ଡଃ ବିୟତ୍ ପ୍ରଜ୍ଞା ଆଚାର୍ଯ୍ୟ
ଏମିତି ବି କେବେ କେବେ ହୁଏ । ଏକ ଗପ ଆଉ କିଛି ଯୋଗାଧୀନ ଘଟଣା, ଗୋଟିଏ ଝିଅର ମାନ – ସମ୍ମାନ, ଜୀବନ ବଞ୍ଚାଇଲା ।
ମୋର ହାଉସମ୍ୟାନସିପ ବର୍ଷର କଥା । ମେଡିସିନ ବିଭାଗରେ ଡିଉଟି ପଡ଼ିଥାଏ । ସରକାରୀ ମେଡିକାଲ କଲେଜ— ସୋମବାର । HOD ଙ୍କ ୟୁନିଟ । ଏ ସମସ୍ତ ମିଳିତ କାରଣ ଯୋଗୁଁ ଆଉଟଡୋରରେ ପ୍ରବଳ ଭିଡ । କୌଣସି କାରଣବଶତଃ ମୋ ସାଙ୍ଗରେ ଥିବା ଅନ୍ୟ ଝିଅ ସାଙ୍ଗମାନେ ସେ ଦିନ ଛୁଟିରେ ଥାନ୍ତି । ପ୍ରାୟ ୧୨:୩୦ ବେଳେ ଭିଡ ଟିକିଏ ଥମିଲା । ଶାନ୍ତିରେ ନିଃଶ୍ୱାସ ମାରି ଟେବୁଲ ଚାରିପଟେ ଟିକିଏ ବସିଯାଇଥାଉ ।
ଏତିକିବେଳେ ପ୍ରାୟ ୧୭–୧୮ ବର୍ଷର ଝିଅଟିଏ, ଗୋରା ତକତକ ଦେହ, ସୁନ୍ଦର ଚେହେରା ଅଥଚ ମଉଳା ଫୁଲପରି ମୁହଁଟିଏ ନେଇ ଆମ ଟେବୁଲ ଆଡକୁ ଆଗେଇ ଆସୁଥାଏ । ସାଙ୍ଗରେ ବୋଧେହୁଏ ବଡ ଭଉଣୀ ହୋଇଥିବେ । ସେ ବି ଚିନ୍ତିତ ଦିଶୁଥାନ୍ତି । ଡାକ୍ତରଙ୍କ ବ୍ୟତୀତ ଆଉ କିଏ ନିଶ୍ଚିନ୍ତ ହୋଇ ଡାକ୍ତରଖାନା ଆସନ୍ତି ଯେ ? ଆମେ ସବୁବେଳେ ଦୁଃଖୀମାନଙ୍କ ଭିତରେ ଘେରା – ରୋଗ ସାଙ୍ଗରେ ଅର୍ଥାଭାବ, ଯତ୍ନର ଅଭାବ, ଜ୍ଞାନାଭାବ ଯୋଗୁଁ ହଇରାଣ …… ଏ ସମସ୍ତ ସମସ୍ୟା ଆମ ଚାରିପାଖେ ଘେରି ରହିଥାନ୍ତି । ସୁନ୍ଦର ମୁଁହରୁ ଆଖି ଓହ୍ଲେଇଲା ଟିକିଏ ତଳକୁ । ଆମକୁ ଡାକ୍ତରୀ ପାଠରେ ଶିଖାଯାଏ ରୋଗୀ ରୁମ ଭିତରକୁ ଚାଲି ଆସିବାମାତ୍ରେ ତୁମେ ଦାୟିତ୍ତ୍ଵରେ ଓ ଗୋଡଠୁ ମୁଣ୍ଡ ଯାଏ ତୁମର ଦୃଷ୍ଟି ରହିବା ଦରକାର । ଚେନ ସ୍ମୋକର୍ ତୁମକୁ ଭୁଆଁ ବୁଲେଇ ଦେବେ ଯେ , ସେମାନେ ଜୀବନରେ କେବେ ସିଗାରେଟ ଛୁଇଁ ନାହାନ୍ତି ବୋଲି; ମଦୁଆ କହିବେ ମଦ ଦେଖି ନାହାନ୍ତି । History ତ ନେବ, ତେବେ ଚଉଅଖିଆ ହୋଇ ସର୍ବତ୍ର ନିଘା ବି ରଖିଥିବ ।
ସେଇ ନୀତିରେ ମୁଁ ଓ ଅନ୍ୟମାନେ ଦେଖି ପାରିଲୁ, ଝିଅଟିର ପେଟଟି ୬–୭ ମାସର ଗର୍ଭ ପରି ଲାଗୁଛି । ସାଙ୍ଗେ ସାଙ୍ଗେ ଅନ୍ୟ ଡାକ୍ତର ଭାଇ ମାନଙ୍କ ଭିତରେ ତିର୍ଯ୍ୟକ କମେଣ୍ଟ ମାରିବା ଆରମ୍ଭ ହୋଇଯାଇଥିଲା ।
” ବିହା ନାଇ ହୋଇକରି ବି ପେଟ ଆର ଛାତି ଫୁଲେଇ ଟୁକେଲମାନେ ଚାଲ୍ ଲେନ ।”
ଆଉ କିଛି ଟାହି ଟାପରା ବି କାନରେ ବାଜୁଥାଏ ।
କେହି ଜଣେ verdict ବି ଦେଇଦେଲେ – this is pregnancy out-of-wedlock.
କେହି କେହି ମୁଚୁକି ହସିଲେଣି ମଧ୍ୟ ।
ଝିଅଟି ସମସ୍ତ ସାହସ ଜୁଟାଇ ଯାହା history ହେଉଥାଏ, ତା’ normal pregnancy ସହ ହିଁ ମେଳ ଖାଉଥାଏ । ବଡ ଭଉଣୀଙ୍କର ଚେହେରା ମଧ୍ୟ ସେତେବେଳେକୁ ଗଳଦ୍ –ଘର୍ମ । ଭାବୁଥିବେ — କି ଯେ ଅପକର୍ମ କରିକି ଆସିଛି କେଉଁଠି !
ସେ ଝିଅଟିକୁ ଦେଖିଲାବେଳକୁ ମୋର ମନେ ପଡିଯାଉଥାଏ ଆମ ରାଜ୍ୟରେ ସେତେବେଳେ ପ୍ରକାଶ ପାଉଥିବା ‘ସୁଚରିତା ‘ ପତ୍ରିକାରେ ପଢିଥିବା ଏମିତି ଗପଟିଏ । ସେଥିରେ ମଧ୍ୟ ଏକ ଝିଅ ନିର୍ଯାତିତା ହୁଏ ଗର୍ଭବତୀ ହୋଇଥିବା ଆଶଙ୍କାରେ ନିଜ ନିଜ ପରିବାରବର୍ଗଙ୍କ ଦ୍ୱାରା ସମସ୍ତେ ତାକୁ ଏକ କୁଆଁରୀ ମା’ ବୋଲି ଭାବିନେଇ ଘରେ ଲୁଚାଇ ରଖନ୍ତି । ଖାଦ୍ୟାଭାବ ଓ ମାଡଗାଳିରେ ପଚିସଢ଼ି ଯେତେବେଳେ ଶୁଖି ଶୁଖି ଯାଉଥାଏ , ଦୈବାତ କୌଣସି ସ୍ତ୍ରୀ – ପ୍ରସୂତି ରୋଗ ବିଶେଷଜ୍ଞ ତାକୁ ଦେଖିଲେ ଏବଂ ବିଭିନ୍ନ ପରୀକ୍ଷା ନିରୀକ୍ଷା କରି ଓଭାରିଆନ କ୍ୟାନ୍ସର ବୋଲି ଡାଇଗ୍ନୋସିସ୍ ଦେଇଥିଲେ । ହେଲେ ଝିଅଟିର ମୃତ୍ୟୁ ହୋଇଥିଲା – ଅବଶ୍ୟ ଖୁବ ଶାନ୍ତିରେ ନିଶ୍ୱାସ ମାରିଥିଲା , କୁଆଁରୀ ମା ‘ ର ଲେବଲ ହଟିଯାଇଥିବାରୁ ଓ ନିଜର ସତୀତ୍ଵର ସାର୍ଟିଫିକେଟ ପାଇ ଆରପାରିକୁ ଯାଉଥିବାରୁ ।
ଏତେ ସବୁ ଚିନ୍ତା ଭିତରେ ବୁଡିଥିଲାବେଳେ ସିନିୟର ଭାଇ ଜଣେ କହିଲେ, ” ଵିୟତପ୍ରଜ୍ଞା ! ୟାଙ୍କୁ ନେଇ ଚେକ କର । ପ୍ରେଗନେସି ଟେଷ୍ଟ ଗୋଟେ ଲେଖିଦେବ ।
ପରଦା ପଛକୁ ନେଇ କାଉଚରେ ଶୁଆଇ ଆଉଥରେ ସେଇ ସବୁ ପ୍ରଶ୍ନ ପଚାରିଲି ଅନିଚ୍ଛାସତ୍ୱେ । ତା ଭୟାତୁର ଛଳ ଛଳ ଆଖି ଦେଖି କ’ଣ ମନକୁ ଆସିଲା କେଜାଣି ତା ଆତ୍ମପ୍ରତ୍ୟୟ ବଢେଇବା ପାଇଁ କହି ପକେଇଲି – ” ବ୍ୟସ୍ତ ହୁଅନି କୌଣସି ଟ୍ୟୁମର ବି ହୋଇପାରେ ।“
ମୁଁ ସନ୍ଦିହାନ ଥିଲି କି – ବୋଧେହୁଏ ହଁ । ତେବେ ପେଟଟିରେ ବର୍ତ୍ତୁଳତା ଟିକିଏ ଅଲଗା ପ୍ରକାର ଥିବାରୁ ଭାବିଲି ଭଲରୂପେ ଚେକ କରିବା ଦରକାର ।
ଷ୍ଟେଥୋ ବୁଲେଇ ବୁଲେଇ ଦେଖିଲି – ନାଁ, ଶିଶୁର ହୃତକ୍ରିୟା ନାହିଁ | ଟ୍ୟୁମର ପରି ହଁ ଲାଗୁଛି | ଟ୍ୟୁମରପରି ଅଲଗା ପ୍ରକାର ଟାଣ ଓ ଗୋଟିଏ ଜାଗାରେ ଲାଗିରହି ଅନ୍ୟଜାଗା ମୁକ୍ତ ଭାବେ ବୁଲୁଛି |
କ୍ୱେରି ଓଭାରିଆନ ଟ୍ୟୁମର (? Ovarian tumour)… ପ୍ରେଗନାନସି ଟେଷ୍ଟ ଲେଖିଲିନି ….ମନ ବିଦ୍ରୋହ କଲା|ମୋ ଡ଼ାଇଗନୋସିସ ଉପରେ ଭରସା ରଖିବାକୁ ପଡିବ , ନ ହେଲେ ଗାଇନୀକ ଡିପାର୍ଟମେଣ୍ଟରେ ଦେଖିଲେ ସେମାନେ ଲେଖନ୍ତୁ | ଏଥର ଗାଇନୀକ ଟ୍ରିଟମେଣ୍ଟକୁ refer କରି ଦେଲି |
ତା’ ମୁହଁର ଉଜ୍ଜଳତ ଅନେକଟା ଫେରି ଆସିଥିଲା | ଭାବୁଥିବ ଯାଃ …..ହେଉଥାଉ ଗୋଟେ ପ୍ରାଣଘାତୀ ଟ୍ୟୁମର | ଏଥର ଚିନ୍ତା ନାହିଁ | ବଡ ନାନୀଙ୍କ କପାଳର ଭ୍ରୁକୁଞ୍ଚନ ମଧ୍ୟ ଅନେକଟା ଲାଘବ ହେଲାପରି ଲାଗିଲା |
ଏଥର କେସରେ ମୋର ବି ଆଗ୍ରହ ବଢି ଯାଇଥାଏ କିଛି କାରଣ ଯୋଗୁଁ | ମୋ diagnosis ଠିକ ହେଲା କି ନାହିଁ ଜାଣିବା ପାଇଁ ଓ ଫେରି ଆସି ଆମ ଡାକ୍ତର ଭାଇମାନଙ୍କୁ ସେତକ ଜଣେଇବା ପାଇଁ |
ପରେ ପତା ଲଗେଇ ଜାଣିଲି ଯେ ନିଜେ HOD ତାକୁ ଦେଖିଛନ୍ତି ଓ ମୋର diagnosis ସମ୍ପୂର୍ଣ୍ଣ ଠିକ…. ଓଭାରିଆନ ଟ୍ୟୁମର | ପରେ କରିଡରରେ ତରବରିଆ ଭାବେ ଏମର୍ଜେନ୍ସି ଡ୍ୟୁଟି କରିବାକୁ ୱାର୍ଡ ଯାଉଥିବା ବେଳେ ଦୁଇ ଭଉଣୀଙ୍କ ସହ ଭେଟ ହୋଇଗଲା | ଆଃ !ସତେ ଯେମିତି ସୂର୍ଯ୍ୟ, ଘନ କଳା ବାଦଲ ଉହାଡ଼ରୁ ବାହାରି ଆସିଛନ୍ତି | ଝିଅଟିକୁ ତା ସତୀତ୍ତ୍ୱର certificate ମିଳିଯାଇଛି |
ଟ୍ୟୁମରଟା କ୍ୟାନ୍ସର ବି ହୋଇପାରେ , ହେଲେ ଆଉ ପରବାୟ ନାହିଁ | ଜୀବନଠୁ ବଳି ସମାଜରେ ଆମ ସମ୍ମାନ ନା ! ଭାବୁଥିଲି ସେ ପରିବାରର ସଦସ୍ୟମାନେ ଖୁସିରେ କିଛି ଗୋଟେ ଭୋଜିଭାତ କରି ପକେଇଥିବେ |
ଆଃ ! ଏ ମାତୃତ୍ୱ ! ଯାହାକୁ ଦୁନିଆରେ ସର୍ବଶ୍ରେଷ୍ଠ ସ୍ଥାନ ଦିଆଯାଏ | ତା ପାଇଁ ନାରୀଟିଏ କେତେ ଲାଞ୍ଛନା ନ ସହେ ସତେ ! ଅବୈଧ ସମ୍ପର୍କ ରୁ ଗର୍ଭବତୀ ହେଲେ , ନାରୀଟି ଲାଂଛିତ ହୁଏ ସିନା , ତା ଦେହରେ ଦାଗ ରହେ ବୋଲି , ପୁରୁଷ ଝାଡ଼ିଝୁଡ଼ି ହୋଇ ପୁଣି ପବିତ୍ର |
ଯଦି ଏଭଳି ସମ୍ଭାବନା ରହନ୍ତା ଯେ ୫୦ % ପୁରୁଷ ଗର୍ଭବନ୍ତ ବା ୫୦% ନାରୀ ଗର୍ଭବତୀ ହେବେ, ସମାଜରୁ ଅବୈଧ, ଧର୍ଷଣ ଆଦି ଶବ୍ଦ ଲୋପ ପାଇଯା‘ନ୍ତା |
ତେବେ ଏପରି କଳ୍ପନା ଜଳ୍ପନା କରି ମନକୁ ଖୁସି କରାଯାଇ ପରେ ସିନା, ସମାଜର ଚିନ୍ତାଧାରାକୁ ବଦଳାଇ ଯାଇପାରେନାହିଁ | କେଜାଣି ଭଗବାନଙ୍କ ସହ ମିଟିଙ୍ଗଟେ ବସାଇଲେ ଏ ପ୍ରସ୍ତାବ ପାରିତ ହେବ ପରା !
ତେବେ ଏ ସବୁ କଳ୍ପନା ଜଳ୍ପନାକୁ ଛାଡି କହି ରଖିବାକୁ ଚାହିଁବି ଯେ ନିଜର ଆଶଙ୍କା ଓ ଆତଙ୍କିତ ମନର ଉଭଟ କଳ୍ପନା ଅଲଗା ରଖି ଏଭଳି ରୋଗ ସବୁର ଠିକ ସମୟରେ ନିଦାନ ଓ ନିରାକରଣ କରିବା ଚାହି ; କେବଳ ଶାରୀରିକ ନୁହେଁ , ମାନସିକ ରୋଗୀ ମଧ୍ୟ ଏହିଭଳି ସମସ୍ୟାକୁ ସଂକୋଚ ଯୋଗୁଁ ଲୁଚାଇ ରଖନ୍ତି ଓ ପରେ ଖୁବ ଡେରି ହୋଇଯାଇଥାଏ |