Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367
ବେଟି ବଚାଓ , ବେଟି ପଢ଼ାଓ
June 19, 2022
ଚଉଷଠି ଯୋଗିନୀ ମନ୍ଦିର ଓ ବାବୁଗିରି
June 19, 2022

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1338

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1343

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1365

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1366

Warning: Trying to access array offset on false in /home/u480314390/domains/drvpacharya.com/public_html/wp-content/themes/themes/betheme/functions/theme-functions.php on line 1367

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ଏଇ ଆମ କେଶବ କ୍ୟାଣ୍ଟିନର କଥା | ଛୋଟ ପିଲାଟିଏ ଆସି କାମ ଶିଖୁଥାଏ , ଅବା କେବଳ ମୁଠେ ଖାଇବାକୁ ଆଉ ରହିବାକୁ ଛାତ ଖଣ୍ଡେ ମିଳୁଥାଏ ବୋଲି ସେଇମିତି କାମ କରୁଥାଏ | ଅନେକ ଦିନରୁ କାନ୍ଥରେ ଚୂନ ନ ବାଜି କ୍ୟାଣ୍ଟିନର  ରୋଷେଇଶାଳର କାନ୍ଥ ସବୁ ଯେମିତି ମସିଆ ଆଉ ମଇଳା , ସେଇଭଳି କୋଚଟ ସାର୍ଟ ଖଣ୍ଡେ ପିନ୍ଧି ସେ ଟେବୁଲରୁ  ଟେବୁଲକୁ ଜଳଖିଆ ଚା ବଢ଼େଇ ଦିଏ | କେଉଁ ପାଖ ପଡା (ପଶ୍ଚିମାଞ୍ଚଳରେ ସୀମିତ ଅଂଚଳକୁ  ନେଇ ପଡ଼ା ଗଢି ଉଠେ) କିମ୍ବା ଗାଁ ରୁ ଖାଇବାକୁ ନ ପାଇ ଏଠି ଆସି ୧୦– ୧୧ ବର୍ଷ ବୟସରେ ଏ କାମ ଧରିଥିବ ପରା | ହେଲେ ମୁହଁ ଟି ସବୁବେଳେ ହସ ହସ, ସେ ସବୁବେଳେ ଚଳଚଞ୍ଚଳ | ଅଳ୍ପ ଦିନ ଭିତରେ ସେ କିଛି ଛାତ୍ରଙ୍କର ପ୍ରିୟଭାଜନ ହୋଇପାରିଥାଏ | ସମସ୍ତେ ତାକୁ ‘ଛୋଟୁ‘ ଡାକନ୍ତି – ସତ ନାଁ କି ଏଇମିତି, କେହି ଜାଣନ୍ତିନି | 

ଆମ ଲାଇବ୍ରେରୀକୁ ଲାଗି କ୍ୟାଣ୍ଟିନ | ଆଜୀବନ ମେଡିକାଲ ଛାତ୍ରଛାତ୍ରୀଙ୍କୁ ପର୍ବତ–ପ୍ରମାଣ  ବହି ସବୁ ପଢିବାକୁ ପଡେ | କେବଳ ପାଠ ପଢି ପରୀକ୍ଷା ଦେଲେ ସେଠି କଥା ସରେନି | ବରଂ ଏହା ଉପରେ ଆହୁରି ଯେତେ ନୂତନ ତଥ୍ୟ ମିଳୁଥାଏ ତାକୁ ମଧ୍ୟ ହୃଦ୍ୟ କରିବାକୁ ପଡେ | ଦୁଇ ପଟେ ଥାକ ଥାକ ବହି ଭିତରୁ ବାହାରି ଆସି କ୍ୟାଣ୍ଟିନରେ ଖଟି କରିବାଟା ସତେ ଯେମିତି  ମରୁଭୂମିରେ ମରୁଦ୍ୟାନ ପରି | ମୁଁ ବି ଛୋଟ ଛୋଟ ଖଟିରେ ସାମିଲ ହେବାକୁ ଚେଷ୍ଟା କରେ , ନତୁବା ପରବର୍ତ୍ତୀ  କାଳରେ  ଏକା ଏକା ଚା‘ ଗୋଟେ ପି‘ ପୁଣି ଲାଇବ୍ରେରୀକୁ ଫେରେ | ଥରେ ଏକା ଏକା ସକାଳ ୧୦ ଟା ବେଳକୁ  କ୍ୟାଣ୍ଟିନରେ କାଚ ଗ୍ଲାସରେ ଚା‘ ଟିକିଏ ଧରି ତଳମୁହାଁ ହୋଇ ବସି କିଛି ଗୋଟେ ଅଲଗା କହି ପଡୁଥାଏ | ସେତେବେଳେର ମୋବାଇଲ ବିହୀନ ଜମାନାରେ ହାତରେ ଗଳ୍ପ, ଦର୍ଶନ ବା ଉପନ୍ୟାସ ବହି ଖଣ୍ଡେ ହାତରେ ରହୁଥିଲା |

ଆଖି କୋଣରୁ ଦେଖିଲି ଯେ, କ୍ୟାଣ୍ଟିନରେ ଅପେକ୍ଷାକୃତ ସିନିଅର କର୍ମଚାରୀ ପିଲାଟି ଛୋଟୁକୁ କୌଣସି ବିଷୟ ନେଇ ଗାଳି କରୁଛି | ମୁଁ ବହି ଉପରେ ଆଖି ରଖି ଉତ୍କର୍ଣ୍ଣ ହୋଇ ଶୁଣୁଥାଏ | ଛୋଟୁ ଛେନାପୋଡରୁ ଗୋଟିଏ ଖଣ୍ଡ ଖାଇବାକୁ ମାଗିବାରୁ ବଡ ପିଲାଟି ତାକୁ ମନ ଇଛା  ଅଶ୍ରାବ୍ୟ ଭାଷାରେ ଗାଳି କରୁଥାଏ | ଛୋଟୁ କାନ୍ଦ କାନ୍ଦ ହୋଇ ଏପଟ ସେପଟ ଅନଉଥାଏ |

 ଛୁଆଟା  ମାଗିଥିଲା ଅବା କ‘ଣ ? ଆଃ, ଏବେ ଉଠିଯା‘ନ୍ତି ପରା !  ମୋ ପର୍ସରେ ୫୦ ଟଙ୍କା ଅଛି | ଦେଇ ପାରିବି ତ – ହେଲେ, ଏତେ  ଲଜ୍ୟାଶୀଳା ଥିଲି ଯେ ମୁଁ , ସତେ ଅବା ମୋ ପାଦରେ ମହଣେ ହେବ ଲୁହା ଶିଙ୍କୁଳି କିଏ ବାନ୍ଧି ଦେଇଥିଲା | କିଏ କଣ ଭାବିବ ପରା!

ଝିଅମାନଙ୍କୁ ପିଲାଦିନୁ ଶିକ୍ଷା ଦିଆଯାଇଥାଏ – ଅଚିହ୍ନା ଲୋକ ସାଙ୍ଗେ ମିଶିବୁନି , କଥା ହେବୁନି , କଥା ହେଲେ ଜୋର ପାଟିରେ ହସିବୁନି , ଓଢଣୀ ଠିକ ବେକରୁ ପେଟ ଯାଇଁ ପକେଇ କାନ୍ଧରେ ଦୁଇଟା ସେପ୍ଟିପିନରେ କାମିଜ ସାଙ୍ଗେ ଜଡେଇ ରଖିବୁ , ଗୋଡ ବାଡେଇ ଚାଲିବୁନି  ଇତ୍ୟାଦି | ଏମିତି ଅନେକ କଟକଣା ଭିତରେ ବଢି ମୋର ଗନ୍ତବ୍ୟ ଘରୁ କଲେଜ ଯାଏଁ ଓ କଲେଜରୁ ଘର | ଦୋକାନ ବଜାର କହିଲେ କେବଳ ଆମ କଲୋନୀର “ଗଦା”  ପାନ ଦୋକାନ ଯାଏଁ |

ଏମିତି କଟକଣାରେ ବଢିଥିବା ‘ମୁଁ ‘ ଆଖି ଉଠେଇ କାହାକୁ ଦେଖି ତ ପାରେନି , ଛୋଟୁକୁ ଛେନାପୋଡ଼ ଖଣ୍ଡେ କେମିତି ଉଠିଯାଇ ଧରେଇ ପାରିଥା‘ନ୍ତି | ଲାଇବ୍ରେରୀ ଫେରି ଆସିଲି | ହେଲେ ସେଇ ଚିନ୍ତା ମନରେ ଘାରୁଥାଏ , ଭାବିଲି ଆଜି ନହେଲା ନାହିଁ କାଲି  ଆଗତୁରା ଯାଇ ଦୁଇ ପିସ ଛେନାପୋଡ଼ ମଗେଇବି, ଆଉ ଗୋଟେ ପିସ ଚୁପକିନା ଛୋଟୁ ହାତରେ ଦେଇ କହିବି ଖା‘– ସେ ଟିକେ ଲାଜ ଲାଜ  ହୋଇ ମୋ ହାତରୁ ଛେନାପୋଡ଼ ନେବ ଆଉ ତା ପରେ ଫିକକିନା ହସି ପକେଇବ| ଆଃ! ସେ ହସ ଟିକକ ମୋତେ ଦେଖିବାର ଅଛି | ସୁଖଦ ସମ୍ଭାବନାରେ ମଜ୍ଜି  ମେଡିସିନର  ‘ହ୍ୟାରିସନ‘ ବହିରେ କେତେ ପୃଷ୍ଠା କୁ ନ ବୁଝି ‘ହାଇଲାଇଟର‘ରେ ରଙ୍ଗେଇ ଦେଲି | ଏବେ ‘କାଲି‘ କୁ ଅପେକ୍ଷା |

‘କାଲି‘ ଆସିଲା |

କିନ୍ତୁ କ୍ୟାଣ୍ଟିନକୁ  ଛେନାପୋଡ଼ ଆସି ନଥିଲା | ଓଃ! ଭଗବାନ କେଡେ ନିଷ୍ଠୁର ! ଆଜି ବି ଛୁଆଟିକୁ ନିଶ୍ଚିତ ଏକା ଛେନାପୋଡ଼ ଖଣ୍ଡକରୁ ବଂଚିତ କଲେ ! ହେଲେ ୨୪ ଘଣ୍ଟା ହେବ ମୋ ମନରେ ଯେଉଁ ରିହରସଲ ଚାଲିଥିଲା , ସେଥିରେ ଯବନିକା ପତନ ହେଲା ଓ ମୁଁ ଆଶ୍ଚର୍ଯ୍ୟ ଭାବେ ଆଶ୍ୱସ୍ତ ହେଲି |

ଗୋଟିଏ ସପ୍ତାହ  ଯାଏଁ ତା‘ ପରେ ଆଉ ଯାଇ ପାରିଲିନି କ୍ୟାଣ୍ଟିନକୁ ନାନାଦି କାର୍ଯ୍ୟକ୍ରମ ଯୋଗୁଁ |  ହେଲେ ଛୋଟୁ ଆଉ ଛେନାପୋଡ଼ ଓ ମୋର ଛୋଟୁକୁ ଖୁସି କରିବାର ରିହରସଲ ମୋ ମନ ଭିତରେ ନିରନ୍ତର ଚାଲିଥାଏ | ଏ ଭିତରେ ମୁଁ ମାନସିକ ସ୍ତରରେ ପୋଖତ  କଳାକାର ହୋଇଯାଇଥାଏ | 

ଅଷ୍ଟମ ଦିନ ବୀରଦର୍ପରେ ଯାଇ ପହଞ୍ଚିଲି କ୍ୟାଣ୍ଟିନରେ |ଏ ଭିତରେ ଛେନାପୋଡ଼ ଦାନ ସାଙ୍ଗରେ ବରା, ସିଙ୍ଗଡ଼ା ଗୋଟିଏ ଗୋଟିଏ ମଧ୍ୟ ଯୋଡି ହୋଇଯାଇଥାଏ |

କ୍ୟାଣ୍ଟିନ ମାଲିକ କେଶବକୁ ଦେଖି ଟିକିଏ ହସିଦେଲି, ସେ ମଧ୍ୟ ଦୋ –ଦୋ ପାଞ୍ଚ ହୋଇ ମୋ ହସର ପ୍ରତ୍ୟୁତ୍ତର ଦେଲା| ଆଖି ସାଙ୍ଗେ ସାଙ୍ଗେ ମସିଆ କାଚ ରч।କ  ପାଖକୁ ଚାଲିଗଲା | ପୁରା ସଜ ଗୋଲିଆ ଛେନାପୋଡ ଥୁଆ ହୋଇଛି | ଆଃ! ସଦ୍ୟ ଛଣା ବରା, ସିଙ୍ଗଡ଼ା ବି |

ଗୋଟିଏ କୋଣିକିଆ ଟେବୁଲ ଦେଖି କାନ୍ଥ ଆଡକୁ ମୁହଁ କରି ବସିଲି | ଆଖି ମୋର ଛୋଟୁକୁ ଖୋଜୁଥାଏ ,ହେଲେ ସେ କାହିଁ ଦିଶୁ  ନଥାଏ | 

ବଡ଼ପିଲା କର୍ମଚାରୀଟି ପଚାରିବାକୁ ଆସିଲା ମୋର କଣ ଦରକାର  ବୋଲି | ମୁଁ ଆଉ ଟିକିଏ ଆଖି ପହଁରେଇ କହିଲି , “ଦୁଇ ପିସ ଛେନାପୋଡ଼” | ସେ ୫ ସେକେଣ୍ଡ ଭିତରେ ଛୋଟିଆ ଷ୍ଟିଲ ପ୍ଲେଟରେ ଦୁଇ ପିସ ଛେନାପୋଡ଼  ସଶବ୍ଦେ ଥୋଇଦେଲା |

ମୁଁ ଏ ଭିତରେ ଟିକିଏ ବୀରତ୍ୱ ହାସଲ କରିଥାଏ ଦୋ ଦୋ ପାଞ୍ଚ ହୋଇ ପଚାରି ପକେଇଲି “ଛୋଟୁ କାଇଁ ?” ସେ ବି ଉତ୍ତରଟେ ଫୋପାଡ଼ି ଦେଇ ଚାଲିଗଲା – “ସେ ନାହିଁ |” 

ଆଉ ଆଗକୁ ପଚାରି ପାରିଲିନି |ମୋ ଦମ୍ଭର ବେଲୁନରେ କେହି ପିନଟିଏ ଫୋଡି ଦେଇଥିଲା | ମୋ ପ୍ରଶ୍ନ ସେମିତି ଅସମାହିତ ହୋଇ ବୋଧହୁଏ ରହି ଯାଇଥାନ୍ତା , ଠିକ ସେମିତି ବେଳକୁ ଆମ ସିନିଅର ଭାଇ (ଆମେ ସିନିଅରମାନଙ୍କୁ ‘ଭାଇ‘ ଓ ‘ଦିଦି‘ ବୋଲି ସମ୍ବୋଧନ କରୁଥିଲୁ)  କେଶବ ସାଙ୍ଗେ କଥା ହେଉଥିବାବେଳେ ଏତିକି ଠଉରାଇଲି  ଯେ, ଛୋଟୁର ମା ଦେହ ଭଲ  ନଥିଲା ବୋଲି ସେ ଗାଁ କୁ ଫେରିଗଲା |

ମୁଁ ଦ୍ୱିତୀୟ ପିସ ଛେନାପୋଡ଼ଟି ଆଡକୁ ବଡ ବିକଳରେ ଅନେଇରହି ନିଜକୁ ନିଜେ ମନରେ ଧିକ୍କାରିଥିଲି | ଆଉ କେବେ ବି ସୁଯୋଗ ପାଇବିନି ସତେ ସେ ଛୁଆଟିର ମୁହଁରେ ହସ ଫୁଟେଇବାକୁ |    

୨୫ ବର୍ଷ ପରେ ……………………………….   

‘ମନଜିନିଷ‘ ବେକେରୀ ଦୋକାନକୁ ମୁଁ ମୋ ଦୁଇ ଝିଅଙ୍କୁ ବହୁତ ଦିନ ପରେ ନେଇଥାଏ |ସ୍ୱତଃ ମୁଁ ସେମାନଙ୍କୁ ସେଠାକୁ ନେଇ ଥିବାରୁ ଦୁହେଁ ସେ ସୁଯୋଗର ଭରପୂର ଫାଇଦା ଉଠେଇବାକୁ ଚାହୁଁଥା‘ନ୍ତି | ନିଜର ପସନ୍ଦର ପ୍ୟାଷ୍ଟ୍ରି , ପ୍ୟାଟିସ ବାଛୁଥା‘ନ୍ତି  |ଏଇଟା ନାଇଁ ..ନାଇଁ ସେଇଟା… ମୁଁ ଜାଣୁଥାଏ ମୁଁ ଯେଉଁ ମଧ୍ୟବିତ୍ତୀୟ  ଚିନ୍ତାଧାରା ସେମାନଙ୍କ ମୁଣ୍ଡରେ ପୂରେଇଛି , ନିଜ ଆୟତ୍ତ  ମଧ୍ୟରେ ରହି ଖର୍ଚବାର୍ଚ୍ଚ କରିବ, ନିଜର ସ୍ୱାଭିମାନ ବଜାୟ ରଖିବ …ଇତ୍ୟାଦି …ସେଥିରେ ସେମାନଙ୍କ ମନ ସୁଦୃଶ୍ୟ ପ୍ୟାଷ୍ଟ୍ରି ଓ ତା ତଳେ ଲେଖାଥିବା ମୂଲ୍ୟ ଭିତରେ ସଂଘର୍ଷ କରୁଥାଏ | ଶେଷକୁ ନିଜ ନିଜ ପସନ୍ଦର ପ୍ୟାଷ୍ଟ୍ରି ଧରି ଖୁସିରେ ଭିଡ଼ ଆଡ଼େଇ ଦୋକାନ ମୁହଁ ପାଖରେ ଯାଇ ଖାଇବା ଆରମ୍ଭ କରିଦେଲେ | ମୁଁ ପଇସାପତ୍ର ଛିଣ୍ଡେଇବାରେ ବ୍ୟସ୍ତ ରହିଲି |

ଏତିକି ବେଳେ ମୋର ୧୧ ବର୍ଷୀୟ ସାନଝିଅ ପଛରୁ ଆସି ଧୀରେ ଧୀରେ ଡାକି ଧିମା ସ୍ୱରରେ କହିଲା – “”ମୁଁ ଆଉ ଗୋଟେ ପ୍ୟାଷ୍ଟ୍ରି ନେଇ ପାରିବି ….”

ମୁଁ ବଡ ବଡ ଆଖିରେ କ୍ରୁଦ୍ଧ ଦୃଷ୍ଟି  ନିକ୍ଷେପ କରିବ ପୂର୍ବରୁ ସେ କହି ଉଠିଲା – “ନା ନା ,  ମୋ ପାଇଁ ନୁହଁ …ସେ ହାତଠାରି ଦୋକାନ ଦ୍ୱାରଦେଶରେ ଠିଆ ହୋଇଥିବା ନୁଖୁରାମୁଣ୍ଡୀ ଭିକାରୀ ଝିଅଟିଏ ଆଡକୁ ହାତ ଦେଖେଇଲା | ତା ପାଇଁ “…..

“ଘରକୁ ଗଲେ ମୁଁ ମୋ ପକେଟ ମନିରୁ ଦେଇଦେବି ….ପ୍ଲିଜ …ମୋ ଆଡକୁ ଅନେଇ କାକୁତି ମିନତି କଲା ” ମୁଁ ଫିକକରି ହସିଦେଇ ମୁଣ୍ଡ ଟୁଙ୍ଗାରି  ଦେଲି | ଟ. ୨୫/- ର ‘ବଟରସ୍କଚ‘ ପ୍ୟାଷ୍ଟ୍ରିଟିଏ ନେଇ ମୋ ଝିଅ ସେ କୁନି ନୁଖୁରାମୁଣ୍ଡୀ ଝିଅଟିକୁ ଦେଇ ଆସିଲା | 

ମୋ ମନରେ ୨୦ ବର୍ଷ ତଳର ଟ. ୪ /- ର ଛେନାପୋଡ଼ ଚିତ୍ରଟି ଏ ଭିତରେ ଉଜ୍ଜୀବିତ ହୋଇ ଉଠିଥାଏ | ଆଃ! କି ଖୁସି ସେ କୁନି ଝିଅଟି | ମୋ ଝିଅ ଫେରିଆସି ଆହୁରି ସୂଚନା ଦେଲା ଯେ , ସେ ଝିଅଟିର ମା‘ର ଦେହ ଭଲ ନାହିଁ , ତେଣୁ ସେ ଏକା ଆସିଛି |

ତାକୁ ଝିଅ ଏ ଭିତରେ ପଚାରି ଦେଇଥାଏ ଆଉ କିଛି ଦରକାର କି ନାହିଁ , ସେ କୁନି ଝିଅଟି ବି ବୁଝେଇଦେଲା ଯେ , ନା‘ , ତାର ଏବେ ଆଉ କିଛି ଦରକାର ନାହିଁ | ଆଉ କେହି ସହୃଦୟ ଗରାଖ ଆସିଲେ ଆଉ ଟିକିଏ ପରେ କିଛି ଦେଇଦେବେ | ବାଃ ! ନିଜ ଭାଗ୍ୟ ଉପରେ କି ଭରସା!ସେ ଝିଅ ଟି ମୁହଁରେ ମୋତେ ଛୋଟୁ ମୁହଁ ସତେ ଯେମିତି ଦିଶିଗଲା|

ଘରକୁ ଫେରିଲା ବେଳେ ଭାବୁଥାଏ କେତେ କଥା , ସତରେ ନାରୀ ସ୍ୱାଧୀନତା , ଯାହା ମୋ ମା‘ଙ୍କ ସମୟରେ ଏକ ଦୁର୍ଲ୍ଲଭ ସ୍ୱପ୍ନ  ଥିଲା , ତା‘ ମୋ ଠାରେ ଏକ କଳିକା ପରି ସମ୍ଭବି   ଆଜି ମୋ ଝିଅଠାରେ ପୂର୍ଣ୍ଣ ପ୍ରସ୍ଫୁଟିତ ହେଲାପରି ମନେ ହେଲା| ନାରୀ ସ୍ୱାଧୀନତାକୁ ଅନେକେ ନାରୀର ଅଧୋପତନ କିମ୍ବା ଉଦ୍ଧତ ବ୍ୟବହାର ସହ ତୁଳନା କରିପକାନ୍ତି | ଜାଣି ରଖିବା ଉଚିତ ଯେ , କବାଟ କୋଣରେ ହାତେ ଓଢ଼ଣାରେ ରହି ମଧ୍ୟ ଅନେକ ନାରୀ ଅନେକ ପରିବାରର ସର୍ବନାଶ କରିଛନ୍ତି କାଳେ କାଳେ | ସମାଜ ଭୟରେ ଅବା ଦେଖାଣିଆ ସ୍ୱଭାବରେ ଅନେକ କୁଟିଳା ନାରୀ ଅନେକ ପରିବାର ଛାରଖାର କରିଛନ୍ତି ଲଜ୍ଜ୍ଯାର ଆବରଣ ତଳୁ |

ନାରୀ ସ୍ୱାଧୀନତାର ସଠିକ ମାପକ ଓ ଉପଯୋଗ ନାରୀର ପ୍ରକୃତ ଶିକ୍ଷାରେ ରହିଛି | ହୁଏତ କିଛି କାଳ ପାଇଁ ଏ ଦେଶରେ ନାରୀକୁ ଦଳିତା, ନିଷ୍ପେସିତା ଗୋଷ୍ଠୀ ଅନ୍ତର୍ଭୁକ୍ତ କରାଯାଇଥିଲା , ହେଲେ ଅନେକ ମହୀୟସୀ ନାରୀ ସେଇ ନିଷ୍ପେସଣରୁ ବାହାରି ନିଜର ଅସ୍ମିତାକୁ ପ୍ରତିଷ୍ଠିତ କରିଛନ୍ତି |ନାରୀମାନେ ଶିକ୍ଷା, ସ୍ୱାଧୀନତାର ବର୍ମର ସହ ଉପଯୁକ୍ତ ସଂସ୍କାରପ୍ରାପ୍ତ ହେଲେ ଦେଶର ଅଗ୍ରଗତି ଯେ ଅବଶ୍ୟମ୍ଭାବୀ , ଏଥିରେ ସନ୍ଦେହ ନାହିଁ | ତଦୁପରି ସେମାନେ ଭବିଷ୍ୟତର ମା‘ ହୋଇଥିବାରୁ  ଆଗାମୀ ପୀଢ଼ିର ଉତ୍ତର ଦାୟିତ୍ୱ ମଧ୍ୟ ସେମାନଙ୍କ ଉପରେ ନ୍ୟସ୍ତ | ଆଜି ଏ ପରିବର୍ତ୍ତିତ ଉଜ୍ୱଳତର ଯୁଗର ଯବନିକା ଉଠି ସାରିଛି | ଆଗରୁ ଯେଉଁ ନାରୀ ନିଜ ଦୁଃସ୍ଥ ମନୋଦଶାକୁ ଚପେଇ ଦେଇ ଅନେକ ଶୋଷଣ, ଅପରାଧକୁ ନୀଳକଣ୍ଠଙ୍କ ବିଷ ପରି ପିଇ ଯାଉଥିଲା, ସେମାନେ ଏବେ ନିଜ ମନ କଥାକୁ  ଉଚିତ ଭାବରେ ପ୍ରକାଶ କରି ନିଜର ନ୍ୟାଯ୍ୟ ଦାବୀ ଉପସ୍ଥାପନ କରି ପାରୁଛନ୍ତି |

ନାରୀ ପ୍ରତିଭା ଆଜି ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ | ଦଶମ ଶ୍ରେଣୀ ପରୀକ୍ଷା ଫଳ ହେଉ , ଅବା କରୋନା ଆତଙ୍କରେ ସାରଥୀଭାବେ କାର୍ଯ୍ୟରତା ଡାକ୍ତର , ଗବେଷିକା ଓ ପ୍ରଶାସନିକା ହୁଅନ୍ତୁ|

ସମୟର ପ୍ରବାହରେ ଭୁଲ ଠିକର ହିସାବ କିତାବ ତ ଚାଲୁ ରହିବ , ତେବେ ମୋ ୪ ଟଙ୍କାର ଛେନାପୋଡ଼ ଦେଇ ନ ପାରିଥିବା ଘଟଣାର ବୈକଲ୍ୟ  ମୋ ଝିଅର ୨୫ ଟଙ୍କାର ପ୍ୟାଷ୍ଟ୍ରି ମାଧ୍ୟମରେ ଯେ ଦୂରୀଭୂତ ହେଲା, ସେଥିପାଇଁ ସମୟ ଓ ଭଗବାନଙ୍କ ପାଖରେ କୃତଜ୍ଞ |

ପଚିଶ ବର୍ଷ ବ୍ୟବଧାନରେ ସମଭାବlପୂର୍ଣ୍ଣ ଘଟଣା ଯୋଡିଏ ଜଣାଇ ଦିଏ ଯେ, ଆଜି ସତରେ ଆମେ ନାରୀ ସ୍ୱାଧୀନତାକୁ ପ୍ରାଧାନ୍ୟ ଦେଇଛୁ , ନାରୀର ସାମର୍ଥ୍ୟ ବଢେଇବାରେ ସାହାଯ୍ୟ କରିଛୁ I ଧୀରେ ପଛେ ହେଉ , ଅନେକ କିଛି ପରିବର୍ତ୍ତନ ଆସିଛି ସମାଜରେ …ସମୟ, ଭଗବାନ ଓ ଏ ମାଟି ମା‘ ତଥା ଏ ସମାଜ ପ୍ରତି ମୁ କୃତଜ୍ଞ ।।


Warning: Trying to access array offset on null in /home/u480314390/domains/drvpacharya.com/public_html/wp-content/themes/themes/betheme/includes/content-single.php on line 259
vpacharya

Leave a Reply

Your email address will not be published. Required fields are marked *