ଶଃ…..ହିପୋକ୍ରିଟ

ସତୀ
June 24, 2022
ଶତାବ୍ଦୀର ଶେଷସଂଧ୍ୟା
June 24, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ବିକାଶ ତାର ବାଲକୋନୀରୁ ଠିଆ ହୋଇ ଦୃଷ୍ଟିକୁ ହଜେଇ ଦେଇଛି କେଉଁ ଦୂର ଦିଗବଳୟରେ | ଧୀରେ ଧୀରେ ସୂର୍ଯ୍ୟ ରୁକ୍ଷ ପାହାଡଧାରରେ କ୍ଷତବିକ୍ଷତ ହୋଇ ଉଠିଲେଣି | ତାଙ୍କ ରକ୍ତଛିଟାରେ ଲାଲ ହୋଇ ଉଠିଲାଣି ସାରା ଆକାଶ | ସୂର୍ଯ୍ୟ ମେଞ୍ଚା ମେଞ୍ଚା ହୋଇ ଖସି ପଡୁଛନ୍ତି ପାହାଡ ପଛରେ |

କେତେବେଳୁ ସୂର୍ଯ୍ୟ ବୁଡ଼ିଗଲେଣି | ଆଜିକାଲି ଆଗପରି ସୂର୍ଯ୍ୟାସ୍ତଟା ଆଉ ରଙ୍ଗୀନ ମନେ ହେଉନି | ମନ ଭିତରେ ଆଗପରି ଚାତକସୁଲଭ ପୁଲକ ଜଗୁନି | ବରଂ ସୂର୍ଯ୍ୟାସ୍ତ ସହ ମନ ଉପରେ ଏକ ଉଦାସଭାବର କଳାଛୟା ଘୋଟିଯାଏ |

ଏଥର ବିକାଶ ତା ରୁମରେ ପଶିଲା | ଫ୍ୟାନଟା ପୁରା ଦମରେ ବୁଲୁଚି | କେମିତି କେଜାଣି ଏ ଫ୍ୟାନ ଟା ଘୁରି ଘୁରିଥକି ପଡୁନି !କେମିତି କେଜାଣି ବୋରହେଇ ଯାଉନି ! (ବିଚରା) ଫ୍ୟାନ ଟାକୁ ଦେଖି ଟାକୁ ବନ୍ଦ କରି ଦେବାକୁ ଇଛା ହେଲା | ପୁଣି କଣ ଭାବିଲା, ଚେୟାର ଉପରେ ଲଥିକରି ବସି ପଡି ଫ୍ୟାନ ଆଡେ ଏକ ଲୟରେ ଅନାଇ ରହିଲା |

ରୁମଟା ପୁରା ଅନ୍ଧାର | ଶୂନ୍ୟତାର ଗନ୍ଧ ବେଶ ବାରି ହେଉଛି | ବିକାଶ ଭାବି ଚାଲଛି ନା….ଏ ଦୁନିଆରେ କେହି ବି ନିଜର ନୁହେଁ | ଯାହାକୁ ସେ ନିଜର ବୋଲି ଭାବୁଥିଲା , ସେ ତ ଆଜି ସହଜରେ ସମାଜର ଦ୍ୱାହି ଦେଇ ତା’ ଠାରୁ ଦୁରେଇ ଗଲା | କିନ୍ତୁ କାହିଁ ସେ ନିଜେ ତ ଜମା ସହଜ ହୋଇପାରୁନି !

ପତତ୍ରୀ !, ଏ ଝିଅଟି କେମିତି ତ ଜୀବନରେ ପ୍ରବେଶ କରିଥିଲା, ତାର ମନେ ନାହିଁ | ମନେ ହୁଏ ସତେ ଯେମିତି ତା ସହ ଯୁଗ ଯୁଗର ସମ୍ପର୍କ | ସବୁବେଳେ ବିକାଶର ପସନ୍ଦ unique, ଆଉ ପତତ୍ରୀ ତାର ପ୍ରେମିକ ମଧ୍ୟ ଥିଲା unique; କିନ୍ତୁ ତା’ ପସନ୍ଦ ଯେ ଟାକୁ ଏମିତି ଧୋକା ଦେବ , ସେ କଳ୍ପନା ବି କରି ନଥିଲା |

ଏଇତ ଗଲା କାଲିର ହିଁ କଥା | କଲେଜରେ ଦେଖା କରି ପତତ୍ରୀ ତାକୁ କହିଲା –“ବିକାଶ ଭାଇ, ମନୁଷ୍ୟ ପରିସ୍ଥିତିର ଦାସ | ତୁମେ ଯେ କେବେ ସଗୌରବେ ବେଦିରେ ବସି ହାତ ଧରିବ, ଏ ବିଶ୍ୱାସ ମୋର ନାହିଁ | ଆମ ସମ୍ପର୍କଟା ଲୋକ ମୁଖରେ ପ୍ରଚାରିତ ହୋଇଗଲେ ତୁମର ତ କୌଣସି କ୍ଷତି ହବନି , କାରଣ ତୁମେ ପୁରୁଷ | କିନ୍ତୁ ମୁଁ କଳଙ୍କିନୀର ଆଖ୍ୟା ପାଇଯିବି | ତେଣୁ ତୁମେ ବରଂ ମୋ ସହ ସବୁ ସମ୍ପର୍କ ତୁଟାଇ ଦିଅ | ଏତଦ ବ୍ୟତୀତ ମୁଁ ନିଜକୁ ଏକ ଅଜଣା ଭବିଷ୍ୟତ ହାତରେ ସମର୍ପି ପାରିବିନି | Be Practical ବିକାଶ ଭାଇ | ମୋତେ କ୍ଷମା କରିବ, ଯଦି ପାରିବ ତ | ପୁଣି ଗଲା ବେଳକୁ ଏତିକି ମଧ୍ୟ କହିଦେଇ ଚାଲିଗଲା ଯେ ଭବିଷ୍ୟତରେ ତା’ ସହ ଦେଖା ନ କରିବା ପାଇଁ |

କଥା ଗୁଡାକ ଏବେ ମଧ୍ୟ ବିକାଶର କାନକୁ ସ୍ପଷ୍ଟଭାବେ ଶୁଭୁଥାଏ | ଏବେ ବି ତାର ବିଶ୍ୱାସ ହେଉ ନଥାଏ ଯେ , ସେ କଥା ଗୁଡାକ ପତତ୍ରୀର ବୋଲି | କେତେ ସହଜରେ ଏତେ କଥା କହି ପାରିଲା | ଆଉ ବିକାଶ , ସେ କେବଳ କଥାତକ ଜଡ଼ବତ ଶୁଣିଗଲା |

ସବୁକିଛି ଫାଙ୍କା | ଏ ପ୍ରେମ ଫ୍ରେମ ବାଜେ କଥା | ଏଥର ଉଠିପଡ଼ି ଫ୍ୟାନଟାକୁ ବନ୍ଦ କଲା | ମନ ଭୁଲାଇବା ପାଇଁ ବାହାରୁ ସିଗାରେଟ ଖଣ୍ଡେ ଖାଇ ଆସିବାର ନିଶ୍ଚୟ କରି ପଦାକୁ ଗୋଡ କାଢିଲା |

ପାଖ ପାନଦୋକାନରୁ ସିଗାରେଟ ପ୍ୟାକେଟଟିଏ କିଣି ମୁହଁରେ ଖଣ୍ଡେ ଧରେଇଲା | ଆଜି ଆଉ ଗପ ଜମେଇବାକୁ ଇଚ୍ଛା ନାହିଁ | ହଃ … କିଏ ବା ତା ଗପ ଶୁଣିବାକୁ ବସିଛି | ସମସ୍ତେ ତ କେବଳ ସିଗାରେଟ ଖଣ୍ଡିଏ ମାଗଣାରେ ପାଇବା ପାଇଁ ତା ମୁହଁକୁ କଥା ଗୁଡାକ ପିଇଗଲାପରି ଅନେଇଥାନ୍ତି |

ଧୀରେ ଧୀରେ ଏବେ ଚାଲିଲା ପାଦ ଚଲା ରାସ୍ତାରେ | କେତେବେଳେ ଯେ ଚାଲୁ ଚାଲୁ ଗୋଡଦିଟା ତାକୁ ପତତ୍ରୀ ଘର ପାଖରେ ତାକୁ ପହଞ୍ଚାଇ ଦେଇଛନ୍ତି ତାର ଖିଆଲ ନାହିଁ | ନିଃଶବ୍ଦରେ ଗେଟ ଖୋଲି ପ୍ରବେଶ କଲା | ବଗିଚା ପାଖ ଝରକା ପାଖରେ ଠିଆ ହେଲା | ଏଇଟା ପତତ୍ରୀର ରୁମ | ଖଟ ଉପରେ ଶୋଇଛି ନା କଣ | ନା ଶୋଇନି | ମୃଦୁ ମୃଦୁ କମ୍ପିତ ହେଉଛି | କାନ୍ଦୁଛି ବୋଧହୁଏ | ହଃ …. ତାର ପୁଣି ଗୋଟାଏ ଦୁଃଖ କଣ !ସେ ତ ଏକଦମ stoicନା | ସେ କାନ୍ଦୁଛି | ଏଥର ପତତ୍ରୀ ଉଠିଗଲା | ବହିଥାକରୁ କାର୍ଡଟାଏ ଆଣି ଛାତିରେ ଚାପିଧରି ସଶବ୍ଦେ କାନ୍ଦିଲା | ବିକାଶ ପରିଷ୍କାର ଭାବେ ଦେଖୁଥିଲା ଏ ତାରି ପ୍ରଦତ୍ତ ନବବର୍ଷର ଅଭିନନ୍ଦନ ପତ୍ର | ବିକାଶର ଆଉ ସେଠି ଠିଆ ହେବାକୁ ଇଚ୍ଛା ନଥିଲା | ଚୁପଚାପ ଫେରି ଆସିଲା ପତତ୍ରୀକୁ ନ ଜଣାଇ |

ଘଡିରେ ୧୧ ଟା| ମା’ ଖାଇବାକୁ ଯାଚିଲା | ମା’କୁ ସଂକ୍ଷିପ୍ତ ଉତ୍ତରଟିଏ ଦେଇ ନିଜ ରୁମ୍କୁଫେରି ଆସିଲା ବିକାଶ | ଫ୍ୟାନ ଟାକୁ ଫୁଲ ସ୍ପିଡରେ ଚଳାଇ ଦେଇ ଖଟ ଉପରେ ଆସି ଗଡିପଡିଲା | କିନ୍ତୁ ନିଦ ଯେ ଆଖିଠାରୁ କେତେ କୋଶ ଦୂରରେ | ଏଥର ଉଠିଯାଇ ଟେବୁଲ ପାଖରେ ଠିଆ ହେଲା | ନାନା ଆଡୁ ନାନା ଚିନ୍ତା ଆସି ବୁଢିଆଣୀ ଜାଲପରି ତାକୁ ଘେରି ପକାଇ ମୁଣ୍ଡଟାକୁ ଆହୁରି ଭାରାକ୍ରାନ୍ତ କରିଦେଲେ | ବହି ଖଣ୍ଡେ ଧରି ପଢି ବସିଲା | ତାକୁ ଏଥର topper ହେବାକୁ ପଡିବ | ପତତ୍ରୀର ସ୍ୱପ୍ନକୁ ସାକାର କରିବ | ପତତ୍ରୀର ନାଁ ଟା ମନେ ପଡୁ ପଡୁ ବହିଟାକୁ ବିରକ୍ତରେ ବନ୍ଦ କରିଦେଇ ଫିଙ୍ଗିଦେଲା | ଉଠିଯାଇ ବାଲକୋନୀରେ ଠିଆ ହେଲା |

ସକାଳ ହେଲାଣି | ଚଢେଇ ଗୁଡାକ କିଚିରି ମିଚିରି ଶବ୍ଦ କରି କଣ ଫଟାଇ ଦେଉଛନ୍ତି | ତା ଉପରେ ମା’ ର ଉଠିବା ପାଇଁ ନିର୍ଦ୍ଦେଶ| ଓଃ! .. ଭଗବାନ ଏ ସକାଳଟା ଶାନ୍ତିରେ ଟିକେ କଟିବନି | ଉଠିପଡ଼ି ତରବରିଆ ଭାବେ ବାହାରି କଲେଜକୁ ଚାଲି ଆସିଲା | କଲେଜ କ୍ୟାଣ୍ଟିନରେ ଯାଇ ବସି ପଡିଲା ସାଙ୍ଗ ମାନଙ୍କ ଗହଣରେ | ଚା’ ମଗେଇ ପିଇଲା | ଓଠରେ ସିଗାରେଟ ଖଣ୍ଡିଏ ଧରାଇଲା | ଝିଅ କେତେଟା ପଶିଲେ | ଇଚ୍ଛା ହେଲା ଆଜି ଝିଅ ମାନଙ୍କୁ କମେଣ୍ଟ ମାରନ୍ତା | ସିଟି ବଜାନ୍ତା | କିନ୍ତୁ ଝିଅଗୁଡା ଯେ ତାରି ଆଡକୁ ଆସୁଛନ୍ତି | ସେମାନଙ୍କ ଭିତରେ ଅଛି ସୀମା , ପତତ୍ରୀର କ୍ଳାସମେଟ |

“ମୁଁ ତୁମକୁ ଖୋଜୁଥିଲି ବିକାଶ ଭାଇ |”-କହିଲା ସୀମା….“ଗୋଟେ ଖରାପ ଖବର ଅଛି | କାଲି ରାତିରେ ପତତ୍ରୀ ଆତ୍ମହତ୍ୟା କରିଦେଲା| ଶୁଣିବାକୁ ପାଇଲି ଯେ , ତା’ ବାପା ମା’ ତୁମ ଦୁହିଁଙ୍କ ସମ୍ପର୍କ ବିରୋଧରେ ଥିଲେ | ପତତ୍ରୀ ତୁମ ପାଇଁ ଖଣ୍ଡିଏ ଚିଠି ଛାଡି ଯାଇଥିଲା | ତା’ ବାପା ମା’ ବୋଧହୁଏ ଚିଠିଟାକୁ ନଷ୍ଟ କରିଦେଲେ | ପୁଲିସ କେଶ ହେବା ଆଗରୁ ସବୁ ତରବରରେ ରଫା ଦଫା କରିଦେଲେ l”

ବିକାଶ ମୁହଁରେ ଭବାନ୍ତର ନାହିଁ | ଅତି ସ୍ୱାଭାବିକ ଭାବରେ ସୀମାର କଥାଗୁଡା ଶୁଣିଗଲା | ସୀମା ସେଠାରୁ ଚାଲିଗଲା | ଓଠରେ ଆଉ ଖଣ୍ଡେ ସିଗାରେଟ ଧରାଇଲା | ଭାବିଲା – “ଏ ଝିଅ ଗୁଡାକ ପ୍ରତିଶ୍ରୁତି ଦେଇ ରଖି ପାରନ୍ତିନି | ବାପା ମା’ ଙ୍କର ବାଧ୍ୟ ଝିଅ ହୋଇ ରହିବା ଏବଂ ପ୍ରେମିକ ନିକଟରେ ଏ ସଫଳ ପ୍ରେମିକା ହେବାର ଅପଚେଷ୍ଟା ମଧ୍ୟରେ ନିଜେ ପେଷିହୋଇ ସମାପ୍ତ ହୋଇଯାନ୍ତି |” ଫୁ.. କରି ମେଞ୍ଚେ ଧୂଆଁ ପାଟିରୁ ବାହାର କରିଦେଲା | ମୁହଁରୁ ଅନାୟାସଭାବେ ବାହାରି ଗଲା – ଶଃ ହିପୋକ୍ରୀଟ |

ଏଥର ବହିପତ୍ର ଧରି ଚାଲିଲା ଅନର୍ସ କ୍ଲାସ | କ୍ଲାସ ଆରମ୍ଭ ହେବାକୁ ଆଉ ଅଳ୍ପ ସମୟ ବାକି | କରିଡରରେ ଚାଲୁ ଚାଲୁ ଭାବୁଥିଲା ତା’ ରୁମର ଫ୍ୟାନ ଓ ତା’ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ |

Leave a Reply

Your email address will not be published. Required fields are marked *