

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର, ବାୟୋକେମିଷ୍ଟ୍ରି
କିଛି ଦିନ ହେଲା ସରକାରୀ କାର୍ଯ୍ୟରେ—କେବେ ବାହ୍ୟ ପରୀକ୍ଷକ ଭାବେ, ତ କେବେ ଲାବୋରେଟୋରୀ ଆସେସର ଭାବେ—ବିଭିନ୍ନ ସହରକୁ ଯିବାକୁ ପଡ଼ୁଛି। ସ୍ୱାଭାବିକ ଭାବେ ବିଭିନ୍ନ ହୋଟେଲରେ ରହିବାକୁ ହୁଏ। ସାଧାରଣତଃ ଏକା ରହିବାକୁ ପଡ଼େ ଏବଂ ଅନେକ ସମୟରେ ରୁମ୍କୁ ଖାଦ୍ୟ ଅର୍ଡର କରିବାକୁ ହୁଏ।
ସମସ୍ୟାଟି ହେଉଛି, ମୁଁ ଖୁବ୍ କମ୍ ଖାଏ। ତେଣୁ ଯେତେ ଚେଷ୍ଟା କଲେ ବି, ଅର୍ଡର କରାଯାଇଥିବା ଖାଦ୍ୟର ଏକ ବଡ଼ ଅଂଶ ଅସ୍ପୃଶ୍ୟ ରହିଯାଏ। ମୁଁ ସାଧାରଣତଃ ତାକୁ ଘୋଡ଼ାଇ ରୁମ୍ ବାହାରେ ରଖିଦିଏ—ଆଶା ଥାଏ, ହାଉସ୍କିପିଂ କିମ୍ବା ହୋଟେଲର କେହି କର୍ମଚାରୀ ତାକୁ ନେଇ କୌଣସି ଉପଯୋଗରେ ଲଗାଇ ପାରିବେ।
ପିଲାଦିନୁ ଆମ ମଧ୍ୟରୁ ଅଧିକାଂଶଙ୍କୁ ଶିଖାଯାଇଛି—ଅନ୍ନ ହେଉଛି ଅନ୍ନବ୍ରହ୍ମ। ତାକୁ କୃତଜ୍ଞତାର ସହ ଗ୍ରହଣ କରିବା, ସମ୍ମାନର ସହ ଖାଇବା ଏବଂ ଅପଚୟ ନକରିବା ଆମ ସଂସ୍କାରର ଏକ ଅଂଶ। ଆମ ଘରେ ତ ଅସାଧାରଣ ଭାବରେ କୌଣସି ଖାଦ୍ୟକଣିକା ଅଳିଆଗଦାରେ ପଡ଼େ ନାହିଁ—ଫୁଟଣ ଲଙ୍କା, ଭୃଷଙ୍ଗ ପତ୍ର …ଏଇଭଳି କିଛି
ଚେଷ୍ଟା କରେ କେତେ ଅଧିକ ସେଥିରୁ ଖାଇ ହେବ ଯଦ୍ଦ୍ଵାରା ଖାଦ୍ୟ ନଷ୍ଟ ହେବ ନାହିଁ… କିନ୍ତୁ ଦୁଃଖର କଥା, ମୋ ପେଟ ହଠାତ୍ ‘ମହିମା’ ସିଦ୍ଧି (ଅର୍ଥାତ୍ ନିଜ ଇଚ୍ଛା ଅନୁସାରେ ଆକାର ବଢ଼ାଇ ଅଧିକ ଖାଦ୍ୟ ଧାରଣ କରିବାର କ୍ଷମତା!) ଅର୍ଜନ କରିପାରେ ନାହିଁ—😄
ଆଉ ତା’ପରେ ଆରମ୍ଭ ହୁଏ ମୋର ଦ୍ୱନ୍ଦ୍ୱ।
ଅସ୍ପୃଶ୍ୟ ଖାଦ୍ୟକୁ ଯତ୍ନର ସହ ପ୍ୟାକ୍ କରି ହୋଟେଲର କର୍ମଚାରୀ କିମ୍ବା ହାଉସ୍କିପିଂଙ୍କୁ ଦେବାକୁ ଚେଷ୍ଟା କରେ। ସବୁବେଳେ କିନ୍ତୁ ସେ ସୁଯୋଗ ଆସେ ନାହିଁ । କିନ୍ତୁ ମନରେ ସବୁବେଳେ ଗୋଟିଏ ପ୍ରଶ୍ନ ରହିଯାଏ—ତା’ପରେ ପ୍ରକୃତରେ ସେହି ଖାଦ୍ୟର କ’ଣ ହୁଏ?
ହୋଟେଲର ନିୟମ ଅନୁସାରେ ଏହା ଅନୁମୋଦିତ କି? କେହି ପ୍ରକୃତରେ ତାକୁ ଖାଆନ୍ତି କି? ତାହାର ପୁନଃବ୍ୟବହାର ହୁଏ କି? ନା ଶେଷରେ ସେହି ଖାଦ୍ୟ ଅଳିଆଗଦାରେ ଯାଇ ପଡ଼େ?
ଏହି ପ୍ରଶ୍ନଗୁଡ଼ିକ ମୋତେ ଆବଶ୍ୟକତାଠାରୁ ଅଧିକ ବିଚଳିତ କରେ।
ସେଥିପାଇଁ ହୋଟେଲର ମତାମତ ଫର୍ମ (Feedback form) ପୂରଣ କରିବା ସମୟରେ ମୁଁ ନିଶ୍ଚୟ ଏକ ପ୍ରସ୍ତାବ ଦିଏ—ବିଶେଷକରି ଏକାକୀ ରହୁଥିବା ଅତିଥିମାନଙ୍କ ପାଇଁ ଛୋଟ ପରିମାଣର ଖାଦ୍ୟ, ଅଧା ମିଲ୍ କିମ୍ବା ମିନି-ମିଲ୍ର ବିକଳ୍ପ ରହିବା ଉଚିତ।
ଏହା ହୁଏତ ଏକ ଅତି ସରଳ ପଦକ୍ଷେପ। କିନ୍ତୁ ଖାଦ୍ୟ ଅପଚୟ କମାଇବାରେ ଏହାର ପ୍ରଭାବ ବହୁତ ବଡ଼ ହୋଇପାରେ।
ଆମେ ସସ୍ଟେନେବିଲିଟି ବା ସ୍ଥାୟୀ ବିକାଶ ବିଷୟରେ ଅନେକ କଥା କହୁ। ଚାଷୀମାନଙ୍କ ଉପରେ ବଢ଼ୁଥିବା ଚାପ, ସାର ଓ କୀଟନାଶକର ଅତ୍ୟଧିକ ବ୍ୟବହାର, ପ୍ରାକୃତିକ ସମ୍ପଦର କ୍ଷୟ, ପରିବେଶ ପ୍ରଦୂଷଣ ଏବଂ ତାହାର ମାନବ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ଆମେ ଚିନ୍ତିତ।
କିନ୍ତୁ ସେହି ସମୟରେ, ମୁଁ ନିଜେ ତିନି-ଚତୁର୍ଥାଂଶ ଭର୍ତ୍ତି ଏକ ବାଟି ସୁସ୍ୱାଦୁ, ମୂଲ୍ୟବାନ ଓ ସମ୍ପୂର୍ଣ୍ଣ ଖାଇବାଯୋଗ୍ୟ ଖାଦ୍ୟକୁ ଚାହିଁ ରହିଛି—କେବଳ ଏହି କାରଣରୁ ଯେ ମୁଁ ତାକୁ ଖାଇପାରୁନାହିଁ!
ବୋଧହୁଏ ସସ୍ଟେନେବିଲିଟି ପାଇଁ ସବୁବେଳେ ବଡ଼ ବଡ଼ ପଦକ୍ଷେପର ଆବଶ୍ୟକତା ନାହିଁ। ବେଳେବେଳେ ଏହାର ଆରମ୍ଭ ହୋଇପାରେ ଏକ ଅତି ସରଳ କାମରୁ—ପ୍ଲେଟ୍ରେ ଯେତିକି ଖାଦ୍ୟ ଆବଶ୍ୟକ, ସେତିକି ପରିମାଣ ପରିବେଷଣ କରିବା।
ମୋର ଆଶା, ଦିନେ ନା ଦିନେ ଏହି ଛୋଟ ଚିନ୍ତାଟି ହୋଟେଲ ଶିଳ୍ପ ସହ ଜଡ଼ିତ ଲୋକମାନଙ୍କ ପାଖରେ ପହଞ୍ଚିବ—ଏବଂ ଏଥିରୁ କୌଣସି ଅର୍ଥପୂର୍ଣ୍ଣ ପରିବର୍ତ୍ତନର ସୂତ୍ରପାତ ହେବ।
କାରଣ ଖାଦ୍ୟ କେବଳ ଏକ ପଣ୍ୟ ନୁହେଁ। ଏହା ଅନ୍ନବ୍ରହ୍ମ।
= ଶୁଭମସ୍ତୁ =