ପତିତା ସାବିତ୍ରୀ

Lack of resources have never delimited a talent
July 5, 2023
Gratitude to God and Sri Gurudev – Road accident in Puri
July 25, 2023

………………

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ


ଏହା ଏକ ମନସ୍ତାତ୍ତ୍ୱିକ ଧର୍ମୀ ଗଳ୍ପ l ଆଜିକାଲି ସମଲିଙ୍ଗୀ ବ୍ୟବହାରକୁ ନେଇ ପ୍ରବଳ ଆଲୋଚନା, ଅନେକ ଦ୍ୱନ୍ଦ୍ୱ l ତିନି ତୁଣ୍ଡରେ ଛେଳି କୁକୁର ପରି କିଛି ଧାରଣା ନୂତନ ପୀଢି ମୁଣ୍ଡରେ ଭୁଲ ଭାବରେ ପୁରେଇ ଦିଅ ଯାଉଛି l ଅନେକେ ଆଜି ଦ୍ଵିଧାରେ l କିଛି ଲୋକଙ୍କର ଶାରୀରିକ ସମସ୍ୟା ଥାଏ, ଅନେକେ ଏହାକୁ ଢାଲ ରୂପେ ମଧ୍ୟ ବ୍ୟବହାର କରନ୍ତି I ପରିବାର ଅଥବା ଚିହ୍ନ। ଲୋକଙ୍କ ଦ୍ୱାରା ଯୌନ ଶୋଷଣର (incest ) ନଜିର ଆମ ସମାଜରେ କାମ ନାହିଁ , ତେବେ ପରିବାରର ସମ୍ମାନ ରକ୍ଷା କରିବା ପାଇଁ ଏହାକୁ ଚପେଇ ଦିଆଯାଏ l ତେବେ ପରବର୍ତ୍ତୀ କାଳରେ ତାହା ସେ ଝିଅଟିର ମନସ୍ତତ୍ତ୍ୱ ଉପରେ କି ଭଳି ପ୍ରଭାବ ପକେଇବ, ତାହା କେହି କହି ପାରିବେନି l
ଏହି ଗଳ୍ପକୁ ଖଣ୍ଡ ଖଣ୍ଡ କରି ଦେଇଥିଲି; ଆଜି ସମ୍ପୂର୍ଣ୍ଣ କାହାଣୀ ଏକା ଥରେ ଦେଉଛି I

ୠଜୁତା ଶାଶୁଙ୍କ ପାଖରେ ଯାଇ ଧୀରେ ଠିଆ ହୋଇ କହିଲା, “ବୋଉ ମୁଁ ସାବିତ୍ରୀ ବ୍ରତ କରି ପାରିବି ନାହିଁ |”
ଶାଶୁ ମୁଣ୍ଡ ଉଠେଇ ପଚାରିଲେ , “କଣ ପାଇଁ କିଲୋ ? ”
ସେ ଚୁପି ଚୁପି କହିଲା , “ଷ୍ଟାର୍ଟ ହୋଇଗଲା |”

ଶାଶୁ ଟିକିଏ ମନ ଦୁଃଖ କରି କହିଲେ – ” ଓଃ , ହଉ ଚଳିବ ଯେ , କିଛି ଅସୁବିଧା ନାହିଁ | ତୁ ଖାଲି ଓପାସ କରେ | ମୁଁ ପୂଜା ସାମଗ୍ରୀ ଲୁଗାପଟା ଠାକୁରଙ୍କଠେଁ ଲଗେଇ ଦେବି |
ସ୍ୱସ୍ତିର ନିଃଶ୍ୱାସ ମାରି ୠଜୁତା ନିଜ କମରାକୁ ଫେରି ଆସିଲା |
ତକିଆ ପିଠି ପଛରେ ଲଗେଇ ଦେଇ ଆଖି ବନ୍ଦ କରି ଭାବି ଚାଲିଲା | ଗତ ୧୫ ଦିନ ଭିତରେ ତା ଜୀବନ କୌଣସି ଚଳଚ୍ଚିତ୍ର ଠୁ କମ ରୋମାଞ୍ଚକର ନ ଥିଲା |

ଝରକାବାଟୁ ମୁହଁରେ ଦମକାଏ ପବନ ଆସି ବାଜିଲା ଓ ତାକୁ ମନପବନ କଠଉରେ ଉଡେଇ ନେଇଗଲା କାହିଁ କେତେ ଦୂର | ତାଙ୍କର ଗ୍ୟାଙ୍ଗ ଥିଲା ୫ ଜଣର , ନାଁ ଦେଇଥିଲେ Devil ‘s gang , ଯେଉଁଥିରେ ସେ ଏକା ଝିଅ ଥିଲା | ତା ବଏଫ୍ରେଣ୍ଡ ରଜତ ଓ ତାର ଆଉ ୩ ଜଣ ସାଙ୍ଗ ପ୍ରାୟତଃ ସବୁଆଡେ ଏକାଠି ବୁଲି ପଳାନ୍ତି | କଲେଜ ଜୀବନରେ ରଜତ ସହ ଚିହ୍ନା, ତା ପରେ ଅନ୍ୟ ୩ ଜଣ ଧୀରେ ଧୀରେ ଯୋଡି ହୋଇ ଯାଇଥିଲେ | ସେ ଉଛୁଳା ନଦୀଟିଏ ପରି ମୁକ୍ତ , ସ୍ୱାଧୀନ ଝିଅଟିଏ | ତାର ନିଜ ଉପରେ , ତା’ଠୁ ବେଶୀ ରଜତ ଉପରେ ଭରସା ଥିଲା | ବହୁବାର ରଜତ ତାର ନିକଟତର ହୋଇଛି | ହେଲେ ୠଜୁତା କହେ , ” ଆମେ ସବୁଦିନେ ଫ୍ରେଣ୍ଡ୍ସ ହିଁ ହୋଇକି ରହିବା | No expectation… no bondage ଆମେ ସେଇ ପରୀମାନଙ୍କ ଦ୍ଵୀପରେ ମୁକ୍ତ ସ୍ୱଚ୍ଛନ୍ଦ ଚିରକୁମାର-କୁମାରୀ ପରି ଖେଳୁଥିବା, ବୁଲୁଥିବା, ଜୀବନର ଆନନ୍ଦ ଉଠେଇବା | ଆମେ Neverland ର ପିଟର ପ୍ୟାନ| ଅନ୍ତତଃ ନିଜ ନିଜ ବାହାଘର ପର୍ଯ୍ୟନ୍ତ |
ବେଳେବେଳେ ୠଜୁତା ଠୋ ଠୋ ହସି ପୁଣି କହେ , “ମୋର ତ ବାବା ଏ ବାହାଘର ଚକ୍କରରେ ପଡ଼ିବାର ନାହିଁ | ତୁମେ ମାନେ ବାହାହେଲେ ଏ gang ଯଦି ଭାଙ୍ଗିବ ତ ଭାଙ୍ଗିବ | ମୁଁ କିନ୍ତୁ ସବୁବେଳେ ଆସି ଯାଉଥିବି ତୁମମାନଙ୍କୁ disturb କରିବାକୁ |”

ଘରଠୁ ଦୂରରେ ରହି MBA କରି ସାରି ସ୍ୱାଧୀନ ଭାବେ MNC ରେ ଚାକିରୀ କରି ଜୀବନ ବିତାଉଥିଲା ୠଜୁତା | ନିଜର ଗୋଟେ ବଡ ଆପାର୍ଟମେଣ୍ଟ ଭଡା ନେଇଥିଲା | ସେଠି Devil ‘s gang ର ସ୍ୱଚ୍ଛନ୍ଦଭାବେ ଯିବା ଆସିବା , ପାର୍ଟି ମଉଜ ଆଦି ଜାରି ରହୁଥିଲା | ଛୁଟି ମିଳିଲା ମାତ୍ରେ ଟ୍ରେକିଙ୍ଗ , ହାଇକିଙ୍ଗ ଆଦିରେ ବାହାରି ପଡୁଥିଲେ | ତା’ ତୁଳନାରେ ଅନ୍ୟ ଚାରିଜଣଙ୍କର ରୋଜଗାର କମ ଥିଲା, ତଥା ପାରିବାରିକ ସ୍ୱଚ୍ଛଳତା କମ ଥିଲା | ତେଣୁ ୠଜୁତା ବେଶୀ ହିସାବ କିତାବ କରେନି |ନିଜେ ସିଂହ ଭାଗ ଖର୍ଚ୍ଚ ତୁଲେଇ ଦିଏ | କାହା bike ରେ ପେଟ୍ରୋଲ , ବିଅର ପାଇଁ ପଇସା କିମ୍ବା ହୋଟେଲ ରହଣି ଆଦିରେ ଖର୍ଚ୍ଚ କରିବାକୁ ବେଶୀ କାର୍ପଣ୍ୟ କରେନାହିଁ | ୠଜୁତା କୁ ଲାଗେ –“ବାସ ମୋ ଜୀବନ ଏମିତି ହିଁ ସେଟ ହୋଇକି ସବୁଦିନେ ଥାଉ | କୌଣସି ବାଧା ନ ଥାଉ କି ବନ୍ଧନ ନ ଥାଉ | କାମ କରିବି , କିଛି ପଢ଼ିବି , MNC ର ଦିନେ Director ହୋଇ limousine ଗାଡ଼ିରୁ ଓହ୍ଲେଇବି | ଦୁନିଆର ତମାମ ପତ୍ରିକାରେ କଭର ପେଜରେ ମୁଁ ଥିବି |” ଏମିତି କେତେ କଣ ସ୍ୱପ୍ନ ଦେଖି ଚାଲେ I ତାକୁ ତା ୟୁଟୋପିଆରେ ବଂଚିବାକୁ ଭାରି ଭଲ ଲାଗେ I

ହେଲେ ସମୟ ଅନ୍ୟ କିଛି ଉପହାର ନେଇ ଆସିଥିଲା ତା ପାଇଁ | ବାପା ମା ଅତର୍ଚ୍ଛା କରି ତାକୁ ଡକେଇଲେ ଓ ମନୋଜ ଙ୍କ ସହ ତା ନିର୍ବନ୍ଧ କରାହୋଇଗଲା | ମନୋଜର ବାପା ଓ ତା ବାପା ପିଲାଦିନୁ କଥା ଦିଆଦେଇ ହୋଇଥିଲେ | ହେଲେ ନା ମନୋଜ ପ୍ରସ୍ତୁତ ଥିଲା ବାହାଘର ପାଇଁ ନା ଏପଟେ ୠଜୁତା | ମନୋଜ ଡାକ୍ତରୀ ପଢି Paediatrics ରେ P.G. ସାରି କ୍ୟାନ୍ସର ଉପରେ ଅନୁଧ୍ୟାନ କରିବା ପାଇଁ ଆଗ୍ରହୀ ହେଲା ଓ Medical Oncologist ହେଲା | ପୁଣି ଅଧିକ ପଢିବା ପାଇଁ ଆମେରିକା ଗମନ ଓ ତତ୍ପରେ ୩୬ ବର୍ଷ ବୟସରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ |

ୠଜୁତା ଭିତରୁ ଥାଇ ଟିକେ ନିରେଖି ଦେଖିଲା | ପରେ ଅନ୍ୟ ରୁମକୁ ଆସି ମା’ ଉପରେ ଚଢିକି କହିଲା, ” ଏ ଚମୁ କୁ ବାଛିଛୁ ! ମୁଁ ଏ ଲଲୁକୁ କାହିଁକି ବାହା ହେବି କହ ତ? ତୁମେ ମାନେ ନିର୍ବନ୍ଧ କରିବା କଥା କର | ମୁଁ ବାହା ବି ହୋଇଯିବି କିନ୍ତୁ କନ୍ଦାକଟା କରିବୁନି ଯଦି ମାସେ ପରେ ମୁଁ ତାକୁ Divorce ଦେଇ ଦିଏ |
ମା’ ଓ ବାପା ଉଭୟେ ତାକୁ ମୁଣ୍ଡ ଛୁଏଁଇଁ, ଅନେକ କନ୍ଦାକଟା କରି ବାହାଘର ପାଇଁ ରାଜି କରେଇଥାନ୍ତି I ମା’ କଥା କଥାକେ ଟିକେ କାନ୍ଦି ପକାଏ | ଆଜି ବଡ ହତାଶ ବୋଧ କରୁଥାନ୍ତି | ନିଜେ ପାଠ ପଢି ପାରି ନ ଥିଲେ ବୋଲି ଝିଅକୁ ମନଇଛା ପାଠ ପଢାଇଲେ | ସବୁ ପ୍ରକାର ସ୍ୱାଧୀନତା ମଧ୍ୟ ଦେଲେ , ହେଲେ ଆଜି ସ୍ୱାଧୀନତା ବଦଳରେ ଉଚ୍ଛୃଙ୍ଖଳତା ହିଁ ଦେଖୁଛନ୍ତି | ତାଙ୍କ କୋଳରୁ କେତେବେଳେ ଗୁରୁଣ୍ଡି ଯାଇ ଦୌଡି ଆକାଶର କେଉଁ ଉଚ୍ଚତାରେ ଚକ୍କର କାଟୁଛି | ତାଙ୍କ ଶବ୍ଦାବଳୀ ଆଉ ଝିଅ ପାଖରେ ପହଞ୍ଚୁନି | ବ୍ୟବଧାନ ଯେମିତି ଦିନୁଁ ଦିନ ବଢି ଚାଲିଛି |

ମନୋଜର ମା’ ୠଜୁତାକୁ ଦେଖି ଖୁସି ହୋଇଗଲେ | ତା ହାତଟି ତୋଳିନେଇ ନିଜ ହାତରୁ ମୁଦି ପିନ୍ଧେଇଦେଲେ | ୠଜୁତାକୁ ଲାଗିଲା ସାମ୍ନାରେ ସତେ ଯେମିତି ଗୋଟିଏ ମାର୍ବଲ ମୂର୍ତ୍ତି | ହାତର ଶୀତଳ ଓ କୋମଳ ସ୍ପର୍ଶ ପାଇ ତାର ଭିତରର ଜ୍ଵଳନ ଅର୍ଦ୍ଧନମିତ ହୋଇଗଲା | କିଛି ବି କହି ପାରିଲାନି |

ମନୋଜର ମା’ ବାପା ଆଉ ବେଶୀ ଦିନ ଅପେକ୍ଷା ନ କରି ୧୫ ଦିନ ଭିତରେ destination wedding କରେଇବାକୁ ରାଜି କରେଇ ନେଲେ | ଉଭୟ ବର କନ୍ୟାଙ୍କ ବୟସାଧିକ୍ୟ ଯୋଗୁଁ ଉଭୟ ପକ୍ଷରୁ ବେଶୀ କେହି ଆଗ୍ରହୀ ସମ୍ପର୍କୀୟ ନ ଥାନ୍ତି, ବାହାଘରେ ଯୋଗ ଦେବାକୁ | ଉଭୟଙ୍କ ସମସ୍ତ ସାଙ୍ଗ ମଧ୍ୟ ପ୍ରାୟ ବିବାହ କରି ଗଲେଣି | ୠଜୁତା ମନେ ମନେ କହିଲା Devil ‘s gang କୁ ରେଡି ରହିବାକୁ କହିଦିଏ | ଯଦି କିଛି ଅଡୁଆ ଲାଗିଲା , ସେଇ ମଣ୍ଡପରୁ ମତେ ଉଠେଇ ନେବେ |

ଔପଚାରିକତା ରକ୍ଷା କରିବାକୁ ମନୋଜଙ୍କଠୁଁ WhatsApp number ବି ନେଲା |
ରାତିରେ ଟିଂ କରି message ଆସିଲା –“ ହାଏ , କଣ କରୁଛ ? Thanks for accepting me.”

ୠଜୁତା ଭାବିଲା , “ହାଃ! ଆଜି ଦେଖା ହେଉ ହେଉ ମେସେଜ | ରହ ତୋ ଜୀବନ କେମିତି ହରାମ କରିବି ଦେଖିବୁ |” ହେଲେ ଲେଖିଲା , “Thanks , same here.”

ଅଳ୍ପ କଥା ହୋଇ ନିଦର ବାହାନା କରି ଫୋନ ବନ୍ଦ କରି ରଖିଦେଲା | ଭାବିଲା, ବନ୍ଧନର ଏଇ ପ୍ରଥମ ସୋପାନ | ନା…. ମୋତେ କେହି ଛନ୍ଦି ପାରିବେନି |

ତା ପରଦିନ ସକାଳୁ ଉଠି ଫ୍ଲାଇଟ ଧରି କର୍ମକ୍ଷେତ୍ରକୁ ବାହୁଡ଼ି ଆସିଲା | ମା’ କୁ କହିଲା – “ଲେହେଙ୍ଗା ଫେଂହେଙ୍ଗା ରେ ବାଜେ ଖର୍ଚ୍ଚ କରିବୁନି | ସବୁ ରେଣ୍ଟାଲ ନେବୁ | ଏ ବାହାଘର କେତେ ଦିନର—–କିଛି ଭରସା ନାହିଁ |”

xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଏ କଥା ଶୁଣି ତାକୁ Devil ‘s gang ବହୁତ ଚିଡ଼େଇଲେ | କିନ୍ତୁ ସେଇ ଦିନଠୁ ରଜତର ବ୍ୟବହାର ତାକୁ ବଡ ବେଖାପ ଲାଗିଲା | Bike ରେ ଶେଷ ଥର ପାଇଁ ପାଖ ଜଙ୍ଗଲରେ ଇକୋ ରିଟ୍ରିଟରେ ରହିବାର ଯୋଜନା ହୋଇଗଲା | ସବୁ ଥର ପରି ବାଟଯାକ ମଜା କରି କରି ପହଞ୍ଚିଲେ| ୠଜୁତା ତା କଟେଜ କୁ ଯାଇ ଧୁଆଧୋଇ ହେଇ ନିଜକୁ ଆରାମ ଚେୟାରରେ ଆଉଜେଇଦେଲା | ରଜତ୍ ହାତରେ ୨ ଟା ଥଣ୍ଡା ବିଅର ଧରି ପ୍ରବେଶ କଲା | ପ୍ରଥମ ଥର ରଜତର ଆଖିରେ ପାଶବିକତାର ଝଲକ ଦେଖି ପାରିଲା | କିଛି ଗୋଟେ ବାହାନା କରି ରଜତକୁ ପଠେଇ ଦେବାକୁ ଚାହିଁଲା | ହେଲେ ତା’ ଚାରିପାଖ ପୃଥିବୀ କେମିତି ଘୁରିବାକୁ ଲାଗିଲା | ସେ କଥା ଏବେ ମନେ ପଡିଲା ବେଳକୁ ଘୃଣା ଓ ଭୟରେ ଦେହମୁଣ୍ଡ ପୁଣି ଶିହିରି ଉଠିଲା |

ସେଦିନ ସେ ଚେତା ଥାଏ , ହେଲେ ଉଠିପଡି କାହାର ବିରୋଧ କଲା ଭଳି ଶକ୍ତି ମଧ୍ୟ ନଥାଏ | କାନରେ ରଜତର କଥା ବାଜୁଥାଏ , ତାକୁ ସବୁ ସ୍ଵପ୍ନବତ ଲାଗୁଥାଏ | ବିଶ୍ୱାସର ସୌଧ ଯେମିତି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ପଡୁଥିଲା |
“”କାହିଁକି ରଜତ୍, କାହିଁକି ? Move “…..ହେଲେ ଶରୀରରେ ବିରୋଧ କରିବାକୁ ଶକ୍ତି ନ ଥାଏ l
କାନ ପାଖରେ ରଜତ୍ କହୁଥାଏ -“ମୋ feelings ତୁ ଜାଣିବା ଦରକାର ଥିଲା I ମୁଁ ତୋ ସମକକ୍ଷ ନୁହେଁ , କେବେ ବି ହେଇ ପାରିବିନି ….କିନ୍ତୁ ତୋତେ ଥରେ ଭୋଗି ନେବାକୁ ଇଛା ଥିଲା I”
ସନ୍ଧ୍ୟା ସରିକି ହୋସ ଫେରିଲାରୁ ନିଜକୁ ଗୋଟେଇ, କ୍ୟାବ ଡକେଇ ନିଜ ସହରକୁ ଫେରି ଆସିଲା | ସମସ୍ତେ ମତଲବୀ ..ସେମାନେ ତାରି ପଇସାରେ ତେବେ ଅୟସ ହିଁ କରୁଥିଲେ | ହେଲେ ରଜତ…. ସେ ତ ପୁରୁଣା ସାଥି | ତା’ ମନରେ ବି ଏତେ କପଟ !
ତା’ର ସ୍ବପ୍ନ ର Neverland କେଉଁଠି ବି ନାହିଁ | ହଠାତ ସୁଯୋଗ ମିଳିଲେ ପୀଟରପ୍ୟାନ ମାନଙ୍କର ଦାନ୍ତ ନଖ ସବୁ ବାହାରି ଆସେ | କ୍ରୋଧ , ଅପମାନ ଓ ବିଶ୍ୱାସ ଘାତକତାରେ, ଦୁଃଖରେ ଜର୍ଜରିତ ହୋଇଥିଲେ ମଧ୍ୟ ଆଖିରୁ ତାର ଟୋପେ ଲୁହ ବାହାରୁ ନଥାଏ | କାହାକୁ କିଛି କହି ପାରୁ ନଥାଏ | ଅଫିସ କୁ ଲମ୍ବା ଛୁଟି ଦରଖାସ୍ତ ପଠେଇ ମୋବାଇଲ ଫୋନ ସୁଇଚ ଅଫ କରି ରଖିଥାଏ | ଏମିତି ଏକ ଦୋଛକିରେ ପହଂଚିଥାଏ , ଯେଉଁଠି କ’ଣ କରିବ କିଛି ବୁଝି ପାରୁ ନଥାଏ | ମରିବ ନା କାହାକୁ ମାରିବ – ବାହାଘର ଆଉ ମାତ୍ର ୧୦ ଦିନ | ମା’ ବାପାଙ୍କ ଉପରେ ସବୁ ପ୍ରସ୍ତୁତିର ଦାୟିତ୍ୱ ଛାଡିଦିଦେଇ ଦିନ ତମାମ କବାଟ କିଳି କ୍ରୋଧ ଓ ଅପମାନରେ ଜଳୁଥାଏ | ସେ ଦ୍ଵନ୍ଦ ସମାଧାନ ନ ହେଉଣୁ କେମିତି ବାହାଘର ହୋଇଗଲା ଜାଣି ପାରିଲା ନାହିଁ | ପଥର ମୂର୍ତ୍ତି ଭଳି ବସି ରହି ସବୁ ରୀତିନୀତି ତୁଲେଇଲା |
ବାପା ମା’ ତାର ଅସାଧାରଣ ମୌନ ଦେଖି ଆଶ୍ଚର୍ଯ୍ୟ ହେଲେ ବି କିଛି ପଚାରି ପାରୁ ନଥାନ୍ତି | ମନୋଜ ସହ ବାହାଘର ହେଲା ମାତ୍ରେ ସେ ତା conference ପାଇଁ ବ୍ୟସ୍ତ ରହି ୨ ଦିନ ପରେ ମୁମ୍ବାଇ ଚାଲିଗଲା | ସେମାନେ ପରସ୍ପରକୁ ଠିକରେ ଦେଖି ମଧ୍ୟ ନଥାନ୍ତି | ଖାଲି ଏତିକି କହିଦେଇ ଗଲା , “ସରି ୠଜୁତା, ମୋର work pattern ଏମିତି ହିଁ | ମୋତେ ଯିବାକୁ ହିଁ ପଡିବ | ଆସିଲେ ଚଉଠି ରାତି |”
ୠଜୁତା ମୁହଁରୁ କିନ୍ତୁ କିଛି ଠଉରେଇ ପାରିଲା ନାହିଁ ମନୋଜ … ଲାଗିଲା ଯେମିତି ଆଖି ଭିତରେ ମାଇଲ ମାଇଲ ଗଭୀର ଏକ ଖାଇ |
ମନୋଜ ଫେରିବା ଦିନ ହିଁ ସାବିତ୍ରୀ ବ୍ରତ | ଆଜି ତା ସତୀତ୍ୱର ପରୀକ୍ଷା | ଜଣେ ଡାକ୍ତରଙ୍କୁ ତା’ ଶରୀରର କ୍ଷତ ଅଛପା ରହିବନି | କଣ ଉତ୍ତର ଦେବ ସେ? ତା ଠୁ ବଳି ଅଧିକ ଚିନ୍ତାରେ ପକାଉଥିଲା, ଏ କ୍ଷତାକ୍ତ ଆତ୍ମାକୁ ନେଇ କାହାକୁ ଆଉ ସେ ବିଶ୍ୱାସ କଣ କରି ପାରିବ , କାହାକୁ ଅବା ଭଲ ପାଇଁ ପାରିବ ?
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ମନେ ପଡୁଥିଲା ତା’ ପିଲାଦିନ କଥା | ପଡିଶା ଘରର ଜଣେ ଚିହ୍ନାଲୋକ ତାଙ୍କ ଘରକୁ ବେଶ ଆତଯାତ ହେଉଥିଲେ | ତାଙ୍କୁ ସେ ମାମୁ ବୋଲି ଡାକୁଥିଲା | ତା ପାଇଁ ସେ ସବୁଦିନ କିଛି ନା କିଛି ଆଣି ଆସୁଥିଲେ – କେବେ ଚକୋଲାଟେ , କେବେ ଖେଳନା | ୭ ବର୍ଷୀୟା ୠଜୁତା ତାଙ୍କ ପାଖ କେବେ ଛାଡେ ନାହିଁ | ତାକୁ ମଝିରେ ମଝିରେ ସାଇକେଲରେ ବସେଇ ବଜାର ମଧ୍ୟ ବୁଲେଇ ଦିଅନ୍ତି | ମା’ ଥରେ ଏକା ବଜାର ସଉଦା କରିବାକୁ ଯାଇ ସେ ମାମୁ ପାଖରେ ତାକୁ ଅଳ୍ପ ସମୟ ପାଇଁ ଛାଡି ଦେଇଥାନ୍ତି | ତାକୁ କୋଳରେ ବସେଇ ସାଉଁଳି ସାଉଁଳି ବହିରୁ ଚିତ୍ର ଦେଖାନ୍ତି | ସେ ଜୋରରେ ହସେ , ” ଇଏ କି ଚିତ୍ର ମ, କପଡା ପିନ୍ଧି ନାହାନ୍ତି ଠିକରେ ଆଣ୍ଟି ମାନେ ?’
ଧୀରେ ଧୀରେ ମାମୁଙ୍କର ପ୍ରଶ୍ୱାସ ଖର ହେଉଥାଏ | ମା’ ଙ୍କୁ ଆସୁଥିବାର ଦେଖି ବାଏ କହି ଦୌଡ଼ି ପଳେଇ ଆସିଥିଲା |

ତା ପରେ ବି ମାମୁ ଆସନ୍ତି ଆଉ ପୂର୍ବ ଭଳି ମିଶନ୍ତି |
ଆଶ୍ଚର୍ଯ୍ୟ! ସେ ସେଇମିତି ପୂର୍ବଭଳି ଖେଳନା ଚକୋଲାଟେ ଆଣନ୍ତି | କିନ୍ତୁ ଆଉ ବେଶୀ ପାଖକୁ ଡକାନ୍ତିନି | ୠଜୁତାର ମନ ଦୁଃଖ ହୁଏ ନିଜ ଖେଳସାଥୀକୁ ହରେଇଲା ପରି | ସେ ଜୋର ଜବରଦସ୍ତ ତାଙ୍କ ଉପରେ ଲାଉ ହୁଏ | ପୁଣି ସବୁ ନର୍ମାଲ ହୁଏ |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ହଠାତ ୠଜୁଟାକୁ ବାନ୍ତି ଉଠେଇଲା ଓ ସେ ବାଥରୁମ କୁ ଧାଇଁଲା | ଏସିଡ଼ିଟି ହୋଇଗଲା ବୋଧେ ଓପାସ ରହି | ନା ଆଉ କିଛି ?

xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ସେଦିନ ବି ଏମିତି ଜୋରରେ ବାନ୍ତି ଉଠେଇଥିଲା | ମା’ ବଜାର ଯାଇଥାନ୍ତି | ଖେଳ ସାଥିଟିଏ ସାଙ୍ଗରେ ଥାଏ | ସେ ମାମୁ ଭିତରକୁ ଆସିଲେ | ଉଭୟଙ୍କୁ ମୁଡ଼କି ଓ ଚକୋଲେଟ ଧରେଇଲେ | କିଛି ସମୟ ପରେ ତା’ ସାଙ୍ଗକୁ କହିଲେ ଟିକିଏ ଆଗରୁ ତୋ ମା’ ତୋତେ ଖୋଜୁଥିଲେ | ସେ ଝିଅଟି ଦୌଡ଼ିକି ପଳେଇଲା | ଆଉ ଫେରିଲାନି | ମାମୁ ପୁଣି ତାକୁ କୋଳରେ ବସେଇ ସାଉଁଳେଇ ସାଉଁଳେଇ କେଉଁ ଏକ ରାଜାରାଣୀଙ୍କ କାହାଣୀ ଶୁଣାଉଥାନ୍ତି | ଧୀରେ ଧୀରେ ତାଙ୍କ ହାତ ସବୁଆଡ଼କୁ ଯେମିତି ବିଷଧର ସର୍ପ ପରି ଚରି ଯାଉଥାଏ | ଛେଃ !…ପୁଣି ଅତୀତର ସେ ଦୃଶ୍ୟ ମନେପଡି ତାକୁ ବାନ୍ତି ଉଠେଇଲା | ତା’ ହାତରେ ଧଳା ଧଳା ଅଠାଳିଆ ଜିନିଷ କଣ ବୋଳି ହୋଇ ରହି ଯାଇଥିଲା | ମା’ ଭିତରେ ପଶୁ ପଶୁ ସବୁ ଠିକ ଠାକ କରିଦେଇ ମାମୁ ତାଙ୍କ ଘରକୁ ପଳେଇଲେ | ୠଜୁତା ସେଦିନ ବାନ୍ତି କରି କରି ବାରମ୍ବାର ସାବୁନରେ ତା ହାତକୁ ଧୋଉଥାଏ | ଦୁଇ ଦିନ ଯାଏଁ ତା’ ହାତରେ ଆଉ ଖାଇନି |

ହଠାତ ତା’ ବୟସ ଯେମିତି ୫ ବର୍ଷ ବଢି ଯାଇଥିଲା | ଏଥର ସେ ଆଉ ଘରେ ଏକୁଟିଆ ରହିବାକୁ ମନା କରେ | ସେ ମାମୁ ଯେତେ ପାଖକୁ ଡାକିଲେ ବି ଯାଏନି | ହେଲେ ଦୈବ ଦୁର୍ଯୋଗରୁ ପୁଣି ଏକୁଟିଆ ହାବୁଡ଼ରେ ପଡିଲା ଓ ସେଦିନ ମାମୁର ଜାନ୍ତବ କ୍ଷୁଧାର ଶିକାର ହୋଇଗଲା | ତା’ ଅବସ୍ଥା ଦେଖି ମା’ ଅନେକ କିଛି ପଚାରିଲେ | ବହୁତ କଷ୍ଟରେ କଥାଟା ଅନୁମାନ କଲେ |
ତାକୁ ମା’ ବୁଝେଇ ଦେଲେ – “କାହା ଆଗରେ କିଛି କହିବୁନି l ସମସ୍ତେ ତୋତେ ହୀନଚକ୍ଷୁରେ ଦେଖିବେ I” ନିଜେ ଗୁମୁରି ଗୁମୁରି କାନ୍ଦିଲେ I ବାପା ଏ କଥା ଜାଣିଲେ କି ନାହିଁ କେଜାଣି, ସେତକ ବି ସେ ଜାଣି ପାରିଲାନି I ଏତିକି ବୁଝିଲା, ସେ ଏବେ ଅପବିତ୍ର I
ପରେ ସେମାନେ ବଡ ସହରକୁ ପଳେଇ ଆସିଥିଲେ | ଆଉ ଟିକିଏ ବଡ ହେଲା ପରେ ସେ ସେଇ ଖରଶ୍ୱାସର ତତଲା ବାଆ ନିଜ କାନ୍ଧ ପାଖରେ ଅନୁଭବିଲା | ବସ ଯାତ୍ରାରେ , କିରାନା ଦୋକାନରୁ ଜିନିଷ କିଣିଲାବେଳେ , ମନ୍ଦିର ଭିତରେ | ମା’ କୁ କହିଲା , ମୋର ବୟ -କଟ ଛୁଟି କଟା ହେବ | ସ୍କୁଲରେ ଅନୁମତି ମଗା ହେଲା ଚୁଡିଦାର ଛାଡି ପୁଅ ପିଲାଙ୍କ ପରି ପ୍ୟାଣ୍ଟ ସାର୍ଟ ପିନ୍ଧିବା ପାଇଁ | କେହି ଅର୍ଦ୍ଧନାରୀଶ୍ୱର କହିଲା , କେହି ୠଜୁତା ଦାଦା , କିଏ ରୁଜୁ ଭାଇ | ସେଇଥିରେ ହିଁ ସେ ନିଜକୁ ନିରାପଦ ମଣିଲା | ନିଜର ନାରୀତ୍ୱର ସମସ୍ତ ଭାବନାକୁ ଚିରି ବିଦାରି କବର ଦେଇ ଦେବାକୁ ଇଛା ହୁଏ |

କଲେଜ ପଢିଲା ବେଳେ ବେଶୀ ସାଙ୍ଗସାଥି ନଥିଲେ | ରଜତ ସଂଗେ ଅଳ୍ପ ଚିହ୍ନା ଥିଲା | ପରେ ପଢା ପଢି , ନିଜର ଚିତ୍ରଅଙ୍କା ଏ ସବୁ ନେଇ ବ୍ୟସ୍ତ ରହୁଥିଲା | ମା ‘ ବାପା ଅନେକ ଡାକ୍ତର ପାଖକୁ ନେଇ ତାକୁ ଦେଖାନ୍ତି | ସମସ୍ତେ ନର୍ମାଲ କୁହନ୍ତି | ସେ ସମ୍ପୂର୍ଣ୍ଣ ନାରୀ , କୌଣସି ଅସୁବିଧା ନାହିଁ ତା’ ଶରୀରରେ | ଜଣେ କାଉନ୍ସେଲର ବି କିଛି session therapy ଦେଲେ | ହେଲେ ୠଜୁତା ମନର ଜଉମୁଦ ମରା ବାକ୍ସକୁ କେହି ଖୋଲି ପାରୁ ନ ଥିଲେ | ଶେଷରେ ନିରାଶ ହୋଇ କହିଲେ ” କଣ୍ଟା କୁ କଣ୍ଟା ହିଁ କାଢ଼ିବ, ଅପେକ୍ଷା କରନ୍ତୁ ” |
ପରେ ୠଜୁତା ପାଠପଢା ଶେଷ କରି ଚାକିରୀ ବି କଲା | ବାହାଘର କଥାଟା ଯେମିତି ପରମାଣୁ ବୋମା ଭଳି ଥିଲା ଘରେ |
କେହି ସେ ପ୍ରସଙ୍ଗ କୁ ଆଗକୁ ଆଣିବାକୁ ଚେଷ୍ଟା ମଧ୍ୟ କରୁ ନ ଥା’ନ୍ତି |

ଶେଷରେ ମା’ ବାପା ରଜତ କଥା ଉଠେଇଲାରୁ ଚିହିଁକି ଉଠିଲା |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ୠଜୁତା ମଧ୍ୟ ବେଳେ ବେଳେ ନିଜର ଲିଙ୍ଗଗତ ପରିଚୟ ଉପରେ ସନ୍ଦେହ ପ୍ରକାଶ କରେ | ତା ରୂପଭେକରେ ଦୁନିଆ ହୁଏତ ତାକୁ ଅଲଗା ଚକ୍ଷୁରେ ଦେଖୁଛି , କିନ୍ତୁ ସତରେ କ’ଣ ସେ ଅଲଗା ପ୍ରକାର ?
ନା , ଏବେ ବି ସେ କାମୁକ ପୁରୁଷମାନଙ୍କର ତତଲା ନିଃଶ୍ୱାସରେ ଏକ ଶଂକିଲା ନାରୀ ହିଁ ସାଂକୁଡି ହୋଇ କାକୁସ୍ଥ ଭାବେ ବସିଥାଏ ଭିତରେ | ଆଉ ନିକଟ ଅତୀତରେ ରଜତ ସହ ଘଟିଥିବା ଘଟଣାରେ ସେ ନିଜକୁ ସମ୍ପୂର୍ଣ୍ଣଭାବେ ନାରୀ ବୋଲି ହିଁ ବୁଝି ସାରିଥିଲା | ତା’ ପୁରୁଷପଣିଆରେ ମିଛ ପରସ୍ତ ଧୀରେ ଧୀରେ ଖସି ପଡୁଥିଲା |
ମନୋଜ କବାଟରେ ମୃଦୁ କରାଘାତ ଦେଇ ଭିତରକୁ ପ୍ରବେଶ କଲେ | ୠଜୁତା ନିଜକୁ ଅତୀତରୁ ଗୋଟେଇ ବର୍ତ୍ତମାନକୁ ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଲା |
ମନୋଜ କବାଟ ବନ୍ଦକରି ତା’ ପାଖକୁ ଆସିଲା ବେଳକୁ ‘ଟମ-ବୟ’ ୠଜୁତା ଲଜ୍ଜା ଓ ଭୟରେ ଏକ ଫେଣ୍ଟା ଫେଣ୍ଟି ଅନୁଭବରେ ଜୁଡୁବୁଡୁ ହୋଇଯାଉଥାଏ | “କୁଆଡୁ ଆସିଲା ଏ ବ୍ରୀଡାଭାର ? ଏକାନ୍ତରେ ଏକ ପୁରୁଷ ପାଖରେ ଏତେ ଶକ୍ତିହୀନ କେମିତି ହୋଇ ଉଠିଲା ସେ ! ବିବାହର ମୋହର କଣ ତାକୁ ଏତେ ପରିବର୍ତ୍ତିତ କରି ଦେଲା !” କାନମୁଣ୍ଡା ଲାଲ ହୋଇଗଲା ପରି ଲାଗୁଥାଏ l
ମନୋଜ ତା’ ଚିବୁକ ଧରି ତା ଆଖିରେ ଆଖି ରଖି ପଚାରିଲା – ” ମୁଁ ଆଗେ କହିବି ନା ତୁମେ କହିବ? ବହୁତ କିଛି କହିବାକୁ ଜଗିଥିଲାପରି ଲାଗୁଛ | ଦୁଷ୍ଟାମୀ ହସ ଖେଳେଇ କହିଲା – “ମୋ ସାବିତ୍ରୀ ପରା !”

