Crocodile tears
Crocodile tears
May 30, 2022
ଗପରୁ ଗପଟିଏ
June 19, 2022
ଭିନ୍ନ ଏକ ପ୍ରେମ କାହାଣୀ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
@@@@@@@@@

”ହେଃ! ତୁମ ଯୋଗୁଁ ମୁଁ ବଦନାମ ହୋଇକି ହିଁ ରହିବି । ବାହାଘର ଆଗରୁ କଥା ଅଲଗା ଥିଲା । ଏବେ ଟିକିଏ ସଂଯମ ରେ ରୁହ ଭଲା ।“ -ମୁହଁ ଫୁଲେଇଲା ଶ୍ଵେତା।
“ସେ” ବାସ ମୁରୁକି ହସିଦେଲା ।ଜାଣିଛି ଶ୍ୱେତା ତାକୁ ଛାଡିକି ରହିପାରିବନି । କିନ୍ତୁ ଆସିଲେ ଏମିତି ବିରକ୍ତି ପ୍ରକାଶ ନ କରି ରହିବନି।
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
“ଆରେ ଆଜି ଏତେ ଡେରି? “ସେ” ପଚାରିଲା ।”
“ଓହୋଃ! କୁହନା ଏ ପୋଡ଼ାମୁହାଁ କୋଭିଡ ଲାଗି ସବୁ ଏପଟ ସେପଟ । ଦୁଇ ଛୁଆଙ୍କର ଅଲଗା ଅଲଗା ସମୟରେ ଅନଲାଇନ କ୍ଲାସ୍ ।
ହେଲେ ତୁମର କି ଯାଏ ଆସେ ? ତୁମେ ତ ମୁକ୍ତ ସ୍ୱଚ୍ଛନ୍ଦ ।ମୁଁ ସିନା ଛନ୍ଦି ହୋଇଗଲିଣି ସଂସାର ଜଞ୍ଜାଳରେ ।”ବିରକ୍ତ ହେଉଥାଏ ଶ୍ୱେତା।
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
“ବୁଝିଲ, ଆମର ଏମିତି ମିଳାମିଶା ପାଇଁ ମୋ ପତିଦେବ ବହୁତ ଈର୍ଷ୍ୟା କରୁଛନ୍ତି।”
ଆଉ ମୁଁ ? “ସେ” ପଚାରିଲା ।ଲାଗିଲା ଅନେକ ବ୍ୟଥା ଯେମିତି ମନର କେଉଁ କୋଣରେ ସେ ଚାପି ଧରିଛି ।
“ଛାଡ, ଘେରାଏ ବୁଲି ଆସିବା ।ମିଶିକି ପତିଦେବଙ୍କ ସଂଗେ ଚା ନ ପିଇଲେ ମୋତେ କେତେ ପ୍ରକାର ଅଭିମାନିଆ କଥା ସବୁ ଶୁଣିବାକୁ ପଡିବ ।”ଶ୍ଵେତା ତରବରହୋଇ ପାଦ ଚଳେଇଲା ।
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
“କାଲିଠୁ ଚାରି ଦିନ ଯାଏଁ ଆସି ପାରିବିନି ଆଗରୁ କହି ରଖୁଛି । ମୁହଁ ଫୁଲେଇବନି ।“ସେ” କିଛି ନ କହି ଦୀର୍ଘଶ୍ୱାସଟିଏ ଛାଡିଦେଲା ।ମୋ ଶାଶୁ ମୋର ପ୍ରତି ପଦକ୍ଷେପ ଉପରେ କଡା ନଜର ରଖନ୍ତି ବୁଝିଲ? ଶ୍ଵେତା କହିଲା
“ହଁ, ସବୁ ବୁଝୁଛି ।ଚାରିଦିନ କାଟିଦେବି ସେମିତି।“ “ସେ” ଦୀର୍ଘଶ୍ୱାସଟିଏ ଛାଡି କହିଲା ……………..

“ଆରେ! ଚାରିଦିନ ପାଇଁ କହିଥିଲ, ଆଜି କେମିତି ଚାଲି ଆସିଲ ? କ’ଣ ଶାଶୁ ମା’ କିଛି କହିନାହାନ୍ତି ?”
ଦୁଷ୍ଟାମୀ ହସ ଖେଳେଇ ‘ସେ’ ପଚାରିଲା।
“ଶାଶୁ ଏକ ନମ୍ବରୀ ତୋ ବୋହୂ ଦସ ନମ୍ବରୀ। ଆଜି ଏକାଦଶୀ । ତାଙ୍କ ପାଇଁ ତାଜା ଫଳ ଆଣିବି କହି ତୁମ ପାଖକୁ ଛୁଟି ଆସିଛି ।ଶ୍ଵେତା ବି ବିଜୟିନୀର ହସ ଖେଳେଇ କଲର ଊଂଚେଇ ଦେଲା ।“ଦୁହେଁ ହାତରେ ହାତ ମିଳେଇ , ପାଦରେ ପାଦ ମିଶେଇ ଆଗେଇ ଚାଲିଲେ l
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
“ହଁ ହଁ ଏଇ ଗୀତଟା -“ଆମି ଯେ ତୋମାୟ ” ମୋତେ ଭାରି ଭଲ ଲାଗେ ।ଆଉ ଟିକିଏ ଜୋରରେ ଗାଆ ତ। ତୁମ କଣ୍ଠରେ ଏ ଗୀତଟା ଖୁବ ସୁନ୍ଦର ଶୁଭେ ।ଆଉ ସରଗମଟା ତୁମେ ୱାହ୍……. perfect ଗାଅ ।”ସେ” କହିଲା ।
“ଉମହ ” ଶ୍ଵେତା ଲାଜେଇ ଗଲା ।”ଭାବିବନି ତୁମ ପାଇଁ ଗାଉଛି ମ’! Reality show ପାଇଁ practice କରୁଛି ।“
“କାହିଁକି… Reality show ରେ କିଛି restriction ଅଛି କି କାହା ପାଇଁ ଗାଇବ, କାହା ପାଇଁ ନାହିଁ ।“ ସେ ଟିକିଏ ମିଠା ଧକ୍କା ଦେଇ ପଚାରିଲା ।
ଶ୍ଵେତା ଗିଦ ଗିଦ ହୋଇ ହସି ପକେଇଲା -“ଓହୋଃ ! ତୁମକୁ କଥାରେ କିଏ ପାରିବ । ହଉ ହେଲା, ତୁମ ପାଇଁ ହିଁ ଗାଉଛି । ଏବେ ଖୁସି ତ ?”
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
“ହେଇଟି World bicycle day ପାଇଁ ଗୋଟେ Cyclathon ହେଉଛି ।ଆମେ ଯିବା?”
“ଧେତ ପାଗେଳୀ ।ଆମେ କଣ ଏମିତି ଉର୍ଦ୍ଧ୍ୱଶ୍ୱାସ ହୋଇ ଦୌଡୁଥିବା! କେତେ ସ୍ୱପ୍ନ ଦେଖୁଥିଲ ତୁମେ ଏକ ସୁନ୍ଦର “କାଲି”ର ।ସେଇ ‘କାଲି’ ଟା ଏବେ ‘ଆଜି’ ହୋଇ ଯାଇଛି । ଟିକିଏ ଥମି ଯାଅ ନା । ଦେଖ, ଏଇ ସେଇ ଦୂର ଦିଗବଳୟରେ ଉଦିତ ସୂର୍ଯ୍ୟଙ୍କର ଲାଲିମା ……କୃଷ୍ଣଚୂଡ଼ା ଗଛ ସେଇ ଲାଲିମାକୁ ନିଜଠାରେ କେମିତି ଫୁଟେଇ ଦେଇଛି । ଆଗରେ ସେ “ଗୋଲଡେନ ସାୱାର”ସତରେ ଯେମିତି ହଳଦୀ କଳସଟିଏ ଓଜାଡ଼ି ଦେଇଛି ।“
“ହେଇ ସେଇ ମିସେସ ପଟ୍ଟନାୟକଙ୍କୁ ଦେଖ, ସମସ୍ତଙ୍କ ବାଡିରୁ ଫୁଲ ତୋଳି ତୋଳି ତାଙ୍କ ପେଟ ପରି ଫୁଲଜରୀ ବି ଫୁଲେଇ ଦେଇଛନ୍ତି” “ସେ” ହସି ହସି ଲୋଟୁଥାଏ ।
“ସତେ ତ ! ମୋର କାହା ସଂଗେ ପ୍ରତିଯୋଗିତା ଯେ !” ଭାବିଲା ଶ୍ଵେତା ।
ତଥାପି ପଚାରିଲା “ତା’ ହେଲେ ତୁମେ ଯିବନି?”
“ନା”, ଶକ୍ତ ଭାବରେ ସେ କହିଲା । ମୋତେ ସେ ଭିଡ଼ଭାଡ ପସନ୍ଦ ନୁହେଁ । ଚାଲ ନା ସେ ପାର୍କର ବଡ଼ବଡ଼ ଚକ୍କର କାଟିବା ।କାଲି ଯେଉଁ ଗପଟା ଶୁଣେଇବା ଆରମ୍ଭ କରିଥିଲ ତାକୁ ଆଜି ପୁରା ଶୁଣିବି। ଶୁଣେଇବ ନା ?
“ଦେହୀ ପଦପଲ୍ଲବ ମୁଦାରମ” ଆସ ଯିବା ।
“ଥାଉ ଥାଉ, ଏତେ ରୋମାଣ୍ଟିକ ହେବା ଦରକାର ନାହିଁ । ମୋର ତେଣେ କେତେ କାମ ।ଶୀଘ୍ର ନ ଫେରିଲେ ସବୁ ଓଲମବିଲମ ହୋଇଯିବ ।”ଶ୍ଵେତା ହସି ହସି କହିଲା ।
“ଏଇ, ଏତେ ଶୀଘ୍ର ଛାଡି ଚାଲିଯାଉଛ– ଆଉ ଟିକେ ରୁହନା । ୧୫-୨୦ ମିନିଟ୍ ରେ କ’ଣ ମନ ଭରୁଛି ! ‘ସେ’ ଗେହ୍ଲେଇ ହୋଇ କହିଲା ।
“ତୁମେ କଣ ବୁଝିବ କେତେ ବାଧାବିଘ୍ନ ଭିତରେ ଚୋରେଇ ଲୁଚେଇ ଦୌଡ଼ି ଆସି , ତୁମକୁ ଏତିକି ସମୟ ଦେଉଛି ।’ବାୟ ବାୟ ….ବାୟ….. ଫ୍ଲାଇଂ କିସ୍ ଦେଲା ।
ଶ୍ବେତା ତା’ ପ୍ରେମିକକୁ ଶିକୁଳି ତାଲାରେ ଛନ୍ଦି ଧଇଁ ସଇଁ ହୋଇ ଦୁଇଦୁଇଟା ପାହାଚ ଡେଇଁ ଘର ଦ୍ୱାର ମୁହଁରେ ପହଞ୍ଚିଲା ବେଳକୁ ଝିଅ ଉଠି କାନ୍ଦି ‘ମାମା’ ‘ମାମା’ ଡାକ ଛାଡ଼ୁଛି। ରାନ୍ଧୁଣିଆ ଡାଲମାରେ ଘିଅ ଛୁଙ୍କ ନ ଦେଇ ପିଆଜ ରସୁଣ କରି ସାରିଲାଣି । ପୁଅର ପରୀକ୍ଷା…….. ହେଲେ ନିଶ୍ଚିନ୍ତ ନିଦରେ ଶୋଇଛି । ଆଉ ପତିଦେବ ହାଣ୍ଡି ମୁହଁ କରି ଖବରକାଗଜ ଓଲଟାଇ ଗୁଣୁଗୁଣୁ ହୋଇ କହୁଛନ୍ତି “ଧନ୍ୟ ତୁମ ସାଇକେଲ ପ୍ରେମ !”
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଆଉଥରେ ମୂଳରୁ ପଢିବେ ନିଶ୍ଚୟ ।

# ବିଶ୍ୱବାଇସାଇକେଲଦିବସଉପଲକ୍ଷେ


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *