ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ (୫)

ସୁଜାତା ମ୍ୟାଡ଼ାମଙ୍କୁ ଅନ୍ତିମ ବିଦାୟ
April 12, 2022
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ (૪)
April 12, 2022
ମୋ ଟ୍ରାଫିକ- ଆବୁରୁଜାବୁରୁ ଗପ (୫)

ଡ: ବିୟତ ପ୍ରଜ୍ଞା ଆଚାର୍ଯ୍ୟ
@@@@@@@@@@@@
“ବୁରୀ ନଜର ବାଲେ ତେରା ମୁହଁ କାଲା ”
“ପାପାଲି , ମାମାଲି, ସିପୁନ” – ଦୁଇଟି ଝିଅ , ଗୋଟେ ପୁଅ ବୋଧେ , ନହେଲେ ପୁତୁରା ବି ହୋଇପାରେ ଯଦି ଯୌଥ ପରିବାର ହୋଇଥିବ |
“ମୁଁ ଫେରିଲେ ତୁମର”, ଆ ହା ହା ହା | ସତେ ଯେମିତି ମୁଁ ତତେ ଅନେଇ ରହିଥିବି ଆଉ |
” ୭୮୬ ” ଆଛା କୋଉ ମୁସଲିମ ଭାଇର ଅଟୋ |
ଏ ଗାଡିଟା ପଛ ଆଡୁ ବେଙ୍ଗ ଭଳି ଦିଶୁଛି | ଆହାଃ! ଏତେ ଦାମର ଗାଡି ଟା କିଛି ଭଲ ଦିଶୁନି ତ !
ଝିଅର ମୁଁହ ଦେଖି ସିନା ବଧୂଚୟନ, ହେଲେ କାର ଚୟନଟା ବୋଧେ ପଛପଟ ଦେଖି । କିରି କିରି ହୋଇ ହସିଲି ମନକୁ ମନ ।
ସକାଳ ୮ ଟାରେ କ୍ଲାସ – ୭:୫୦ ରେ ବାହାରିଲେ ୧୮ କିମି ଡେଇଁ ପିଲାଙ୍କ ଆଗରେ ଯାଇ କ୍ଲାସରେ ଠିଆ ହେବି ସିନା ।
ଘରର ଯାବତୀୟ କାମ, ନିଜ ନିତ୍ୟକର୍ମ , ୪ ଜଣଙ୍କର ୪ ପ୍ରକାର ଜଳଖିଆ – ଆଉ ମୋ ପ୍ଲେଟଟା ଅଧାଖିଆ । ସିଙ୍ଗଲ୍ ରୋଡ଼ରେ ଗୋଟିଏ ଡାଲାଟ୍ରକ ଗଜଗମନୀ ବେଗରେ ହଲି ହଲି ଆଗରେ ଯାଉଥାଏ । ମୁଁ ହର୍ଣ୍ଣ ମାରି ଚାଲିଥାଏ । ତା ଗଜଗମନୀ ବେଗର କାରଣ ଜଣାପଡିଲା – ଆଗରେ ପଲେ ଗାଈ ।
ଇଚ୍ଛା ହଉଥାଏ, ହନୁମାନ ପାଲଟିଯାନ୍ତି କି – ନ ହେଲେ spiderman – ସିଧା ଉଡି ଉଡିଯାଇ ଗନ୍ତବ୍ୟରେ ପହଞ୍ଚିଯାନ୍ତି । ଟ୍ରକ ପଛପଟେ ଧାଡ଼ିଏ ଲେଖାଥାଏ – “ଟିକିଏ ହସିଦିଅ ” ।
ଆରେ! ସତେ ତ ! ସକାଳୁ ଏ ଯାଏ ମୁଁ ଥରେ ବି ହସିନି ତ! ସକାଳୁ ଉଠି ନିଜେ ଦୌଡିବା ଭିତରେ ସମସ୍ତଙ୍କୁ ଦଉଡେଇଛି , କାହାକୁ ଗାଳି ଦେଇଛି , କାହା ଉପରେ ରାଗିଛି ।
“ ଧେତ, କେଡେ ମୂର୍ଖଟିଏ ମୁଁ ! ଫିକ କରି ସତରେ ହସିଦେଲି । ‘ ଯାଃ ମ – କଣ ହୋଇଯିବ ଦିନେ ଡେରି ହୋଇଗଲେ ।
ତରବର ହୋଇ କେଉଁଠି ଦୁର୍ଘଟଣା ନ ଘଟେଇଦିଏ ।“
ଶ୍ରୀ ଗୁରୁଦେବଙ୍କର ପ୍ରବଚନଟିଏ ଲଗେଇଦେଲି ୟୁଟ୍ୟୁବରେ ।
ପ୍ରାର୍ଥନା କଲି – “ମୋତେ ବର୍ତ୍ତମାନରେ ରହିବାକୁ ଦିଅ ପ୍ରଭୁ । ଏତେ ମୋହଗ୍ରସ୍ତ ଯେ ମୁଁ ସକାଳୁ ଏ ଯାଏଁ ୪ ଘଣ୍ଟାରେ ଥରେ ହେଲେ ହସିନି ! ଶରୀର କାର ଭିତରେ, ଅଥଚ ମନ ଯାଇଁ ଶ୍ରେଣୀଗୃହରେ !”
୭:୫୫ – ଶ୍ରେଣୀଗୃହରେ ପ୍ରବେଶ କଲି । ୧୫୦ ପିଲା ମୋର ଉତକର୍ଣ୍ଣ । ସମସ୍ତେ କିଛି ନୂଆ ଶିଖିବାକୁ , ନୂଆ କଥା ଜାଣିବାକୁ ଆଗ୍ରହୀ ହୋଇ ବସିଛନ୍ତି ।
କଳା ପଟାରେ ଲେଖିଲି –
“POWER OF NOW”…. IS TREMENDOUS. REALISE IT”
xxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxxx
“ବାପା ମା’ଙ୍କ ଆଶୀର୍ବାଦ ” ଲେଖା ହୋଇଛି ଅଟୋ ପଛଟିରେ ।
‘ଆଛା’, ଆଉ ସ୍ତ୍ରୀର ସଦିଚ୍ଛା, ଭଲପାଇବା କିଛି ନାହିଁ ଏଥିରେ ! ଦରକାର ପଡିଲେ ସ୍ତ୍ରୀର ଗହଣା ବନ୍ଧା ପକେଇ ଧାର ଅଣିଥିବୁ ଟି !
ଯଦି ବୀର ହୋଇଥିବୁ, ତେବେ ଲେଖିବୁ “ମୋ ସ୍ତ୍ରୀର ପ୍ରେମ”
“ହାଃ ହାଃ ହାଃ” – ଆଉ ତା’ ପରେ ସମାଜ ଦେବ ପାହାର ପରେ ପାହାର ।
ମୋ ଆବୁରୁଜାବୁରୁ ଭାବନଟକୁ ସାଉଁଟି ଆକ୍ସିଲରେଟର ଉପରେ ପାଦ ମଡେଇଦେଲି ।

Leave a Reply

Your email address will not be published. Required fields are marked *