକ୍ଷ୍ୟ ଥିଲା, ହେଲେ ଟିକିଏ ପ୍ରାକ-କଥନ ନ ରଖିଲେ ବୁଝା ନ ପଡ଼ିବାର ସମ୍ଭାବନା ଥିଲା ବୋଲି ଅଳ୍ପ କିଛି କହେ ସେ ବିଷୟରେ I ଏ ଯାତ୍ରାରେ ମୋତେ ଅନେକେ ଅନେକ ପ୍ରକାରେ ସାହାଯ୍ୟ ସହଯୋଗ କରିଛନ୍ତି, କେହି କେହି କିଛି ଭୁଲ ସୁଧାରିଛନ୍ତି, କେହି ଯୋଡି ହୋଇଛନ୍ତି, କିଛି ଲୋକ ଯୋଡି ହୋଇ ପରେ ନିଜ ପସନ୍ଦର ମାର୍ଗ ପାଇ ଅନ୍ୟ ରୂପରେ ମଧ୍ୟ ଗୀତାଧ୍ୟୟନ କରିଛନ୍ତି । ଗତ ବର୍ଷ ଯେବେ ପୁରୀରେ ଏକ ସଡକ ଦୁର୍ଘଟଣାର ସମ୍ମୁଖୀନ ହେଲି, ସେତେବେଳେ ମନେ ହେଲା, ଈଶ୍ୱର ବୋଧେ ଏକ ମୃଦୁ ଧକ୍କା ଦେଲେ ଏ କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ । ଉତ୍ସାହ ଦ୍ବିଗୁଣିତ ହେଲା ।
ଏ କାର୍ଯ୍ୟରେ ବିଶେଷ ଧନ୍ୟବାଦ ଦେବି ମୋ ସହ ଏ ଅଧ୍ୟୟନରେ ଯୋଡି ହୋଇଥିବା ସମସ୍ତଙ୍କୁ, ମୋ ଭାଇ ଭଉଣୀମାନଙ୍କୁ , କିଛି ଜଣ ମୋତେ ଫୋଟୋ ଓ ଭିଡ଼ିଓ ମଧ୍ୟ ଏଥିପାଇଁ ଯୋଗେଇ ଦେଇଛନ୍ତି ବେଳେବେଳେ, କିଛି ଆକସ୍ମିକ ବିନ୍ଦୁରେ ମୋ ସହ ଯୋଡି ହୋଇଥିବା ବ୍ୟକ୍ତି ବିଶେଷ, ଯାହାଙ୍କଠୁ ଭିଡ଼ିଓ ଏଡିଟିଂ ର କିଛି ଧାରଣା ଆସିଲା । ଅନ୍ତରରୁ ପ୍ରଣାମ ଈଶ୍ୱରଙ୍କୁ, ମୋ ପୂଜ୍ୟ ଗୁରୁଦେବମାନଙ୍କୁ ଓ ପିତା ଶ୍ରୀ ଲଳିତ ମୋହନ ଆଚାର୍ଯ୍ୟଙ୍କୁ I ଏ ତ ଆରମ୍ଭ ମାତ୍ର l ଆଗକୁ ଈଶ୍ବରଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।
llଶୁଭମସ୍ତୁll
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ I
#GitaChanting #chantsbyacharyasisters #SrimadBhagavadGita #drvpacharya

Leave a Reply

Your email address will not be published. Required fields are marked *