ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ବାୟୋକେମିଷ୍ଟ୍ରି , କୀମସ , ଭୁବନେଶ୍ୱର
ଏଃ! ଉଠ୍ ଉଠ୍!
ଦାମୋଦର ରାଏ ଖଡଗ୍ ସିଂ ବୁଲିକି ଅନେଇଲେ | ଆଜି ହିଁ ନିଜ ନୂଆ ଚାମ୍ବର କୁ ଆସିଛନ୍ତି ବଡ଼ବାବୁ | ନାଁ ପଛରେ ଖଡଗ୍ ସିଂ ଲାଗିଥିଲେ ବି ସେ ମାଛିକୁ ମ’ ନକହିବା ଲୋକଟିଏ | ପିଲାଦିନୁ ପାଠପଢ଼ାରେ ଅଗ୍ରଣୀ , ତା ପରେ କମ୍ପିଟେଟିଭ ପରୀକ୍ଷାରେ ଅନେକଦିନ ଶ୍ରମବ୍ୟୟ କରି ଶେଷରେ କିରାଣୀ ଚାକିରୀରେ ଅବସ୍ଥାପିତ ହେଲେ | ଜେଜେବାପା ଜମିଦାର ଥିଲେ , ବାପା ହେଲେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ | ତେଣୁ ସାଙ୍ଗିଆଟା ଖଡଗ୍ ସିଂ ବୋଲି ଶୁଣି ଯିଏ ତାଙ୍କୁ ଭେଟିବାକୁ ଆସନ୍ତି , ସେମାନେ ନିଜ କଳ୍ପନାର ବିପରୀତ ମଣିଷଟିଏକୁ ସାମ୍ନାରେ ଦେଖନ୍ତି |
ନିଜ ପିତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ ଅବା ନିଜ ପ୍ରାରବଧଲବ୍ଧ ଗୁଣାବଳୀ ହେଉ , ସେ କ୍ଷତ୍ରିୟ କମ, ବ୍ରାହ୍ମଣ ବେଶୀ ମନେ ହୁଅନ୍ତି |
ହଠାତ ବୁଲିକରି ଚାରିଆଡେ ଅନେଇଲେ , କିଏ ଏପରି ତାଙ୍କୁ ଚୌକିରୁ ଉଠିବାକୁ କହିଲା ? ଆଉ ଥରେ ସହଜ ହୋଇ ବସିବାକୁ ଚେଷ୍ଟା କଲେ | ଲାଗିଲା, ଯେମିତି କିଛି ଗୋଟେ ତଳଆଡ଼ୁ କେଞ୍ଚିହୋଇ ଯାଉଛି |
କାନରେ ଶୁଭିଲା – ଖଡଗ୍ ସିଂ, ମୁଁ ଚୌକି କହୁଛି | ମୋ ହିସାବରେ କାମ କରିବୁ ତ ଏଠି ତିଷ୍ଠି ରହିବୁ, ନ ହେଲେ…|
ବଡ ଆଶ୍ଚର୍ଯ୍ୟ ଲାଗିଲା ବଡ଼ବାବୁଙ୍କୁ | ସେ ଏଇ ଚୌକିର ସ୍ବପ୍ନ କାହିଁ କେବେଠୁ ଦେଖିଛନ୍ତି | ରାତି ରାତି ଧରି ସ୍ବପ୍ନ ଦେଖନ୍ତି ଏ ଚୌକିର …କେମିତି ଆଦବ କାଇଦାରେ ବସିବେ, କେହି କବାଟ ଠକ ଠକ କଲେ କେମିତି ଏ ରିବଲଭିଙ୍ଗ ଚୌକିରେ ପଛପଟୁ ଆଗକୁ ବୁଲି ଆଗନ୍ତୁକଙ୍କୁ ସ୍ୱାଗତ କରିବେ l ଟେବୁଲ୍ ରେ ଗୋଟେ କାଚ ପକେଇବେ ଆଉ କାଚ ତଳେ କୋଉ ଫଟୋ ରଖିବେ, ସରକାରୀ କ୍ୟାଲେଣ୍ଡର ରଖିବେ ….