My Cheat Story A Tale of Fear, Art, and Innocence
May 5, 2026
ମାତୃତ୍ଵ ଦିବସ ବନାମ ଶାଶୁ ଦିବସ
ମାତୃତ୍ଵ ଦିବସ ବନାମ ଶାଶୁ ଦିବସ
June 8, 2026
ଯା ଦେବୀ ସର୍ଵଭୁତେଷୁ

ଡାଃ ବିୟତପ୍ରଜ୍ଞା ଆଚାର୍ଯ୍ୟ
ଚରିତ୍ର
ଡାଃ ସନ୍ଧ୍ୟା – ମୁଖ୍ୟ ଚରିତ୍ର medical officer AIDS cell – 40 ବର୍ଷ
ସିଦ୍ଧାନ୍ତ – ସନ୍ଧ୍ୟାର ସ୍ୱାମୀ , IT କମ୍ପାନୀରେ senior manager – 45 ବର୍ଷ
ସାୟାନ୍ତନା – ସନ୍ଧ୍ୟା , ସିଦ୍ଧାନ୍ତ ଙ୍କର ପ୍ରଥମ ସନ୍ତାନ – 16 ବର୍ଷ
ସାର୍ଥକ – ସନ୍ଧ୍ୟା , ସିଦ୍ଧାନ୍ତଙ୍କର ଦ୍ୱିତୀୟ ସନ୍ତାନ – 11 ବର୍ଷ
ରଶ୍ମିତା – ସଂଧ୍ୟାର ସାଙ୍ଗ
ନର୍ସ – AIDS cell ର ନର୍ସ
ଶାନ୍ତି – AIDS cell ର ପିଅନ
ବିୟୁଟିସିଏନ ୨-୩ ଜଣ
ଅଦିତି – ସିଦ୍ଧାନ୍ତ ଅଫିସର ଷ୍ଟେନୋ – 25 ବର୍ଷ

ପ୍ରଥମ ଦୃଶ୍ୟ

ବୈଠକ ଘର । ସଂଧ୍ୟା ସୋଫାରେ ବସି ପତ୍ରିକା ଲେଉଟାଉଥାଏ । ଘଣ୍ଟି ବାଜେ; ସଂଧ୍ୟା ଉଠି କବାଟ ଖୋଲେ। ଭିତରକୁ ଦଉଡ଼ି ଆସନ୍ତି ସାର୍ଥକ ଓ ସାୟାନ୍ତନା ।
ସାର୍ଥକ: ମମ୍ମି ଜାଣିଛ ନା ଆଜି କଣ ହେଲା ? ଆମର progress report ମିଳିଲା। ମୋର position କଣ କହିଲ?
ସଂଧ୍ୟା (ମୁହଁରେ ଦୁଷ୍ଟାମୀର ହସ ଖେଳେଇ) : ଏଥର 3rd ?
ସାର୍ଥକ: ହୁଁ ! ! ତମ ପୁଅ 3rd ହେବ ?1st ହୋଇଛି ….ଆଉ ଜାଣିଛ,math ଓ science ରେ ମୋର 100 out of 100 treat ପକ୍କା ତ ଏଥର?
ସଂଧ୍ୟା:(ଝିଅ ମୁଣ୍ଡରେ ହାତ ବୁଲେଇଦେଇ ): ତୋ ରେଜଲ୍ଟ କ’ଣ ହେଲା ମାମା? ମୁହଁ ଶୁଖେଇଚୁ ଯେ? ସବୁ ଥର 1st ହେଲେ ଖାଲି ହେଉଛି? ଏମିତି position ଉପର ତଳ ତ ହୁଏ । Competition ସବୁବେଳେ ନିଜ against ରେ ହେଲେ ଭଲ ସାୟାନ୍ତନା।
ସାୟନ୍ତନା: ନା ମମ୍ମି ସେ କଥା ନୁହେଁ। ଏଥର ବି 1st ହୋଇଛି ଯେ ହେଲେ Physics ଏତେ ଭଲ marks ଆସିଲାନି । ଗୋଟେ silly mistake ପାଇଁ ୫ ମାର୍କ କମିଗଲା ।
ସଂଧ୍ୟା: ଓଃ । ଏଇ କଥା ? ମୋତେ ତ ଡରେଇ ଦେଇଥିଲୁ ପୁରା ।
ସାର୍ଥକ : ମମ୍ମି ଏଥର ତ big treat ହେବ ନା ? କୁହ ନା , କୁହ ନା । ଆଜି ଯିବା ତ ?
ସଂଧ୍ୟା: ପାପା ଏପର୍ଯ୍ୟନ୍ତ ଆସିନାହାନ୍ତି ବାବା । ଆଜି ବି ଡେରୀ ରାତି ରେ ହିଁ ଆସିବେ । Sunday ଦିନ ଯିବା ? ପକ୍କା ।
ସାର୍ଥକ , ସାୟାନ୍ତନା : ପକ୍କା ତ ? ଆଉ ଯେମିତି cancel ନ କର ।
ସାୟାନ୍ତନା : ଆଜିକାଲି ତ ପାପାଙ୍କୁ ଆମ ପାଇଁ ଜମା time ନାହିଁ…. ଖାଲି କାମ , କାମ ଆଉ କାମ । ସେ କ’ଣ ଏକା company manager ହୋଇଛନ୍ତି । ଆଗପରି ଆମେ ଆଉ outing ରେ ବି ଯାଉନେ ।
ମମ୍ମି , ତୁମେ ବି ତ ଜଣେ doctor । ତୁମର ସବୁ କାମ ପରେ ମଧ୍ୟ ଆମପାଇଁ ଯଥେଷ୍ଟ ସମୟ ଦେଇଛ । ଆମର ଯେକୋଣସି Problem ରେ ତୁମକୁ ହିଁ ହାତ ପାହାନ୍ତାରେ ପାଇଛୁ । ସବୁବେଳେ ତୁମେ ଆମ ପିଛା ଛାଇପରି ଲାଗି ରହିଛ ।
ସ°ଧ୍ୟା (ଟିକିଏ ଦବିଲା କଣ୍ଠରେ ) : ଛିଃ ମାମା ? ଏମିତି କହନ୍ତିନି।
ପାପାଙ୍କର ଅଫିସ୍ ରେ ଦିନକୁ ଦିନ କାମ ବଢୁଛି |
(ଟିକିଏ ଶୁଖିଲା ହସ ହସି) OK ଆଜି ice-cream party for my Genius ପରେ ବଡ treat। ଏବେ ଖୁସ୍ ?
(ମିଳିତ ହସ)

ଦ୍ୱିତୀୟ ଦୃଶ୍ୟ

S.T.D clinic- AIDS cell
ସଂଧ୍ୟା କାର୍ଯ୍ୟବ୍ୟସ୍ତ । ନର୍ସ କିଛି କାଗଜପତ୍ର ଧରି ପହଞ୍ଚିଲେ ।
ନର୍ସ : ମାଡାମ ଆଜି ୪ ଜଣ HIV Positive … କ’ଣ ଯେ ହେଲାଣି ଓଡ଼ିଶାରେ I ଏ ରୋଗଟା ତ octopus ପରି ମାଡ଼ି ଗଲାଣି । ଏ ୪ ଜଣ ଭିତରୁ ପୁଣି ଗୋଟେ ଛୁଆ I କି କର୍ମ କରିଥିବ ପୂର୍ବ ଜନ୍ମରେ କେଜାଣି !
ସଂଧ୍ୟା : ମଣିଷର ଦୁରାଚାରର ଏ ନମୂନା । ହଁ , ତେବେ ଛୁଆ ଗୁଡିଙ୍କର ବା କି ଦୋଷ ? ଆଚ୍ଛା, ଏ ରିପୋର୍ଟ ସବୁ properly fileରେ ରଖିଦିଅନ୍ତୁ I କାଲିର awareness campaign ପାଇଁ ମଧ୍ୟ ଟିକିଏ discussion କରିବା ।

ସଂଧ୍ୟାର ସାଙ୍ଗ ରଶ୍ମିତାଙ୍କର ଭିତରକୁ ପ୍ରଵେଶ

ସଂଧ୍ୟା : ଓଃ my God ରଶ୍ମିତା ! ଏତେ ଦିନ ପରେ ? ଏଇ ଗୋଟେ ସହରରେ ରହି ମୋ କଲେଜ ସାଙ୍ଗ ସଂଗେ ଏତେ କମ ଦେଖାହେବ ବୋଲି ମୁଁ ଜାଣି ନ ଥିଲି । ଇସ୍ , ତୁ ନା ଜମା ବଦଳିନୁ । ପୂରା ସେଇ କଲେଜ ଚେହେରା । ତୋତେ ଦେଖି ମୋର ଈର୍ଷ୍ୟା ହେଉଛି।
ନର୍ସ : ମ୍ୟାଡ୍‌ମ, ମୁଁ ପରେ ଆସୁଛି ।
ସଂଧ୍ୟା : ଶାନ୍ତିକୁ କହିବେ ଚା ଟିକିଏ ଆଣିଦେବ ।
ରଶ୍ମିତା : ଆଉ, କାମ କେମିତି ଚାଲିଛି, ପିଲାମାନେ କେମିତି ଅଛନ୍ତି ? ତୋ husband କେମିତି ଅଛନ୍ତି ?
ସଂଧ୍ୟା : ସବୁ 1st class , ଆଉ ତୋର ? ତୋ ଅଫିସ୍‌ଟା ସିଦ୍ଧାନ୍ତଙ୍କ ଅଫିସ୍‌ ପାଖରେ ନା ? କେବେ କେବେ ଦେଖାହୁଏ ନା ନାହିଁ ?
ଶାନ୍ତି ଚା ଆଣି ରଖିଦେଇ ଯାଏ । ଦୁହେଁ ମିଳିତ ସ୍ୱରରେ Thank you କହନ୍ତି |
ରଶ୍ମିତା(ଦବିଲା ସ୍ଵରରେ) : ନା , ଆମର କେବେ ସାମନା ସାମନି ଭେଟ ହୋଇନି । କିନ୍ତୁ ମୁଁ ଚିହ୍ନେ ସିଦ୍ଧାନ୍ତଙ୍କୁ । ଆଉ ଆଜି କିଛି ସେଇ ବିଷୟରେ ହିଁ କହିବାକୁ ଆସିଛି ।
ସଂଧ୍ୟା: କ’ଣ ହୋଇଛି , କହ ?
ରଶ୍ମିତା : ବହୁତ ଭାବିଲା ପରେ ହିଁ ତୋ ପାଖକୁ ଆସିଲି । Actually ଗତ କିଛି ମାସ ହେବ ସିଦ୍ଧାନ୍ତଙ୍କୁ ଏକ ଅଳ୍ପବୟସୀ ଝିଅ ସାଙ୍ଗରେ ବିଭିନ୍ନ ସମୟରେ ନିଜ ଗାଡ଼ିରେ ବସେଇ ନେବାଟା ନିଜ ଆଖିରେ ଦେଖିଛି | ଧୀରେ ଧୀରେ ଅନ୍ୟମାନଙ୍କ ମୁହଁରୁ ଜାଣିଲି ଯେ , ସେ ତାଙ୍କ ନୂଆ ଷ୍ଟେନୋ ଅଦିତି | ତୁ ଥରେ ସିଦ୍ଧାନ୍ତଙ୍କୁ ସାମନା ସାମନି ପଚାରି ଦେଖେ | ହୁଏତ ପାଦ ଖସିବା ପୂର୍ବରୁ ତୁ ତାଙ୍କୁ ଅଟକାଇ ପାରିବୁ|
ସଂଧ୍ୟା (କାନ୍ଦେ ) : ସିଦ୍ଧାନ୍ତ ? ସିଦ୍ଧାନ୍ତ ପୁଣି ଏତେ ତଳକୁ ଖସି ଯାଇପାରନ୍ତି ? ମତେ ଆଉ ୨ ମାସ ଗଲେ ୪୦ ବର୍ଷ ପୂରିବ | ଆଉ ସେ ମୋଠୁ 5 ବର୍ଷ ବଡ଼ | ଅଥଚ଼, ନିଜ ବୟସର ଅଧା ବୟସ ଝିଅଟା ସାଙ୍ଗେ! ଛିଃ ! ନିଜ ପିଲା ଦିଟାଙ୍କ କଥା ମଧ୍ୟ ମନେ ପଡିଲାନି !|
(ଟିକିଏ ନିଜକୁ ସମ୍ଭାଳି ନେଇ)
Thank you, Rashmi, ମୁଁ ଜାଣେ ତୁ ସେତିକି sure ନ ହୋଇଥିଲେ ମୋତେ ଏଠିକି ଆସି ଏତେ ବଡ କଥା କହି ନ ଥାନ୍ତୁ | ତଥାପି ମୁଁ ନିଜ ଆଖିରେ ସବୁ ଦେଖିବାକୁ ଚାହେଁ | Thank you again.
ରଶ୍ମିତା : (କାନ୍ଧ ଥାପୁଡେଇ ଦେଇ ) ଆଚ୍ଛା, ମୁଁ ଆସୁଛି । ତୁ ଗୋଟେ fighter , ଏଥର ବି ତୁ ଜିତିବୁ I ମୋର ମନେ ଅଛି କେମିତି ପିଲାଦିନେ ସାଙ୍ଗମାନେ ପାଟି ଲାଗୁଛି ବୋଲି ତୋତେ ଚିଡ଼େଇବାରୁ , ପର ସପ୍ତାହରେ ବକ୍ତୃତା ପ୍ରତିଯୋଗିତାରେ first ହୋଇଥିଲୁ ।
ଆଉ ତୋ ବାପା ଯେତେବେଳେ ତୋତେ କହିଥିଲେ ଯେ Scienceକୁ ଡରି Arts ରେ ନାଁ ଲେଖେଇବାକୁ ଚାହୁଁଛୁ , ତୁ କେମିତି ସେ challenge କୁ ଗ୍ରହଣ କରି +2 science ରେ topper ଓ ପରେ medical ଏଣ୍ଟ୍ରାନ୍ସ ରେ qualify କରି ଡାକ୍ତର ହୋଇଥିଲୁ |
I think you can get over it .
ସଂଧ୍ୟା :(ଲୁହ ପୋଛେ )ହଁ , ଅନେକ କିଛି କରିବାକୁ ହେବ | ସିଦ୍ଧାନ୍ତଙ୍କୁ ତାଙ୍କ କର୍ମ ଫଳ ଭୋଗିବାକୁ ହିଁ ହେବ |
ମୁଁ ବୁଝିପାରୁନି ରଶ୍ମି , କାହିଁକି ପୁରୁଷ ଖାଲି ପୁରୁଷ ହୋଇ ରହିଯାଏ | ସ୍ତ୍ରୀଟିଏ ନିଜକୁ ମା , ଭଉଣୀ ପରି ଅନେକ ଚରିତ୍ରରେ ବିଚ୍ଛୁରିତ କରି ଅସ୍ତିତ୍ୱହୀନ ହେଇଯାଇଥିବାବେଳେ ପୁରୁଷ କାହିଁକି ଏମିତି …ହଉ ଛାଡେ …..

ତୃତୀୟ ଦୃଶ୍ୟ

ଘଣ୍ଟା announce କରେ ” It’s 11 0′ clock” କୁକ୍କୁ କୁକ୍କୁ — କଲିଂବେଲର ଶବ୍ଦ |
ସଂଧ୍ୟା କବାଟ ଖୋଲେ | ସିଦ୍ଧାନ୍ତଙ୍କର ପ୍ରବେଶ | ସଂଧ୍ୟା coat ଓହ୍ଲାଇ ଦିଏ |
ସିଦ୍ଧାନ୍ତ: ପିଲାମାନେ ଶୋଇଲେଣି ?
ସଂଧ୍ୟା : ହଁ , ରାତି ୧୧ଟା ହେଲାଣି ଯେ | ଆଜି କାହିଁକି ଏତେ ଡେରି ?
ସିଦ୍ଧାନ୍ତ(ଅଳସ ଭାଙ୍ଗି , ହାଇ ମାରି ): ହଁ , ଆଜି client meeting ଥିଲା | ବାହାରେ dinner ବି କରିଆସିଛି | ତୁମେ ଖାଇ ନେଇଛ ତ?
ସଂଧ୍ୟା : ହୁଁ ! ତୁମ ବିନା କେବେ ଖାଏ କି?
ସିଦ୍ଧାନ୍ତ : ଓଃ , ବଡ ଉପକାର । କେତେଥର କହିଛି ସେ pseudo -concern ମୋତେ ଦେଖେଇବନି । time ହେଲେ ତ ଖାଇଦେବ , ଜଗିବା କ’ଣ ଦରକାର ?
ସଂଧ୍ୟା (ଶାନ୍ତ ସ୍ୱରରେ) : ଆଜିକାଲି frequently client meeting ରହୁଛି । ବୋଧହୁଏ ।
ସିଦ୍ଧାନ୍ତ (ଚିଡି କରି): ନା,ମୁଁ ଅୟସ କରି କୋଉଠୁ ଆସୁଛି ।
ସିଦ୍ଧାନ୍ତର ପ୍ରସ୍ଥାନ I
ସଂଧ୍ୟା (ଶାନ୍ତ ସ୍ୱରରେ) : ହଁ … ତୁମ ଦେହରୁ ବାହାରୁଥିବା ladies perfume ବାସ୍ନା ବେଶ୍ client meeting ଆଭାସ ଦେଉଛି । କାଲି ମୋତେ ଦେଖିବାକୁ ହେବ ଏ ଅତିଥି କିଏ, ଯା ପାଇଁ ଆମର ୧୭ ବର୍ଷର ବୈବାହିକ ଜୀବନକୁ ତୁମେ ବାଜି ରେ ଲଗେଇବାକୁ ତିଆର ।

ଚତୁର୍ଥ ଦୃଶ୍ୟ

ପରଦିନ ସକାଳ । ସଂଧ୍ୟା ପୂଜା କରି ମୁଣ୍ଡିଆ ମାରି ଉଠୁଥାଏ । ସିଦ୍ଧାନ୍ତ ଝଡ ପରି ବାହାରି ଯାଉ ଯାଉ –
ସିଦ୍ଧାନ୍ତ : ଆଜି lunch ମୋର ବାହାରେ । ଅପେକ୍ଷା କରିବନି ।
ସିଦ୍ଧାନ୍ତଙ୍କର ପ୍ରସ୍ଥାନ ।
ସଂଧ୍ୟା : ଓଃ , ତେବେ ନିଆଁ ଖୁବ୍ ଜୋରରେ ଲାଗିଲାଣି । ରାତିରେ dinner , ସକାଳ ର lunch , ଆହୁରି ପୁଣି କେତେ କ’ଣ କେଜାଣି ? Aditi, here I come.

ପଞ୍ଚମ ଦୃଶ୍ୟ

ରେଷ୍ଟୁରାଣ୍ଡ ରେ ରାମଚ , ପ୍ଲେଟରେ ଟୁଁଗ ଟାଙ୍ଗ ଶବ୍ଦ । ୩-୪ ଟା ଟେବୁଲ୍ ପଡିଛି ।
ମଞ୍ଚ ପାଖକୁ ଗୋଟେ ଟେବୁଲରେ ବସି ସଂଧ୍ୟା menu cardରେ ମୁହଁ ଅଧା ଢାଙ୍କି ରହିଛି । ଶାଢ଼ୀ ବଦଳରେ salwar suit ଓ ଆଖିରେ ଏକ କଳା ଚଷମା |
ସିଦ୍ଧାନ୍ତ ଏବଂ ଅଦିତିର ହାତ ଧରା ଧରି ହୋଇ ପ୍ରବେଶ | ମଞ୍ଚର ପଛପଟକୁ ଟେବୁଲ୍ ରେ ସିଦ୍ଧାନ୍ତ ସଂଧ୍ୟାକୁ ପଛ କରି ବସନ୍ତି । saxophone music ଓ ଗୁଣୁଗୁଣୁ କଥାବାର୍ତ୍ତା । ସିଦ୍ଧାନ୍ତ ଓ ଅଦିତି ହାତ ଉପରେ ହାତ ରଖି ହସି ହସି ଗଡି ଯାଉଥାନ୍ତି ।
ସିଦ୍ଧାନ୍ତ : ମୁଁ ଟିକିଏ fresh ହୋଇ ଆସୁଛି order ଦେଉଥାଅ
ଅଦିତି : କ’ଣ order ଦେବି ?
ସିଦ୍ଧାନ୍ତ (ଝୁଙ୍କି ପଡି ) : Anything of your choice.
ସଂଧ୍ୟା: ହୁଁ…..dear…..! your choice …… (ମୁହଁରେ ଘୃଣା ମିଶା ଈର୍ଷ୍ୟା ଭାବ)
ସିଦ୍ଧାନ୍ତର ପ୍ରସ୍ଥାନ ।
ସଂଧ୍ୟା ଉଠିଯାଇ ଅଦିତି tableରେ ବସେ ।
ସଂଧ୍ୟା : ଅଦିତି ନା ?
ଅଦିତି : ହଁ…. ହଁ….. ହଁ । ହେଲେ ଆପଣ ?
ସଂଧ୍ୟା : ମୋତେ ଚିହ୍ନବା ଦରକାର ନାହିଁ । ଆଚ୍ଛା ! ତୁମେ ସିଦ୍ଧାନ୍ତ କୁ ଖୁବ ବେଶି ଭଲ ପାଅ ନା ?
ଅଦିତି ସଲ୍ଲଜ ହସି ମୁଣ୍ଡ ଟୁଂଗାରେ ।
ସଂଧ୍ୟା : କାଲି ସଂଧ୍ୟା ୫ ଟାରେ ଏଠି ପୁଣି ଦେଖାହେବା I ଏକେଲା ଆସିବ ।
ଏ ସାକ୍ଷାତ ବିଷୟରେ ଖବରଦାର କାହକୁ କିଛି କହିବନି |
ଏଥିରେ ତୁମର ହିଁ ମଙ୍ଗଳ |
ସଂଧ୍ୟା ଝଡପରି ବାହାରିଯାଏ । ସିଦ୍ଧାନ୍ତଙ୍କର ପ୍ରବେଶ ।
ସିଦ୍ଧାନ୍ତ: Are you OK?
ଅଦିତି (ଅସ୍ବସ୍ତିର ଭାବ) Ya ya ….I am fine.

ଷଷ୍ଠ ଦୃଶ୍ୟ

“ସଲୋନୀ ବିଉଟି ପାର୍ଲର” । ଏକା ସାଙ୍ଗେ ୩ଜଣ beautician ତିନିଆଡୁ କିଛି କିଛି କରୁଛନ୍ତି ।
Beautician: ମାଡାମ୍ । ପ୍ରଥମ ଥର ବୋଧହୁଏ eyebrow shape କରାଉଛନ୍ତି?
ସଂଧ୍ୟା : ହଁ ….. ଭାବୁଛି ଜନ ତରଫରୁ ଥିବା ଭୁଲ୍‌କୁ ପ୍ରଥମେ ସୁଧାରନିଏ । ସଂସାର ଦୌଡରେ ଟିକିଏ ପଛରେ ରହି ଯାଇଛି ବୋଧେ….
beautician: ମାନେ?
ସଂଧ୍ୟା : ଆରେ ନା , ତୁମେ ବୁଝିବନି ।
(ଠିଆ ହୋଇ mirror ମୁହଁ ଦେଖେ) ବାଃ! ଖୁବ୍ ଭଲ effect ତ! ମୋର ଆଗରୁ ଏଠିକି ଆସିବାର ଥିଲା ବୋଧହୁଏ Thanks to all of you.
(ସାମ୍ନାକୁ ବୁଲିପଡି) Now, operation patent medicine.

ସପ୍ତମ ଦୃଶ୍ୟ

ରେଷ୍ଟୁରାଣ୍ଟ ଦୃଶ୍ୟ । music ବାଜୁଥାଏ ।
ଅଦିତି ଅଧୈର୍ଯ୍ୟ ହୋଇ କନକନ ହୋଇ ଅପେକ୍ଷା କରିଛି ସଂଧ୍ୟାଙ୍କ ପାଇଁ । ଘଣ୍ଟାରେ ୫ଟା (ଢଂ ଢଂ ଶବ୍ଦ)
ସଂଧ୍ୟା କଳା ଚଷମା ଟେକି ଅଦିତି ଆଗରେ ବସନ୍ତି ।
ସଂଧ୍ୟା: କେତେଦିନ ହେବ ଜାଣିଛ ସିଦ୍ଧାନ୍ତଙ୍କୁ ?
ଅଦିତି: ୫ମାସ ହେବ |
ସଂଧ୍ୟା: ଜାଣିଛ , ସେ ବିବାହିତ ଆଉ ୨ଟି ସନ୍ତାନର ଜନକ ବୋଲି |
ଅଦିତି: ହଁ |
ସଂଧ୍ୟା: ତଥାପି ସିଦ୍ଧାନ୍ତଙ୍କୁ ଭଲ ପାଅ? ସେ ତୁମକୁ ବାହା ହେବାର ପ୍ରତିଶ୍ରୁତି ଦେଇଛନ୍ତି?
ଅଦିତି: ପ୍ରେମ ଶାଶ୍ୱତ | ପ୍ରେମ ଦେଖେନି ଜାତି, ଧର୍ମ, ବର୍ଣ୍ଣ, ବୟସ | ତା’ ଛଡା ବିବାହରେ ଯେ କେବଳ ପ୍ରେମର ସାର୍ଥକତା ରହିଛି ତା’ନୁହେଁ | ସିଦ୍ଧାନ୍ତ ଖୁସି ନୁହନ୍ତି ତାଙ୍କ married life ରେ |
ସଂଧ୍ୟା: ଖୁବ ବେଶି Mills and Boons ଉପନ୍ୟାସ ପଢ ବୋଧହୁଏ, ନ ହେଲେ movies ଆଉ reels ଦେଖ ବୋଧେ |
ଅଦିତି: (ରାଗି ଠିଆ ହୁଏ ) ହେଲେ ଆପଣ ଏ ସବୁ ପଚାରିବାକୁ କିଏ ?
ସଂଧ୍ୟା: ବସିଯାଅ (ଆଖିରେ ଆଖି ରଖି) ମୁଁ ସିଦ୍ଧାନ୍ତରେ ପତ୍ନୀ ସଂଧ୍ୟା|
ଏଥର ଦୁହିଁଙ୍କ କଥୋପକଥନ loud music ରେ ଦବିଯାଏ | ସନ୍ଧ୍ୟା ମଝିରେ ମଝିରେ ହସି ହସି ଗଡି ଯାଉଥାନ୍ତି, କେତେବେଳେ କେମିତି ଅଦିତି ଆଖିରେ ଆଖି ରଖି କଥା ହେଉଥାନ୍ତି l
(ଏଠାରେ ଏକ କ୍ୟାବ୍ରେ ଗୀତ ଓ ନାଚ ରଖା ଯାଇପାରେ)
ସଂଧ୍ୟା ଅଦିତି ହାତରୁ braceletଟିକୁ ଛଡେଇ ନେଇ ଠିଆ ହୁଅନ୍ତି |
ଏକ ଭୟଙ୍କର ଚାହାଣି ଦେଇ ବାହାରକୁ ଚାଲିଯାନ୍ତି | ଅଦିତି ସେଇଠି ବସି ଟେବୁଲରେ ମୁଣ୍ଡ ରଖି କାନ୍ଦେ |

ଅଷ୍ଟମ ଦୃଶ୍ୟ
ବୈଠକ ଘର ଦୃଶ୍ୟ |ସଂଧ୍ୟା ପତ୍ରିକା ଓଲଟାଉଥାଏ | ସିଦ୍ଧାନ୍ତ TV ରିମୋଟ ଟା ଜୋରରେ ଟେବୁଲ ଉପରେ କଚାଡି ଦିଅନ୍ତି |
ସିଦ୍ଧାନ୍ତ: ଓଃ ! Shit! India କେବେ ଠିକ ରେ cricket ଖେଳିବ କେଜାଣି?
ସଂଧ୍ୟା: କ’ଣ ଭାରି ସିରିଏସ ତ ?
ସିଦ୍ଧାନ୍ତ: ତୁମେ ସ୍ତ୍ରୀଲୋକ ମାନେ କ’ଣ ବୁଝିବ କ୍ରିକେଟ୍ କ’ଣ ?
ସଂଧ୍ୟା: ସ୍ତ୍ରୀମାନେ ସବୁ ଛାଡି ଦିନସାରା ଯଦି କ୍ରିକେଟ୍ ଦେଖିବେ ତୁମ ପରି ତେବେ hotel ରୁ ଖାଇ ଖାଇ ତୁମର ବ୍ୟାଣ୍ଡ ବାଜିଯିବ | ଆଉ ଯେତେବେଳେ ଏତେ match fixing ଚାଲିଛି ଦିନଟା ନଷ୍ଟ କରି BP ବଢ଼ାଇବା ଦରକାର ନାହିଁ |
ସିଦ୍ଧାନ୍ତ: ହୁଁଃ! ପିଲାମାନେ କାହାନ୍ତି ?
ସଂଧ୍ୟା: ଖେଳିଯାଇଛନ୍ତି |
ସିଦ୍ଧାନ୍ତ: କେତେବେଳେ ତ ପଢ଼ିବାର ଦେଖୁନି, କ’ଣ କରୁଛନ୍ତି ଏଗୁଡାକ ?
ସଂଧ୍ୟା: For your kind information Sir, ଦୁଇ ଜଣ ଯାକ ନିଜ ନିଜ ର class ରେ topper ହୋଇଛନ୍ତି | ଆଉ ଏ ଛୁଟିରେ relax କରିବାଟା ସେମାନଙ୍କର ଅଧିକାର |
କ’ଣ ହୋଇଛି ତୁମର ? ଏତେ ଚିଡଚିଡା କାହିଁକି ରହୁଛ ? ଆଜିକାଲି ତ ସେତେ client meeting ବି ରହୁନି |
ସିଦ୍ଧାନ୍ତ: ଚିଡଚିଡା, my foot ! ତୁମମୁଣ୍ଡ ଖରାପ ହୋଇଯାଇଛି |
ଦୁମ୍ ଦୁମ୍ ହୋଇ ସିଦ୍ଧାନ୍ତର ପ୍ରସ୍ତାନ |
ସଂଧ୍ୟା:(ତିର୍ଯ୍ୟକ ହସି ) କ’ଣ ସିଦ୍ଧାନ୍ତ ସାର ? ତୁମ ଚଢେଇ ଫୁର ?
ମିସ୍ ଅଦିତିଙ୍କ ଅଭାବଟା ଖୁବ୍ ବେଶି ଜଣା ପଡୁଛି…
ହାଃ ହାଃ ହାଃ ……..

ନବମ ଦୃଶ୍ୟ
ବୈଠକ ପରା ଦୂଶ୳| ଘଣ୍ଟି ବାଜେ |
ସଂଧ୍ୟା: ଆରେ ସିଦ୍ଧାନ୍ତ , ଏତେ ଶୀଘ୍ର ଆଜି ?
ସିଦ୍ଧାନ୍ତ: ହଁ , ଦେହଟା କସମସ ଲାଗୁଛି ୨ ଦିନ ହେଲା | viral fever ବୋଧହୁଏ |
ସଂଧ୍ୟା: OK ୨ଦିନ ଛୁଟି ନେଇ ଆରାମ କର | ଅଦା ଚା ଟିକିଏ ବନେଇ ଆଣୁଛି | ଆଜି ମିଶିକି ଚା ପିଇବା ଅନେକ ଦିନ ପରେ | Medicine କିଛି ଖାଇଥିଲ?
ସିଦ୍ଧାନ୍ତ: ହଁ , ଖାଇଥିଲି | ବିଶେଷ କିଛି ଫରକ ପଡିନି |
ସଂଧ୍ୟା: OK antibiotics start କରିଦେବା |
ସିଦ୍ଧାନ୍ତଙ୍କର ପ୍ରସ୍ଥାନ |
ସଂଧ୍ୟା ମୁଁହରେ ଏକ ଅଜବ ହସ ଖେଳାଏ |

ଦଶମ ଦୃଶ୍ୟ

Bedroom | ସିଦ୍ଧାନ୍ତ ଖଟ ଉପରେ ଶୋଇ ରହିଛନ୍ତି | ଟିକିଏ ଟିକିଏ ଖୁଁ ଖୁଁ କାଶୁଛନ୍ତି | ସଂଧ୍ୟାର ପ୍ରବେଶ |
ସଂଧ୍ୟା: ଆଜି କେମିତି ଲାଗୁଛି ? (ମୁଣ୍ଡରେ ହାତ ରଖି ଜ୍ଵର ଦେଖେ)
ସିଦ୍ଧାନ୍ତ: ୪ଦିନ ହେଲାଣି , କାହିଁକି କେଜାଣି ଜ୍ଵର କମୁନି |
ସଂଧ୍ୟା: ବ୍ୟସ୍ତ ହୁଅନି | Medicine ତ ଚାଲିଛି | କାଲି Malaria ଓ Typhoid ପାଇଁ Test କରି ନେଇ ଆସିବି | କ’ଣ ଖାଇବ ?
ସିଦ୍ଧାନ୍ତ: ଆରେ ନା , ପତଳା ଝାଡା ମଧ୍ୟ ହୋଇଯାଇଛି | ଭଲ ଲାଗୁନି ପେଟଟା | ମୁଁ ବାସ ଶୋଇବି |
ସଂଧ୍ୟା: OK

ଏକାଦଶ ଦୃଶ୍ୟ

ବେଡ଼ରୁମ | କରୁଣ music
ସିଦ୍ଧାନ୍ତ ଖଟ ଉପରେ ଚାଦର ଘୋଡ଼ିହୋଇ ଶୋଇଛନ୍ତି | ସଂଧ୍ୟାର ମୃଦୁ ପଦପାତରେ ପ୍ରବେଶ |ମୁହଁଟା ଶୁଖିଯାଇଛି |
ସିଦ୍ଧାନ୍ତ: (ଅଳ୍ପ ହସି ) କ’ଣ ବାହାରିଲା ? ମେଲେରିଆ ନ ଟାଇଫଏଡ?
ସଂଧ୍ୟା: କୋଉଟା ବି ନୁହେଁ |
ସିଦ୍ଧାନ୍ତ: ତା’ହେଲେ viral? ଏମିତି ମୁହଁଟା କାହିଁକି ଶୁଖେଇଛ ?
ସଂଧ୍ୟା: ହଁ ବିରଳ | କିନ୍ତୁ…
ସିଦ୍ଧାନ୍ତ: କିନ୍ତୁ କ’ଣ ? (ଉଠି ବସନ୍ତି)
ସଂଧ୍ୟା: Viral ଟା AIDS Viral.
ସିଦ୍ଧାନ୍ତ: AIDS??? How can it be possible? I mean, how it can happen to me? Are you sure?
ସଂଧ୍ୟା: ମୁଁ ମଧ୍ୟ ଭାବିଥିଲି ସେଇଆ | ସେଥିପାଇଁ ନିଜ lab ରେ ୩ ପ୍ରକାର ଟେଷ୍ଟ କରି confirm କଲି | ତା’ପରେ ମୋ ନିଜର ରକ୍ତ ମଧ୍ୟ ପରୀକ୍ଷା କଲି negative result ପାଇଲି |
ମୋ ଜାଣିବାରେ ତୁମେ ତ କେବେ injection ଟିଏ ବି ନେଇନ?
(ସ୍ୱର ପରିବର୍ତ୍ତିତ)
ସିଦ୍ଧାନ୍ତ , ତୁମର ଅନ୍ୟ କାହା ସହ ସମ୍ପର୍କ ……
ସିଦ୍ଧାନ୍ତ: Oh, dammit! Don’t you have any faith in me?
ମୋତେ AIDS….. ମୋତେ AIDS?
ଗୁଣୁ ଗୁଣୁ ହୋଇ ସିଦ୍ଧାନ୍ତଙ୍କ ପ୍ରସ୍ଥାନ |
ପୁଣି ଫେରିଆସି …”ସଂଧ୍ୟା, blood donation ଦେଲାବେଳେ ଏଇଟା ହେଇନି ତ ?
Oh my God! I’m just 45 ମୋର କେତେ ସ୍ୱପ୍ନ କେତେ ଆକାଂକ୍ଷା ……”
ପୁନରାୟ ପ୍ରସ୍ଥାନ|
ସଂଧ୍ୟା: ବିଶ୍ୱାସ ତ କରିଥିଲି ସିଦ୍ଧାନ୍ତ | ଆଖି ବୁଜି ବିଶ୍ୱାସ | କ’ଣ ମୂଲ୍ୟ ଦେଲ ମୋ ବିଶ୍ୱାସର ! ଦିନେ ଏଇ ପାପୀ ଜିଭରେ ତୁମେ ତୁମ ଦୋଷ ସ୍ୱୀକାର କରିବ| ଆଉ blood donation ସମୟରେ ଯଥେଷ୍ଟ precaution ନିଆଯାଇଥାଏ and Mr. Siddhant ମୋ ଜାଣିବାରେ ତୁମେ କେବେ blood donation ପାଖ ମଧ୍ୟ ମାଡ଼ିନ |
ପୁନରାୟ ସିଦ୍ଧାନ୍ତଙ୍କ ପ୍ରବେଶ |
ସିଦ୍ଧାନ୍ତ: ସଂଧ୍ୟା, କାଲି ମୋର ଆଉଥରେ blood test କରିବାକୁ ଚାହେଁ |
ସଂଧ୍ୟା: I’m sorry ସିଦ୍ଧାନ୍ତ , ତୁମ ଉପରେ ଅଯଥା ସନ୍ଦେହ କଲି ମୋ blood negative ଅସିଲାରୁ |
ମୁଁ ଏମିତି ହଠାତ ପଚାରିଦେଲି କାରଣ ଆଜି ମୋ କ୍ଲିନିକ୍ କୁ ଖୁବ ସୁନ୍ଦର ଝିଅଟିଏ ଆସିଥିଲା , ବୟସ ୨୪-୨୫ ବର୍ଷ ହେବ | କେତେ ସରଳ ନିଷ୍ପାପ ଚେହେରା | ଅଥଚ AIDS Victim |
ସେ ପୁଣି ଏକାଧିକ ପୁରୁଷଙ୍କ ସଂଗେ ସମ୍ପର୍କ ରଖିଛି | ନାଁ କ’ଣ ନା ଅଦିତି , ଅଥଚ ଅନ୍ଧାରର ଉତ୍ସ ଭାବେ କାମ କରୁଛି | ପଇସା ଲୋଭରେ ହୁଏତ କିମ୍ବା ଆଉ କିଛି ……
ସିଦ୍ଧାନ୍ତ: ନାଁ କ’ଣ? ଅଦିତି ? ଏଇ ଭୁବନେଶ୍ଵରରେ ତା ଘର ବୋଲି କହୁଥିଲା? ତୁମେ ଦେଖିଛ ପରା ?
ସଂଧ୍ୟା: ହଁ
ସିଦ୍ଧାନ୍ତ: ପ୍ରାୟ ୫’୩” ହେବ | ବାଁ ଗାଲରେ ଗୋଟେ କଳାଯାଇ ଅଛି ?
ସଂଧ୍ୟା: ଓଃ , ତୁମେ କ’ଣ ଜାଣ ତାକୁ ? Actually patient ର ତଥ୍ୟ ମୁଁ ଗୋପନ ରଖିବା ଉଚିତ |
ସିଦ୍ଧାନ୍ତ: ଆରେ ନା , ନା ଏତେ ଭଲ ଭାବେ ଜାଣେନା | ଏଇ ଆମ ଅଫିସର ଜଣେ employee ଙ୍କର distant relative
ସଂଧ୍ୟା: ଓଃ!
ସିଦ୍ଧାନ୍ତ: ସଂଧ୍ୟା, ମୋର ଆଉ ଥରେ confirmatory test କରେଇ ଆଣ| I don’t believe this. I can’t accept this.
ସଂଧ୍ୟା: ନିଶ୍ଚୟ …ମୋ ସଂସାର ଆଜି ଚୁରମାର ହେଇ ଯାଉଛି …ମୋ ପାଦ ତଳୁ ମାଟି ଖସି ଯାଉଛି ସିଦ୍ଧାର୍ଥ …ଠାକୁରଙ୍କୁ ଡାକୁଛି, ଏଥର ଟେଷ୍ଟ ଟା ନେଗେଟିଭ ଆସୁ…..
ସନ୍ଧ୍ୟା ଭୋ ଭୋ କରି କାନ୍ଦି ଉଠିଲା

ଦ୍ଵାଦଶ ଦୃଶ୍ୟ

ବୈଠକ ଘର | ସିଦ୍ଧାନ୍ତ ଵ୍ୟସ୍ତହୋଇ ପଦଚାରଣ କରୁଥାନ୍ତି | ସଂଧ୍ୟାର ପ୍ରବେଶ |
ସିଦ୍ଧାନ୍ତ: କ’ଣ ହେଲା ? check କଲ?
ସଂଧ୍ୟା:Yes , positive again.
ସନ୍ଧ୍ୟା ସୋଫା ଉପରେ ଲଥ କରି ବସି ପଡିଲା
ସିଦ୍ଧାନ୍ତ:ଓଃ ମାଇଁ ଗଡ଼….. ଓଃ ମାଇଁ ଗଡ଼
(ସଂଧ୍ୟାର ହାତ ଧରି କାକୁତି ହୋଇ କହନ୍ତି)
“ସଂଧ୍ୟା, please ମୋ ପତ୍ନୀ ହିସାବରେ, ଡାକ୍ତର ହିସାବରେ ତୁମେ ଏ ତଥ୍ୟ ସମସ୍ତଙ୍କଠୁ ଗୋପନ ରଖିବ | ପିଲାମାନେ ଯେମିତି ଏ ବିଷୟରେ କିଛି ନ ଜାଣନ୍ତି |
oh my god | ମୋ ମୁଣ୍ଡ ବୁଲାଉଛି| ମୋ ଦେହ କ’ଣ ହେଇଯାଉଛି ସଂଧ୍ୟା ମୋ ହାତରେ ଆଉ କେତେ ଦିନ ଅଛି? Tell me ସଂଧ୍ୟା ….tell me .
ସଂଧ୍ୟା:ସିଦ୍ଧାନ୍ତ , please calm down.
(ଦୀର୍ଘଶ୍ୱାସ ନେଇ) କହିହେବନି | kichhi masa , କିଛି ବର୍ଷ ବି ହୋଇପାରେ | ମଝିରେ ମଝିରେ ଏମିତି ଟିକିଏ ଦେହ ଖରାପ ହେବ | Anyway ତୁମେ କାଲିଠୁ ଅଫିସ join କର | ମନ ପରିବର୍ତ୍ତନ ହୋଇଯିବ | ତୁମର treatment ଆଜିଠୁ ଆରମ୍ଭ କରିଦେଉଛି |
ପିଲାମାନଙ୍କର ପ୍ରବେଶ |
ସାର୍ଥକ , ସାୟନ୍ତନା : ମମି ପାପା |
ସାୟନ୍ତନା : ଆଜି କେମିତି ଲାଗୁଛି ପାପା ?
ସିଦ୍ଧାନ୍ତ : ଭଲ , much better.
ସଂଧ୍ୟା: ମୁଁ ଚା ଆଣେ (ଲୁଚେଇକରି ଆଖି ପୋଛି ପ୍ରସ୍ଥାନ)
ସିଦ୍ଧାନ୍ତ ପିଲା ଦୁହିଁଙ୍କୁ ନେଇ ସୋଫା ଉପରେ ବସେ | ହସି ହସି ସମସ୍ତେ କଥା ହୁଅନ୍ତି |
ଖୁସି ସଙ୍ଗୀତର ମୂର୍ଚ୍ଛନା
ସଂଧ୍ୟା କୋଣରେ ଠିଆ ହୋଇ ଖୁସିରେ ଦେଖେ ଏ ପୁର୍ନମିଳନ|

ତ୍ରୟୋଦଶ ଦୃଶ୍ୟ

ସିଦ୍ଧାନ୍ତ ଖୁଁ ଖୁଁ ହୋଇ କାଶୁଥାଏ | ଏକ ଦୁଃସ୍ଥ ରୋଗୀର ବେଶ ଭୁଷା |
ସିଦ୍ଧାନ୍ତ: ନା , ଏ ଦୋଷୀ ଭାବ ନେଇ ଆଉ ବଂଚି ହେଉନି | ସେ ଅଦିତି ମତେ ଏମିତି ଫସେଇବ ବୋଲି ଜାଣି ନଥିଲି | ଛାଡ , ଦୋଷ ମୋର ବି ତ ଥିଲା | ମୋ ପାପକର୍ମର ଏ ଶାସ୍ତି| ନା ସନ୍ଧ୍ୟା ଆଗରେ ମୋ ଦୋଷଟା ମାନିବା ଅପେକ୍ଷା ମୃତ୍ୟୁ ବରଂ ଶ୍ରେୟସ୍କର | ହଁ ଠିକ , ମୁଁ ଆତ୍ମହତ୍ୟା କରିବି |
ଏମିତି ବି ପ୍ରତି ମୁହୂର୍ତ୍ତରେ ମୁଁ ମରୁଛି | ଆଜି ହିଁ ଏ ଜୀବନକୁ ଶେଷ କରିଦେବି |
ନିଦ ବଟିକା ବୋତଲରୁ ବଟିକା କାଢି ଖାଇବାକୁ ଯାଉଥାନ୍ତି ……
ଏ ସମୟରେ ସନ୍ଧ୍ୟା ଝଡ ଭଳି ଦୌଡ଼ି ଆସେ | ହାତକୁ ମାରି ବୋତଲ ତଳେ ପକେଇଦିଏ |
ସନ୍ଧ୍ୟା : ଏ କ’ଣ ? ଆତ୍ମହତ୍ୟା ଭଳି ମହାପାପ କରିବାକୁ ଯାଉଥିଲ! ଆମମାନଙ୍କ କଥା ଥରେ ବି ଭାବିଲନି?
ସିଦ୍ଧାନ୍ତ (କାନ୍ଦି କାନ୍ଦି ) ମୋତେ ମୃତ୍ୟୁ ଦିଅ ସନ୍ଧ୍ୟା ….. ମୋତେ ମୃତ୍ୟୁ ଦିଅ | ମୁଁ ଶୀଘ୍ର ଏ ଜୀବନକୁ ଶେଷ କରିବାକୁ ଚାହେଁ | ମୃତ୍ୟୁକୁ ଅପେକ୍ଷା କରି ତିଳ ତିଳ ହୋଇ ମରିବାକୁ ଚାହୁଁନି…… ଆଉ ମୁଁ ପାରୁନି … ପାରୁନି
ସନ୍ଧ୍ୟା : ଛିଃ ! ଏମିତି ପିଲାଙ୍କ ପରି କଣ ହେଉଛ ? ଚାଲ ମୁଁ ଏ injection ଟା ଦେଇ ଦେଉଛି | ଆରାମରେ ଶୋଇ ପଡିବ |
ସିଦ୍ଧାନ୍ତ (ଟିକେ ସ୍ଥିର ହୋଇ)– ସନ୍ଧ୍ୟା ମୋତେ କ୍ଷମା କରିଦିଅ | ମୁଁ ତୁମ ସହ ଅନ୍ୟାୟ କରିଛି |
ସନ୍ଧ୍ୟା: କ୍ଷମା ?
ସିଦ୍ଧାନ୍ତ: ମୁଁ ତୁମର ଅପରାଧୀ ସନ୍ଧ୍ୟା l ମନେ ଅଛି ତୁମର ସେ ରୋଗୀ ଅଦିତି କଥା ? ତା ଯୋଗୁଁ ହିଁ ମୋର ଏ ଅବସ୍ଥା ଆଜି l
ମୁଁ ପଥଭ୍ରଷ୍ଟ ହୋଇ ଯାଇଥିଲି ତା ରୂପରେ l ସେ ମୋ ଷ୍ଟେନୋ ହୋଇ ଯୋଗ ଦେଇଥିଲା ଆମ ଅଫିସ ରେ l ତା ରୂପ ମୋହରେ ଭଳି ତୁମ କଥା, ପିଲାଙ୍କ କଥା …ସବୁ ଭୁଲି ଯାଇଥିଲି I ଜାଣି ନ ଥିଲି, ମୁଁ ଏକ ବିଷକନ୍ୟାର ଜାଲରେ ପଡି ଯାଇଥିଲି I ଆଉ ତା ବିଷ ଆଜି ମୋ ରକ୍ତରେ ଚରୁଛି I
ଜାଣେ ମୁଁ ଅକ୍ଷମଣୀୟ ଅପରାଧ କରିଛି, ହେଲେ ମଧ୍ୟ ମୁଁ ତୁମ ପାଖେ କ୍ଷମାଭିକ୍ଷା କରୁଛି I
ସନ୍ଧ୍ୟା: କ୍ଷମା କଣ ମୁଁ ଜାଣେନି I
ସିଦ୍ଧାନ୍ତ: ଏମିତି ନିର୍ଦ୍ଦୟ ହୁଅନି ସନ୍ଧ୍ୟା ଏତିକି ତୁମ ଆଗରେ କହିବା ପାଇଁ ମୁଁ ମୃତ୍ୟୁଠାରୁ ବଳି ଅଧିକ ସଂଘର୍ଷ କରିଛି | ନାରୀ କରୁଣାର ଅବତାର ବୋଲି କୁହାଯାଏ | ମୋର ବା ଆଉ କେତେ ଦିନର ଜୀବନ? ମୋତେ କ୍ଷମା ଦିଅ ସନ୍ଧ୍ୟା | ଅନ୍ତତଃ ମୁଁ ଶାନ୍ତିରେ ମରି ପାରିବି |
ସନ୍ଧ୍ୟା: ହାଃ ହାଃ ହାଃ… ନାରୀକୁ କରୁଣାର ମୂର୍ତ୍ତି କହି ତା ସହିଷ୍ଣୁତାକୁ ତା ଦୁର୍ବଳତା ଭାବି ତାକୁ ଭୋଗ କରି ମନ ଭରିଗଲେ ଟିସୁ ପେପର ପରି ଫିଙ୍ଗି ଦେବାଟା ପୁରୁଷମାନଙ୍କର ପୁରୁଣା ଅଭ୍ୟାସ |
ତୁମର ଏ କୁକର୍ମ ପାଇଁ ମୁଁ ତୁମକୁ ଯଥେଷ୍ଟ ଦଣ୍ଡ ଦେଇ ସାରିଲିଣି I ତୁମ ଜାଣିବା ପାଇଁ କହୁଛି , ତୁମକୁ AIDS ହୋଇନି I (ECHO music)
ସିଦ୍ଧାନ୍ତ ଅବାକ ହୋଇ ସନ୍ଧ୍ୟାକୁ ଅନେଇ ରହନ୍ତି I
ସନ୍ଧ୍ୟା: ମୁଁ ଅଦିତି ବିଷୟରେ ବହୁତ ଆଗରୁ ଜାଣି ସାରିଥିଲି I ହେଲେ ଅନ୍ୟମାନଙ୍କ ପରି ଅଶ୍ରୁମୋଚନ କରି ୧୭ ବର୍ଷର ଆମର ଘନିଷ୍ଠ ସମ୍ପର୍କକୁ ତିକ୍ତ ଛାଡପତ୍ରରେ ଶେଷ କରିବାକୁ ଚାହୁଁ ନ ଥିଲି I ଏତିକି ଦିନ ଭିତରେ ବୁଝି ପାରିଥିବ ଯେ,
ସ୍ତ୍ରୀମାନଙ୍କର ସେମାନଙ୍କ ସ୍ଵାମୀମାନଙ୍କର ଅଙ୍କଶାୟିନୀ ହେବା ବ୍ୟତିରେକେ ଅନେକ ପ୍ରାଧାନ୍ୟ ଅଛି ପୁରୁଷ ଜୀବନରେ |
ଅଦିତିକୁ ତୁମର ଚିରାଚରିତ favourite ରେସ୍ତୋରାଁକୁ ଡକେଇ କହିଲି , ” ଏବେ ଚାହିଁଲେ ତୋ ଜୀବନ ଏମିତି ଉପାୟରେ ନେବି ଯେ ତୁ ତ ତୁ, ପୋଲିସ କିମ୍ବା ଡାକ୍ତରୀ ମାଇନା କରୁଥିବା ଡାକ୍ତର କେହି ବି ଜାଣିପାରିବେନି | ଆଉ ତାକୁ କେଉଁ ଉପାୟରେ ମାରିବି ତା ମଧ୍ୟ ତାକୁ ଜଣେଇଲି | ଏକ ଦାୟିତ୍ୱବାନ ଡାକ୍ତର ହିସାବରେ ତୁମ ସାମ୍ନାରେ ତା ଅବଶ୍ୟ କହିବିନି |
ସିଦ୍ଧାନ୍ତ : ଓଃ ! ତେବେ ସେଥିପାଇଁ କାହାକୁ କିଛି ନ ଜଣେଇ ଅଫିସ ରୁ ଗାଏବ ହୋଇଗଲା !
ସନ୍ଧ୍ୟା : ବାସ ସେତିକିରେ ତା ପ୍ରେମରୋଗ ଥଣ୍ଡା ପଡିଗଲା | ଆଉ ମୋର ବହୁତ ଦିନରୁ ହଜି ଯାଇଥିବା diamond bracelet ଟା ମଧ୍ୟ ଉଦ୍ଧାର କରି ଆଣିଲି | ଅଯଥାରେ ଯାହା ମୁଁ ଚାକରାଣୀ ଉପରେ ସନ୍ଦେହ କରୁଥିଲି |
ହାଃ ହାଃ ହାଃ….
ସିଦ୍ଧାନ୍ତ : ତେବେ ଏତେ ଦିନରୁ ଯେ ମୋର ଦେହ ଖରାପ ଲାଗି ରହିଛି ?
ସନ୍ଧ୍ୟା : ପ୍ରଥମେ ତୁମକୁ viral ଜ୍ୱର ହିଁ ହୋଇଥିଲା | ତା ପରେ ବାକି ଯାହା ସବୁ ଥିଲା ସେ ସବୁ Antibiotics ଓ Anti AIDs ଔଷଧ ଯୋଗୁଁ | ଆଉ କିଛି କାମ ଦେଲା ତୁମ guilt , ମାନେ ଦୋଷୀଭାବ |
ସିଦ୍ଧାନ୍ତ : ତୁମେ ଡାକ୍ତର ହୋଇ ….
ସନ୍ଧ୍ୟା : ଆଉ ତୁମେ ସ୍ୱାମୀ ହୋଇ , ବାପା ହୋଇ ଯେ ଆମ ସହ ଏତେ ବଡ ଧୋକା କରି ଚାଲିଥିଲ, ସେ କିଛି ନୁହେଁ ?
ସେ ଯୁଗ ଚାଲିଗଲା ଯେବେ ନାରୀକୁ ପୁରୁଷ ପାଦଧୂଳି ମନେ କରୁଥିଲା | ଶାରୀରିକ ଶକ୍ତି ସଂଗ୍ରହ କରିବାକୁ ହୁଏତ ଆମକୁ ସୁଯୋଗ ମିଳିନି | କିନ୍ତୁ ମାନସିକ ଶକ୍ତି କିଛି କମ ନାହିଁ |
ଏଥର ମୋ କ୍ଷମା ଦେବା ନ ଦେବାରେ ବିଶେଷ କିଛି ଯାଏ ଆସେ ନାହିଁ |
You have paid it off Mr. Siddhant.

(ଅନ୍ଧାର ହୋଇ ଆଲୋକିତ ହେଲା ବେଳକୁ ସଂଧ୍ୟାର ଦଶଭୁଜା ରୂପ)
ସିଦ୍ଧାନ୍ତ ଆଣ୍ଠେଇ ପଡି ଗା’ନ୍ତି (ଥର ଥର କଣ୍ଠରେ )

ଯା ଦେବୀ ସର୍ବଭୂତେଷୁ ମାତୃରୂପେଣ ସଂସ୍ଥିତା ।
ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ॥

ଯବନିକା ପତନ ||
ସମାପ୍ତ


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *