Roti lessons
Roti lessons
May 26, 2024
ଆଜି ବି ଆମେ ପରାଧୀନ
May 26, 2024
ଭୋଟ

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି
********
ପୁଣି ମୋ ମଣି କଥା … ମଣି ଚରିତ୍ର ଆପଣ ନିଜ ଆଖପାଖରେ ଖୁବ ଖୋଜି ପାଇବେ l
ସକାଳୁ ସକାଳୁ ଘରକୁ ଦୁମ ଦୁମ ହୋଇ ପଶୁ ପଶୁ ମଣି କହିଲା -“ମା’, ଆମର ଭୋଟ ଆସିଗଲା I”
ପଚାରିଲି -“ମାନେ ?”
କହିଲା -“ଆମେ ‘ଅମୁକ’ ଚିହ୍ନରେ ଦେବୁ I ତୁମେ କୋଉଥିରେ ଦେବ ?”
କଣ କହିବି ବୁଝି ପାରିଲିନି I ଏମାନଙ୍କ ଜଡତାରେ ମୋ ଭାରତର ଗଣତନ୍ତ୍ର ଛନ୍ଦା I
XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX
“ଆଣ୍ଟି, ମୁଁ ଆସୁଛି, ଆମ ଘର ଉପରେ ଟିକେ ନଜର ରଖିଥିବେ I ଆମେ 26 ରେ ଫେରି ଆସିବୁ I” ମୋ ଘରେ ଭଡାରେ ରହୁଥିବା ଝିଅଟି ତରବର ହୋଇ ସ୍ୱାମୀ ସାଙ୍ଗେ ଉବର ଟ୍ୟାକ୍ସିରେ ବସୁ ବସୁ କହିଲା I
ମୁଁ ପଚାରିଲି -“ଆରେ! ଆମ ଭୋଟ ପରା 25 ରେ !”
ସେ ତରବରିଆ ଭାବେ କହିଲା -“ଆଣ୍ଟି ! 6 ମାସ ଆଗରୁ ଆମ ଟିକେଟ ହେଇ ଯାଇଥିଲା ନା !”
ମୁଁ ତଥାପି ନଛୋଡବନ୍ଧା ; କହିଲି -“ଅନ୍ତତଃ 25 ରେ ଫେରି ଆସୁନ !”
ସେ ବଡ ମ୍ରିୟମାଣ ଦିଶିଲା -“ଆଣ୍ଟି ଫ୍ଲାଇଟ, ହୋଟେଲ କ୍ୟାନସେଲ କରିବାରେ ବହୁତ କ୍ଷତି ହୋଇଯିବ I”
ଭାବିଲି -“ଆଉ ଭୁଲ ଲୋକ ଶାସନକୁ ଆସିଲେ କ୍ଷତି ହେବନି !” ସେତେବେଳକୁ ଟ୍ୟାକ୍ସି ଖଣ୍ଡେ ବାଟ ଯାଇ ସାରିଲାଣି I
XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX
ବୁଥ୍ ରେ ପହଞ୍ଚି ଏତେ ଲମ୍ବା ଲାଇନ ଦେଖି ଭୋଟ ଦେବାର ଜୋଶ ଉଭାନ ହୋଇଗଲା । ତଥାପି ଯାଇ ଠିଆ ହେଲୁ I
କିଛି ସମୟ ମୋବାଇଲ ଗଡେଇ, ଇତଃସ୍ତତଃ ଦେଖି ଠିଆ ହେଲା ପରେ ଜାଣିଲୁ ଯେ, ଆମେ ଭୁଲ ଲାଇନରେ ଠିଆ ହେଇଛୁ । ଆମକୁ ଯୋଉ ବୁଥ ହାତ ଠାରି ଦେଖାଇଲେ, କେହି ଲାଇନରେ ଠିଆ ହୋଇ ଥିବାର ଦେଖିଲୁ ନାହିଁ I ସନ୍ଦେହରେ ମାଡ଼ ମାଡ଼ ହୋଇ ଆଗେଇ ଗଲୁ । ଭିତରେ ମାଛି ମାରୁଥିବା ପୋଲିଂ ଅଫିସର ଆମକୁ ଦେଖି ଗଦଗଦ ହୋଇ ପାଛୋଟି ନେଲେ l କହିବା ବାହୁଲ୍ୟ, ସେ ଲାଇନ ଥିଲା ବଡ ବଡ ଆପାର୍ଟମେଣ୍ଟ ପାଇଁ ଆମ ଘର ପାଖ ଜାଗାର I
XXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXXX
ଆମେ ମିଛରେ ଗଣତନ୍ତ୍ର ବୋଲି କହୁଛୁ, କିନ୍ତୁ ଏଠି ପଇସା, ମାଗଣା ବଣ୍ଟନ, ମଦ, ଶକ୍ତିର ତନ୍ତ୍ର ଚାଲିଛି; କିଛି ଆମ ବେପରୱା ଭାବ ପାଇଁ, କିଛି ଜନତାଙ୍କ ମୂର୍ଖତା ପାଇଁ । ସୌରଶକ୍ତି ଚାଳିତ ବିଜୁଳି ଦେବୁ କହିଲେ ବୁଝିବେ ନାହିଁ କିନ୍ତୁ ବିଜୁଳି ବିଲ ଛାଡ଼ କହିଲେ ଖୁସି I ଶାସନକୁ ଆସିଲେ ମଦ, ନିଶା ବେପାର ବନ୍ଦ କରେଇ ଯୁବଶକ୍ତିକୁ ବାଟକୁ ଆଣିବୁ ବୋଲି କହିବାକୁ କୌଣସି ଦଳର ସାହସ ନାହିଁ l ମାଗଣା ବନ୍ଦ କରେଇ ଜୀବନ ଯାକ କେମିତି ଖଟି ଖାଇବ, ରୋଜଗାର ପନ୍ଥା ଦେବୁ ବୋଲି କହିଲେ କାହା ମୁଣ୍ଡରେ ଏଠି ପଶୁନି I କିଏ ଆମ ଗଣତନ୍ତ୍ରର ଭାଗ୍ୟ ନିର୍ଦ୍ଧାରକ ବୁଝୁଛନ୍ତି ତ !

ନିଜ ଅଧିକାର ବୁଝନ୍ତୁ, ବହୁ ମୂଲ୍ୟବାନ ଭୋଟଟି ଉଚିତ ନେତାଙ୍କୁ ଦିଅନ୍ତୁ I ଉଚିତ ନ ମାନେ କଲେ NOTA ରେ ବି ଦିଅନ୍ତୁ I ଯେଉଁମାନେ ଟିକସ ଦେଇ ଦେଇ ଦେଶକୁ ଚଳଉଛନ୍ତି, ଅନ୍ତତଃ ସେମାନେ ସଚେତନ ହୁଅନ୍ତୁ I
=ଶୁଭମସ୍ତୁ=
(କିଛି ଚରିତ୍ର ଓ ଘଟଣା କାଳ୍ପନିକ)

Leave a Reply

Your email address will not be published. Required fields are marked *