ମାତୃତ୍ଵ ଦିବସ
ମାତୃତ୍ଵ ଦିବସ
June 8, 2026
ଚକ୍ରବତ ପରିବର୍ତ୍ତନ୍ତେ

ଡା. ବିୟତପ୍ରଜ୍ଞା ଆଚାର୍ଯ୍ୟ,
ପ୍ରଫେସର ବାୟୋକେମିଷ୍ଟ୍ରି

ମନେ ପଡେ MBBS ଡାକ୍ତରୀ ପାଠପଢ଼ାର ଦିନ ଗୁଡିକ | ପଛକୁ ବୁଲି ଦେଖିଲେ ମୁଁ ଦୁନିଆର ସର୍ବଶ୍ରେଷ୍ଠ ଭାଗ୍ୟବାନ ବ୍ୟକ୍ତି ଭାବରେ ଗଣାଯିବା କଥା | ମୁଁ ଘରୁ ଯିବା ଆସିବା କରି , ସେ ପୁଣି କଲେଜରୁ ଘର ମାତ୍ର ଦୁଇ କି.ମି. ଦୂରତା ବ୍ୟବଧାନରେ ରହି, ମା’ ବାପାଙ୍କ ସାନ୍ନିଧ୍ୟରେ ଏକ ବିରାଟକାୟ କ୍ୱାର୍ଟରରେ, ବୁର୍ଲାର ଶାନ୍ତ ସ୍ନିଗ୍ଧ ପରିବେଶରେ ପଢା ସାରିଥିଲି |

ସେତେବେଳେ ଜୀବନର ଅନୁଭୂତିର ଅଭାବ ଓ ବାହ୍ୟ ଦୁନିଆରୁ ପ୍ରାୟ ବିଚ୍ଛିନ୍ନ ରହିଥିବା ହେତୁ ହେଉ, ସବୁ ଥାଇ ମଧ୍ୟ କିଛିଟା ଅସନ୍ତୁଷ୍ଟି ତ ନିଶ୍ଚୟ ରହୁଥିଲା | ଈଶ୍ୱରଙ୍କ ପାଖେ କିଛିଟା ଅଭିଯୋଗ ମଧ୍ୟ ବାଢିଦିଏ | ଏବେ ଭାବୁଛି , ଈଶ୍ୱର କି ପରମ କାରୁଣିକ ଥିଲେ ଯେ ଏ ଅଧମର କଥା ରଖି ମୋ ଇଚ୍ଛା ସବୁକୁ ପୂର୍ତ୍ତି ମଧ୍ୟ କରି ଦେଉଥିଲେ |

ଯେବେ କଳା ହାଣ୍ଡିଆ ମେଘ ଘୋଟି ବୁର୍ଲାରେ ବର୍ଷା ହୁଏ , ସେବେ ଅତି କମ ରେ 15 ଦିନ ଧରି ଲଗାଣ ବର୍ଷା ହୁଏ | ମେଡିକାଲ ପଢ଼ାରେ ଖରା , ବର୍ଷା , କୁହୁଡି , ଏପରିକି ଦେହ ଖରାପ , କୌଣସି ପ୍ରକାରର ବାହାନା କାମ କରେନି | ଘରକୁ ଫେରିବାକୁ ଦୁଇଟି ରାସ୍ତା ଥାଏ | ଗୋଟିଏ ପୋଷ୍ଟ ମର୍ଟମ ହଲ ଦେଇ – ଯାହା ଅପେକ୍ଷାକୃତ ନିକାଂଚନ |
ନା ନା — ଆମର ଭୂତ ପ୍ରେତ ଡର କଣ ଥାଏ ଯେ ! ପ୍ରଥମ ସପ୍ତାହରୁ ମୃତ ଶରୀର ଦର୍ଶନ ଓ କ୍ଷଣେ କ୍ଷଣେ ଜୀବନ ଓ ମୃତ୍ୟୁର କରମର୍ଦ୍ଦନରେ ଏ ସବୁ ଅତିଭୌତିକ କାରବାର ବିଶେଷ ପ୍ରଭାବ ପକାଏ ନାହିଁ I ଯେହେତୁ ଅନ୍ୟ ଲୋକଙ୍କର ଗତାଗତ ସେ ରାସ୍ତାରେ କମ, ଏକୁଟିଆ ଝିଅ ହିସାବରେ ବରଂ ଜୀବନ୍ତ ଭୁତ ପ୍ରେତଙ୍କଠୁ ନିଜକୁ ବଞ୍ଚେଇ ରଖିବାର ଦାୟିତ୍ୱ ବଢିଯାଏ |
ଅନ୍ୟ ରାସ୍ତାଟି ଅପେକ୍ଷାକୃତ ଚଳ ଚଂଚଳ କିନ୍ତୁ P.G. boys’ ହଷ୍ଟେଲ ଦେଇ ଯିବାକୁ ହୁଏ | କେତେବେଳେ କାହା ନାଁରେ କୁହାଟ ଶୁଣାଯିବ ସେ ନେଇ ଆଶଙ୍କା ଥିବାରୁ ସେ ରାସ୍ତାଟି ମଧ୍ୟ କମ ବିପଦପୂର୍ଣ୍ଣ ନ ଥିଲା ମୋ ପାଇଁ |

ଅବିରାମ ବର୍ଷା ଯୋଗୁଁ ଏ ଦ୍ୱିତୀୟ ରାସ୍ତାରେ ଗଲାବେଳକୁ ଠାଏଁ ଠାଏଁ ଆଣ୍ଠୁଏ ହେବ ପାଣି ଜମିଯାଏ | ଏଇ ସମୟରେ ଯଦି ଅଧିକ ବେଗରେ ବାଇକ ଅବା କାରଟିଏ ତୁମକୁ ଟପିଯାଏ , ତେବେ ଦଲକାଏ ହେବ ପାଣି ଆସି ଛାଟି ହୋଇ ଯାଏ ରାସ୍ତାରୁ |
Rain coat ପିନ୍ଧି ଗୋଟିଏ ହାତରେ ଛତା ଧରି ଗୋଟିଏ ହାତରେ ସାଇକେଲ ହ୍ୟାଣ୍ଡେଲ ସମ୍ଭାଳି ଏ ଭଳି ପରିସ୍ଥିତି ରେ ଯାଉ ଯାଉ ଏମିତି ରାସ୍ତା ପାଣି ଓଜାଡ଼ି ହୋଇ ପଡିଲେ ମନରେ ଅସନ୍ତୋଷ ଆସେ — ” ହେ ପ୍ରଭୁ ! ସ୍କୁଟି ଟିଏ ନ ଥା’ନ୍ତା | ”

ତଥାସ୍ତୁ !

ପ୍ରଥମେ ଟିକିଏ କମେଇ ଲୁନା ମୋପେଡ଼ ଓ ପରେ ଆସିଲା ସ୍କୁଟି | ଆଶାନୁରୂପ ଉପକାର ମଧ୍ୟ ପାଇଲି | ପଢା ସାରି ଅଳ୍ପ ଦିନର ଚାକିରୀ , ପୁଣି P.G. ପାଠ ପଢା ଓ ତାପରେ ମେଡିକାଲ କଲେଜ ଅଧ୍ୟାପନ |
ଦୁଇ ପଇସା ପକେଟ କୁ ଆସିଲା ପରେ ମଧ୍ୟ ମୁଣ୍ଡକୁ କାର୍ କିଣିବା କଥା ଢୁକିଲାନି |
ତେବେ ଥରେ କୌଣସି ଏକ ଜାଗାକୁ ବାହାରି ଥାଉ | ସ୍ୱାମୀଙ୍କ ବାଇକ ଓ ମୋ ସ୍କୁଟି ବସ ଷ୍ଟାଣ୍ଡ ରେ ରଖି ବସ ଧରିବା ବ୍ୟବସ୍ତା କରିଥାଉ |
‘ ବାଇକ ରେ ଏ ବଡ ବ୍ୟାଗ ରହିବନି’ ସ୍ୱାମୀ କହିଲେ, ” ହଉ ତେବେ ଝିଅ କୁ ଆଗରେ ବସାଅ |”
” ନା ‘ ମୋତେ ଡର ଲାଗିବ, କେବେ ବସେଇନି ” – ଉତ୍ତର ମିଳିଲା | ଆଖି ଆମ ଉଭୟଙ୍କର ପଡିଲା ଘରେ କାମ କରୁଥିବା ଝିଅଟି ଉପରେ | ନା , ତାକୁ ତ ବାଇକରେ ବସେଇବାର ପ୍ରଶ୍ନ ଉଠୁନି | ଶେଷକୁ ମୋ ସ୍କୁଟି ଉପରେ ଦୁଇଟି ବଡ ବ୍ୟାଗ , କାମବାଲୀ ଝିଅ ଓ ମୋ ବଡ଼ଝିଅକୁ ଲଦି ଧୀରେ ଧୀରେ ଡରି ଡରି ବସ ଷ୍ଟାଣ୍ଡ ରେ ପହଂଚିଲି | ଆଃ ପ୍ରଭୁ ! ବୋଝ ବଢ଼ିଲାଣି ଏଥର , କେମିତି ସମ୍ଭାଳିବି … କାର୍ ଟେ ଯଦି …..

ତଥାସ୍ତୁ !

ସାନ ଝିଅ ଜନ୍ମ ହେଉ ହେଉ କାର ଆସି ଥୁଆ !
ଦୁଇ ଛୁଆ , କର୍ମ କ୍ଷେତ୍ରର ଚାପ , ନିଦ୍ରାହୀନତା , ଦିନ ଦିନ ଧରି କାମ କରି କରି , ଦେଶ ବିଦେଶ ବୁଲି ନିଜ ଗବେଷଣା କାର୍ଯ୍ୟ କୁ ପରିବେଷଣ କରି ନାଁ ଗୋଟାଇଲା ବେଳକୁ ଜଣା ପଡିଲା ଯେ , ପେଟରେ ଗୋଟେ ସ୍ତର ଚର୍ବି ବେଶ ଜମିଲାଣି | ତାହା କ୍ରମଶଃ ସାଇକେଲ ଟାୟାର ପରି ଦିଶୁ ଦିଶୁ କାର ଟାୟାର ପରି ଦିଶିଲାଣି | ଓ ମା ! ଆଉ କିଛି ଦିନ ପରେ ଟ୍ରକ ଟାୟାର ପାଲଟି ଯିବନି ତ ! ଓଃ ପ୍ରଭୁ ସାଇକେଲଟେ ଥାନ୍ତା କି !

ତଥାସ୍ତୁ !
ବାପଘରୁ ରଜ ଭାରରେ ସେ ସନ ମିଳିଲା ସାଇକେଲ ଟିଏ | ଆଃ ! କି ଯେ ଖୁସି! ଭୋରରୁ ସାଇକେଲ ଗଡେଇ ରାସ୍ତା ଦୁଇ ପାଖର ଦୃଶ୍ୟ ଆଦି ଦେଖୁ ଦେଖୁ ମନରେ କେତେବେଳେ ମନରେ କେତେବେ କବିତା ତ କେତେବେଳେ ଗଳ୍ପ ବୁଣିଲି |
ମଣିଷ ଏଇଆ ହିଁ ତ କରୁଥାଏ | ଖଡା ବଡି ଥୋଡ , ଥୋଡ ବଡି ଖଡା |

ସବୁକିଛି ଚକ୍ରବତ୍ ଚାଲିଛି | କେଉଁଠି ଶେଷ ଏ ଦୌଡ଼ର | କାମନା ସବୁ ଯଜ୍ଞ କୁଣ୍ଡରେ ଘୃତ ସମ କାମ କରୁଛନ୍ତି | ନିଆଁକୁ ପ୍ରତି ଆହୁତିରେ ଆଉ ଟିକିଏ ତେଜି ଦେଉଛନ୍ତି | ‘ଉପଯୋଗ’ ଓ ‘ଉପଭୋଗ’ର ସୀମାକୁ କେହି ନିର୍ଦ୍ଧାରଣ କରି ପାରୁନେ ଆମେ | କେଉଁଠି ବିରାମ ଚିହ୍ନ ଦେବା ଏ ଅସୁମାରୀ କାମନାର ଚିଠାରେ , ତା ‘ ବି ଜାଣି ପାରୁନେ | ପ୍ରତ୍ୟେକ ବର୍ଣ୍ଣାଶ୍ରମର ନିଜସ୍ୱ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି |

ଆମେ ନିଜର ଆତ୍ମ ସ୍ୱରୂପଠୁ ଯେତେ ଅଧିକ ଦୂରରେ, କାମନା ଆମକୁ ସେତେ ଅଧିକ କଲବଲ କରନ୍ତି | ଅହର୍ନିଶି ଆମକୁ ଜୀବନ ଯାତ୍ରାରେ ଦଉଡାଇ ଆକ୍ତାମାକ୍ତା କରି ଦିଅନ୍ତି – ଯେମିତି ପଙ୍ଖାର ପକ୍ଷ ସବୁ ….ଯେଉଁ ବିନ୍ଦୁଟି ପଙ୍ଖାର ପକ୍ଷ ର ଅଗ୍ରଭାଗରେ, ତାହା ସବୁଠୁ ଅଧିକ ଦୌଡୁଥାଏ | ଅଥଚ କେନ୍ଦ୍ର ରେ ଥିବା ମୋଟର ହାଣ୍ଡିକୁ ଦେଖନ୍ତୁ ତ ! ସବୁଠୁ ସ୍ଥିର |

ବାରମ୍ବାର ନିଜର ଅନ୍ତର୍ମନକୁ ଝାଙ୍କି ନିଜର କାର୍ଯ୍ୟପନ୍ଥାକୁ ସ୍ଥିର କରି ଏବେ କେନ୍ଦ୍ରକୁ ଯିବା ହିଁ ଆମ ଲକ୍ଷ୍ୟ ହେଉ | ତେବେ ହିଁ ଏ ଚକ୍ରର ଦୌଡରୁ ଓହରି ଆମେ କେନ୍ଦ୍ରରେ ସ୍ଥିରତା , ଶାନ୍ତି ଓ ଚିରାନନ୍ଦ ପ୍ରାପ୍ତ ହେବା |

= ଶୁଭମସ୍ତୁ =


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *