ଏ ଯାତ୍ରା ତ ଅନନ୍ତ …ପ୍ରତିଦିନ ମୋ ସାଇକେଲ, ସ୍କୁଟରେଟ ଅବା କାରର ଚକା ଗଡୁଥିବ ଆଉ ଅନୁଭୂତି ସବୁ ମୋତେ ନୂଆ କାହାଣୀର ମୋଡ଼ ପାଖରେ ଛାଡି ଦେଇ ଆସୁଥିବେ l ହେଲେ ଆଜି ମୋତେ କାହାଣୀ ଏଇଠି ରଖିବାକୁ ପଡିବ l ଅଲଗା ଛନ୍ଦରେ ଆଉ କିଛି କାହାଣୀ ସହ ପୁଣି ଭେଟ ହେବା l
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ (୭)
——————————-
ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ
@@@@@@@@@@
ପିଲା ଦିନେ ଆମେ ଚିଡ଼ାଚିଡି ହେଉଥିଲୁ –
” ସାନଟି ମା’ ର
ବଡ ଟି ବାପାର ”
ମଝିଆଁ ଟି ନୁହଁ କାହାର |
ଆମେ ସାଙ୍ଗମାନଙ୍କ ମଧ୍ୟରେ ଲକ୍ଷ କଲେ ପ୍ରାୟତଃ ତିନି ଭାଇ ଭଉଣୀ | ଧୀରେ ଧୀରେ ପରବର୍ତ୍ତୀ ବର୍ଷମାନଙ୍କରେ ଦୁଇ ସନ୍ତାନ ସମ୍ବଳିତ ସଂସାର ଦିଶିଲା | ଦେଶରେ ଜନସଂଖ୍ୟା ବଢୁଛି , ନିୟନ୍ତ୍ରଣ ଦରକାର | ନିଶ୍ଚୟ—- ଦେଶ ଆମର | ଦେଶର ଉନ୍ନତି କଳ୍ପେ କ’ଣ ଏତିକି କରି ପାରିବୁନି ? ଆମ ଧାଉଡ଼ି ତ ହିମାଚଳସ୍ଥିତ କେଦାରନାଥ , ବଦ୍ରୀନାଥ ନହେଲେ ଦକ୍ଷିଣରେ ତିରୁପତି , କୁମାରୀକା ଯାଏ | ସାରେ ଜହାଁ ସେ ଆଚ୍ଛା କରିକି ଦେଖେଇବୁ ନା |
ସମସ୍ତେ ଗୋଟିଏ ସନ୍ତାନକୁ ଓହ୍ଲେଇଲେ | ହେଲେ ମୁଁ କହିଲି ଦୁଇଟା | ଆମେ ନଥିଲେ ଦୁଇ ଛୁଆ ପରସ୍ପର ପାଇଁ ତ ରହିବେ | ହେଲେ ମାତ୍ର ଦୁଇ ଛୁଆରେ କ’ଣ କମ କନ୍ଦଳ! ନା ମ, ପିଲା ଦୁହେଁ ନୁହେଁ | ଆମେ ବାପା ମା ହିଁ ଛୁଆକୁ ନେଇ ବେଶୀ ଝଗଡା କରୁ | ଆଉ ବଡ ସାନ ନୁହେଁ , ଯେଉଁ ଛୁଆ ଯେତେବେଳେ କିଛି ଭଲ କଲା – କଥା ବାହାରେ – ‘” ଆମରି ଘର ଓଳା ଆଣିଛି ପରା |” ଖରାପ କିଛି କଲେ , “ସବୁ ତୁମରି ଦୋଷ” |
ଜିତାପଟ ସମସ୍ତଙ୍କୁ ଦରକାର , ହାର କୁ କିଏ କେବେ କୋଳାଇଲାଣି କି ? ସେ ହେଉ ଛୁଆ ବଢେଇବା ଅବା ଦେଶ ଚଲେଇବା | ଘରୁ ବାହାରୁ ବାହାରୁ ଏମିତି ଯୁକ୍ତିତର୍କ ଭିତରେ ମୁଁ ସ୍ୱାମୀଙ୍କ ପଛରେ ଦୁଇ ଚକିଆ ଯାନରେ ବସି ପଡିଲି | ବସିଲି କ’ଣ ଜାଣିଶୁଣି ଟିକିଏ ରାଗ ଦେଖାଇବା ପାଇଁ କଚି ହୋଇ ବସିଲି | ବାସ , ସ୍ୱାମୀଙ୍କ ରାଗର ଅଙ୍ଗାର କୁହୁଳି କୁହୁଳି ଥିଲା , ଆହୁରି ଜଳି ଉଠିଲା |
ଦୈବ ଯୋଗକୁ ରଗେଇବା ପାଇଁ ମଇଁଷିପଲ ମଧ୍ୟ ଆମରି ହାବୁଡ଼ରେ ପଡିଲେ, ମାନେ ଆମେ ହିଁ ତାଙ୍କ ହାବୁଡ଼ରେ ପଡ଼ିଗଲୁ | କେତେ କିଲୋ ହୋଇଥିବ କେଜାଣି ଗୋଟିଏ ପୋଢ଼! ଏମାନଙ୍କୁ ଦେଖିଲେ ମନେପଡିଯାନ୍ତି ଯମରାଜ | ଯମରାଜ ମନେ ପଡିଲେ ମୃତ୍ୟୁ ସଚେତନ ହୁଏ | କେଜାଣି କେତେ ଦିନ ! ବଞ୍ଚିଯାଏ ମନଭରି, କରି ଦେଇଯାଏ କିଛି ଅନ୍ୟ ମାନଙ୍କ ପାଇଁ , ହସେଇ ଦେଇଥାଏ କିଛି ଜଣଙ୍କୁ ….
କାନରେ ସ୍ୱାମୀଙ୍କ ଗାଳି ବାଜୁଥାଏ -” ତୁମେ ଆଉ ତୁମ ସାନଝିଅ ଏଇ ପୋଢ଼ ମାନଙ୍କ ପରି | ନିଜ ବାଟରେ ବିନ୍ଦାସ ଚାଲିଥାଅ | ନିଜ ଗତିରେ…. ନିଜ ଧୂନ୍ ରେ |
ମୁଁ ଆଉ ରହି ପାରିଲିନି | କୋଉ ଭଦ୍ରଲୋକଟା ଯେ | ପଚାରିଲି -” ଆଉ ତୁମେ ଆଉ ତୁମ ବଡ ଝିଅ ବଡ ଗାଈ ଗୁଡା !”
ହେଲମେଟ ଭିତରୁ ଉତ୍ତର ଆସୁଥାଏ – ” ଆଉ ନୁହେଁ ତ କଣ ? ଗାଈ ମାନଙ୍କୁ ଦେଖ | ସେମାନଙ୍କ ସମ୍ଭ୍ରମ ବୋଲି କିଛି ଥାଏ | ଏମିତି ମଇଁଷି ମାନଙ୍କ ପରି ଏପଟେ ସେପଟେ ମାଡି ଯା’ନ୍ତି ନାହିଁ | ହର୍ନ ମାରିଲେ ପାଖ ହେଇଯିବେ |
ସେତେବେଳକୁ ମଇଁଷି ପଲକୁ କଷ୍ଟେ ମଷ୍ଟେ ଟପି ଆମେ ରାଜରାସ୍ତାକୁ ଆସିଥାଉ | ହଠାତ କରି ସ୍ୱାମୀ ବ୍ରେକ ମାରିଲେ | ଆମ ଦୁହିଁଙ୍କ ହେଲମେଟ ବାଡେଇ ହୋଇଗଲା | ଦେଖିଲୁ ଏକ ଗୋମାତା ରୋଡ ଡିଭାଇଡର ଉପରେ ଚଢି ରାସ୍ତା ପାରି ହେଉଛନ୍ତି | ରାସ୍ତା ପାରି ହେଉ ହେଉ ଗୋମାତା ସ୍ଥାଣୁ ହୋଇ ଛିଡା ହୋଇଗଲେ | କଣ ମନେ ହେଲା କେଜାଣି ସ୍ଥିର ହୋଇ ଠିଆ ହୋଇ ଦୁଇ ଲଣ୍ଡା ଗୋବର ତ୍ୟାଗ କଲେ | ଥପାସ…ଥପାସ…..
“ହେଇଟି ତୁମ ଭଦ୍ରାମି” କହି ଠୋ ଠୋ ହସି ଗଡିଗଲି | ସେଇଠେ ଆମ ଯୁକ୍ତିତର୍କ ସମାପ୍ତ |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ହଁ , ଏଇ ଗୋମାତାରୁ ମନେ ପଡିଲା ମୋ ସହକର୍ମୀଣିଙ୍କ କଥା | ଅତି ବ୍ୟସ୍ତ ହୋଇ ସେ ମୋ ପାଖେ ସକାଳୁ ସକାଳୁ ପହଁଚିଲେ , “ବିୟତ, ତୁମେ ସେ ମଇଁଷି ମାନଙ୍କର ମାଲିକର ନମ୍ବର ପାଇପାରିବ?
” କଥାଟା ହେଲା ଏମିତି —ଦୁଇଦିନ ତଳେ ସଡକ ଦୁର୍ଘଟଣାରେ ଦୁଇଟା ମଇଁଷି ବାଡେଇ ହୋଇ ଜଣେ ସେଥିରୁ ନିହତ | ମୃତ ମଇଁଷିଟିକୁ ତ କିଏ ଉଠେଇ ନେଲା , ଆହତ ମଇଁଷିଟି ଭଲା ଭୋକ ଓପାସରେ ଖରାତରାରେ ଦୁଇଦିନ ହେଲା କାହିଁକି ସେଇଠି ପଡି ରହିଛି ?
ବୁଝୁ ବୁଝୁ କଥା ଯାଇ ଇନ୍ସ୍ୟୁରାନ୍ସରେ ….
କ୍ଷୀର ଦୁହିଁ ନେଇ ନିଜ ପେଟ ତ ବେଶ ପୋଶୁଛି ମାଲିକ | ଆଜି ଇନ୍ସ୍ୟୁରାନ୍ସ ପଇସା ଲୋଭରେ ଦୁର୍ଘଟଣା ଯୋଗୁଁ ପକ୍ଷାଘାତ ପୀଡିତ ମଇଁଷିଟିକୁ ଏକ ସୁରକ୍ଷିତ ସ୍ଥାନକୁ ନେଇ ଚିକିତ୍ସା ମଧ୍ୟ କରିବାକୁ ଇଚ୍ଛା ନାହିଁ |
ଧିକ … ଯେକୌଣସି ପଶୁ ଏଭଳି ମଣିଷଠୁଁ ଶତେଗୁଣ ଭଲ |
ତେବେ କିଛିଟା ଫୋନକଲ ପରେ ଆମେ ମଇଁଷି ମାଲିକକୁ ଠାବକଲୁ ଓ ସନ୍ଧ୍ୟା ୭ ଟା ବେଳକୁ ମୋ ସହକର୍ମୀଣୀଙ୍କ ପ୍ରଚେଷ୍ଟାରେ ଏକ ଗୋସେବା କରୁଥିବା N.G.O ସେଇ ପକ୍ଷାଘାତ ପୀଡିତ ମଇଁଷିକୁ ଟ୍ରକରେ ଉଠେଇନେଲା କୌଣସି ପଶୁ ଚିକିତ୍ସାଳୟକୁ |
ତେବେ ମନରେ ଏଠି କିଛି ପ୍ରଶ୍ନ ଆସୁଛି :
(୧) ମଇଁଷିମମାନେ ରାଜପଥରେ କାହିଁକି ଯାଉଛନ୍ତି ? ଯଦି ଯାଉଛନ୍ତି , ତେବେ ଗାଡି, ମଟର ଗହଳି ଥିଲା ବେଳେ କାହିଁକି ଯାଉଛନ୍ତି ?
(୨) ଏ ମଇଁଷି କେବଳ ଗୋଟିଏ ଉଦାହରଣ | ଅନେକ ସମୟରେ ଷଣ୍ଢ, ଗାଈ, କୁକୁର ମଧ୍ୟ ସପ୍ତାହେ ଯାଏ ରାସ୍ତା ମଝିରେ ପେଟ ଫୁଲେଇ ପଡି ରହନ୍ତି | କାହା ଦାୟିତ୍ୱ ମୃତ ଜୀବମାନଙ୍କୁ ରାସ୍ତାରୁ ଉଠେଇବା?
(୩) ଭାରତ ବର୍ଷରେ ଗୋମାତା କହି ଗୋ- ଗବୟ ସମୂହଙ୍କ ପୂଜା କରାଯାଏ | ତେବେ ଏ ଅସମ୍ମାନ କାହିଁକି?
କିଛି ପ୍ରଶ୍ନର ଉତ୍ତର ମିଳିଲା , କିଛି ପ୍ରଶ୍ନରୁ ଆହୁରି କିଛି ପ୍ରଶ୍ନ ଅଙ୍କୁରିତ ହେଲା |
ଆଜିକାଲି କାଲି ଗାଈଚରାଳୀ ହାତରେ ବି ମୋବାଇଲ ଫୋନ , ମୋବାଇଲରେ ମାଗଣା ଡାଟା,ମାଗଣା ଚାଉଳ ସରକାର ଯୋଗେଇଲେ | ଚରାଳୀମାନଙ୍କର ଗାଈ ଚରେଇବା ସମୟ ବି ବଦଳିଲା | ସେମାନେ ମଧ୍ୟ ଅଫିସ କର୍ମଚାରୀଙ୍କ ପରି ୯ ଟା ୩୦ ରେ ଘରୁ ବାହାରିବେ ଆଉ ସରକାରୀ ସଡକ ଉପରେ ସମାନ ଅଧିକାର ସାବ୍ୟସ୍ତ କରିବେ |
ଜୟ ଗୋମାତା ! ଜୟ !!