ଦୀର୍ଘ ୪୫ ମିନିଟ ଯାତ୍ରାରେ ସମ୍ବଲପୁରରୁ ବୁର୍ଲା ପହଞ୍ଚିଲା ଭିତରେ କେତେବେଳେ ବଗ ପରି ଏକ–ପାଦାସନରେ ଠିଆ ହୋଇ ଅଥବା କେତେ ବେଳେ ଆଗକୁ ବା ପଛକୁ ଝୁଙ୍କି ଶେଷକୁ ଯେତେ ବେଳେ ସିଟ ଖଣ୍ଡେ ପାଏ , ସେତେ ବେଳେ ଗନ୍ତବ୍ୟ ସ୍ଥାନରେ ପଂହଁଚିବାକୁ ଆଉ ମାତ୍ର ୫ ମିନିଟ; ହଉ, ଜଗନ୍ନାଥଙ୍କ କୃପା | ଅନ୍ତତଃ ଆକଣ୍ଠ ହାଣ୍ଡିଆ–ପାନିତ ପଛ ପଟେ ଠିଆ ହୋଇ ଥିବା ବୃଦ୍ଧଙ୍କ ସଂସ୍ପର୍ଶରୁ ୫ ମିନିଟ ପାଇଁ ତ୍ରାହି | ଘରେ ପଂହଂଚିଲା ବେଳେ ହାତଟା କଳା ତ ହୋଇଯାଇଥାଏ , ତୀବ୍ର ଲୁହାଗନ୍ଧ ମଧ୍ୟ ହେଉଥାଏ | ହାତ ଧୋଉ ଧୋଉ ଲୁହାଗନ୍ଧର ଖିଅ ମତେ ନେଇ ଛାଡି ଆସିଲା ଟ୍ରେନ ଭିତରେ | ଦ୍ଵିତୀୟ ଶ୍ରେଣୀ ଡବାରେ ଝରକା ପାଖରେ ବସିଲେ ଏ ଗନ୍ଧ ଅତି ସାଧାରଣ |ଅନେକ ରେଳଯାତ୍ରା , ପ୍ରତିଥର କିଛି ନା କିଛି ଘଟଣା | ସେ ଥର ଯାଉଥାଏ ଦିଲ୍ଲୀ, ମା‘ଙ୍କ ସାଥିରେ ସମ୍ବଲପୁରରୁ |ସେଠୁ ରୂଷିକେଷ ଯିବାର ଯୋଜନା ଥାଏ | ତୀର୍ଥସ୍ଥଳ ଦର୍ଶନ ତଥା ହିମାଳୟ ଦର୍ଶନର ସୁଯୋଗ ମିଳିଛି |ମନ ପୁଲକିତ ହୋଇ ଉଠୁଥାଏ |ସିନେମା ଘରକୁ ଯାଇ କିମ୍ବା ପିକନିକ ପାର୍ଟି ରେ ମାତି ଲୋକେ ପଇସା ଉଢାଉଥିବା ବେଳେ ଆମେ ତୀର୍ଥଯାତ୍ରା କରୁଛୁ | ଏଭଳି ଟିକେ ସାତ୍ତ୍ୱିକ ଅହଂ ମନକୁ ଚହଟି ଆସିଥାଏ |
ଆମ ନିକଟସ୍ଥ କୁପେରେ ଏକ ପଞ୍ଜାବୀ ଯୁବକ ଚଢିଥାଏ ନିଜ ସାଙ୍ଗ ମାନଙ୍କ ସହ | ଖୁବ ହସ ମଜା ରେ ସମୟ କାଟି ସେମାନେ ଯାଉଥା‘ନ୍ତି ଯାହାକି ଆମ ପାଇଁ ଟିକେ ଅସ୍ବସ୍ତିକର ହୋଇ ଉଠିଥାଏ ଏବଂ ସେମାନଙ୍କୁ ଆମେ “ଲଗାମଛଡ଼ା” ତଥା ଅନ୍ୟ ମାନଂକ ସୁବିଧା ପ୍ରତି ଉଦାସୀନ ଗୋଷ୍ଠୀ ହିସାବରେ ମୋହର ମାରି ଦେଇଥାଉ | ଟ୍ରେନ ରାଉଲକେଲା ଷ୍ଟେସନରେ ରହିବା ମାତ୍ରେ ସେ ଗୋଷ୍ଠୀ ଫକଫାକ ତଳକୁ ଓଲ୍ହାଇ କେହି ଜଳଖିଆ, କେହି ଚା , କେହି ଥଣ୍ଡା ପାନୀୟରେ ମନଯୋଗ କଲେ |
ଏ ସମୟ ରେ ଏକ ନୁଖୁରାମୁଣ୍ଡି ଝିଅ ବୋଧହୁଅ ୫ – ୭ ବର୍ଷ ହେବ ତା କୁନି କୁନି ହାତରେ ମତ ଡାକି ଇଙ୍ଗିତରେ କିଛି ଖାଇବାକୁ ହାତ ପତେଇଛି | ମୁଁ ନାସା କୁଞ୍ଚିତ କରି ପର୍ସ ଭିତରୁ ୫୦୦ ଟଙ୍କିଆ ୧୦୦ ଟଙ୍କିଆ ଆଡେଇ ଚାରେଣିଟିଏ ତା‘ ହାତକୁ ଫିଙ୍ଗିଦେଲି | କହିବା ବାହୁଲ୍ୟ , ଟିକେ ଗର୍ବିତ ବି ହେଲି | ସେ ଡେଇଁ ଡେଇଁ ହାଜର ହେଇଗଲା ସେ ପଞ୍ଜାବୀ ଯୁବକ ଆଗରେ |
ଯୁବକଟି ଏକ ଥଣ୍ଡା ପାନୀୟ ବୋତଲରୁ ଥଣ୍ଡା ପାନୀୟ କଣ୍ଠାଗ୍ରତ କରୁଥାଏ | ସେ ମଧ୍ୟ ପାକେଟରୁ କିଛି ପଇସା ବାହାରକରି ତା ହାତକୁ ବଢ଼େଇଦେଲା | ଝିଅଟି ତା ଥଣ୍ଡା ପାନୀୟ ଆଡେ ଲୋଭାତୁର ହୋଇ ଚାହିଁ ରହିଥାଏ | କଣ ବୁଝିଲା କେଜାଣି ଯୁବକଟି ସେ ଅଧା ବୋତଲ ପାନୀୟଟିକୁ ଝିଅ ହାତକୁ ବଢ଼ାଇଦେଲା | ଆଃ! ତା‘ ପରେ କି ଯେ ଚମକ ସେ ଝିଅ ମୁହଁରେ! ହୁଏତ ତା‘ବାପା ମା‘ଙ୍କ ପ୍ରରୋଚନାରେ ହେଉ ବା ଅବସ୍ଥାଚକ୍ରରେ ପଡି ଭିକ୍ଷା ମାଗୁଛି | ସେ କିନ୍ତୁ ବୁଝେନି ଏ ପଇସାର ମୂଲ୍ୟ | ସେ ହୁଏତ ଯେତିକି ପଇସା ପାଇବ ସେତିକି ଟେକିଦେବ ତା‘ ମା‘ ବାପା କିମ୍ବା କୌଣସି ଦାଦା ହାତକୁ | ବଦଳରେ ମିଳିବ କିଛି ଉଚ୍ଛିଷ୍ଟ କିମ୍ବା ବାସି ଖାଦ୍ୟ | କେହି କଣ କେବେ ତା‘ ହାତ କୁ ଥଣ୍ଡା ପାନୀୟ ବୋତଲଟିଏ କିଣି ଟେକିଦେବ ? ସେ ମନସ୍ତତ୍ତ୍ୱ ଆମେ ବୁଝି ପାରିଲୁନି କିନ୍ତୁ ବୁଝିଲା ସେ ଲଫଙ୍ଗା ପଞ୍ଜାବୀ ଯୁବକ | ଏଥର ବାକି ଯାତ୍ରା ଏତେଟା ଅସ୍ବସ୍ତିକର ମନେ ହେଲାନି |