ଡଃ ଵିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି
ଯଦି ଏ ଶୀର୍ଷକ ଦେଖି ଭାବୁଥିବେ ଯେ , ମୁଁ କୌଣସି ଆଧ୍ୟାତ୍ମିକ ଚର୍ଚ୍ଚା କରିବାକୁ ଯାଉଛି, ତେବେ ନିରାଶ ହୋଇ ପାରନ୍ତି | ଆପଣ ଯଦି ମୋତେ ତତ୍ତ୍ୱଦର୍ଶୀ ଭାବୁଥାନ୍ତି, ତେବେ କ୍ଷମା କରିବେ | ମୁଁ ଦ୍ୱୈତବାଦ– ଅଦ୍ୱୈତବାଦ ଉପରେ ତର୍କ କଲା ପରି ଏ ଯାଏଁ ଜ୍ଞାନାର୍ଜନ କରିନାହିଁ |
ମୁଁ ନିହାତି ମାମୁଲି ସ୍ତ୍ରୀ ଲୋକଟିଏ— ଯିଏ ଦିନ ଭିତରେ ସ୍ତ୍ରୀ , ମା’ , ସଖୀ, ଭଉଣୀ , ବୋହୂ , ଝିଅ , ଶିକ୍ଷୟତ୍ରୀ , ଡାକ୍ତରାଣୀ ଇତ୍ୟାଦି ଅନେକ ରୂପରେ ନିଜକୁ ସଜେଇ ଦିନ ପରେ ଦିନ , ବର୍ଷ ପରେ ବର୍ଷ ଗଡେଇ ଚାଲିଛି |
ମୂଳରୁ ଗୋଟିଏ କଥା କହି ରଖିବି | ମୁଁ ପ୍ରଚଣ୍ଡ ଭଗବତ ବିଶ୍ୱାସୀ | ମୁଁ ଭଗବାନଙ୍କୁ ପ୍ରାଣଭରି ଭଲପାଏ, ଭୟ କରେନି | ସେ ମୋର ସଖା, ଗୁରୁ , ମୋର ନିବିଡ଼ତମ | ତର୍କ ଜ୍ଞାନୀମାନେ ଯଦି ମୋ ସାଙ୍ଗେ ଯୁକ୍ତିତର୍କ କରିବାକୁ ଇଚ୍ଛା କରୁଥିବେ , ମୁଁ ସେ ତର୍କରୁ ବହୁ ଦୂରରେ ଆଜ୍ଞା !
ମୋ ପିଲାଦିନକୁ ଟିକେ ନେବି ଆଜ୍ଞା | ବୋଉ ଆମକୁ ପିଲାଦିନୁ ପ୍ରାୟତଃ ସବୁ ପ୍ରକାର ବିଦ୍ୟାକୁ ଉନ୍ମୁଖ କରାଇ ଦେଇଥିଲେ | ସେଇଥିରୁ ପୂଜାବିଧିର କର୍ମକାଣ୍ଡ ଗୋଟିଏ | ତେବେ ପଢାପଢିର ଚାପରେ ଯଦି ଆମେ ପୂଜାବିଧିରେ କେବେ କେମିତି ସାହାଯ୍ୟ ନ କରିପାରୁ , ତେବେ ସେ କାମଟା ନନାଙ୍କ ଉପରେ ପଡେ | ତେବେ ନନା ଶୁଦ୍ଧ ମନ୍ତ୍ରୋଚ୍ଚାରଣରେ ଦକ୍ଷ , ବିଧିବଦ୍ଧ କର୍ମକାଣ୍ଡ ମଧ୍ୟ ଜାଣନ୍ତି —ହେଲେ ପୂଜା ଉପଚାର ପାଇଁ ବୋଉଙ୍କ ଉପସ୍ଥିତି ନିହାତି ଲୋଡ଼ା | ତେଣୁ ଯେଉଁ ଦିନମାନଙ୍କରେ ବୋଉ ରୋଷେଇଘରୁ ଥାଇ କଡେଇ ଟୁଣ ଟାଣ ଭିତରେ ନନାଙ୍କୁ ବତାଉଥିବେ ଚନ୍ଦନ, କର୍ପୂର ଆଦି କେଉଁଠି ଅଛି , କେଉଁ ଠାକୁର ଠାକୁରାଣୀଙ୍କୁ କେଉଁ ଫୁଲ ଦିଆ ହେବ …. ନନାଙ୍କ ରାଗ ଦେଖେ କିଏ ?
ମନ୍ତ୍ରୋଚ୍ଚାରଣ ମଝିରେ ବୋଉଙ୍କ ପ୍ରତି କଟୂଶବ୍ଦ ନିକ୍ଷେପ ହେଉଥିବ | ହଇହୋ ଠାକୁରଙ୍କ ସଂଖ୍ୟା କଣ ବଢ଼ାଇ ଚାଲିଛ , ଦୁର୍ଗା ତ ରହିଲେ, ସେଥିରେ ସମଲେଶ୍ଵରୀ , ତାରିଣୀ , କଟକଚଣ୍ଡୀ ପୁଣି କଣ ?
ବୋଉ ତର୍କର ଉତ୍ତର ନ ଦେଇ ସେସବୁକୁ ଫୁତ୍କାରରେ ଉଡେଇ ଦେଇ ପୁଜାବିଧିରେ ଟିକେ ଡ଼ିସକାଉଣ୍ଟ (ଛାଡ଼)ଦେଇ ଦିଅନ୍ତି | କୁହନ୍ତି ହଉ ହଉ, ଠାକୁରଙ୍କୁ ଗୋଟି ଗୋଟି କରି ନ ପୋଛି, ଆଜି ପାଣି ଛିଞ୍ଚି ଦିଅ | କଳସ ପାଣିଟା ମୁଁ କାଲି ଆଡକୁ ବଦଳାଇବି |
ନନା ଗୁରୁ ଗୁରୁ ହୋଇ ପୂଜା ସାରି ମନ୍ତ୍ରସବୁ ପୁଣି ଆମୂଳଚୂଳ ବୋଲି ବୋଲି ଜଳଖିଆ ଖାଇ କଲେଜ ବାହାରିଯା‘ନ୍ତି | ଉଭୟେ ଜାଣନ୍ତି ଏ ଯୁକ୍ତିତର୍କର ଅନ୍ତ ନାହିଁ | ବାସ୍ ଏମିତି ଚାଲିବ |
ବାହାହୋଇ ନିଜ ଅବଚେତନ ମନରେ ଏହି ସବୁ ପୂଜାବିଧିର ସଂସ୍କାର ଗଂଠେଇ ଯେତେବେଳେ ନିଜ ପରିବାର ଗଢ଼ିଲୁ , ଆଗ ଠାକୁର ପୂଜା ତ ନିଧାର୍ଯ୍ୟ | ତେବେ ମୁଁ ୨– ୩ ଟି ଫଟୋରୁ ମୋ ପୂଜାଘର ଆରମ୍ଭ କରିଥିଲି | ବଡ ଆଶ୍ଚର୍ଯ୍ୟଜନକ ଭାବେ ପୂଜାବିଧିରେ ବିରାଗୀ ମୋ ସ୍ୱାମୀ କିନ୍ତୁ ଠାକୁର ଠାକୁରାଣୀଙ୍କ ଜନସଂଖ୍ୟା ( ଓଃ ସେମାନେ ଜନ ଯେ ନୁହନ୍ତି! ) ବଢ଼େଇ ଚାଲିଲେ | ତେବେ ଆମ ପରିବାର କଥା ଅଲଗା | ଫୁଲତୋଳାରୁ ଆରମ୍ଭ କରି ଠାକୁରଙ୍କ ଗାଧୁଆ , ବେଶ ପରିପାଟୀ, ପ୍ରସାଦ , ମନ୍ତ୍ରପାଠ , କର୍ମକାଣ୍ଡ ମୋ ଭାଗରେ ପଡିଲା | ତା’ ଉପରକୁ ପରିବାର , ରୋଷେଇର ଦାୟିତ୍ୱ ଓ ନିଜ ଚାକିରୀ ଭାର |
ସକାଳଟା ବଡ ଆକ୍ତା ମାକ୍ତା ଲାଗିଲା ଧୀରେ ଧୀରେ| ମନ୍ତ୍ରୋଚ୍ଚାରଣ ସବୁକୁ ନିତ୍ୟକର୍ମ ସାଙ୍ଗେ ଫେଣ୍ଟି ଦେଲି | ମନ୍ତ୍ରର ତାଳେ ତାଳେ ନିତ୍ୟକର୍ମ , ଜଳଖିଆ ଉପଚାର ଆଦି ବି ଚାଲିଥିବ | ସ୍କୁଲ ବ୍ୟାଗ ସଜଡାରୁ ଆରମ୍ଭ କରି ଜୋତା ପିନ୍ଧେଇ, ବସରେ ଛୁଆଙ୍କୁ ଲଦିଦେଇ ମହାମୃତ୍ୟୁଞ୍ଜୟ ମନ୍ତ୍ରଟିଏ ମନେ ମନେ ବୋଲି ମାନସ ନମସ୍କାର ହୋଇ ପୂଜା କରିବାକୁ ବାହାରେ |
ଆମ ପିଲାବେଳେ ଦେଖିଛୁ , ଆମ ଘୁମନ୍ତ ଛୋଟିଆ ସହରରେ ସବୁ ସକାଳ, ସବୁ ସନ୍ଧ୍ୟା ପ୍ରାୟତଃ ଏକା ପରି କାହାଣୀ ଧରି ଆସିଥାଏ ଆମ ପାଇଁ | ଆମେ ସେ ଜୀବନରେ ବେଶ ଅଭ୍ୟସ୍ତ ଥିଲୁ | ହେଲେ ଆଜି ନିଜେ ଘର ସଂସାର କଲା ବେଳକୁ ପ୍ରତିଦିନ, ଜୀବନ ନୂଆ କାହାଣୀ ଧରି ଆସେ | ଯଦି ଭାବୁଥିବ ଆଜି ଦିନଟା ଆରାମରେ ଯିବ , ସେଇ ଦିନ ହିଁ ଅଧିକ ରୁ ଅଧିକ କାମ | ମନେ ପଡେ ପିଲାଦିନେ ଶୁଣିଥିବା ବୁଢ଼ୀ ଅସୁରୁଣୀ କଥା – ରାଜକୁମାରୀଙ୍କୁ ଯଦି କହିଥିବ ୭ ଦିନ ପରେ ଆସିବ , ସେଇ ଦିନ ହିଁ ସେ ସନ୍ଧ୍ୟାରେ ଫେରି ଆସିବ ଆଉ ଯଦି ସନ୍ଧ୍ୟାରେ ଫେରିବ ବୋଲି କହିଥିବ , ସେଥର ୭ ଦିନ ପରେ ଫେରିବ |
ଏବେ ଏତେ ଠାକୁର ଠାକୁରାଣୀଙ୍କୁ ସମ୍ଭାଳିବି କେମିତି ? ନିଜେ ଗାଧୋଇଲି ପାଧୋଇଲି, ବେଶ ପରିପାଟୀ ହେଲି…ଅଥଚ ଠାକୁରଙ୍କୁ କ’ଣ ପାଣି, ଚନ୍ଦନ ଛିଞ୍ଚାରେ କାମ ଚଳେଇ ଦେବି ? ନା…ଏଥର ହାତ “ଉତ୍କଳ ଏକ୍ସପ୍ରେସ” ରୁ “ରାଜଧାନୀ ଏକ୍ସପ୍ରେସ” ଗତିକୁ ଉନ୍ନୀତ ହେଲା |
ଆହାଃ ! ମୋତେ ଭୋକ ଲାଗୁଛି | ଠାକୁରଙ୍କୁ ବି ତ ଲାଗିବଣି ! “ହଉ ଠାକୁରେ, ତୁମକୁ କଦଳୀଟେ ଭୋଗ ଲଗେଇ ଦେଉଛି | ତୁମେ ତ ସୁକ୍ଷ୍ମ ଅଂଶରେ ଗ୍ରହଣ କରିବ | ଦେଖ, କହି ଦେଉଛି, ଚିମୁଟିକି ଯେଉଁ ଚଣ୍ଡ ବଢ଼ାଯାଏ ଆଉ ପରେ ପ୍ରସାଦ ବଣ୍ଟାଯାଏ ମୋତେ ଭାରି ଅସନା ଲାଗେ | ତୁମେ ତୁମ ଉପଦେବତା ଉପଦେବତୀଙ୍କ ଭିତରେ ବି ଟିକେ ଟିକେ ବାଣ୍ଟିଦେବ | ମୁଁ ଆସୁଛି, ଶୀଘ୍ର ଖାଅ | ସେମିତି ଗୋଟାପଣେ ଭୋଗ ଉଠେଇକି ନେବି |”
ଭଗବାନ ବି ମୋ ଗତି ସହ ତାଳଦେଇ ଖାଇ ଦେଉଥିବେ ପରା ! ନହେଲେ ଯଦି ଅଳସେଇଲେ , ତଡ଼ିତ ବେଗରେ ତାଙ୍କ ସମ୍ମୁଖରୁ ପ୍ରସାଦ ଥାଳି ଯେ ଉଠିଯିବ !
ଯଦି ମା’ କି ଶାଶୁ ଆସି କେହି ମୋ ଠାକୁରଙ୍କ ଆସ୍ଥାନ ଏପଟ ସେପଟ କଲେ, ମୁଁ ବଡ ଅଶ୍ୱସ୍ତିକର ମନେକରେ | ଠାକୁରମାନେ ସବୁ ନିଜ ସମ୍ପର୍କୀୟଙ୍କ ଅନୁସାରେ ସଜା ହୋଇଥା‘ନ୍ତି | ଅଗ୍ରପୂଜ୍ୟ ଗଣେଶ | ହଉ, ପୁଅକୁ ତ ମିଳିଛି ସୌଭାଗ୍ୟ, ହେଲେ ଶିବ, ପାର୍ବତୀ ଯାହାହେଲେ ବି ବାପା ମା’ ନା | ତାଙ୍କୁ ଦ୍ୱିତୀୟରେ, ତାଙ୍କୁ ଲଗେଇକି ଦୁର୍ଗାମାଧବଙ୍କ ଫଟୋ , ବାହାଘର ବେଦିରେ ପୂଜା ହୋଇଥିଲେ, ସେଇଦିନଠୁ ଆମ ସାଙ୍ଗରେ ଅଛନ୍ତି |
ଯଦି କେବେ ଲାଲ ମନ୍ଦାର ଫୁଲ ଅଭାବ ପଡିଲା , ତେବେ ପାର୍ବତୀ ଆଉ ଦୁର୍ଗାଙ୍କୁ ମିଶେଇକି ଗୋଟିଏ ଫୁଲରେ ସନ୍ତୁଷ୍ଟ କରିବାକୁ ପଡେ | ବୁଝେଇ ଦିଏ – “ଟିକିଏ ଚଳେଇ ଦିଅ ମା’ ମାନେ ଆଜି” |
ତା’ ପାଖକୁ ଆସିଲେ ତ୍ରିନାଥ | ଫୁଲ ଅଭାବ ପଡନ୍ତେ ଗୋଟିଏ ଫୁଲ – ଆଉ ଯଦି କେବେ ଅଧିକ ମିଳିଗଲା ମନ ପସନ୍ଦର ଫୁଲ ଯେଝା ଯେଝାଙ୍କୁ |
ମଝିରେ ଆଣି ବସେଇଦେଲୁ ଜଗନ୍ନାଥ , ବଳଭଦ୍ର ଓ ସୁଭଦ୍ରାଙ୍କୁ | ଏ ମୂର୍ତ୍ତି ଦେଖିଦେଲେ, ମନ ପବନ କଠଉରେ ଏକ ଝଟକାରେ ଯାଇ ପୁରୀ ଶ୍ରୀମନ୍ଦିର ଦ୍ୱାର ମୁହଁରେ ଠିଆ ହୋଇଯାଉ | ଚାକିରୀ ସଂକ୍ରାନ୍ତରେ ସୁଦୂର ପଦୁଚେରୀରେ ରହିଥିବା ବେଳେ ଏ ମୂର୍ତ୍ତି ଯେମିତି ଓଡିଶା ସହ ଆମର ଏକମାତ୍ର ଡୋର | ଆଖିକୁ ଲୁହ ଟିକିଏ ବେଳେ ବେଳେ ଜକେଇ ଆସେ | କେ’ ଜାଣେ କେବେ ପୁଣି ଡୋର ଲାଗିବ , କାଳିଆ ଆମକୁ ଡାକିବ |
ଆହାଃ! ବିଚାରୀ ଲକ୍ଷ୍ମୀ ! ହଉ ମା’ ତୁମେ ଜଗନ୍ନାଥଙ୍କ ବାଁ ପଟେ ବସ |
ଧୀରେ ଧୀରେ କୃଷ୍ଣଙ୍କ ବାଳଗୋପାଳ ଫୋଟୋଟିଏ , ରାଧା କୃଷ୍ଣ ମୂର୍ତ୍ତିଟିଏ ଓ ପୁତ୍ର ସନ୍ତାନ ହେଉ ବୋଲି ସଦିଛାରେ ନଣନ୍ଦ ଦେଇଥିବା ଗୁରୁଣ୍ଡୁ ଗୋପାଳ , ତାମିଲନାଡୁରେ ରହି ଶନିଶ୍ୱର, ଆୟାପ୍ପା ଠାକୁର , ତିରୁପତି ବୁଲିବାକୁ ଯାଇ ତିରୁପତି ….ଏମିତି ଏମିତି ଚାହୁଁ ଚାହୁଁ ଦୁଇ ଥାକ ଠାକୁର ଠାକୁରାଣୀ ବିରାଜମାନ ହେଲେ |
ଶଶୁରଙ୍କ ଵିୟୋଗାନ୍ତେ ତାଙ୍କ ଫୋଟୋରେ ଫୁଲମାଳ ଦେଇ ପାଖ କାନ୍ଥରେ ଟଙ୍ଗାଗଲା | କ୍ରିୟାଯୋଗରେ ଦୀକ୍ଷିତ ହେବା ପରେ ଅତି ଶ୍ରଦ୍ଧାରେ ପ୍ରାତଃନମସ୍ୟ ଗୁରୁଦେବମାନଙ୍କର ( ଅଷ୍ଟଗୁରୁ ସମ୍ବଳିତ ଫଟୋ ) ଫଟୋଟିଏ ବି ଟାଙ୍ଗିଦେଲି |
ଯେଉଁ ଠାକୁର ଠାକୁରାଣୀମାନଙ୍କର ଫଟୋ ଥିଲା , ସେମାନଙ୍କ ମୂର୍ତ୍ତି ମଧ୍ୟ ମିଶିଗଲା | ଆମ ପାର୍ଥିବ ପରିବାର ମଧ୍ୟ ଦୁଇରୁ ତିନି ଓ ତିନିରୁ ଚାରି ହେଲା ଓ ସନ୍ତାନମାନଙ୍କ ଦାୟିତ୍ୱ ନେବା ପାଇଁ ଅନ୍ତତଃ ପକ୍ଷେ ଆଉ ଦୁଇ ଜଣ ସଦସ୍ୟ ଘରେ ବଢିଲେ |
ଭଗବାନ ତ ସବୁଠୁ ଉପରେ | ସେ ମଣିଷକୁ ଗଢିଲେ , ଆଉ ଭଗବାନଙ୍କୁ କିଏ ଗଢିଲା ? ସିଧା କଥା – ମଣିଷ ଗଢିଲା |
ଭିନ୍ନ ଭିନ୍ନ ରୂପରେ ଠାକୁରଙ୍କୁ ପୁଜିବାର ସ୍ୱାଧୀନତା କେବଳ ହିନ୍ଦୁ ଧର୍ମରେ ଅଛି | କିଏ ଭଗବାନଙ୍କୁ ନିଜ ଛୁଆ ଭାବିଲାଣି , କିଏ ମା’ , କିଏ ବାପା , କିଏ ସଖା , କିଏ ପ୍ରେମିକ…. ଯିଏ ଯେତେ ରୂପରେ ପାରିଲା, ପୂଜିଲା | ଅନ୍ୟ ଧର୍ମରେ ଯେ ଐକେଶ୍ୱରବାଦ ଅଛି , ତା’ ନୁହେଁ | କ୍ରୁଶବିଦ୍ଧ ଯୀଶୁଙ୍କୁ ଯିଏ ସହି ନ ପାରିଲା, ମାତା ମେରୀଙ୍କ କୋଳର ଯୀଶୁଙ୍କୁ ସେ ପୂଜିଲା | ଆଉ କିଛି ନ ହେଲେ କିଛି ଚିହ୍ନ | କହିବା ବାହୁଲ୍ୟ , ଈଶ୍ୱର ଅରୂପ ସିନା, ହେଲେ କେତେଜଣ ମଣିଷଙ୍କର ସେ କ୍ଷମତା ଅଛି ଅରୂପକୁ ଅନୁଭବ କରିବାକୁ ? ହେଲେ ମଣିଷ ପଥକୁ ନିଜ ଲକ୍ଷ୍ୟ ବୋଲି ଭାବି ନିଜ ମୂଳ ଲକ୍ଷ୍ୟରୁ ବିଚ୍ୟୁତ ହୋଇଯାଏ |
ଚେତନାକୁ ଏକାଗ୍ର କରିବାକୁ ହୁଏତ ପ୍ରଥମେ ଏକ ମାଧ୍ୟମର ଆବଶ୍ୟକତା ହୋଇଥାଏ | କାନ୍ଥରେ ଏକ ବିନ୍ଦୁ ହେଉ ଅବା ଏକ ଦୀପ ଶିଖା….. ସେଥିରୁ ଆରମ୍ଭ ହୋଇ ଶେଷରେ ମୂର୍ତ୍ତିପୂଜା, ସମାଧି ପୂଜା ଆରମ୍ଭ ହେଲା |
ତେବେ ଅତିଶୟ ଭକ୍ତିଭାବନା ଯୋଗୁଁ ହେଉ କିମ୍ବା ଅବିଦ୍ୟାର ବଶବର୍ତ୍ତୀ ହୋଇ ସକଳ ପୂଜାରେ ମାତିବା ଯୋଗୁଁ ହେଉ କିମ୍ବା ଅଶିକ୍ଷା ଜନିତ ଅହେତୁକ ଭୟ ହେଉ, ଆମେ ମୂଳଲକ୍ଷରୁ ହଟିଯାଇ ପୂଜାବିଧି , ନାନାଦି ଉପଚାର ତଥା ନାନାବିଧ ପ୍ରସାଦ ରାନ୍ଧି ବଢ଼ିବାରେ ବେଶୀ ମନୋନିବେଶ କଲୁ |
ଭଦ୍ରଜନେ! ଏଠି କହି ରଖିବି ଏ ଉପଚାରାଦି ଓ ପ୍ରସାଦ ସେବନ ମଧ୍ୟ ମୁନିଋଷିଙ୍କ ଉପଦେଶାନୁଯାୟୀ ବୈଜ୍ଞାନିକ ତଥ୍ୟ ଭିତ୍ତିରେ ଋତୁ ଅନୁଯାୟୀ , ଆବଶ୍ୟକତା ଅନୁସାରେ ହିଁ ଆରମ୍ଭ ହୋଇଥିଲା | ହେଲେ ଲୋକେ ଅଶିକ୍ଷାର ବଶବର୍ତ୍ତୀ ହୋଇ ମୂଳତଥ୍ୟର ଉଦ୍ଦେଶ୍ୟରୁ ଦୂରେଇଯାଇ ନିଜର ସ୍ୱାର୍ଥ ନିମନ୍ତେ ଅଥବା ଜିହ୍ୱା ଲାଳିସା ପୂର୍ତ୍ତି ଉପଲକ୍ଷେ ନିଜ ନିଜ ସୁବିଧାନୁଯାୟୀ ଏହାକୁ ଅପଭ୍ରଂଶ କରି ଚାଲିଲେ |
କିଏ ପଶୁବଳି ଚଢ଼େଇଲା ମାଙ୍କ ନାଁ ରେ , ତା କିଏ ମଣ୍ଡା ଗଢେଇଲା …କେତେବେଳେ ବ୍ୟଞ୍ଜନର ଆବଶ୍ୟକତା ଅନୁଯାୟୀ ପ୍ରସାଦ …ଏଇ ଯେମିତି ଚୁଡା ଚକଟା ପାଇଁ ମୁଁ କଦଳୀ ଭୋଗ ଲଗେଇ ଦିଏ …କେହି ନାତି ନାତୁଣୀ ପାଇଁ ଚିନି ଖଣ୍ଡ ସବୁ !
ମହାଭାରତ ଯୁଗ ଯାଏଁ ବୋଧହୁଏ ଆମେ କୌଣସି ମନ୍ଦିରର ବର୍ଣ୍ଣନା ପଢି ନାହୁଁ I ତେବେ ଈଶ୍ବରଙ୍କ ଅସ୍ତିତ୍ତ୍ୱ ବିଷୟରେ କଣ କେହି ଅବଗତ ନ ଥିଲେ ? ସେତେବେଳେ ହୁଏତ ଶରୀର ମଧ୍ୟରେ ହିଁ ଈଶ୍ୱରଙ୍କୁ ଖୋଜିବାରେ ସମସ୍ତେ ଅଭ୍ୟସ୍ତ ଥିଲେ I ପତଞ୍ଜଳି ଯୋଗସୂତ୍ର ଅନୁଯାୟୀ ନିଜ ଜୀବନକୁ ଦିଗ–ଦର୍ଶନ ଦେଉଥିଲେ I ମାନବ ଶରୀର ହିଁ ସେମାନଙ୍କ ପାଇଁ ପ୍ରକୃଷ୍ଟ ମନ୍ଦିର ଥିଲା ଓ ସ୍ୱାସ୍ଥ୍ୟରକ୍ଷା ଥିଲା ଈଶ୍ୱର ପୂଜନ I
ଆଜିର ଏ ପରିବର୍ତ୍ତିତ ଯୁଗରେ ଯେଉଁଠି ନାରୀମାନେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରି ରୋଷେଇଘରୁ ପାଦ କାଢି ବାହାର ଦୁନିଆରେ ଥାପିଲେ , ସେଠି ଏ ଅପଭ୍ରଂଶିତ ପୂଜା ଉପଚାର ବିଧି ବୋଝ ପରି ମନେ ହେଲା |
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
କହିଚି ତ ତତ୍ଵଚର୍ଚ୍ଚାରେ ମୁଁ ପଶିବିନି | ନନାଙ୍କ କଥା ମନେ ପଡିଲା | ଦିନେ ହଠାତ ମନେ ହେଲା , ନା , ଏଥର ଏତେ ଈଶ୍ୱରଙ୍କ ସଂଖ୍ୟା ଯୋଗୁଁ ଯେହେତୁ ମନ ମୂଳ ଲକ୍ଷରୁ ବିଚ୍ୟୁତ ହୋଇଛି , ପୁନରପି ଏହାକୁ ରାସ୍ତାକୁ ଆଣିବାକୁ ହେବ | ରାଧାକୃଷ୍ଣ , ବାଳକୃଷ୍ଣ , ଗୁରୁଣ୍ଡୁ ଗୋପାଳ ସମସ୍ତଙ୍କୁ ଏକତ୍ରିତ କଲି | କହିଲି ଗୋଟିଏ ଜାଗାରେ ବସ ଠାକୁରମାନେ | ପଚାରିଲି , ” କୃଷ୍ଣ ଙ୍କ ହୃଦୟରେ ତ ରାଧା , ତେଣୁ କୃଷ୍ଣଙ୍କୁ ଖାଲି ବସେଇଲେ ଚଳିବ ତ !” କୃଷ୍ଣ ଏକ ମୁଚୁକୁନ୍ଦି ହସରେ ମୋ ଆଡକୁ ବାସ୍ ଅନେଇ ରହିଲେ |
ସବୁ ଠାକୁରାଣୀମାନଙ୍କୁ ଏକତ୍ରିତ କଲି | “ମା’, ତୁମର ଏ ଦଶଭୁଜା ମୂର୍ତ୍ତିଟିର ରୂପ ହିଁ ମୋତେ ଭଲ ଲାଗୁଛି |” ଅନ୍ୟ ଠାକୁରାଣୀମାନେ ନୀରବରେ ସମ୍ମତି ଜଣାଇ ଧୀରେ ଅପସରି ଗଲେ |
ପୁଣି କିଛି ଦିନ ପରେ ଲାଗିଲା , କୃଷ୍ଣ ଯିଏ ଜଗନ୍ନାଥ ତ ସିଏ | ଜଗନ୍ନାଥଙ୍କ ହୃଦୟରେ ତ ଲକ୍ଷ୍ମୀ | ତେବେ ଏ ଗୋଟିଏ ମୂର୍ତ୍ତି ହିଁ ଯଥେଷ୍ଟ |
କାର୍ଯ୍ୟଭାର ମାତ୍ରାଧିକ ବଢ଼ିଲା ପରେ ଅନୁମାନ କଲି ଯେ ମୋର ଚୈତ୍ୟ କେବଳ ଯାନ୍ତ୍ରିକ ଭାବେ ଚନ୍ଦନ ସିନ୍ଦୁର ଦେବଦେବୀଙ୍କ ମୁଣ୍ଡରେ ବୁଲି ଆସୁଛି | ହେଲେ ମୁଁ ଦେଖୁଛି ଓ ଅନୁଭବ କରୁଛି କେବଳ ଏକ ଉଜ୍ଜଳ ସତ୍ତା |
ସତେ ତ ! ବ୍ରହ୍ମା, ଵିଷ୍ଣୁ , ମହେଶ୍ୱରଙ୍କ ସମସ୍ତ ଶକ୍ତି ଓ ଆୟୁଧ ନେଇ ମା’ ଦୁର୍ଗା ତ ଆବିର୍ଭୁତ | ତେବେ ପୁରୁଷ ଓ ପ୍ରକୃତି ତ ଏକାତ୍ମ ହେଲେ ନା ! ଧୀରେ ଧୀରେ ସେଇ ଉଜ୍ଜଳ ସତ୍ତା ମନମାନସକୁ ଆବୋରି ବସିଲା | ବ୍ରହ୍ମରନ୍ଧ୍ର ଦେଇ ସେ ମୋ ସମଗ୍ର ଚୈତ୍ୟ ସତ୍ତା ଓ ଅବଚେତନ ମନକୁ ଅବତରି ଆସିଲା |
ବ୍ରହ୍ମାଣ୍ଡର ଉତ୍ସ—“ପ୍ରଣବ” ଧ୍ୱନିର ଗୁଞ୍ଜରଣ ଚତୁର୍ପାର୍ଶ୍ୱରେ |ସେ ଧ୍ୱନି ଅନ୍ତରର ଗୁହ୍ୟତମ ପ୍ରଦେଶରେ ଖେଳି ଚାଲିଲା | ଓଁ ….ହୁମ ….ଆମେନ
ଅନ୍ତରରୁ ସ୍ୱର ଆସିଲା , “ପ୍ରଭୁ ! ମୁଁ ଅକିଞ୍ଚନ ନିଜକୁ ତୁମ ଆଗରେ ପ୍ରସାଦ ଭାବେ ବାଢି ଦେଉଛି | ଆସ ପ୍ରଭୁ , ମୋ ହୃଦୟ ଆସ୍ଥାନରେ ବିରାଜମାନ ହୁଅ | ମୋର ପ୍ରତ୍ୟେକ ପ୍ରଶ୍ୱାସ ତୁମ ଆଗରେ ଧୂପ | ପ୍ରତିଦିନ ମୋହରି ଶରୀର ଅନ୍ନ ବ୍ୟଞ୍ଜନ ଗ୍ରହଣ କରିବ ତୁମକୁ ପ୍ରସାଦ ଲଗାଇବା ପାଇଁ | କ୍ଷଣିଏ ମୁହୂର୍ତ୍ତେ ମଧ୍ୟ ତୁମଠାରୁ ଅଲଗା ହେବାକୁ ଚାହୁଁ ନାହିଁ | ଆସ, ମୋ ହାତ ଧରି ଚଲାଇ ନିଅ | ମୋ ପାଦରେ ପାଦ ମିଶାଇ ମୋ ଚରମ ଲକ୍ଷ ସ୍ଥଳରେ ପହଞ୍ଚାଇ ନିଅ | ମୁଁ ତୁମର ଉପକରଣଟିଏ ମାତ୍ର | ଏ ଶରୀର , ଏ ଜନ୍ମ ତୁମରି କାର୍ଯ୍ୟରେ ହିଁ ବ୍ୟବହୃତ ହେଉ |”
ସବୁ ଠାକୁର ଠାକୁରାଣୀଙ୍କ ରୂପ ଅପସରି ଯାଇ କେବଳ ଏକ ଉଜ୍ଜଳ ଜ୍ୟୋତିପିଣ୍ଡରେ ପରିବର୍ତ୍ତିତ ହୋଇ ଯାଉଥାନ୍ତି ଧୀରେ ଧୀରେ | ହଁ , ମୋ ଈଶ୍ୱରଙ୍କ ସଂଖ୍ୟା ‘ଏକ‘ |
ଭଦ୍ରଜନେ ! ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନଟିଏ ଗୁଡେଇ ତୁଡେଇ ହେବଣି I ଏତକ ସବୁ ଉପଲବ୍ଧି କଲା ପରେ ମୋ ଠାକୁରମାନଙ୍କୁ କେଉଁଠି ବିସର୍ଜନ କରି ଦେଇନି ତ ? ମନ୍ଦିର ଯିବା ଛାଡି ଦେଇଛି କି ?
ନା …ସେମିତି କିଛି କରିନି …କାରଣ ଏ ପରିବର୍ତ୍ତନ ଏକ ମହା କାଳଖଣ୍ଡର I ରାତାରାତି କିଛି ସମ୍ଭବ ନୁହେଁ I ମୋ ପରିବାରର ଅନ୍ୟମାନଙ୍କ ପାଇଁ ଏବେବି ପୂଜା ଆସ୍ଥାନ, ଈଶ୍ୱର ଉପାସନାର ଏକ ମାଧ୍ୟମ I ଅନେକ ବୈଜ୍ଞାନିକ ତଥ୍ୟ ସମ୍ବଳିତ ଉପଚାର ବି ମୋ ଛୁଆଙ୍କୁ ଶିଖାଏ …ଯଥା ସମ୍ଭବ ପ୍ରତ୍ୟେକ ଉପଚାରର ତଥ୍ୟ ସେମାନଙ୍କୁ ଦିଏ I ଆଉ ଥରକୁ ରହିଲା ଏ ସବୁ କଥା …….