ଇତ୍ୟାଦି I ପିଅନ ପ୍ରମୋଦକୁ ଡାକି ନିଜର ଏକ ଫଟୋଚିତ୍ର ବି ତୋଳିବେ I ହାତରେ କଲମ ଧରିଥିବେ I ଅଳ୍ପ କିଛି ଫାଇଲ ରଖା ହୋଇଥିବ, ବେଶୀ ନୁହେଁ, କାରଣ ତାଙ୍କ ଅଭ୍ୟାସ ହେଉଛି କାମ ପାଇଲା ମାତ୍ରେ ଶେଷ କରିଦେବେ, କାହାକୁ ହଇରାଣ କରିବେ ନାହିଁ l ସେଥିପାଇଁ ତ ସେ ଏତେ ଲୋକପ୍ରିୟ l ହେଲେ ଫାଇଲ ଅଳ୍ପ ନ ରଖିଲେ, ଲୋକେ ଭାବିବେ, ବୋଧେ ସେ କିଛି କାମ କରନ୍ତି ନାହିଁ I ଧାରେ ହସ ଖେଳିଗଲା ତାଙ୍କ ମୁହଁରେ I
ହେଲେ ଦୁଇ ଦୁଇ ଥର ତାଙ୍କ ନାଁ ସୁପାରିଶ ହୋଇ ଚାଲିଗଲା ପରେ ମଧ୍ୟ ଆଉ କେହି ନା କେହି ଏ ଚୌକି କୁ ହାତେଇ ନେଇଛନ୍ତି | ଶେଷକୁ ସୁଯୋଗ ଆସିଲା , ଯେବେ ଏ ଚୌକିରେ ସ୍ଥାପିତ ଥିବା ବଡ଼ବାବୁ ଚରଣ ପଟ୍ଟନାୟକ ମାତ୍ରାଧିକ ମଦ୍ୟପାନ କରି ରାସ୍ତାକଡ ଏକ ଖାଲରେ ପଡି ରାତିସାରା ସେମିତି ରହି ପ୍ରାଣତ୍ୟାଗ କଲେ |
ଏଇ ମଉକାରେ ଖଡଗ୍ ସିଂ ଙ୍କୁ ଭଲ ପାଉଥିବା କିଛି ଅଧସ୍ତନ କର୍ମଚାରୀ ଲାଗିପଡ଼ି ତାଙ୍କର ପଦୋନ୍ନତି “ବଡ଼ବାବୁ” ପାହ୍ୟାକୁ କରେଇଦେଲେ | ଭଗବାନଙ୍କୁ ମନେ ମନେ ଧନ୍ୟବାଦ ଦେଇ ଆତ୍ମସନ୍ତୋଷର ସହ ନିଜ ଚାରିପଟେ ସଜା ହୋଇଥିବା ଫୁଲତୋଡାକୁ ନଜର ପକାଇଲେ |
କଲିଂବେଲ ମାରିଲେ, କିଛି ସମୟ ଛାଡି ପ୍ରମୋଦ, ତାଙ୍କ ପିଅନ ଭିତରକୁ ଆସିଲା | କାନ କୁଣ୍ଡେଇକି କହିଲା ,” ସାର ଟିକେ ସେପଟେ ଖାତା ଦେବାକୁ ପଳେଇଥିଲି |”
“ସାର , ଗୋଟିଏ କଥା କହିବି , ଆପଣ ଏ ଚୌକିରେ ବସି ବେଶ ଭଲ ଦେଖାଯାଉଛନ୍ତି | ଆପଣ ବଡ଼ବାବୁ ହେଲାରୁ ଆମେ ସମସ୍ତେ ଭାରି ଖୁସି |”
ଚୌକି, ତଳୁ ବଡ଼ବାବୁଙ୍କୁ ଜୋରରେ ଖେଂଚିଲା | “ଗାଳି ଦେ ଗାଳି, ଏଇ ଏମିତି ସାକୁଲେଇ କଥା ହୋଇ କାମରେ ଠକିବ | ମୂଳରୁ ଟାଣ ହ |”
ବଡ଼ବାବୁ ଦ୍ବିଧାର ସହ ଇତଃସ୍ତତଃ ଦେଖିଲେ ଆଉ ପଚାରିଲେ , “ପ୍ରମୋଦ, ତୋତେ କିଛି ଆବାଜ ଶୁଭୁଛି କିରେ ?”
ପ୍ରମୋଦ ଉତ୍ତର ଦେଲା ” ନାଁ ତ | ସାରେ ଚା ଆଣିଦେଵି ?”
ବଡ଼ବାବୁ ଟିକେ ସଳଖି ବସିଲେ | କହିଲେ , “ହଁ… ଅ… ଆଣେ ଆଣେ | ହେଲେ ବେଲ ମାରିଲା ମାତ୍ରେ ଆଗ ଆସି ମୋତେ ଦେଖା କରିବୁ | ତା’ ପରେ ଯାଇ ଆଉ କିଛି | ”
ପ୍ରମୋଦର ମୁହଁ ଅପମାନରେ ଲାଲ ହୋଇଗଲା | କହିଲା – “ଆଜ୍ଞା, ଭୁଲ ହେଇଗଲା |”
ବଡ଼ବଡ଼ ହୋଇ ନିଜକୁ ନିଜେ କହିଲା – “ସବୁ ଏକା ଲାଉର ଫଳ | କଣ ଭାବିଥିଲି ଲୋକଟାକୁ , କଣ ବାହାରିଲା ! ପ୍ରଥମ ଦିନୁଁ ଏ ରଙ୍ଗ ! ”
Xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଆଜି ବଡ଼ବାବୁ ଛୁଟିରେ | ଅଫିସଯାକ ଲୋକ ମେଳିହୋଇ ଗପୁଥାନ୍ତି | ସମସ୍ତଙ୍କ ମୁହଁରେ ସେଇ ଗୋଟିଏ ଚର୍ଚ୍ଚା | ଏ ଖଡଗ୍ ସିଂ ଲୋକଟା ଏମିତି ବଦଳି କଣ ଗଲା ? ନିଜେ ଆମ ସାଥେ ବସୁଥିବାବେଳେ କାହାକୁ ଯେ ସାହାଯ୍ୟ ନ କରିଛି | ଲୋକଟା ଏବେ ହଠାତ ଏମିତି ଫଁ ଫଁ କାହିଁକି ହେଉଛି ସମସ୍ତଙ୍କ ଉପରେ ?
“ମୋ ଝିଅ ବାହାଘର ପାଇଁ ଲୋନ ଟା ରୋକିଦେଲା |”
“ମୋତେ ପରା ସେଦିନ ଖାଲିଟାରେ ଦୁତକାରି ଦେଲେ |”
” ଆରେ ମୋ କଥା ଶୁଣ , ସେଦିନ କହିକି ଯାଇଥିଲି , ମୋ ମା’ଙ୍କୁ ହସ୍ପିଟାଲ ଦେଖେଇବାକୁ ନେଉଛି ବୋଲି | ମୁଁ ଫେରିଲା ପରେ , ସବୁ ଭୁଲିଯାଇକି ବକାସୋଧା |”
“ଓଃ!, ତା ହେଲେ ସମସ୍ତେ ଅଳ୍ପ କିଛି ଭୋଗିଛେ | କ’ଣ ଭୂତ ମାଡି ବସିଲା କି ?
“ହଁ ..ଅ…ହଁ ..ଚୌକି ଭୂତ ମାଡି ବସିଥିବ | ”
ହାଃ ହାଃ କାରି ସମସ୍ତେ ହସି ଉଠିଲେ |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଖଡଗ୍ ସିଂ ଦର୍ପଣ ଆଗରେ ଅନେକ ସମୟ ଧରି ନିଜକୁ ଦେଖୁଥା’ନ୍ତି | ଦର୍ପଣର ଠିଆ ହୋଇଥିବା ଲୋକଟି ସମ୍ପୂର୍ଣ୍ଣ ଅପରିଚିତ ଲାଗୁଥାଏ |
ସବୁବେଳେ ସ୍ମିତହାସ୍ୟ ଖିଅ ଓଠଧାରରେ ଲାଗି ରହୁଥିବା ଖଡଗ୍ ସିଂ ଆଜି ଯେମିତି ନିଜ ଜମିଦାର ଜେଜେବାପାଙ୍କ ପରି ଦିଶୁଥାନ୍ତି | କ୍ରୋଧୀ , କ୍ରୂର, ମୁହଁ ସମ୍ପୂର୍ଣ୍ଣ ଭାବରହିତ |
ଡାକ୍ତରଙ୍କ ରିପୋର୍ଟ ଖଟଧାରରେ ପଡିରହିଛି |
ଲିପିଡ଼ ପ୍ରୋଫାଇଲ ପୂରା ଖରାପ ଆପଣଙ୍କର “- କେବେ ପରୀକ୍ଷା କରେଇଥିଲେ |” ଡାକ୍ତର ପଚାରିଥିଲେ |
“ଆଜ୍ଞା, ପରୀକ୍ଷା କରିବା କେବେ ଦରକାର ପଡିନି | କେବେ କିଛି ତ ଅସୁବିଧା ଲାଗିନି | ଏବେ ଏଇ ଅଳ୍ପ କିଛି ଦିନ ହେବ ଟିକେ ଅଡୁଆ ଲାଗିଲା… ” ଖଡଗ୍ ସିଂ କହିଥିଲେ |
ଡାକ୍ତର କିଛି ଦିନ ଛୁଟିରେ ରହିବାକୁ କହିଲାରୁ ପ୍ରଥମେ ଖଡଗ୍ ସିଂ ଙ୍କ କାନରେ ବାଜିଲା ଚୌକିର ତାଗିଦ | ବେଶିଦିନ ଛୁଟିରେ ରହିବୁନି ଟି! ମୁଁ ଖସିଯିବି ତୋ ହାତରୁ |”
କହିଲେ ” ଆଂଜ୍ଞା ଛୁଟିରେ ରହିବି ଯେ , କିଛି ଜରୁରୀ କାମ ନିପଟେଇସାରି | ଡାକ୍ତର କହିଲେ – “ଦେଖନ୍ତୁ ଆପଣଙ୍କ ଇଛା | କାମ ନିପଟାଉ ନିପଟାଉ ଆଉ କିଛି ବଡ ଧରଣର ଅସୁବିଧା ନ ହଉ |
ଖଡଗ୍ ସିଂ କଥା ମାନି ୨ ଦିନ ଛୁଟି ପକେଇଲେ | ଆଉ ଦ୍ୱିତୀୟ ଦିନରେ ଦର୍ପଣ ଆଗରେ ଠିଆ ହୋଇ ନିଜ ପ୍ରତିବିମ୍ବକୁ ଦେଖି ଚମକି ପଡିଲେ |
ସ୍ତ୍ରୀ ଆସି ପଚାରିଲେ – ” କଣ ସବୁ ଏତେ ଲେଖୁଛ ? ଟିକିଏ ଶୋଇ ପଡୁନ |
ଖଡଗ୍ ସିଂ ଉତ୍ତରଦେଲେ – ଜୀବନର ହିସାବ ନିକାଶ | ବିଶେଷ କରି ବଡ଼ବାବୁ ହେବାପରେ ମୋ ଜୀବନର ଗତିବିଧିର ହିସାବକୁ ପରଖୁଛି, ତୁମେ ଯାଅ, ଆଜି ମୁଁ ବହୁତ ଦିନ ପରେ ଶୋଇବି ଭଲରେ |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଖଡଗ୍ ସିଂ ଯେତେବେଳେ ଅଫିସକୁ ପଶିଲେ , ଅଧସ୍ତନ କର୍ମଚରୀମାନେ ତରବରିଆ ଭାବେ ନମସ୍କାରଟିଏ ପକେଇ ସମ୍ଭ୍ରମରେ ନିଜ ନିଜ ସ୍ଥାନକୁ ଯାଇ କାମ ଆରମ୍ଭ କରୁଥା’ନ୍ତି | ମନେ ମନେ ହସିଲେ , ଦିନେ ଏଇ ମାନେ ମୋର ଆତ୍ମୀୟ ଭାବେ କେତେ ସୁଖଦୁଃଖର ପେଡି ଖୋଲି ବସୁଥିଲେ ମୋ ସହ | ଆଜି ମୁଁ “ବଡ଼ବାବୁ ” ….
ଖଡଗ୍ ସିଂ ଘଣ୍ଟି ବଜେଇବା ମାତ୍ରେ ପ୍ରମୋଦ ଅଧା ମଜା କପ ଟିଏ ଧରି ଚେମ୍ବରକୁ ପ୍ରବେଶ କଲା |
“ଆଜ୍ଞା ସାର |”
ଖଡଗ୍ ସିଂ ହୋ ହୋ ହୋଇ ହସିଲେ – “ଯା , କପ ଧୋଇକି ଆ | ବହୁତ ଜରୁରୀ କାମ ଅଛି |”
ଚେମ୍ବର ବାହାରକୁ ଆସି କହିଲେ – “ଆଜି କେହି ଲଞ୍ଚ ପାଇଁ ଘରକୁ ଯିବେନି |”
ସମସ୍ତେ ଅସନ୍ତୁଷ୍ଟିର ସହ ଉପରକୁ ଅନେଇଲେ |
ଖଡଗ୍ ସିଂ ସ୍ମିତହସ ହସି କହିଲେ – ” ଆଜି ମୋ ତରଫରୁ ବିରିୟାନୀ ପାର୍ଟି | ବହୁତ ଦିନ ହେଲା ଏକାଠି ବସି ଖାଇନେ |
ପ୍ରମୋଦ ପାଖରେ ହାତ ଯୋଡି ଠିଆ ହେଲା – “ସାର, କ’ଣ ଜରୁରୀ କାମ କହୁଥିଲେ |”
ହସି ହସି କହିଲେ – “ହଁ , ବହୁତ ଜରୁରୀ , ସେ ଯେଉଁ ଚୌକି ଟା ଅଛି , ସେଇଟା ବଦଳେଇ ମୋ ପୁରୁଣା ଚୌକି ଟା ପକେଇଦିଅ | ଆଉ ଏ partition ଟା ହଟେଇ କେବଳ ପରଦାଟେ ବେଢ଼େଇ ଦେବାର ବ୍ୟବସ୍ଥା କର |
“କରବାବୁ, ଆପଣଙ୍କ loan sanction paper ଟା ନେଇକି ଯିବେ ଆଜି |”
“ଆଉ ସାନ ଭାଇ, କ’ଣ ଖବର? ମା’ ଭଲ ତ ?”
“ଆରେ ମାନସୀର ବାହାଘର ପାଇଁ କଣ ଗିଫ୍ଟ ପ୍ଲାନ କରିଛ ? ମୋତେ ତ କାହିଁ କେହି କିଛି କହୁନ ?”
ଆଜି ଅଫିସରେ ଯେମିତି ଅଦିନ ବସନ୍ତ ଆସିଥିଲା | ସମସ୍ତେ ପ୍ରଫୁଲ୍ଲିତ ଦିଶୁଥିଲେ – ନିଜର ଚିହ୍ନା ଅମାୟିକ ଭଦ୍ର ଖଡ଼ଗ ସିଂ ଙ୍କୁ ପାଇକି |
ପ୍ରମୋଦ ଚୌକି ଟା ନେଇ ଯାଉଥିବା ବେଳେ ଖଡଗ୍ ସିଂ କହିଲେ condemned ଲିଷ୍ଟରେ ପକେଇଦେବ |” ପ୍ରମୋଦ ଆଖି ତରାଟି ପଚାରିଲା , ସାର , ପୁରା ଭଲ ତ ଅଛି |”
ଖଡଗ୍ ସିଂ କହିଲେ – ନାଁ , ଭଲ ନାହିଁ | ସେଥିରେ ଗୋଟେ ଭୂତ ଅଛି, ଯିଏ ଧୀରେ ଧୀରେ ଜୀବନ ଶୋଷି ନିଏ | ସେଥିରେ କେହି ବି ବସିବା ଦରକାର ନାହିଁ |
ସମସ୍ତେ କାବା ହୋଇ ଅନେଇଥା’ନ୍ତି |
ଖଡଗ୍ ସିଂ ଙ୍କ କାନରେ ବାଜୁଥାଏ , “ଜାଣିରଖ ଖଡଗ୍ ସିଂ, ତୁ ଭୁଲ କରୁଛୁ | ଅଧସ୍ତନଙ୍କ ସାଙ୍ଗେ ଏମିତି ମିଶା ଯାଏନି | ତୁ ଆଜି ଯାଏଁ ମୋ କଥାକୁ ଶୁଣୁଥିଲୁ | ଦେଖ , ପୁଣିଥରେ ମୋତେ ଲୋଡ଼ିବୁ | ମୁଁ ହିଁ ତୋର ଠିକ ମାର୍ଗାଦ୍ରଷ୍ଟା |”
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଡାଏରୀ ଖୋଲି ଖଡ୍ଗସିଂ ଲେଖିଲେ – ” ବିଦାୟ ଚୌକି |” କଷ୍ଟ ଥିଲା ତୋ ମାୟାରୁ ମୁକୁଳିବା | କିନ୍ତୁ ତୋ ସହ ମୋ ଭାବ ହୁଏତ ଆଉ କିଛିଦିନ ଯାଏଁ ହୋଇଥାନ୍ତା | ତୋତେ ଭିନ୍ନ ଭିନ୍ନ ଲୋକ ଅଳଙ୍କୃତ କରିବେ ନିଶ୍ଚୟ | କିନ୍ତୁ ତୋ ଉପରେ ବସିବା ଦିନଠୁ ମୁଁ ସମସ୍ତଙ୍କ ହୃଦୟ ଚୌକି ରୁ ଧୀରେ ଧୀରେ ବିତାଡିତ ହୋଇ ସାରିଥିଲି | ମୁଁ ଅବସର ନେଲାପରେ ଯେମିତି ହେଲେ ତୋତେ ତ୍ୟାଗିଥାନ୍ତି , କିନ୍ତୁ ସେତିକି ଭିତରେ ମୁଁ ସମସ୍ତଙ୍କ ଠୁ ଅନେକ ଦୁରେଇ ଯାଇଥାନ୍ତି | ତୁ ମୋତେ ରୁକ୍ଷ କରିଦେଲୁ | ଲାଞ୍ଚ ନେବାପାଇଁ ପ୍ରବର୍ତ୍ତାଇଲୁ , କାହାକୁ ଗାଳି ଦେବାକୁ କହିଲୁ | ବିପଦରେ ପଡିଥିବା ଲୋକକୁ ସାହାଯ୍ୟ ନ କରିବାକୁ କହିଲୁ | ପ୍ରତି ପାଦରେ ମୋତେ ଡରେଇଲୁ ଯେ, ମୁଁ ତୋ କଥା ନ ମାନିଲେ ମୋ ଚୌକି ଚାଲିଯିବ, ବଡ଼ବାବୁ ବୋଲି ପ୍ରତିପତ୍ତି ରହିବ ନାହିଁ |
ହେଲେ ଆଜି ମୁଁ ସବୁ ଭୟରୁ ମୁକ୍ତ ହୋଇ ତୋତେ ହିଁ ଦୂରେଇ ଦେଇଛି | କାମ ଆଦାୟ କରିବାପାଇଁ ଆତଙ୍କ, ପ୍ରତିପତ୍ତି ନୁହେଁ ବରଂ ଭଲପାଇବା ହୃଦୟଟିଏ ଦରକାର, ଅନ୍ୟର ଦୁଃଖକଷ୍ଟ ବୁଝି ପ୍ରତେକଙ୍କ କ୍ଷମତା ଅନୁଯାୟୀ କର୍ମ ବଣ୍ଟନ କରି କାମ କରେଇବା ଚାହି |
ତୋତେ ଜାବୁଡି ଧରି ମୋ ଅଫିସର ପ୍ରକୃତ ଉନ୍ନତି ଅଣଦେଖା କରିଦେଇଥିଲି, କାଲିଠୁ ମୋର ପ୍ରକୃତ ଆମ ଆରମ୍ଭ ହେବ |
ଏକ ଦୀର୍ଘଶ୍ୱାସ ନେଇ ଡ଼ାଇରୀ ବନ୍ଦ କଲେ | ଏକ ସକାରାତ୍ମକ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁ କରୁ ଶାନ୍ତି ରେ ନିଦ୍ରା ଗଲେ ଅନେକ ଦିନ ପରେ |
**************