ୠଜୁତା ଚଟକରି ଠିଆ ହୋଇପଡ଼ି ମୁଁହ ବୁଲେଇ କହିଲା – ” ମୁଁ କାହାର ସାବିତ୍ରୀ ହୋଇ ପାରିବିନି | ମୁଁ ପତିତା ସାବିତ୍ରୀ | ସାବିତ୍ରୀ ସତୀ ଥିଲେ | ମୁଁ କେତେଥର ପତିତା ହୋଇଛି – ମୁଁ କାହା ଯୋଗ୍ୟା ହିଁ ନୁହେଁ |”
ମନୋଜ ଧୀରେ ତା’ ହାତ ତୋଳିଧରି କହିଲା – ” କିଏ କଲା ? ନା, ମତେ ଜାଣିବାର ବି ନାହିଁ | ପ୍ରଥମ ଦିନରୁ ହିଁ ତୁମ ଶରୀରର କ୍ଷତ ଦେଖି ଅନେକ କିଛି ଅନୁମାନ କରିଥିଲି |”
ୠଜୁତା ଆଶ୍ଚର୍ଯ୍ୟ ହୋଇ ବୁଲି ଅନେଇଲା ମନୋଜକୁ | ମନୋଜ କହିଲା – “ଡାକ୍ତର ନା… କିଛି ଅଛପା ରହେନି ଆମ ଆଖିରୁ | ଆଉ ତୁମ ମନକୁ ବି ମୁଁ ସ୍କାନ କରି ପଢ଼ିନେଇ ପାରିବି |”
ୠଜୁତା ଆଖିରୁ ଲୁହ ଝରି ଚାଲିଲା | “ଆଇ ଆମ ସରି ମନୋଜ, ମୋତେ ଏ ବାହାଘର ପାଇଁ ରାଜି ହେବାର ହିଁ ନଥିଲା | ତୁମେ ମୋତେ ଛାଡପତ୍ର ଦେଇପାର – ନା ନା ମୁଁ ହିଁ ଦେବି | ତୁମେ କାହିଁକି ବଦନାମ ହେବ ? ” ସ୍ ସ୍ ସ୍… ଚୁପ |” ମନୋଜ ୠଜୁତା ପାଟିରେ ହାତ ଦେଲା | ୠଜୁତା କହିଲା “ମୁଁ pregnant ବି ହୋଇ ଯାଇଥାଇପାରେ I Don’t know”
ମନୋଜ ତାକୁ ଛାତିକୁ ଆଉଜାଇ ଆଣି କହିଲା – “ଥାଉ ତାକୁ ବି ମୁଁ ଗ୍ରହଣ କରି ପାରିବି | ତେବେ ଏ ସବୁ ପରେ | ଜାଣ, କେବେଠାରୁ ମୁଁ ତୁମକୁ stalk କରୁଛି | ତୁମକୁ ଦେଖିବାର ବହୁତ ଆଗରୁ ତୁମକୁ ଭଲ ପାଇ ବସିଥିଲି | ତୁମେ ହିଁ ମୋର ପରିପୂରକ ସାଜି ପାରିବ |
“ତୁମେ କାହାଣୀ କଣ ହୋଇଥିବ ମୁଁ ଜାଣିନି, ଜାଣିବାକୁ ଚାହିଁବିନି ବି | କିନ୍ତୁ ମୋ ପିଲାବେଳର କାହାଣୀ କହିବି | ତେବେ ଅଳ୍ପରେ କହିଲେ ” ମୋର କୁନି ଭଉଣୀଟିଏ ଥିଲା | ପୂରା ବିନ୍ଦାସ | ସେ ଜାଣି ନ ଥିଲା ବାହାରେ କେତେ ଜନ୍ତୁ ବୁଲୁଛନ୍ତି ନିଜ ଦାନ୍ତ, ନଖ ଲୁଚେଇ; ମଉକା ପାଇଲାମାତ୍ରେ ସେ ସବୁ ବାହାରି ଆସେ | ମାତ୍ର ୧୦ ବର୍ଷରେ ଗଣ ଦୁଷ୍କର୍ମର ଶିକାର ହୋଇ ୨ ଦିନ ପରେ ତାର ଗଳିତ ଶବ ମିଳିଲା | ସେ ଦୃଶ୍ୟ ଆଜି ମଧ୍ୟ ରହି ରହି ମୋ ସ୍ୱପ୍ନରେ ଆସେ | ମୋ ଭିତରର ପୁରୁଷ, ଦୋଷୀ ଭାବରେ ନିଜକୁ ଧିକ୍କାରି ଚାଲେ l ମୋତେ ଲାଗେ, ଯାହା ସବୁ ଘଟିଗଲା, ସେଥିପାଇଁ ମୁଁ ମଧ୍ୟ ଦୋଷୀ, କାରଣ ମୁଁ ବି ଗୋଟିଏ ପୁରୁଷ I ମୁଁ ବି ସେ ପୁରୁଷ ଜାତିର ଗୋଟିଏ ଅଂଶ ବିଶେଷ I ସମଗ୍ର ପୁରୁଷ ଜାତିର ଭାର ଯେମିତି ମୁଁ ନେଇ ଯାଉଥିଲି | ଯେତେବେଳେ କେଉଁଠି ଏ ଭଳି କାଣ୍ଡ ଦେଖେ, ମୋ ଅନ୍ତର୍ମନ ଚିତ୍କାର କରି ଉଠେ – ମୁଁ ଜମା ଏମିତି ନୁହେଁ , ମୁଁ କଦାପି ଏ ଭଳି କରିପାରିବିନି | କିନ୍ତୁ ପୁରୁଷଙ୍କୁ କାହିଁକି କିଏ ପ୍ରଶ୍ନ କରିବ |”
ଏଇ ଦୋଷୀ ଭାବନା ନେଇ ଓ ଆଉ କିଛିଟା କର୍ମବ୍ୟସ୍ତତା ଭିତରେ ହଜେଇଦେଇ ମୁଁ ବାହାଘରକୁ ଆଡେଇ ଯାଇଥିଲି | ଜାଣେ, ପଛରେ କେହି କେହି ମୋତେ ନପୁଂସକ ବୋଲି ମଧ୍ୟ କହୁଥିବେ |

ୠଜୁତା ତା ଦୁନିଆରୁ ବାହାରି ଆଉ ଏକ ଦୁନିଆକୁ ଆସି ଯାଇଥିଲା | “ଓଃ ! ପୁରୁଷମାନେ ମଧ୍ୟ ଏତେ ଦୁଃଖରେ ଥା’ନ୍ତି | ମୁଁ ତ ସେମାନଙ୍କୁ ମୁକ୍ତ ସ୍ୱଚ୍ଛନ୍ଦ ପକ୍ଷୀ ବୋଲି ଭାବିଦେଇଥିଲି | ଭାବୁଥିଲି , ଈଶ୍ୱର ନିଶ୍ଚୟ ପୁରୁଷଟିଏ ହୋଇଥିବେ – ନ ହେଲେ ଏତେ ପକ୍ଷପାତିତା !”

ମନୋଜ କହିଲେ – “ତୁମେ ମୋ ପାଇଁ ଟୋପେ ବି ବଦଳିବା ଦରକାର ନାହିଁ | ତୁମେ ମୋତେ ସେଇ baggy pant , T – shirt ରୂପରେ ହିଁ ପସନ୍ଦ | ତୁମକୁ ଉଚ୍ଛଳଭାବେ ପାହାଡ ଚଢ଼ୁଥିବାର ଦେଖିଲେ ମୁଁ ମୋ ଭିତରେ ଏକ ଝରଣାର ନିନାଦ ଅନୁଭବ କରେ | ବାଇକ ଧରି ବେଗରେ ଛୁଟିଲା ବେଳକୁ ମୋ ହୃଦୟରୁ ଯେମିତି ଶହ ଶହ ପକ୍ଷୀ ପଞ୍ଜୁରୀ ଫିଟେଇ ଉଡିଗଲାପରି ମନେ ହେଉଥାନ୍ତି | I simply love you, the way you are.”

ୠଜୁତା ଆଖି ତରାଟି ପଚାରିଲା – “ମୁଁ ମିଛରେ ପୂଜା ନ କରିବା ପାଇଁ ମା’ ଙ୍କୁ କହିଛି ପିରିୟଡସ ହୋଇଛି ବୋଲି – ଯଦି pregnancy ବାହାରିଲା |”

ମନୋଜ କହିଲା – “ହାଃ ହାଃ ହାଃ , ଡାକ୍ତରର ହାତ ଧରିଛ ପରା | – ମୁଁ ସମ୍ଭାଳି ନେବି |”
“ତୁମ ପୁରୁଷପଣିଆର ମିଥ୍ୟାବରଣ ଓ ମୋର ଦୋଷୀଭାବର ମନୋଦଶା ଦୂର ହେବାକୁ ଟିକିଏ ସମୟ ଲାଗିବ ନିଶ୍ଚୟ | ହେଲେ ସାବିତ୍ରୀଙ୍କୁ କଣ ତାଙ୍କ ଶାରୀରିକ ଶୁଦ୍ଧତା ଯୋଗୁ ସତ୍ୟବାନ ଫେରିଥିଲେ ନା ତାଙ୍କ ପ୍ରଜ୍ଞା ଓ ଚାତୁର୍ଯ୍ୟ ବଳରେ ଯମଙ୍କଠୁ ସେ ଜିଣିକରି ଆଣିଥିଲେ? ଆଉ ମୁଁ ବି ସେଇ ବିଭାବସବୁ ଦେଖିକି ତୁମକୁ ପତ୍ନୀ ଭାବେ ବରଣ କରିଛି | ଡାକ୍ତର ହିସାବରେ ଆମେ ଏମିତି କେତେ ନାରୀମାନଙ୍କ ଅକୁହା ସତ୍ୟକୁ ଆମ ପେଶାଗତ ନୈତିକତାର ସୁନା ଫରୁଆରେ ସାଇତି ରଖିଛୁ | ଅନ୍ୟର ଦୁଷ୍କର୍ମ ପାଇଁ ତୁମେ ନିଜକୁ ପତିତା ବୋଲି କହୁଛ ?”
ଆସ ମା’ ପାଖକୁ ଯିବା | ”

ୠଜୁତା ମନୋଜର ଛାତି ଉପରେ ଧୀରେ ମୁଣ୍ଡ ଥୋଇ ଆଖିରୁ ଧାର ଧାର ଲୁହ ଗଡେଇ ଚାଲିଥାଏ | ଆଜି ଯେମିତି କେହି ତା ଯଉମୁଦ ଦିଆ ବାକ୍ସକୁ ଖୋଲି ତାକୁ ଏକ ମୁକ୍ତ ବିହଙ୍ଗ ପରି ଖୋଲା ଆକାଶରେ ଉଡେଇ ଦେଇଥିଲା | କୌଣସି ଚିନ୍ତା ମନକୁ ନ ଆଣି ଏମିତି ମନଇଛା କାନ୍ଦିବାକୁ ଇଛା ହେଉଥିଲା ତାକୁ | ତା’ ଆତ୍ମା ‘ପତିତା’ ଶବ୍ଦର ଶିଙ୍କୁଳିରୁ ଯେମିତି ମୁକୁଳି ଯାଇଥିଲା |

= ଶୁଭମସ୍ତୁ =

Leave a Reply

Your email address will not be published. Required fields are marked *