ଶ୍ରୀ ଗୁରୁ ଚରଣେ ସମର୍ପିତ
———————
ବିଫଳତାର ଶକ୍ତ ଚାପୁଡ଼ା ପ୍ରଥମେ ମୋତେ ବାଜିଲା ଯେବେ ପ୍ରଥମଥର ମେଡିକାଲ ଏଣ୍ଟ୍ରାନ୍ସରେ ଅଳ୍ପ କିଛି ନମ୍ବର ପାଇଁ ସଫଳତା ତାଲିକାରେ ନାଁ ଟିକିଏ ତଳକୁ ଥିଲା | ବ୍ରାହ୍ମଣ କୁଳରେ ଜନ୍ମ , ପଇସା ଦେଇ ମେଡିକାଲ କଲେଜରେ ପଢିବା ପାଇଁ ନା ତ ଥିଲା ସୁଯୋଗ ନା ଥିଲା ସମ୍ବଳ | ସମ୍ବଳ ଥିଲେ ମଧ୍ୟ ସେଭଳି ଭାବେ ନିଜ ସ୍ୱପ୍ନକୁ ସାକାର କରିଥିଲେ ସାରାଜୀବନ ହୀନମନ୍ୟତାରେ କାଳାତିପାତ କରିଥାନ୍ତି ବୋଧହୁଏ |
ପିଲାଦିନୁ ଆମ ସହର ବୁର୍ଲାର ଗୋଟିଏ ପାଖେ ଇଞ୍ଜିନିରିଂ କଲେଜ , ଅନ୍ୟ ପାଖେ ମେଡିକାଲ କଲେଜ ଦେଖି ଦେଖି ଯେଣୁ ଆମେ ବଡ ହେଇଥିଲୁ ତେଣୁ ଡାକ୍ତର ଅବା ଇଞ୍ଜିନିଅର ହେବାର ସ୍ବପ୍ନ ହିଁ ଆମ ଆଖି ଆଗରେ ଲେସି ହୋଇ ରହିଥିଲା | ସେଥିରୁ ଖସିଲେ ଜ୍ୟୋତିବିହାର ୟୁନିଭର୍ସିଟି ଅଛି ଆଉ ତାପରେ ଅନେକ କିଛି ସମ୍ଭାବନା | ହେଲେ ଯୁକ୍ତ ୨ ପରୀକ୍ଷା ପରେ ବୁର୍ଲା ବାସିନ୍ଦାଙ୍କ ପିଲାମାନେ ଏକ ରକମ ପ୍ରଥମ ଦୁଇ ଲାଇନରୁ ଗୋଟିଏ ଧରିବା ସୁନିଶ୍ଚିତ ଥାଏ |
କଥାରେ ଅଛି, “As a man thinketh , so he becomes”, ତେଣୁ ପ୍ରାୟତଃ ଆମ କଲୋନୀ ପିଲାମାନେ ସଫଳ ହେଉଥିଲେ I କିଛି ଲୋକଙ୍କର ସନ୍ଦେହ ହୁଏ , କିଛି ଦୁର୍ନୀତି ହେଉନି ତ ? ହେଲେ ମଧ୍ୟବିତ୍ତୀୟ ପରିବାରରେ ପାଠ ପଢି ଚାକିରୀ ଖଣ୍ଡିଏ ନ କଲେ ଆଉ କିଛି ବଞ୍ଚିବାର ଉପାୟ ନାହିଁ ବୋଲି ଯେଉଁ ଭୟ ଆଉ ଯୁଝିବାକୁ ସାହସ ଜୁଟାଯାଏ, ସେତିକି ଆମକୁ ସଫଳ କରାଇନିଏ |
ଏ ବିଫଳତାର ଖବର ପାଇ ମୋ ମୁଣ୍ଡ ଯେମିତି ବୁଲେଇ , ପୃଥିବୀଟା ଘିରି ଘିରି ବୁଲିବାକୁ ଲାଗିଲା | ପ୍ରଥମ ଶ୍ରେଣୀରୁ ପ୍ରଥମ ହେବାର ଅଭ୍ୟାସ ପଡିଯାଇଥିଲା | ମଝିରେ ତିନି ବର୍ଷ ସ୍କୁଲ ନ ଯାଇ ମୋ ତାଲିମ ଟା ଅଲଗା ପ୍ରକାର ହୋଇଥିଲା | ଓଡ଼ିଆ ସ୍କୁଲରେ ସେତେବେଳେ ଚତୁର୍ଥ ଶ୍ରେଣୀରୁ ଇଂରାଜୀ ଶିକ୍ଷା ଦିଆ ହେଉଥିଲା | ଆଉ ମୁଁ ସେତେବେଳକୁ ଇଂରାଜୀ ହିନ୍ଦୀ ଉପନ୍ୟାସ ସବୁ ପଢି ପାଣି କରି ଦେଉଥିଲି | ଓଡ଼ିଆ ବହି ଯୋଗାଇ ନ ପାରିଲେ ବଙ୍ଗଳା ବହି ମଧ୍ୟ ଚରି ଯାଉଥିଲି ଉଈ ପରି |
ସହଜେ ଅନୁମେୟ ଶ୍ରେଣୀର ପ୍ରଥମ ହେବାଟା ମୋ ପାଇଁ ସେତେ କଷ୍ଟସାଧ୍ୟ ନ ଥିଲା । ମୋ ବୋଉଙ୍କର ଗୋଟିଏ କଡା ଡ଼ାକରାରେ କେବେ କେମିତି ମନ ଏପଟ ସେପଟ ହେଲେ ମଧ୍ୟ ପୁଣି ରାସ୍ତା ଉପରକୁ ଆସିଯାଏ ।
ଏଇ ରଥଯାତ୍ରା ସମୟ ସେତେବେଳେ । ଏଣ୍ଟ୍ରାନସ ପରୀକ୍ଷାଫଳର ବିଫଳତାର କ୍ଷତ ଶୁଖୁ ନ ଥାଏ । ଆଗକୁ କଣ କରିବି ବୁଝା ପଡ଼ୁ ନ ଥାଏ । ଆମର ପସନ୍ଦ ନାପସନ୍ଦ ବୋଲି କିଛି ଗୋଟିଏ ନ ଥାଏ ସେତେବେଳେ । ମେଡିକାଲ କି ଇଞ୍ଜିନିଅରିଂ କିଛି ବି ଗୋଟେ ମିଳିଲେ ଚଳିବ । ତେବେ ଦୁଇ ଆଡେ ରчוଙ୍କ ତ କମ ଆସିଛି …କରେ କ‘ଣ ?
ସେତେବେଳେ ଦୂରଦର୍ଶନରେ ନୂଆ ନୂଆ କରି ଘୋଷଯାତ୍ରା ସିଧାପ୍ରସାରଣ ଆରମ୍ଭ ହୋଇଥାଏ । ଆଖିରୁ ଧାର ଧାର ଲୁହ ବୋହି ଯଉଥାଏ । ଅଭିମାନର, କ୍ରୋଧର ଅଶ୍ରୁ । କେତେ ପରିଶ୍ରମ କରିଥିଲି । ଅଜିଯାଏଁ ନନା କଲର ଟିଭି ବି କିଣି ନାହାନ୍ତି । କଳା ଧଳା ଟିଭି; ପୁଣି ମଝିରେ ମଝିରେ ଝିଲମିଲ ହୋଇ କର୍କଶ ଶବ୍ଦ ବି କଲାଣି । ଗୋଟିଏ ଚପେଟାଘାତରେ ସ୍କ୍ରିନ ଉପରେ ତିନି ରଥ ଉପରେ ବିଜେ ତିନି ଠାକୁର ପୁଣି ଦିଶିଲେ । କୁଆଡେ ମୁଁହ ଦେଖେଇବା ଲାୟକ ରଖିଲନି ଠାକୁର ,,,,, ଆଉ ଥରେ ଲୁହ ଗଡି ଆସିଲା ।
କ୍ୱାର୍ଟର ଘରର ଉପର ମହଲାକୁ ଆସିଲି ଆଉ ଜ୍ୟାମିତି ବାକ୍ସକୁ ଖୋଲିଲି । ୫ମ ଶ୍ରେଣୀରେ କିଣା ହୋଇଥିଲା ପ୍ରଥମ କରି । କଳଙ୍କି ଲାଗିଲାରୁ ରବର ପେଣ୍ଟ ମାରି ତାକୁ ସଜାଡିଛି । ତା ଭିତରେ ଦୁଇଟା ଲକ୍କି ପେନ, ଲକ୍କି କଏନ …… କେବେ କେମିତି ସାଇକେଲରେ ପମ୍ପ ଦେବାପାଇଁ ଇମର୍ଜେନ୍ସି ପଇସା ଟଙ୍କେ ଅବା ୨ ଟଙ୍କା ମୋତେ ମିଳିଥାଏ । ଧୀରେ ଧୀରେ ଅବ୍ୟବହୃତ ହୋଇ ଲକ୍କି କଏନ ପାଲଟିଗଲା । ଆଉ ଥିଲା ଗୋଟିଏ ଛୋଟ ଜଗନ୍ନାଥଙ୍କ ଲକେଟଟିଏ , କେହି ଜଣେ ଏମିତି ଦେଇଥିଲା , କିମ୍ବା କୋଉଠୁ ପାଇଥିଲି ପରା । ଏତେ ସବୁ ଲକ୍କି ଜିନିଷ ଧରି , ତୁମ ମୁଁହ ଦେଖି ଦେଖି ଯାଇଥିଲି । ” ପ୍ରଭୁ! ଏଇୟା କଲ?
