National cherish an antique day

ଉପବାସର ମେନୁ (୧)
March 10, 2024
EUREKA
April 27, 2024

ଜାତୀୟ ଅତି ପ୍ରାଚୀନ ଦ୍ରବ୍ୟ ପ୍ରାଧାନ୍ୟତା
#####################
ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
*******
୧oo ବର୍ଷରୁ ଉର୍ଦ୍ଧ୍ଵ ଚିଜକୁ ଯଦି “ଆଣ୍ଟିକ” (ଅତି ପ୍ରାଚୀନ) କୁହାଯିବ, ତେବେ ଏ ତିନୋଟି ଜିନିଷରୁ ଏ ପିତ୍ତଳ ଡଙ୍କି ଓ ଚଟୁ ଓ ଏ ପାନ ଡବା ବୋଧେ ସେ ଶ୍ରେଣୀରେ ଯିବ ଏବଂ ମୋ ବୋଉଙ୍କ ହାରମୋନିଅମଟି ଆଉ କିଛି ବର୍ଷ ପରେ ସେ ଶ୍ରେଣୀରେ ଆସିଯିବ l ଆଣ୍ଟିକ ପଦାର୍ଥ ଗୁଡିକ ଆମକୁ ଆମ ପୂର୍ବପୁରୁଷମାନଙ୍କ ଜୀବନ ଶୈଳୀ ବିଷୟରେ ଏକ ଧାରଣା ଦିଏ l ଏ ସବୁ ପଦାର୍ଥ ଆମକୁ ଗୌରବମଣ୍ଡିତ ମଧ୍ୟ କରିଥାଏ I ଆମ ବର୍ତ୍ତମାନ ଯେତେ ସମୃଦ୍ଧ ହେଲେ ମଧ୍ୟ ଆମେ ନିଜ ପରିଚୟ ଆମ ଇତିହାସରେ ମଧ୍ୟ ସମୃଦ୍ଧ ଥିଲା ବୋଲି ଜଣେଇବାକୁ ଚାହୁଁ I

ଏ ହାରମୋନିଅମଟି ପ୍ରାୟ 67-68 ବର୍ଷର ଏବଂ ଆଜିଯାଏଁ କାର୍ଯ୍ୟକ୍ଷମ, ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଚାରୁରୂପେ ନିଜ କର୍ତ୍ତବ୍ୟ ସମ୍ପାଦନ କରୁଛି I ଏହା ଆମକୁ ଚେତାଉଛି ଯେ, ଆଗ କାଳରେ ଜିନିଷ ସବୁ କେତେ ମଜବୁତ ଓ ସତ୍ୟନିଷ୍ଠ ଓ ନିଷ୍କପଟତାର ସହ ତିଆରି ହେଉଥିଲା I କାଳକ୍ରମେ ସବୁ କ୍ଷେତ୍ରରେ ବ୍ୟବସାୟୀକରଣ ଯୋଗୁଁ କ୍ଷଣସ୍ଥାୟୀ, ଭଙ୍ଗୁର ଓ ହାଲୁକା ଜିନିଷ ସବୁ ବନିବାରେ ଲାଗିଛି I କିନ୍ତୁ ଆମେ ପରିବେଶ ସୁରକ୍ଷା, sustainable development (ସଂଧାରଣୀୟତା) ବିଷୟରେ ଭାଷଣ ଦେବାକୁ କୌଣସି ମଉକା ଛାଡୁ ନାହୁଁ I ସମସ୍ତେ ପ୍ଲାଷ୍ଟିକର ଭୟାବହତା ବିଷୟରେ ଅବଗତ ଥିଲେ ମଧ୍ୟ ପରିବାବାଲାଠୁଁ ଗୋଟିଏ ଜାଗାରେ ଦୁଇଟି ପଲିଥିନ ମାଗି ଆଣୁଛୁ I

ଏ ଡଙ୍କି ଆଉ ଚଟୁରେ ଆଜି ରାନ୍ଧିବା ଭଳି ଶକ୍ତି କେଉଁ ନାରୀ ବାହୁରେ ଅଛି କୁହନ୍ତୁ ତ ? ଆମେ ଆମ ପୂର୍ବ ପୁରୁଷ ମାନଙ୍କ ତୁଳନାରେ ଶାରୀରିକ ସ୍ତରରେ ଖର୍ବ I ହଁ, ତେବେ ମସ୍ତିଷ୍କ ଚାଳନାରେ ଆମେ କିଛିଟା ଆଗେଇଛେ I ଆମ ଶାରୀରିକ କାର୍ଯ୍ୟ କମିଗଲା, ମାନସିକ କାମ ବଢିଗଲା, କିନ୍ତୁ ଖାଦ୍ୟପେୟ ବଢିଗଲା ଓ ତତ-ସହିତ ବିଭିନ୍ନ ଆଧି-ବ୍ୟାଧି ମଧ୍ୟ I ଏ ଚଟୁର ଓଜନ ଯେତିକି କମିଛି ଆମ ଖାଦ୍ୟପେୟ ସେତିକି ସୁକ୍ଷ୍ମ ହୋଇଛି କି ? ଭଦ୍ରଜନେ, ଏଥି ପ୍ରତି ଟିକିଏ ଧ୍ୟାନ ଦେବେ I

ଏ ଆଣ୍ଟିକ ପାନ ଡବାଟି କି ସୁନ୍ଦର ରୂପାରେ ଖୋଦେଇ କାମ ଦର୍ଶାଉଛି! ଆମ କାରିଗରମାନଙ୍କ କଳା ଓ ମୋ ଅଜାଘର ଓ ଆଈଙ୍କ ବାପଘରର ସମୃଦ୍ଧିକୁ ମଧ୍ୟ ଦର୍ଶାଉଛି I ପାନ ଖାଇବା ସେତେବେଳେ ଖୁବ ସାଧାରଣ ଥିଲା I କିନ୍ତୁ ଏଡିକି ଟିକିଏ ଡବାରେ ଦଶ ଖଣ୍ଡ ପାନ ଭାଙ୍ଗି ସଜେଇ ଦିଆ ହେଉଥିଲା I ପାନ, ଗୁଆ, ଚୂନ , ଖଇର ଆଦିର ଅନେକ ଔଷଧୀୟ ତତ୍ତ୍ୱ ରହିଛି ଯାହା ସେ କାଳରେ ଲୋକଙ୍କୁ ଜଣା ଥିଲା ଓ ଖାଦ୍ୟ ପରେ ଏହାର ସେବନ କରା ଯାଉଥିଲା I

ଆଶ୍ଚର୍ଯ୍ୟର ବିଷୟ ଯେ, ପ୍ରାୟ ସମସ୍ତେ ଏ ପାନ ଅଳ୍ପେ ବହୁତେ ଖାଉଥିଲେ ମଧ୍ୟ ମୁଖ ଗହ୍ୱରରେ କର୍କଟ ଶୁଣା ନ ଥିଲା I ଅଥଚ ଆଜି ଆମେ ଚେତନା ସ୍ତରରେ ଏତେ ତଳକୁ ଚାଲି ଯାଇଛେ ଯେ, ଯାହା ପାଚକ ଦ୍ରବ୍ୟ ଭାବେ ବ୍ୟବହୃତ ହେଉଥିଲା, ସେଥିରେ ବ୍ୟସନର ପରିମାଣ ବଢିଗଲା ଓ ଦୁର୍ନୀତି ମଧ୍ୟ I ଜର୍ଦ୍ଦା, ଗୁଟଖା , ଈମାମ ଆଦି ବିଷ ସବୁ ମିଶିବା ଆରମ୍ଭ ହେଲା ଓ ଆଜି ଆମେ ମୁଖଗହ୍ଵର କ୍ୟାନ୍ସର ରେ ପୃଥିବୀରେ ପ୍ରଥମ I

ଆଣ୍ଟିକ / ବହୁ ପ୍ରାଚୀନ ଚିଜ ସବୁ ଆମ ପୂର୍ବପୁରୁଷଙ୍କ ଗାଥା ଖାଲି ଗାଏ ନାହିଁ, ସେମାନଙ୍କ ଜୀବନର ମୂଲ୍ୟବୋଧ, ସତ୍ୟନିଷ୍ଠା, ଅନେକ ଭଲ ଓ କିଛିଟା ଭେଳା ମଧ୍ୟ ଆମ ଆଖି ଆଗରେ ଆଣି ଥୋଇ ଦିଏ I
= ଶୁଭମସ୍ତୁ=
#NationalCherishAnAntiqueDay #antique #blogger #drvpacharya #medbiochem_guru #amasahitya #odiablog

Leave a Reply

Your email address will not be published. Required fields are marked *