Reel marichika
ରିଲ ମରୀଚିକା
September 12, 2026
Illiteracy
Illiteracy: The Invisible Barrier
September 12, 2026
ନିରକ୍ଷରଙ୍କର ଅସହାୟତା

(ଆନ୍ତର୍ଜାତୀୟ ସାକ୍ଷରତା ଦିବସ ଉପଲକ୍ଷେ, ସେପ୍ଟେମ୍ବର Γ)
————————————————
ଡ଼ାଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ପ୍ରଫେସର ବାୟୋକେମିଷ୍ଟ୍ରି
********
ଆମେ ଯେଉଁମାନେ ସାକ୍ଷର, କେବେ ଭାବିଛେ କି, ଯେଉଁମାନେ ନିରକ୍ଷର, ସେମାନଙ୍କୁ କେମିତି ଅଭାବବୋଧ ଘାରୁଥିବ, କେମିତି ଅନ୍ଧ ଭଳି ଲାଗୁଥିବ ପୂର୍ଣ୍ଣ ଦିବାଲୋକରେ! ଆଖି ବୁଜି ଥରେ ଭାବି ଦେଖିବେ ତ, ଆପଣ ଜଣେ ଗୃହକାର୍ଯ୍ୟ ସହାୟିକା ଆଉ କାମରେ ଠିକ ସମୟରେ ନ ପହଞ୍ଚିଲେ ବହେ ଶୋଧା ଶୁଣିବା ଥୟ; ଅଥଚ ଆପଣଙ୍କୁ ଘଡି ଦେଖି ଆସୁନି I ମା’ ଟିଏ …ଆଖିରେ ଅନେକ ସ୍ବପ୍ନ, ନିଜେ ପଢିନି କିନ୍ତୁ ଛୁଆଙ୍କୁ ନିଶ୍ଚୟ ପଢେଇବ I ହେଲେ ସେ ଯେ ନିରକ୍ଷର! କେତେବେଳେ ହୋମୱର୍କ ବୁଝି ବୁଝେଇ ପାରୁନି ତ କେତେବେଳେ ସ୍କୁଲର ନୋଟିସ ବିଷୟରେ ଜାଣି ପାରୁନି I କେବଳ ସ୍କୁଲ୍ କୁ ସମୟରେ ପଠେଇବାର କାମଟା ହିଁ ସେ କରି ପାରୁଛି I

ଥରେ ମୁଁ ଗୋଟିଏ ଡ୍ରାଇଭର ପିଲାଟିଏକୁ କାମରେ ରଖିଲି I ସବୁ ତାର ଭଲ I ସମସ୍ତଙ୍କ ପରି ସେ ମଧ୍ୟ ଟିକିଏ ସମୟ ପାଇଲା ମାତ୍ରେ ଫୋନରେ ଲାଗିଯାଏ l କିନ୍ତୁ ଆଶ୍ଚର୍ଯ୍ୟ, ମୋ WhatsApp ମେସେଜର ଉତ୍ତର ଜମା ଫେରାଏନି I ମୁଁ ବୁଝି ପାରେନି, ଫୋନ ତ ସବୁବେଳେ ହାତରେ, ମୋ ମେସେଜ ଦେଖି ମଧ୍ୟ ଉତ୍ତର କାହିଁକି ଦେଉନି I ଯେବେ ପଇସା online ପଠେଇ ମୁଁ ଜଣେଇ ଦିଏ, ସଂଗେ ସଂଗେ କିନ୍ତୁ ବୁଢା ଆଙ୍ଗୁଠି ଦେଖେଇ Thank you ଟିଏ ନିଶ୍ଚୟ ଲେଖିଦିଏ l

କହିବା ବାହୁଲ୍ୟ, ତାର ଏତାଦୃଶ ବ୍ୟବହାର ମୋ ମନକୁ ଟିକିଏ ରାଗ ଚହଟାଇ ଆଣୁଥିଲା I
ଦିନେ କେତେ ପଢିଛି ବୋଲି ପଚାରିଲାରୁ କହିଲା, ସେ ଜମା ପାଠ ପଢିନି I

