

ଡା. ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
କ୍ରୋଧ ବୋଇଲେ କ’ଣ ? ଅଧିକାଂଶ ନିଶ୍ଚୟ କହିବେ -“ମୋତେ କ୍ରୋଧ ଆସେ, ଯେବେ ମୋ ହିସାବରେ କାମ ହୁଏ ନାହିଁ I” କିମ୍ବା “ମୋତେ ଅମୁକ ବା ସମୁକ କାହିଁକି ମିଳିଲା ନାହିଁ ” କିମ୍ବା କେହି କହିବେ “ମୋତେ ତା କଥା ବଡ ବାଧିଲା I ”
ମୋଟାମୋଟି ଭାବେ କଥାଟା ସେଇ ଗୋଟିଏ – ମୋ ଅହଂକାରକୁ ବାଧା ହେଲା I ମୋ ହିସାବରେ କାମ ହେଲାନି …ଆଃ ବଡ ପଣ୍ଡିତଟା ଆଉ ! କଣ କୌଣସି କାମ କରିବାର ପନ୍ଥା ଗୋଟିଏ ମାତ୍ର ଥାଏ ? ହୁଏତ ଅନ୍ୟ ପ୍ରକାରେ କରାଗଲେ କାମଟି ଆହୁରି ସୁନ୍ଦର ଭାବେ ହୋଇପାରେ I ଆମର ଅନେକ ଭଲ ରାନ୍ଧଣା କୁହନ୍ତୁ କିମ୍ବା ଆବିଷ୍କାର, ବେଳେବେଳେ ଏହିଥିରୁ ହିଁ ତ ଜାତ ହୋଇଛି I
ଧରି ନିଅନ୍ତୁ, ସେ ଭଳି କିଛି ବି ହେଲାନି, କେବଳ ଖରାପ ଫଳ ମିଳିଲା I ତଦ୍ଦ୍ୱାରା କିଛି ଶିକ୍ଷା ତ ମିଳିଲା I ଯେତେବେଳେ ବିଶ୍ୱ ନିୟନ୍ତା ସବୁ କରାଉଛନ୍ତି, ଆମେ ତାହାକୁ ମଧ୍ୟ ତାଙ୍କ ଇଚ୍ଛା ଭାବି ଧାର୍ଯ୍ୟର ସହ ଅପେକ୍ଷା କଲେ କଣ ଅସୁବିଧା? କଣ ଏମିତି ହେଇନି, ପଛରେ ଆମେ ଅନୁଭବ କରିଛେ ଯେ, ଯାହା ନ ହେଲା, ବରଂ ଭଲ ହେଲା ! କିନ୍ତୁ ଆମ ଅହଂ ଆମ ଚୈତ୍ୟକୁ ସେତେବେଳେ ସମ୍ପୂର୍ଣ୍ଣ ଆଚ୍ଛାଦିତ କରି ଦିଏ ଓ ତାହା କ୍ରୋଧ ରୂପେ ପ୍ରକାଶିତ ହୁଏ I
ଆହୁରି ଅନେକ ସମୟରେ ଆମ ଇଚ୍ଛା ଗୁଡିକ ଅପୂରଣୀୟ ରହିବା ଯୋଗୁଁ ଆମକୁ କ୍ରୋଧ ଆସେ I ମୋତେ ଅମୁକ ମିଳିବା ଦରକାର, କିମ୍ବା ସମୁକର ମୁଁ ହକଦାର …କିଏ କହେ ଆମକୁ ! ନିଶ୍ଚୟ ଆମେ ସମୃଦ୍ଧ ହେବାକୁ ଚେଷ୍ଟା କରିବା, ଭଲ ଜୀବନଟିଏ ବଂଚିବାକୁ ଚାହିଁବା, ତେବେ କୌଣସି ଜିନିଷରେ ମୋର ହିଁ ଏକଚାଟିଆ ଅଧିକାର, ଏ ଅହଂ ଆସିଲା କେମିତି ?? କାମନା ହିଁ ଅନେକ ସ୍ଥଳରେ କ୍ରୋଧକୁ ସାଙ୍ଗ କରି ନେଇଆସେ I
“ମୋତେ ତା କଥା ବଡ ବାଧିଲା I “ଓହୋ! ଏଠି ତ ଅହଂକାର ଉପରେ ସିଧାସଳଖ ଚୋଟ ବାଜିଲା !
ତେବେ ଯେଉଁ ୧% ଛାଡିଲେ, ସେ କଣ ପାଇଁ ? ଏ କ୍ରୋଧର ଅଧିକାର କେବଳ ତିନି ଗୋଷ୍ଠୀଙ୍କର –ମାତା, ପିତା ଓ ଗୁରୁଙ୍କର I ସନ୍ତାନ/ ଶିଷ୍ୟ, ପ୍ରକାରାନ୍ତରେ ସମାଜର କଲ୍ୟାଣାର୍ଥେ, ରାଷ୍ଟ୍ର ଓ ବିଶ୍ୱର ହିତରେ ଯିଏ କାମ କରନ୍ତି, ସେମାନେ କେବେ କେମିତି କ୍ରୋଧ କଲେ କୌଣସି ଅସୁବିଧା ନାହିଁ I କ୍ରୋଧ ଏକ ପୁଞ୍ଜୀଭୂତ ଶକ୍ତି, ଯାହାର ପ୍ରହାରରେ କଦାଚିତ ଏକ ମହାଜାଗତିକ ବ୍ୟାପାର ସଂଘଟିତ ହୋଇପାରେ, ହଠାତ ଜୀବନର ଯାତ୍ରାକୁ ଏକ ନୂଆ ମୋଡ଼ ଦିଆ ଯାଇପାରେ, ନୂଆ ତନ୍ତ୍ରର ଆଗମନୀ ମଧ୍ୟ ହୋଇପାରେ I
ପ୍ରଶ୍ନ ଆସେ “କ୍ରୋଧ ଉପରେ ବଶ ଆଣିବି କେମିତି ?” ଥରେ ବିଚାର କରନ୍ତୁ …ଭଗବାନ ଖୋଲାଖୋଲି ଭାବେ କେତେଥର ବୁଝାଇଛନ୍ତି ଯେ, ସେ ହିଁ ସବୁ କରୁଛନ୍ତି, ଆମେ ତ ନିମିତ୍ତ ମାତ୍ର I ଅର୍ଥାତ, ନିଜର ଅହଂକାରକୁ ଶ୍ରୀପୟରେ ଯଦି ସମର୍ପି ଦେବା, ଯେବେ କର୍ତ୍ତୃତ୍ୱ ଭାବରୁ ଓହରି ଯିବା, ନିଜ ସ୍ଵଧର୍ମକୁ ଚିହ୍ନି ଧର୍ମମାର୍ଗରେ ଆଗେଇବା, ସମ୍ଭବତଃ କ୍ରୋଧର ଅବକାଶ ରହିବ ହିଁ ନାହିଁ I
ଯେବେ ତାଙ୍କରି ଇଚ୍ଛା ଆମର ଇଚ୍ଛା ହୋଇଯାଏ, ସେବେ ମନର ବ୍ୟଗ୍ରତା, ଅଭାବବୋଧ କମି ଆମ ମନକୁ କ୍ରମଶଃ ଶାନ୍ତ କରି ଦିଏ I ନିଜକୁ ପ୍ରଶ୍ନ କର -“ମୁଁ କିଏ ଯେ ?” ବାସ ! ଏତିକିରେ ମନର ଦୁଃଖ ଓ କ୍ରୋଧ ଛୁ ହୋଇଯିବ I
=ଶୁଭମସ୍ତୁ=