ଆପଣ କେବେ କ୍ଷୀରସରରୁ ଲହୁଣୀ କାଢିଛନ୍ତି? ମୁଁ ପିଲାଦିନେ ମୋ ବୋଉଙ୍କୁ ଲକ୍ଷ କରି ଏ ପ୍ରକ୍ରିୟାକୁ ଦେଖି ବଡ ଆମୋଦିତ ହେଉଥିଲି ଓ ବେଳେବେଳେ ସେଥିରେ ସାହାଯ୍ୟ କରୁଥିଲି I ସେତେବେଳେ ଗୋ-ପାଳନ କେନ୍ଦ୍ରରୁ କ୍ଷୀର ଅଣାଯାଇ ଜଣ ଜଣଙ୍କ ଦାୟିତ୍ତ୍ଵରେ ତାହା ପ୍ରାୟ 12-13 ଘର ଭିତରେ ବଣ୍ଟା ଯାଉଥିଲା I ଯେତେବେଳେ ସେ କର୍ମଚାରୀ ବାଲତିରେ କ୍ଷୀର ଢାଳନ୍ତି ଆପେ ଆପେ ଲହୁଣୀ ଉପରକୁ ଆସିଯାଏ I
“ଶ୍ଵେତ- ବିପ୍ଳବ” ଆସିଲା, ଆସିଲା ପଲିଥିନରେ ଭର୍ତ୍ତି ସିଙ୍ଗଲ ଓ ଡବଲ ଟୋନଡ ଦୁଗ୍ଧ I ହେଲେ ଏ ଚାରି ଦଶନ୍ଧି ଧରି ଦୁଗ୍ଧ ବ୍ୟାପାର ବଢ଼ିଲା, ଘରେ ଘରେ ଗୋ-ରସ, ତେବେ ତାକୁ ଗୋ-ଦୁଗ୍ଧ /ରସ କୁହାଯାଇ ପାରିବ ନାହିଁ I କାରଣ ଯାହା ଆମ ପାଖେ ପହଞ୍ଚେ, ତାହା ଗାଈ, ମଇଁଷି, ଛେଳି ଆଦିଙ୍କର ଫେଣ୍ଟାଫେଣ୍ଟି କ୍ଷୀର I ଯେଉଁ କ୍ଷୀର ଆମ ପାଖେ ପହଂଚ। ଯାଏ, ସେଥିରୁ ତୈଳ ଅଂଶ କାଢି, ଏକ ନିର୍ଦ୍ଦିଷ୍ଟ ମାନର ପୁଷ୍ଟିସାର ଓ ସ୍ନେହସାର ଦେଇ ବଜାରକୁ ଛଡ଼ାଯାଏ Iଯାହାଙ୍କୁ ଆମେ ଗାଈ ବୋଲି ଭାବୁଛେ, ସେଥିରୁ ସଙ୍କରୀକରଣ କରା ଯାଇଥିବା ହୋଲଷ୍ଟିନ, ଜର୍ସି ଆଦି ଗୋ-ବଂଶ ଅନ୍ତର୍ଭୁକ୍ତ ହିଁ ନୁହନ୍ତି I ଏମାନେ ଗବୟ ଜାତିର I ତେବେ ଏ କଥା ଉଠିଲା କାହିଁକି? ବିଗତ ଚାରି ଦଶନ୍ଧି ଭିତରେ ସମସ୍ତଙ୍କୁ ପୋଷଣ ମିଳିଲା ଭାରତରେ, ଅଥଚ ଆଜି ଭାରତବର୍ଷ ଡାଇବେଟିସ ଓ ଅନ୍ୟାନ୍ୟ ମେଟାବୋଲିକ ରୋଗରେ ଆକ୍ରାନ୍ତ I ଦିନୁଁଦିନ କ୍ୟାନ୍ସର ର ଦୌରାତ୍ମ୍ୟ ମଧ୍ୟ ବଢୁଛି I
ଏ ବିଷୟରେ ସଚେତନ କରାଇଲେ ଆମର ପୂଜ୍ୟ ଗୁରୁଦେବ ଶ୍ରୀ ପ୍ରଜ୍ଞାନାନନ୍ଦ ଗିରି ମହାରାଜ I ତାଙ୍କର ଅଭିଭାଷଣ ଓ ମୋ ନିଜ ଲ୍ୟାବରେ କରିଥିବା କିଛି ଗବେଷଣା ତଥ୍ୟକୁ ଆଧାର କରି ଦେଶୀ ଗାଈ କ୍ଷୀର ରଖିବାକୁ ମନସ୍ଥ କଲି I ମନକୁ ଆସିଲା, “କାମ ବଢିବ”– ଭିତରୁ ଉତ୍ତର ଆସିଲା “ବଢ଼ୁ, ସ୍ୱାସ୍ଥ୍ୟ ରକ୍ଷା ପାଇଁ ଏତିକି କରିବା ବିଧେୟ Iସ୍ୱାସ୍ଥ୍ୟ ନ ଥିଲେ ସୁଖ ଭୋଗ କରିବି ଅବା କେଉଁ ମାଧ୍ୟମରେ !”
କ୍ଷୀର ଫୁଟାଇ ସାରିଲା ପରେ ଯେଉଁ ମୋଟା ସରଟି ପଡ଼େ, ତାକୁ ଧୀରେ ଆଡେଇ ଏକ ପାତ୍ରରେ ସଂଗ୍ରହ କରି ଫ୍ରିଜ ରେ ରଖିବା ଆରମ୍ଭ କଲି l ପ୍ରାୟ ସପ୍ତାହେ ବେଳକୁ ଯେତିକି ଜମା ହେଲା, ସେଥିରୁ ଘିଅ କାଢ଼ିବାକୁ ମନସ୍ଥ କଲି I
ସବୁତକ ସରକୁ ଯନ୍ତ୍ରଚାଳିତ ମେସିନରେ (mixer grinder) ବରଫ ପାଣି ସହ ମିଶେଇ ଘୁରେଇଲି I ଏତେ ସମୟ ଲାଗିଲା ଯେ, ଲାଗିଲା ମୁଁ ବୋଧେ କିଛି ଭୁଲ କରି ବସିଲି I ସତରେ କଣ ଏତେ ସମୟ ଲାଗେ ? ମା’ ଯଶୋଦା ହାତରେ ଦହି ମଂଥି କେମିତି ହାଣ୍ଡି ହାଣ୍ଡି ଲହୁଣୀ ବାହାର କରୁଥିଲେ ! ମୁଁ ତ ଏତିକିରେ ଅଧୈର୍ଯ୍ୟ !
ନା …ଇଏ କଣ ଭୁଲ ହୋଇଛି….ଆଉ ହେବନି I ଆଉ ଦୁଇଟା ବରଫ ଖଣ୍ଡ ପକେଇଲି I ଶରୀର ଗ୍ରାଇଣ୍ଡର ପାଖେ ଆଉ ମନ ଯାଇ କର୍ମକ୍ଷେତ୍ର ରେ ପହଂଚି ଯାଇଥାଏ I କାହିଁକି ଏ ଝାମେଲା ରେ ପଡୁଥିଲି କେଜାଣି! ହଠାତ ଖଡ଼ ଖଡ଼ ଶବ୍ଦରେ ବର୍ତ୍ତମାନକୁ ଫେରିଲି I
ଆରେ ବାଃ ! ଚେକା ଚେକା ଲହୁଣୀ ଉପରକୁ ଆସି ଯାଇଛି ତ ! ଆଉ ଯେତେ ଘୁରେଇଲେ ବି ସେ କ୍ଷୀରରେ ମିଶୁନି I
ମନେ ପଡିଲା ଆଧ୍ୟାତ୍ମିକ ସାଧନା କଥା I ଅନେକ ସାଧକଙ୍କର ମନୋଦଶା ମଧ୍ୟ ଏହି ପରି I କେତେବେଳେ ମନେ ହୁଏ, ଭୁଲ ରାସ୍ତାରେ ଚାଲିନି ତ ? ବରଂ ଅନ୍ୟମାନଙ୍କ ପରି ଚିରାଚରିତ ମାର୍ଗରେ ଯାଇଥିଲେ ପାର୍ଥିବ ସୁଖ ତ ମିଳିଥାନ୍ତା !
ସିଦ୍ଧିର ଠିକ ଅବ୍ୟବହିତ ପୂର୍ବରୁ ମନେ ହେବ, ନା, ଆଉ ହେବନି …ଏଇଠି ଥାଉ, ଯେତିକି ହେଲା ସେତିକି I କିନ୍ତୁ ଥରେ ଲହୁଣୀ ପରି ଉପରକୁ ଭାସି ଉଠିଲା ପରେ ଆଉ ସେ ସଂସାରରୂପୀ କ୍ଷୀର/ ଦହିରେ ଆଉ ମିଶିବ ନାହିଁ, ଯଦିଓ ସେ ସଂସାର ମଧ୍ୟରେ ହିଁ ରହିଥିବେ I
କେବଳ ଆଧ୍ୟାତ୍ମିକ ସାଧନା ନୁହେଁ, ଏହା ବିଦ୍ୟା ସାଧନାରେ ମଧ୍ୟ ଦେଖାଯାଏ I ସାଧନାରେ ସିଦ୍ଧି ପାଇଁ ଜଣେ ସଦଗୁରୁ, ତାଙ୍କର ଶିକ୍ଷା ତଥା ଆତ୍ମବିଶ୍ୱାସର ଦୃଢ଼ତା, ଅସୀମ ଧୈର୍ଯ୍ୟ ଓ ପୂର୍ବରୁ ସେ ମାର୍ଗର ମାର୍ଗୀମାନଙ୍କ ଅନୁଭୂତି ସର୍ବଥା ଆବଶ୍ୟକ I
ହେଇଟି ଲହୁଣୀ କଥାରୁ କେଉଁଠି ଯାଇ ପହଞ୍ଚିଲିଣି I
ତେବେ ଗୁଆଘିଅର ଉପକାରିତା ବିଷୟରେ ଆର ଥରକୁ ଜଣେଇବି I
ଅଶେଷ ଶୁଭକାମନା ସହ…..
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ II