ଶତାବ୍ଦୀର ଶେଷ ସନ୍ଧ୍ୟା

Rollercoaster ride
November 12, 2023
ସମଗ୍ର ଜୀବନ ହେଉ ଲଷ୍ମୀପୂଜା
December 9, 2023

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି

ସେଦିନ ଥାଏ ୩୧ ଡିସେମ୍ବର ୧୯୯୯ | ସନ୍ଧ୍ୟାବେଳେ ଭାବିଲି ଘେରାଏ ବୁଲି ଆସିବି ବାହାରୁ | ଏ ଶତାବ୍ଦୀର ଶେଷ ସନ୍ଧ୍ୟା | ସର୍ବତ୍ର ମହୋତ୍ସବ ଲାଗି ରହିଛି | ମୋତେ ସେମିତି କିଛି ପୁଲକିତ ହେବାର କାରଣ ଏହି ଉପକଥାକୁ ଏକ ଏକାଙ୍କିକାର ମଧ୍ୟ ରୂପ ଦେଇଥିଲି, ଯାହା ଏ ପୁସ୍ତକରେ ସ୍ଥାନିତ ହୋଇଛି Iଦେଖା ଯାଉ ନଥିଲା | ଆଉ ୭ ଘଣ୍ଟା ପରେ ଏକ ନୂତନ ଶତାବ୍ଦୀରେ ଆମେ ପାଦ ରଖିବୁ | ଅଥଚ ଭାରତ , ସେଥିରେ ପୁଣି ଓଡିଶା କ’ଣ ହାସଲ କରିଛି ଯେ , ଖୁସି ହେବି ମୁଁ ? ବରଂ ଏ ଭିତରେ ଓଡିଶା ତା ନିଜସ୍ୱ ଟିକକ ହରେଇ ବସିଲା ପରି ଲାଗୁଚି | “ଥାଉ ଏ ମହୋତ୍ସବ …..ଏକାନ୍ତରେ ସନ୍ଧ୍ୟାଟି କଟିଯାଉ” ବୋଲି ଭାବି ଆଗକୁ ଚାଲିଲି |
ନିଛାଟିଆ ରାସ୍ତାଟିଏ ଧରି ଆଗେଇ ଚାଲିଥାଏ | ଆନମନା ହୋଇ ଚାଲୁ ଚାଲୁ ଝୁଂଟି ହୋଇଗଲି | ସମ୍ବିତ ଫେରି ପାଇ ଦେଖିଲି ତଳକୁ I କେହି ଆସିଲେ ରାତିରେ ଝୁଂଟି ହେବ ବୋଲି ଭାବି ସେଇଟିକୁ ହଟେଇ ଦେବାକୁ ତଳକୁ ଝୁଙ୍କିଲି I କିଛି ପଥର ବା ଗୋଡି ନୁହେଁ, ଗୋଟିଏ ପିତ୍ତଳ ଦୀପ |
ତୋଳି ଧରିଲି ହାତରେ | ବେଶ ଓଜନିଆ ଓ ପୁରୁଣାକାଳିଆ ଦୀପଟିଏ | ହଠାତ ଅଜବ ଭାବନାଟିଏ ମୁଣ୍ଡରେ ଖେଳିଗଲା | ଏ ସେହି ବହୁ ଚର୍ଚ୍ଚିତ “ଆଲ୍ଲାଦିନ ଦୀପକ ” ନୁହେଁ ତ ? ପର ମୁହୂର୍ତ୍ତରେ ପୁଣି ଏଭଳି ପିଲାଳିଆ କଥାରେ ହସିଦେଲି | ମୋର ପୁରୁଣାକାଳିଆ ଜିନିଷରେ ବେଶ ଆଗ୍ରହ | ଏମିତି କେତେ ଜିନିଷ ଗୋଟେଇ ଆଣି ଏକାଠି ରଖିଛି ବୋଲି ଘରେ ବେଶ ଗାଳି ମଧ୍ୟ ଖାଏ | ସେଇ ଶୀତୁଆ ଝାପ୍ସା ଅନ୍ଧାରରେ ଆଉ ଟିକିଏ ଭଲ କରି ଦୀପଟିକୁ ଦେଖିବାପାଇଁ ହାତରେ ଘଷି ସଫା କରି ଦେଲି | ଦୀପଟି ଥରେ ଝଟକି ଗଲା | ତା ପରେ ସଂଗେ ସଂଗେ ଦୀପ ମୁହଁ ରୁ ସୁ ସୁ…. ହୋଇ ଧୂଆଁ ବାହାରି ଚାରିଆଡେ ଖେଳେଇ ହୋଇଗଲା | ମୋ ମନରେ ଗ୍ୟାସ ତତ୍ତ୍ୱ ଠାରୁ ଆରବ୍ୟ ରଜନୀ କାହାଣୀ ପର୍ଯ୍ୟନ୍ତ ଅନେକ ଚିନ୍ତା ଖେଳେଇ ହୋଇଯାଉଥାଏ |
୫ ମିନିଟ ଭିତରେ ଧୂଆଁ ସବୁ କେଣିକି ଚାଲିଯାଇ ମୋ ଆଗରେ ଜଣେ ସୁଦର୍ଶନ ଯୁବକ ଠିଆ ହୋଇଥାନ୍ତି | ସେ କହିଲେ , ” ହୁକୁମ ମେରେ ଆକା ” ମୁଁ ଆଁ କରି ଅନେଇ ଥାଏ | ଲାଗୁଥାଏ କେଉଁ ସ୍ୱପ୍ନ ଜଗତକୁ ଚାଲି ଆସିଛି | ଯୁବକ ସଂଗେ ସଂଗେ ପରିଷ୍କାର ଓଡ଼ିଆରେ କହିବାକୁ ଆରମ୍ଭ କଲେ – ଆପଣ ଯେଉଁ ଦୀପଟିକୁ ଧରିଛନ୍ତି ତା’ ମୋର ବାସସ୍ଥଳୀ | ଆପଣ ହେଉଛନ୍ତି ସେହି ଭାଗ୍ୟବାନ ବ୍ୟକ୍ତି ଯାହାଙ୍କର ତିନୋଟି ଇଛା ମୁଁ ଶେଷ ଥର ପାଇଁ ପୂରଣ କରିବି | ”
ମୁଁ ପଚାରିଲି – “କିନ୍ତୁ ତୁମେ ଯେ ଅମର | ଯୁଗ ଯୁଗ ଧରି ଏ ଜଗତରେ ରହି ଆସିଛ ଏବଂ ରହିବ ବୋଲି ମଁ ଶୁଣିଛି |”
ସେ କହିଲେ – “ମୁଁ ଜଣେ ମହାମୁନିଙ୍କ ଠାରୁ ଅଭିଶାପ ପାଇ ଏତେ ଦିନ ଯାଏ ଏ ଦୀପ ଭିତରେ ରହିଥିଲି ଏବଂ ବିଭିନ୍ନ ଲୋକଙ୍କର ଗୋଲାମୀ କରୁଥିଲି | କିନ୍ତୁ କାଲି ସୂର୍ଯ୍ୟୋଦୟମାତ୍ରେ ମୋର ଅଭିଶପ୍ତ ଜୀବନର ପରିସମାପ୍ତି ଘଟିବ | ତା ପରେ ମୁଁ ସବୁଦିନ ପାଇଁ ମୁକ୍ତ ହୋଇଯିବି | ”
ମୁଁ ପଚାରିଲି -” ହେଲେ ମାତ୍ର ତିନୋଟି ଇଚ୍ଛା କାଇଁ ପୂରଣ କରିବ ? ତୁମର ତ କ୍ଷମତା ରହିଛି ଅସଂଖ୍ୟ ଇଚ୍ଛାପୂର୍ତ୍ତି ର | ”
ସେ କହିଲେ – ” ହଁ , ଏ କ୍ଷମତା ମୋର ଥିଲା | ଯେହେତୁ ଆଜି ମୋର ଗୋଲାମୀର ଶେଷ ଦିନ ସେହେତୁ ମୋର କ୍ଷମତା ମଧ୍ୟ କମି ଆସୁଛି | ଆପଣ ଶୀଘ୍ର କୁହନ୍ତୁ ଆପଣଙ୍କର ତିନୋଟି ଇଚ୍ଛା | ମୁଁ ଯଥାସମ୍ଭବ ପୂରଣ କରିବାକୁ ଚେଷ୍ଟା କରିବି | ”
ମୋ ମନ ସେତେବେଳକୁ ଆନନ୍ଦରେ ଉଛୁଳି ପଡୁଥାଏ | କଣ ମାଗିବି କିଛି ଭାବି ପାରୁ ନଥାଏ | ଭାବିଲି ଖାଇବା ଜିନିଷ ମାଗିବି | ଅଙ୍ଗୁର ମୋତେ ଖୁବ ଭଲ ଲାଗେ | ଭାବିଲି ପେଟିଏ ଅଙ୍ଗୁର ମାଗିବି | ପୁଣି ମନକୁ ମନ କହିଲି – ଛେ ! ଛୋଟ ବୁଦ୍ଧି ଗୁଡା ଗଲାନି | ପୁଣି ଭାବିଲି ମାଗିବି ଘରଭର୍ତ୍ତି ବହି | ଛାଡ…. ଖାଲିରେ ତ ଆଖି ପାୱାର -୫ ରେ ପହଂଚିଲାଣି | ଆଉ ପୁଣି ଆଖି ଖରାପ କରିବି କାହିଁକି ?
ନା, ସବୁରି ମୂଳରେ ରହିଛି ପଇସା | ଯାଉଛି ଅନେକ ଧନ ମାଗିବି | କେତେ ମାଗିବି ? ୫ କୋଟି? ନା ଏତେ କମ… ନା ନା… ୫ о କୋଟି ମାଗିବି |ବାବାରେ ! ଯଦି ଭିଜିଲାନ୍ସ ଚଢ଼ଉ କଲା? ମନ୍ତ୍ରୀମାନେ ପଛେ ଦେଶକୁ ଖୋଳ କରି ଦିଅନ୍ତୁ , ତାଙ୍କ ପଛରେ ୫ – ୬ ଟା ସ୍କାମ ର ନା ଯୋଡି ହେଇଥାଉ ସେମାନଙ୍କର କିଛି ହେବନି | ଆଉ ଆମ ପାଖରେ ପଇସା ଦେଖିଲେ ସିଧା ନେଇ ଜେଲ ରେ ପୁରେଇ ଦେବେ | ସେତେବେଳେ କିଏ ଶୁଣିବ ଏ ଯାଦୁଗରୀ ଦୀପ କଥା କିମ୍ବା ସୈତାନ କଥା ? ଠିଆ ହୋଇ ଆଉ କିଛି ସମୟ ଚିନ୍ତା କଲି | ଯୁବକ ଜଣଙ୍କ ମୋତେ ଦେଖି ମୁଚୁକି ହସୁଥାନ୍ତି | ଏଥର ମନକୁ ସ୍ଥିର କରିନେଲି |
କହିଲି – ” ଶୁଣ ମୋର ତିନୋଟି ଇଚ୍ଛା |”
ମୋର ପ୍ରଥମ ଇଚ୍ଛା – ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ |
ମୋର ଦ୍ୱିତୀୟ ଇଚ୍ଛା – ମୋ ଦେଶ ଭାରତ ଦେଶର ସବୁଠୁ ଅଗ୍ରଣୀ ରାଷ୍ଟ୍ର ହେଉ | ଧନଧାନ୍ୟରେ ପୂର୍ଣ୍ଣ ହେଉ |
ତୃତୀୟ ଇଚ୍ଛା – ମୋ ରାଜ୍ୟ ଓଡିଶା ଆମ ଦେଶ ଭିତରେ ସର୍ବଶ୍ରେଷ୍ଠ ରାଜ୍ୟ ହେଉ |
ଦେଖିଲି ଯୁବକ ଜଣଙ୍କ ମୁଣ୍ଡ ତଳକୁ ପୋତିଦେଲେ | ସତେ ଯେମିତି କିଏ ତାଙ୍କ ମୁହଁରେ କଳା ବୋଳି ଦେଲା |
ଚକିତ ହୋଇ ପଚାରିଲି – ” କ’ଣ ଚୁପ ରହିଲ ଯେ ? କ’ଣ ହେଲା ତୁମର ?”
ଧୀରେ ମୁଣ୍ଡ ଉଠେଇ ସେ କହିଲେ – ” ଆପଣଙ୍କର କୌଣସି ଗୋଟିଏ ଇଚ୍ଛା ପୂରଣ କରିବାକୁ ମୁଁ ସକ୍ଷମ ନୁହେଁ | ଆପଣଙ୍କର ପ୍ରଥମ ଇଚ୍ଛା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା କରିବା | ମୋ ଦିବ୍ୟଦୃଷ୍ଟିରେ ଦେଖି ପାରୁଛି ଯେ ଆଗାମୀ ଶତାବ୍ଦୀରେ ତୃତୀୟ ବିଶ୍ୱଯୁଦ୍ଧ ଅବଶ୍ୟମ୍ଭାବୀ | ଦେଶ ନିଜ ନିଜ ପ୍ରସ୍ତୁତିର ଶେଷ ପାହାଚରେ | କାହାକୁ ପଛକୁ ଫେରାଇ ଆଣିବାକୁ ମୁଁ ଅସମର୍ଥ |
ନିଜକୁ ପ୍ରଗତିଶୀଳ ବୋଲାଉଥିବା ରାଷ୍ଟ୍ର ମାନେ ହୀନ ଚକ୍ରାନ୍ତ କରି ଦେଶ ଦେଶ ମଧ୍ୟରେ ଯୁଦ୍ଧ କରେଇ ନିଜର ଫାଇଦା ଉଠେଇବାରେ ବ୍ୟସ୍ତ I ଏଥର ଅସ୍ତ୍ର ସାଷ୍ଟର ଛାଡିକି ଆଗକୁ ଦେଖିବେ ରାସାୟନିକ ଯୁଦ୍ଧ, ଜୈବିକ ଯୁଦ୍ଧ ଏବଂ ଆହୁରି ଆଗକୁ ମାନସିକ ସ୍ତରର ଯୁଦ୍ଧ I ଯେଉଁ କମ୍ପ୍ୟୁଟର ଦେଖୁଛନ୍ତି, ଆଗକୁ ତାହାରି ମାଧ୍ୟମରେ ବି ଯୁଦ୍ଧ ହେବ I ସ୍ଵାର୍ଥପରତାର ଚରମ ନିଦର୍ଶନ ଦେଖିବେ କ୍ଷଣେ କ୍ଷଣେ I
ମୁଁ କିଛି ବୁଝୁଥାଏ, ଅନେକ କିଛି ବୁଝୁ ନ ଥାଏ I
ଯୁବକ କହୁଥାନ୍ତି – “ଆପଣଙ୍କର ଦ୍ଵିତୀୟ ଇଚ୍ଛା ଭାରତକୁ ଏକ ପ୍ରଗତିଶୀଳ, ଧନଧାନ୍ୟରେ ଭରା ଦେଶରେ ପରିଣତ କରିବା | ନିଜେ ଆପଣ ଭାବି ଦେଖନ୍ତୁ ତ ଏହା କେତେ କଷ୍ଟ ! ଦୁର୍ନୀତି ଦେଶକୁ ଅକ୍ଟୋପସ ପରି ଜଡେଇ ଧରିଛି | ଏ ଦେଶରେ ଜାତୀୟ ଚରିତ୍ର କେଉଁ ଅବସ୍ଥାରେ ରହିଛି କ’ଣ ଆପଣ ଦେଖି ପାରୁ ନାହାନ୍ତି ? ମାତୃଗର୍ଭରେ ରହି ଶିଶୁ ଦୁର୍ନୀତିର ଜାଲ ବୁଣା ହେବାର ଶୁଣୁଛି | ସମସ୍ତଙ୍କ ଶିରା-ପ୍ରଶିରା ରେ ସତେ ଯେମିତି ଦୁର୍ନୀତି ଘୋଳି ହୋଇଯାଉଛି | ସମସ୍ତେ ଏଠି ଦୁର୍ନୀତିଗ୍ରସ୍ତ | ଦୁର୍ନୀତି ହେଉଛି ବୋଲି ସମସ୍ତେ ଚିତ୍କାର କରୁଛନ୍ତି | ହେଲେ ସୁବିଧା ପାଇବା ମାତ୍ରେ ସେତକ ନିଜେ କରିବାକୁ ପଛାନ୍ତିନି | ନିଜ ସ୍ୱାର୍ଥ ଛଡା ଅନ୍ୟ ବିଷୟରେ ଭାବିବାକୁ କାହାର ସମୟ ନାହିଁ | ନିଜର ଗୌରବମୟ ପରମ୍ପରା ଓ ଐତିହ୍ୟକୁ ପାସୋରି ଯାଇଛନ୍ତି | ଆଧ୍ୟାତ୍ମିକତା ନାଁରେ ଗୁଡାଏ ଅନ୍ଧବିଶ୍ୱାସ ପାଳି ରଖିଛନ୍ତି | ଏ ଭଳି ପରିସ୍ଥିତିରେ କି ପ୍ରକାର ପ୍ରଗତି କରିବ ଭାରତ ?
“ଆପଣଙ୍କର ତୃତୀୟ ଇଚ୍ଛା ଓଡିଶା କୁ ଦେଶର ସବୁଠାରୁ ଉନ୍ନତ ରାଜ୍ୟ ରୂପେ ଦେଖିବା | ହେଲେ ଦେଖିଛନ୍ତି ଆପଣଙ୍କ ଓଡ଼ିଆ ମାନଙ୍କ ଉନ୍ନତି ପାଇଁ କୌଣସି ପ୍ରକାର ଚେଷ୍ଟା କରିବାର? ଅଧିକାଂଶ ସମୟ ଯାଏ ସୁସ୍ୱାଦୁ ଖାଦ୍ୟ ଖାଇ ଆରାମ କରିବାରେ | ନିଜର ଭାଷା , ସଂସ୍କୃତି , କଳା, ସାହିତ୍ୟକୁ ଯଂଦୃତ କରିବାପାଇଁ କଣ କରିଛନ୍ତି ସେମାନେ ? ବ୍ୟକ୍ତିଗତ ସଂକୀର୍ଣ୍ଣତାରୁ କେହି ହେଲେ ଉର୍ଦ୍ଧ୍ୱକୁ ଉଠୁଛନ୍ତି ? ନିଜର ସ୍ୱାଭିମାନକୁ ତିଳ ତିଳ କରି ମାରି ଦେଇଛନ୍ତି | ଯେଉଁ ଭାଷା ଉପରକୁ ଉଠିଛି, ତାକୁ ଶୁଆ ପରି ଘୋଷି ଖୁବ ଉନ୍ନତ୍ତି କରିଛନ୍ତି ବୋଲି ଭାବୁଛନ୍ତି | ଆପଣ ମଧ୍ୟ ଆସିଥିବେ ଏପରି ଅନେକଙ୍କ ସଂସ୍ପର୍ଶରେ ଯେଉଁମାନେ ନିଜକୁ ଓଡ଼ିଆ ବୋଲି କହିବାକୁ ଘୃଣା କରନ୍ତି | ଓଡ଼ିଆ ସ୍କୁଲ ରେ ପିଲାଙ୍କୁ ପଢେଇବା କଥା କହିଲେ ସେମାନଙ୍କ ନାସା କୁଞ୍ଚିତ ହୋଇଯାଏ |”
ମୁଁ ସେତେବେଳକୁ ଭାବୁଥାଏ ମୋ ପଡିଶା ଘରର କୁନି କୁନି ଦୁଇ ଛୁଆଙ୍କ କଥା | ଯେଉଁ ମାନଙ୍କ ମୁହଁରୁ ସବୁବେଳେ ହେଲୋ , ହାଇ , ବାୟ, ଡାଡ୍ଡୀ , ମମ୍ମି, ଇଂରାଜୀ ରାଇମମାନ ଛୁଟୁଥାଏ |
ଯୁବକ ଜଣଙ୍କ କହି ଚାଲିଥାନ୍ତି -” ନିଜର ଗୌରବମୟ ଇତିହାସ ବିଷୟରେ କେତେଜଣ ଓଡ଼ିଆ ପିଲା ଜାଣିଛନ୍ତି ? ଓଡିଶା ସ୍ୱୟଂସମ୍ପୂର୍ଣ୍ଣ ଥାଇ ମଧ୍ୟ ଆଜି କାଙ୍ଗାଳ | ଏମିତିକି ନାଁ ପଡି ଯାଇଛି “ଦେଖା ଶିଖା ଓଡିଶା” |
“କ୍ଷମା କରିବେ | କୌଣସି ଇଚ୍ଛା ପୂରଣ କରିବାକୁ ମୁଁ ସମର୍ଥ ନୁହେଁ | ହଁ, ତେବେ ଏତିକି କହିପାରେ ଏ ଇଚ୍ଛାକୁ ରୁପାୟିତ କରିବାର କ୍ଷମତା ଆପଣଙ୍କ ଯୁବାବର୍ଗ ହାତରେ ଅଛି | ଏବେ ବି ଅନେକ ଉତ୍ସାହୀ ସତ୍ୟନିଷ୍ଠ ଓ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଏ ଜଗତରେ ଅଛନ୍ତି | ଖୋଜି ବାହାର କରନ୍ତୁ ସେମାନଙ୍କୁ ଓ ମେଳି କରି ଆପଣଙ୍କ ଇଚ୍ଛାର ପୂର୍ତ୍ତି କରନ୍ତୁ |
ପୁଣି କହିଲେ – “ଆପଣଙ୍କର ଏ ତିନୋଟି ଇଚ୍ଛା ପୂରଣ କରିବାରେ ଅସମର୍ଥ ହେଲି ସତ, ହେଲେ ଆପଣ ଯେତେ ଧନ, ଗାଡି , ବଙ୍ଗଳା ମାଗନ୍ତୁ , ସେସବୁ ମୁଁ ନିଶ୍ଚୟ ଦେବି |”
ମୁଁ କହିଲି – ” ଥାଉ ଭାଇ, ସେସବୁରେ ମୋର ପ୍ରୟୋଜନ ନାହିଁ | ଧନ ବଢିଲେ ଘରେ ଚୋର ପଶିବ | ଟଙ୍କାକୁ ୨ ଟଙ୍କା କରିବାରେ ମନର ଶାନ୍ତି ଟିକକ ଚାଲିଯିବ | ଗାଡି , ବଙ୍ଗଳା ଦେଖିଲେ ଭିଜିଲାନ୍ସ ଚଢ଼ାଉ କରିବ | ଏ ଦୁଇ ଦିନିଆ ସଂସାରରେ ଏ ପାର୍ଥିବ ଜିନିଷର ମୂଲ୍ୟ ବା କ’ଣ ? ଯେତେବେଳେ ମୁଁ ଜାଣିବି ଆସନ୍ତାକାଲି ପର୍ଯ୍ୟନ୍ତ ମୁଁ ବଞ୍ଚିଥିବି କି ନାହିଁ ସତେବେଳେ ଧନ ନେଇ କଣ କରିବି ?
ଆମ ଘରପାଖ ବସ୍ତିରେ ବରଂ ଯାଇ କିଛି ଭଲ ଖାଇବା ଜିନିଷ ବାଣ୍ଟିଦିଅ | କେଜାଣି ଆଉ ଗୋଟିଏ ଶତାବ୍ଦୀ ବିତିଗଲେ ବୋଧହୁଏ ସେମାନଙ୍କର ଅବସ୍ଥା ବଦଳିଯିବ ପରା ! ଆଉ ଆମ ଘରେ ଆଉ କିଛିଟା ନୂଆ ପତ୍ରିକା ଓ ଭଲ ମିଠା କିଛି ଦେଇ ଆସିବ |
“ଭାଇ , ଭଗବାନ ତୁମର ମଙ୍ଗଳ କରନ୍ତୁ | ତୁମର ସ୍ୱାଧୀନତା ପାଇଁ ମୋର ହାର୍ଦ୍ଦିକ ଶୁଭେଚ୍ଛା | ନୂଆ ଶତାବ୍ଦୀର ନୂଆ ବର୍ଷ ପାଇଁ ଅନେକ ଅନେକ ଶୁଭକାମନା |”
” ଜୋ ହୁକୁମ ମେରେ ଆକା ” କରି ଯୁବକ ଧୂଆଁ ହୋଇ ପୁଣି ଦୀପ ଭିତରେ ପଶିଗଲେ | ମୋ ହାତରୁ ଦୀପଟି ହଠାତ ଉଭାନ ହୋଇଗଲା |
ଶୈତାନ ମୋ ଇଚ୍ଛା ପୂରଣ ନ କରିଥିଲେ ମଧ୍ୟ ମନରେ ଛୋଟ ଆଶାର କିରଣଟିଏ ଖେଳାଇ ଦେଇଥିଲା | ଘରକୁ ମୁହେଁଇଲା ବେଳେ ନିଜକୁ ପ୍ରସ୍ତୁତ କରୁଥାଏ ଆଗାମୀ ଶତାବ୍ଦୀ ପାଇଁ | ଅନେକ କିଛି କରିବାକୁ ହେବ |
ଘରେ ପାଦ ଦେବା ମାତ୍ରେ ପତ୍ରିକା ଓ ମିଠା କିପୟରେ ସମସ୍ତେ ଅନେକ ପ୍ରଶ୍ନ ପଚାରିଲେ | କାହାକୁ କିଛି ନ କହି ସ୍ମିତହାସ୍ୟଟିଏ ଖେଳାଇ ଦେଇ ବସି ପଡିଲି ଟି.ଭି. ସେଟ ଆଗରେ | ଭାବିଲି , ” ଆଚ୍ଛା ସନ୍ଧ୍ୟାଟିଏ ଥିଲା | ମନେ ରହିବ ଚିର ଦିନ ପାଇଁ ଶତାଦ୍ଦୀର ଏ ଶେଷ ସନ୍ଧ୍ୟା |”
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
ଏ ଉପକଥା ରଚିତ ହୋଇଥିଲା ୧୯୯୬ ରେ I ପଛକୁ ବୁଲିକି ଚାହିଁଲେ ସେ ସମୟରୁ ଆଜି ପର୍ଯ୍ୟନ୍ତ ଅବସ୍ଥାରେ ବେଶୀ କିଛି ପରିବର୍ତ୍ତନ ହୋଇନାହିଁ I ତେବେ ସାମାନ୍ୟତମ ପରିବର୍ତ୍ତନ ନିଶ୍ଚୟ ପରିଲକ୍ଷିତ ହୋଇଛି I ସେତିକି ବି ଭବିଷ୍ୟତ ପାଇଁ ଆଶାର ଅଙ୍କୁରଟିଏ ଗଜୁରେଇ ଦିଏ I ରାତାରାତି କିଛି ବି ହୋଇ ନାହିଁ , ବିଗିଡ଼ିବାକୁ ଯଦି କିଛି ଶହ ବର୍ଷ ଲାଗିଛି, ତେବେ ଗଢିବାକୁ ମଧ୍ୟ ସେତିକି ସମୟ ଲାଗିବ ଅବଶ୍ୟ I ସେତେବେଳର ଅବସ୍ଥାକୁ ଲକ୍ଷ୍ୟ କରି ଯାହା ସବୁ ଲେଖା ହୋଇଥିଲା, ତାହା ସତକୁ ସତ ଘଟିଛି ମଧ୍ୟ, ଯୁଦ୍ଧ, କୋଭିଡ ମହାମାରୀ ଅବା ଆଜିକାଲିର ସାଇବର ଆଟାକ୍ ଆକାରରେ I ଏହି ଉପକଥାକୁ ଏକ ଏକାଙ୍କିକାର ମଧ୍ୟ ରୂପ ଦେଇଥିଲି, ଯାହା ଏ ପୁସ୍ତକରେ ସ୍ଥାନିତ ହୋଇଛି I

Leave a Reply

Your email address will not be published. Required fields are marked *