ପଚାରିଲି -“ତା’ ହେଲେ ମୋବାଇଲ କେମିତି ଦେଖୁଛ ? ମୁଁ ତ ତୁମକୁ ଓଡ଼ିଆ କଥା ସବୁ ଇଂରାଜୀରେ ଲେଖିକି ଦିଏ, ତାକୁ କେମିତି ପଢ଼ ତା’ ହେଲେ ?”

କାନ କୁଣ୍ଡେଇ କୁଣ୍ଡେଇ ଉତ୍ତର ଦେଲା -“ମ୍ୟାଡ଼ାମ! ରାତିରେ ଫେରିଲେ କାହାକୁ ଦେଇକି ପଢ଼ାଏ ଆଉ ତା ପରେ ଉତ୍ତର ଲେଖାଏ I”

ମୁଣ୍ଡରେ କର ତାଡ଼ିଲି l ମନରେ ଅବଶୋଷ ଥିଲା ଯେ, ଆମ ପିଲାଦିନୁ ଆମେ ପୌଢ ଶିକ୍ଷାରେ ଲାଗିଛୁ ଯେ ଆଜିଯାଏଁ କଣ ନିରକ୍ଷରତା ଦୂର ହେଇନି ! ତା’ ମାନେ 2026 ରେ ମଧ୍ୟ ଆମକୁ ସେଇ ସ୍କିମ ଜାରି ରଖିବାକୁ ପଡିବ !

ଏଥର ମୁଁ ମୋ କଥାକୁ ରେକର୍ଡ କରି ଛାଡିବା ଆରମ୍ଭ କଲି I ତେବେ ମଧ୍ୟ ମୋତେ ତା ଦୁଃଖ ବା ଅସୁବିଧା ବୁଝା ପଡୁ ନ ଥିଲା I

ଥରେ ନିଜ ଆଡୁ ସେ କହିଲା- “ମ୍ୟାଡ଼ାମ ! ଏଇ ସାମନାରେ ଦେଖନ୍ତୁ ଅମୁକ କମ୍ପାନୀର ଅଟୋ ଯାଉଛି I ମୁଁ ଜାଣିଛି ତା ନାଁ କ’ଣ, କିନ୍ତୁ ମୁଁ ପଢି ପାରୁନି I” ଆଃ ! ଆଖି ଥାଉ ଥାଉ ଅନ୍ଧ ପରି ଲାଗୁଥିବ ସିନା ! ଅକ୍ଷର ସବୁ ତା ପାଇଁ ଚିତ୍ର ପରି I ସେ ଯେଉଁ “thank you” ଲେଖି ଉତ୍ତର ଫେରାଉଥିଲା, ସେଇଟା ତା autotype ରେ ନିଶ୍ଚୟ ଆସୁଥିବ ଓ ସେ ତାକୁ ମନେ ରଖି ଆବଶ୍ୟକ ସ୍ଥଳେ ବ୍ୟବହାର କରୁଥିବ I

“ଆଚ୍ଛା! ହିସାବ କେମିତି ରଖୁଛ ?
“ଆଜ୍ଞା! ସେତକ କାମ ମୋବାଇଲରେ କରି ପାରୁଛି I”
“ତା’ ମାନେ ତୁମେ ଇଂରାଜୀ ସଂଖ୍ୟା ତକ ଚିହ୍ନି ପାରୁଛ I ବେଶ …କାଲିଠୁ ଆମେ ଅଳ୍ପ ଅଳ୍ପ ପାଠ ପଢିବା I”

ଆମ ପୌଢ ଶିକ୍ଷା ଅଭିଯାନ ଆରମ୍ଭ ହେଲା I ସେ ଇଂରାଜୀ ଚଟାପଟ ଶିଖିବାକୁ ବ୍ୟାକୁଳ ଥିଲା I ତାକୁ ମୁଁ କିଛି YouTube ଭିଡ଼ିଓ ଦେଖିବାକୁ କହୁଥାଏ I ଆଉ କିଛି ଅକ୍ଷର ଶିଖେଇ ପ୍ରତିଦିନ ଛାଡୁଥାଏ l କେବେ କେବେ ସାନ ଝିଅକୁ ବି ଏ କାମରେ ଲଗେଇ ଦିଏ I ପଛନ୍ତେ ଘର ଲୋକଙ୍କଠୁ ଟିକିଏ ଗାଳି ମଧ୍ୟ ଶୁଣେ …. “ତୁମେ ଯାହାକୁ କାମରେ ରଖ, ସଂଗେ ସଂଗେ ତାକୁ ଘର ଲୋକ ଭଳି ଦେଖିବା ଆରମ୍ଭ କରିଦିଅ I” ମତାନ୍ତର ହୁଏ, ପୁଣି ସମସ୍ତେ ମୋତେ ସହଯୋଗ ବି କରନ୍ତି I

ହେଲେ ଥରେ “ଅନ୍ନଚିନ୍ତା ଚମତ୍କାରା” ରେ କବଳିତ ହେଲେ ପାଠ ପଢିବାକୁ ମନ କୋଉ ସ୍ଥିର ହୁଏ ? ପୁଣି କିଛି ଦିନ ପରେ ସେ ମୋ part-time ଛାଡି ଆଉ ଜଣଙ୍କ full time କାମ ଧରି ବାଲେଶ୍ୱର ଚାଲିଗଲା I କେଜାଣି ତା ପରେ ଆଉ ପଢା ଜାରି ରଖିଲା କି ନାହିଁ ଯେ ?

ସେ ପିଲାଟି ବହୁତ ଗୁଡିଏ ଇଂରାଜୀ ଶବ୍ଦ ଶୁଣିକି ବ୍ୟବହାର କରୁଥିଲା ହୁଏତ ଅନ୍ୟ ମାନଙ୍କୁ ନ ଜଣେଇବାକୁ ଯେ ସେ ନିରକ୍ଷର ବୋଲି …ହେଲେ ଧରା ପଡି ଯାଉଥିଲା I ଏଇ ଯେମିତି ମୋତେ ପଚାରିଲା -ଆପଣ କାମ କଣ କରନ୍ତି ? ମୁଁ କହିଲି ମୁଁ ଡାକ୍ତର ଆଉ ପ୍ରଫେସର, ମେଡିକାଲ କଲେଜ ପିଲାଙ୍କୁ ପାଠ ପଢାଏ I ସେ କହିଲା -“ଓଃ ! ପପ୍ପେସର !” ଦୁଇ ଥର ସଂଶୋଧନ କଲା ପରେ ଛାଡିଦେଲି ଓ ନୂଆ ପଦବୀକୁ ଧାରଣ କରିନେଲି I ସତରେ ତ ବେଳେବେଳେ ନିଜକୁ “ପପ୍ପୁ -ଈଶ୍ୱର” ମାନେ ବୋକା ବନିଗଲା ଭଳି ମନେ ହେଉଛି I

ଏ ଉପାଖ୍ୟାନ ଏତିକି I ତେବେ ଅନୁଭବିଲି, ଏବେକାର ପୌଢ଼ ଶିକ୍ଷା କେବଳ ଅକ୍ଷର ଶିକ୍ଷାରେ ସୀମିତ ରହିବା ଉଚିତ ନୁହେଁ I ସେମାନେ ପାଠପଢାକୁ ଆଗ୍ରହୀ ନ ହେବାର କାରଣ, ସେମାନେ ଧରାବନ୍ଧା ପଠନ ଲେଖନ ଚାହୁଁ ନାହାନ୍ତି I ସେମାନଙ୍କୁ ବଂଚିବା ପାଇଁ ଯାହା ଦରକାର, ସେମାନେ ସେ ସବୁ ଖୋଜୁଛନ୍ତି I ମୋବାଇଲ ଚଲେଇବା ପାଇଁ ନିଜ ଭାଷା ଓ ଇଂରାଜୀର କିଛି ନିର୍ଦ୍ଦିଷ୍ଟ ଲେଖା ପଢିବା, ସାଇନବୋର୍ଡ଼ ପଢି ପାରିବା, ବ୍ୟାଙ୍କରେ କାମ କରି ପାରିବା ଇତ୍ୟାଦି ସେମାନଙ୍କ ପାଇଁ ଯଥେଷ୍ଟ I ସେମାନେ ବ୍ୟାକରଣ ଖୋଜୁ ନାହାନ୍ତି କି ସାମନ୍ତ ଚନ୍ଦ୍ରଶେଖର ହେବାକୁ ଇଚ୍ଛା କରୁ ନାହାନ୍ତି I ପାଟି ଗଣିତ ଶିଖିଲେ ତାଙ୍କ ପାଇଁ ଯଥେଷ୍ଟ I ସେମାନେ ଅର୍ଥ ପ୍ରବନ୍ଧନ (money management) ବିଷୟରେ ଶିଖିବା ଦରକାର, ଯଦ୍ୱାରା “ମାଗଣା” ଗୋଲାମୀରୁ ମୁକ୍ତି ପାଇ ପାରିବେ I

ତେଣୁ ଆଜିକା ସମୟରେ ମଧ୍ୟ ଏ ଭଳି ପୌଢ଼ ଶିକ୍ଷା କେନ୍ଦ୍ର ସବୁର ଯଥେଷ୍ଟ ଆବଶ୍ୟକତା ରହିଛି ଯେଉଁଥିରେ ଆବଶ୍ୟକତା ଅନୁଯାୟୀ ଶିକ୍ଷାଦାନ କରାଯିବ, ନା କି ଆମ ସୁବିଧା ଓ ଚିରାଚରିତ ଢଙ୍ଗରେ ସେମାନଙ୍କୁ ଶିକ୍ଷା ଦିଆଯିବ I ସେ କେନ୍ଦ୍ର ସବୁରେ ଆମ ସମ୍ବିଧାନ, ଆମ ନୀତି ନିୟମ, ଶାସ୍ତ୍ର ଅବଧାରଣରେ ଜୀବନଚର୍ଯ୍ୟା, ଖାଦ୍ୟପେୟ ଓ ସାଧାରଣ ସ୍ୱାସ୍ଥ୍ୟ ଶିକ୍ଷା ଆଦିକୁ ପ୍ରାଧାନ୍ୟ ଦିଆଯିବ I ସେମାନଙ୍କ ଆବଶ୍ୟକତା ସେମାନଙ୍କୁ ହିଁ ପଚାରି ସେମାନଙ୍କୁ ଉଚିତ ମାର୍ଗରେ ସାକ୍ଷର କରିବା ବିଧେୟ I କାଗଜପତ୍ରରେ ହସ୍ତାକ୍ଷର କରିବା କିମ୍ବା ମିଛସତ ଲେଖି ସରକାରୀ ନଥିପତ୍ର ଠିକ ରଖିବାରେ ଉଦ୍ୟମ ସୀମିତ ରହି ନ ଯାଉ I ଆଉ ଏଥିରେ ଛୋଟ ଛୁଆ, ଯୁବକ ଓ ସେଇ ଭଳି କିଛି ନିରକ୍ଷର ଯେଉଁମାନେ ସାକ୍ଷର ହୋଇ ଉପକୃତ ହୋଇଛନ୍ତି, ସେମାନଙ୍କୁ ଏ କାର୍ଯ୍ୟକ୍ରମରେ ସାମିଲ କରାଯାଉ I

=ଶୁଭମସ୍ତୁ=


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *