ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ଆଜି ମୁଁ ମହାମେରୁ ସାଜିଛି,
ଅଚଳ ମହାମେରୁ
ମୋ ହୃଦୟ ହୋଇଛି ହୀରକସମ କଠିନ,
ଅଭେଦ୍ୟ , ଅଦୃଶ୍ୟ ଏକ କୁହୁଡିଘେରା ଦୁର୍ଗ ପରି
ଏକ ଭିନ୍ନ ମଣିଷ ପାଲଟିଛି
ମୁଁ ଆଜି ନିଜ ପାଖେ ଅଚିହ୍ନା |
ସବୁ ଦୁଃଖକୁ ହୃଦୟ ମଧ୍ୟରେ ବାନ୍ଧି ରଖିଛି ……..
ଜାଣେନା ତା ‘ କି ରୂପେ ଆତ୍ମପ୍ରକାଶ କରିବ
ଶୀତଳ ହିମବାହ ରୂପରେ
ଅଥବା ତପ୍ତ ଲାଭା ରୂପରେ |
କିନ୍ତୁ ଏତିକି ଜାଣେ ତା’ ତୁମକୁ ଧ୍ୱଂସ କରିଦେବ,
ଛାର ଖାର କରିଦେବ |
ମୁଁ ଆଉ ସେ ପୂର୍ବର ହସି ହସି ଲୋଟି ଯାଉଥିବା
ଛୋଟ ଝିଅ ନୁହେଁ ;
ମୁଁ କାନ୍ଦିବା ଭୁଲି ଗଲିଣି,
ତା ସହ ହସ ମଧ୍ୟ ;
ପଥର ପାଲଟି ଗଲିଣି |
ମୋନାଲିସାର ସ୍ମିତହାସ୍ୟର ପ୍ରଚେଷ୍ଟା କଲେ
ମେଡୁସାର ମୁଖପରି ହୁଏ ବିକୃତା
ମୋତେ ଦେଖନା, ପଥର ପାଲଟିଯିବ
ମୋ ପରି ମହାମେରୁ ପାଲଟି ଯିବ |
>>>>>>>>>>>>>>>>>>>>>>>>>
>>>>>>>>>>>>>>>>>>>>>>>>>
ଉପରକୁ ହସ ହସ ଦିଶୁଥିବା କେଜାଣି କେତେ ଲୋକ ମନ ଭିତରେ ଅସୁମାରୀ କୋହ ସବୁ ଚାପି ଧରି ରଖିଥା’ନ୍ତି l ଉପରକୁ ନିଶ୍ଚଳ ଦେଖା ଯାଉଥିଲେ ବି ହୃଦୟରେ ମହୋଦଧି କୂଳରେ ଲହଡି ସବୁ ମଥା ପିଟିଲା ପରି ଭାବନା ସବୁ ପିଟି ହୋଇ ସତେ ଯେମିତି ଭିତରୁ ଝୁଣି ଖାଉଥାନ୍ତି l କୋହ ସବୁ ଧୀରେ ଧୀରେ ଜମାଟ ବାନ୍ଧି ପଥୁରେଇ ଯା’ନ୍ତି ଆଉ ସେ ଦୁଃଖ ସବୁ ଏକାନ୍ତ ନିଜର ହୋଇ ଉଠନ୍ତି I