ବହୁତ ରାଗ ଆସିଲା । “ଯାଅ , ଏଥର ମୁଁ ମୋ କର୍ମ ଉପରେ ବିଶ୍ୱାସ କରିବି , ତୁମ ଉପରେ ଆଉ ଟିକିଏ ବି ଭରସା ନାହିଁ । ଯାଅ , ପଳେଇଯାଅ ।” ରାଗରେ ଲକେଟଟାକୁ ତାଜା ଉପରକୁ ଅନ୍ୟ ବହି ପଛ ଆଡକୁ ସଜୋରେ ଫିଙ୍ଗିଦେଲି । ସେ ଲକେଟ୍ ର ରୂପରେଖ ଟିକିଏ କହିବା ଦରକାର ।
ଆଠେଣି ଆକାରର ଲକେଟରେ ଚାରିପଟେ ଅଲୁମୁନିୟମ ଅଥବା ଷ୍ଟିଲର ରିମ ଭିତରେ ଜଗନ୍ନାଥଙ୍କ କାଳିଆ ମୁଁହଟି କେବଳ । ମୁଁହ ଉପରେ ଛୋଟିଆ ପ୍ଲାଷ୍ଟିକ କାଚ ଘୋଡ଼ଣିଟିଏ । ସେ ଲକେଟଟି ପ୍ରାୟ ୩ – ୪ ବର୍ଷ ଜ୍ୟାମିତି ବାକସ ଭିତରେ ରହି ଟିକିଏ ଟିକିଏ ଘଷିଆ ହୋଇ ଆସୁଥାଏ । ହେଲେ ଠାକୁରଙ୍କ ମୁହଁଟି ସୁନ୍ଦର ଭାବେ ଦିଶୁଥାଏ I ବେଳେବେଳେ ଲାଗେ ମୋତେ ଦେଖି ଫିକ କରି ହସି ଦେଉଛନ୍ତି I ମୁଁ ଅତି ଭକ୍ତି ତା ଜାଣେନି , ତେବେ କିଛି ଗୋଟେ ତା ଭାବ ଥିଲା ଆମ ଭିତରେ I
ସ୍ୱାମୀ – ସ୍ତ୍ରୀ ଆଉ ଭକ୍ତ – ଭଗବାନଙ୍କର ରାଗରୁଷା ତ ଓଳିକିଆ । ଟିକିଏ କାନ୍ଦିଲା ପରେ ଗୋଟେ ଦୋଷୀଭାବ ଘାରିଲା । ତାପରେ ମନରେ ଆସିଲା , ନା ,,,, ଏଥର ଏ ସବୁ ଅନ୍ଧବିଶ୍ୱାସରୁ ଦୂରକୁ ହଟେଇ କଠିନ ପରିଶ୍ରମ କରିବାକୁ ପଡିବ ।
ଆଉ ବର୍ଷଟିଏ କଠିନ ପରିଶ୍ରମ କରି , ରମାଦେବୀ ମହିଳା କଲେଜରେ Physics Hhons ରେ ନାଁ ଲେଖେଇ ନନାଙ୍କ ଅନୁରୋଧକ୍ରମେ ସମସ୍ତଙ୍କୁ ବାରଣ ସତ୍ତ୍ଵେ ଉଭୟ ମେଡିକାଲ ଓ ଇଞ୍ଜିନିଅରିଂ ପ୍ରେବେଶିକା ପରୀକ୍ଷା ଦେଲି ଓ ଅତି ଉତ୍ତମ ସ୍ଥାନ ଅଳଙ୍କୃତ କଲି ଉଭୟ ତାଲିକାରେ।
ସେତେବେଳେ ଆଜିକାଲି ଯୁଗ ପରି ଷଷ୍ଠ ଶ୍ରେଣୀରୁ FIITJEE & NEET preparation ନ ଥିଲା । ମୋ ଜୀବନରେ ଲକ୍ଷ ମଧ୍ୟ ନିର୍ଦ୍ଧାରଣ କଲି ପ୍ରଥମ ବିଫଳତା ପରେ ହିଁ ଆଉ ଡାକ୍ତର ହେବାର ସଂକଳ୍ପ ନେଲି ।
ଅଧିକରୁ ଅଧିକ ଯୋଗଯୁକ୍ତ ହୋଇ ଉଠିଲି …ଯୋଗ କର୍ମସୁ କୋୖଶଲମ କାନରେ ଝଙ୍କୃତ ହେଲା I ଭାବୁଥିବେ , ରାଗିକି ଠାକୁର ପୂଜା ଛାଡ଼ିଦେଲି କି ? ନା ….. ବରଂ କର୍ମରେ ବିଶ୍ୱାସ ଓ ସମର୍ପଣ ହାତାହାତି ଚାଲିଥିଲା । ଧୀରେ ଧୀରେ ବୁଝିଲି ‘ସର୍ବାରମ୍ଭ ପରିତ୍ୟାଗୀ‘ ର ଅସଲ ଅର୍ଥ ।
ତେବେ ମନ ଭିତରେ ଗୋଟିଏ ଦୋଷୀଭାବ ଲାଗି ରହିଥିଲା । ମୁଁ କାଳିଆକୁ ଏତେ ଜୋରରେ ଫିଙ୍ଗିଦେଲି କେତେ ବାଧିଥିବ ସତେ ! କୋଉ ଛାଡି ପାରିଲି ? ଶ୍ରୀମନ୍ଦିର ଦର୍ଶନ କଲାବେଳକୁ କ୍ଷମା ମଧ୍ୟ ମାଗିଦେଲି ।
ଲାଗିଲା ଜଗନ୍ନାଥ ମୋତେ ଆହୁରି ବଡ ବଡ ଆଖିରେ ଅନେଇଛନ୍ତି । ଟିକିଏ ଲାଜ , ଟିକିଏ ଦୋଷୀଭାବ ନେଇ ଆଉ ଆଖି ନ ମିଶେଇ ମନ୍ଦିର ବାହାରକୁ ଚାଲି ଆସିଲି | ଲାଗିଲା ଠାକୁରେ କହୁଛନ୍ତି – “ଆଛା ବେଟା , ମୋତେ ଛାଡି କୁଆଡେ ଯିବୁ ?”
କିଛି ଦିନ ପରେ କ୍ୱାର୍ଟର ବଦଳେଇଲୁ | ଯେତେବେଳୁ ତାଜା ଉପରୁ ବହିସବୁ କାଢୁଥିଲୁ , କିଛି ଶବ୍ଦ କରି ସେ ପୁରୁଣା ଲକେଟଟା ଠଣ କରି ପଡିଲା | ପଇସା ପଡିଲା ଭାବି ଗୋଟେଇ ଆଣି ଦେଖିଲା ବେଳକୁ ମୋର ପୁରୁଣା ଜଗନ୍ନାଥ ଲକେଟ |
ଖୁସିଟେ ହୋଇଗଲି , ହେଲେ ସେଥିରେ ଯାହା ଦେଖିଲି ମୋ ମୁଣ୍ଡ ଘୁରେଇ ଦେଲା | ପଳ ପଳ ରକ୍ତ ଶୁଖିଗଲା ଯେମିତି | ମୁଁ ନଥକରି ବସି ପଡିଲି | ଓଲଟପାଲଟ କରି ଦେଖିଲି | ନା….. ଆଖି ମୋର ଠିକ ଦେଖୁଛି | ଲକେଟ ଯେମିତି କୁ ସେମିତି ଅକ୍ଷୁଣ୍ଣ ଅଛି | ହେଲେ ଜଗନ୍ନାଥଙ୍କର ସେ ଚିତ୍ରଟା ଆଉ ନାହିଁ | ବହୁତ ଥର ଓଲଟ ପାଲଟ କରି ଦେଖିଲି …ନା …ଆଗ ଆଡୁ କିମ୍ବା ପଛ ଆଡୁ ଖୋଲିବାର ଉପାୟ ନାହିଁ I ମସିଆ ହେଇଥିଲେ, ଅଳ୍ପ ବହୁତ ସେ ଚିତ୍ର ଦିଶୁ ତ ଥା‘ନ୍ତା I ସେ ଦିନରୁ କେହି ତାଜାରୁ କିଛି କାଢି ମଧ୍ୟ ନାହାନ୍ତି I ଭିତରଟା ପୂରା ଧଳା I
ହା .. ହନ୍ତ , ମୁଁ ଚଣ୍ଡାଳୁଣୀ କ’ଣ କଲି ? କିଏ ତ ଲକ୍ଷ୍ମୀଛଡ଼ା ହବାକୁ ଡରେ , ମୁଁ ତ ସର୍ଵହରା ହୋଇଗଲି ପ୍ରଭୁ ! ତୁମେ ମୋତେ କେମିତି ଛାଡି ଚାଲିଗଲ ? ତୁମ ବିନା ମୁଁ କିଏ ପ୍ରଭୁ ? ଧ୍ୟାନରେ ବସିଲା ବେଳକୁ ଆଖିରୁ ଅନବରତ ଲୁହ ଝରିଆସିଲା |
ତେବେ ଧୀରେ ଧୀରେ ଏ ଦୁଃଖ ଓ ଆତଙ୍କ ମନର ଏକ କୋଣକୁ ଠେଲି ହୋଇଗଲା ରୋଗୀ ଓ ଭୋଗୀ ଗହଳରେ | ଗତ ବର୍ଷର ବିଫଳତା ଯେ ଆଗକୁ ପଥ ସୁଗମ କରାଇବା ସହ ମୋ ପାଇଁ ଏକ ସୁନ୍ଦର ମେଧାବାନ୍ ଛାତ୍ରୀ ବୃତ୍ତି ରଖିଥିଲା ଓ ବୁର୍ଲା ମେଡିକାଲ କଲେଜର ଉତ୍କୃଷ୍ଟ ତାଲିମ ଓ “ଗୀତାଭବନ”ର ବରଦାନ ମୋ ଭାଗ୍ୟରେ ଲେଖାଥିଲା, ତା’ ଧୀରେ ଧୀରେ ଅନୁଭବି ଚାଲିଲି | ସବୁ ଭାଗ୍ୟ ଭୋଗିବା ପରେ ବି ମନରେ ଡର ଥାଏ ଠାକୁର ମୋତେ ଛାଡିଯାଇଛନ୍ତି | କେଜାଣି କଣ ଅଛି ? କହିବା ବାହୁଲ୍ୟ ଶରୀର , ମନ କର୍ମଭୂମିରେ ଥାଏ ହେଲେ ସମଗ୍ର ଅନ୍ତଃକରଣ ସେହି କଳାଠାକୁର ପାଖେ |
ଘରସଂସାର କରି ଅନେକ ଘଟଣାକ୍ରମ ଘଟି ଚାଲିଥାଏ | ଏ ମଧ୍ୟରେ ଠାକୁରେ ଗୁରୁକୃପା ମଧ୍ୟ ଢ଼ାଳିଦେଲେ ମୋ ଉପରେ |
ଥରେ ଦୁଇ ପରିବାର ଭିତରେ ଏକ ଛୋଟିଆ ସାମାଜିକ ଭୋଜିରେ ଯୋଗ ଦେଇଥାଏ ଏକ ହୋଟେଲ୍ ରେ | ସେଥିରେ ଆଉ ଜଣେ ବୟସ୍କ ଡାକ୍ତର ବି ସାମିଲ ଥା‘ନ୍ତି | ବିଦାୟ ବେଳେ ସେ ମୋତେ ଛୋଟିଆ ଡବାଟିଏ ଉପହାରରେ ଦେଲେ | କହିଲେ , “ଏ ମୋର ଅଭ୍ୟାସ “|
ଖୋଲି ଦେଖିଲି , ଅବିକଳ ସେ ଜଗନ୍ନାଥ ଲକେଟ | ଏଥିରେ ଖାଲି ଯାହା କାଚ ଘୋଡଣି ନଥିଲା | ମୋ ମନୋଦଶା ଅବର୍ଣ୍ଣନୀୟ ଥିଲା | ଏତେ ଦିନ ଧରି ଠାକୁରେ ମୋ ହୃଦୟ ଲକେଟରେ ବାନ୍ଧିହୋଇ ରହିଥିଲେ | ମୋତେ ଆତ୍ମପ୍ରତୟ ଦେବାପାଇଁ ବୋଧହୁଏ ଏ ଭଳି ଖେଳଟିଏ ରଚନା କଲେ | ସାକ୍ଷୀଗୋପାଳ କାହାଣୀ ମନେ ପଡିଯାଉଥାଏ | କାଳେ ପଛକୁ ବୁଲି ପଡି ଅଟକି ଯିବି ସେଥିପାଇଁ ମୋ ଆଗରେ ଆସି ଠିଆ ହୋଇଗଲେ | ଯେମିତି କହୁଛନ୍ତି , “ଚରୈବେତି ଚରୈବେତି , | ମୁଁ ସବୁବେଳେ ଅଛି ତୋ ସାଙ୍ଗରେ | ଏମିତି ଟିକିଏ ଲୁଚକାଳି ଖେଳୁଥିଲି ନା !”
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି