ବାସ୍ନାର ସ୍ମୃତି (୧)

କପି
June 19, 2022
ବାସ୍ନା ର ସ୍ମୃତି (୨)
June 19, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ଆଜ୍ଞା ଶିରୋନାମାଟା କେମିତି ଟିକିଏ ଅଡୁଆ ଲାଗିଲା କି ?   ଭାବୁଥିବେ, “ସ୍ମୃତି ବାସ୍ନାହୋଇଥାନ୍ତା ସିନାକିଛିଟା କାବ୍ୟିକ ଲାଗିଥାନ୍ତା, ଓଲଟା ହୋଇଗଲା , ନାଇଁ ଆଜ୍ଞା  |ମୁଁ  ବାସ୍ନା ସ୍ମୃତି ବିଷୟରେ ହିଁ ଗପିବାକୁ ଯାଉଛି | ମାନେ କୌଣସି ବାସ୍ନା କେମିତି ମତେ ସ୍ମୃତି ଜଗତକୁ ଟାଣିନିଏ, ସେଇ କଥା | ଏଇଯେ ଦୁଇ ଦିନ ତଳର କଥା, ବାହାଘର ଭୋଜିଟିଏକୁ  ଯାଇଥାଏ |ଦ୍ୱାର ମୁଁହରେ କୁନି କୁନି ଝିଅ ଦୁଇଟା ହାତରେ ମୋର ଲାଲ ଗୋଲାପଟିଏ ଧରେଇଦେଲେ | ଖାଦ୍ୟପେୟ  ବ୍ୟବସ୍ଥାରେ ସାମାନ୍ୟ ବିଳମ୍ବ ହେତୁ ବରବଧୂଙ୍କ ହାତରେ ଭେଟିଟିଏ ଧରେଇ ଦେଇ ପେଣ୍ଡାଲ ସମ୍ମୁଖରେ ପଡିଥିବା କୁରସୀ ମାନଙ୍କରୁ ଗୋଟିଏ ଅଧିକୃତ କରି ଅନ୍ୟମନସ୍କ ହୋଇ ଫୁଲଟିକୁ ଶୁଙ୍ଘିବାକୁ  ଲାଗିଲି  | ଓଠ କୁ ଧାରେ ହସ ଚହଟି ଆସିଲା | ଗୋଲାପ ଫୁଲ ବାସ୍ନା ମତେ ଟାଣି ନେଇ ଯାଇଥିଲା ଅତୀତର କୌଣସି ଏକ ଦ୍ବିପ୍ରହରକୁ ମୋର ଏକ ବାନ୍ଧବୀଙ୍କ ଘରକୁ |ସେ ବାନ୍ଧବୀଙ୍କ ଅତିଶୟ ଜିଦ ଯୋଗୁଁ  ନିକଟସ୍ଥ କୌଣସି ଅଫିସରେ କାମ ସାରି ତାଙ୍କୁ ଦେଖା କରିନେବି ବୋଲି ଭାବିଥିଲି

ଆବୁରୁ ଜାବୁରୁ ଅନେକ ଗପ ଭିତରେ ବେଶ କିଛି ଜଳଖିଆ ମଧ୍ୟ ଦୁହେଁ ଉଦରସ୍ଥ କରିନେଇଥିଲୁ | ଏଥର ବାନ୍ଧବୀ ଜଣଙ୍କ କିଛି ଥଣ୍ଡା ପାନୀୟ ବ୍ୟବସ୍ଥା କରିବାକୁ ଉଠିଗଲେ | ଖରାଦିନ ଦ୍ବିପ୍ରହର , ବେଶ ଗରମ ଲାଗୁଥାଏ , ତେଣୁ ଏଥିକୁ ମନା କରିବାର କୌଣସି କାରଣ ଥାଏତେବେ ବାନ୍ଧବୀ ଙ୍କ ହାତରେ ଦୁଇ ଗ୍ଲାସ ଗୋଲାପ ବାସ୍ନାର ଥଣ୍ଡାପେୟ ଦେଖି ମୋ ପେଟଟା  କେମିତି ଘାଣ୍ଟି ଚକଟି ହୋଇଗଲା | ଏତେ ଆଗ୍ରହରେ ସେ ଥଣ୍ଡାପେୟ ଧରି ଆଗେଇ ଆସୁଥାନ୍ତି ଯେ , ସେଥିରେ କେମିତି କଣ କହି ଭଟ୍ଟା ପକେଇବି ଜାଣି ପାରୁ ଥାଏ | କାରଣ ଆଗରୁ ଯେତେଥର ପେୟ ପିଇଛି , ବାସ୍ନାରେ ଭୀଷଣ ଅନାଗ୍ରହ ଯୋଗୁ ଅଜୀର୍ଣ୍ଣ ହେକୁଟି ନତୁବା ବାନ୍ତି ବାନ୍ତି ମଡ଼େଇବା ଆଦି ଅନେକ ଲକ୍ଷଣ ଦେଖେଇ ମୋ ଦିନଟା ଯାକ ନଷ୍ଟ ହୋଇ ଯାଇଛି

ପ୍ରଥମରୁ  ଜାଣିଥିଲେ ଅବା ମନା କରି ଦେଇଥାନ୍ତି | ବାନ୍ଧବୀଙ୍କ ହାତରେ ଥିବା ଗ୍ଲାସ ଯୋଡ଼ାକ କ୍ରମଶଃ ବଣୁଆ ମତ୍ତହସ୍ତୀ ଭଳି ଦେଖାଗଲେ | ଏହି ସମୟ ରେ ଝଣ ଝାଣ  …..

ହଠାତ ଦେଖିଲି ବାନ୍ଧବୀ ଗ୍ଲାସ ସହ ଭୂପତିତା | କାର୍ପେଟ କୋଣ ରେ ଛନ୍ଦି ହୋଇ ବାନ୍ଧବୀ ପଡି ଯାଇଛନ୍ତି | ଗ୍ଲାସ  ଦୁଇଟିରୁ  ଗୋଟିଏ ଚୁରମାର ଅନ୍ୟଟି ଅକ୍ଷତ | କିନ୍ତୁ  ମୋ ଆତଙ୍କର  କାରଣ, ସର୍ବତତାଙ୍କ କାର୍ପେଟକୁ  ଗୋଲାପ ବାସ୍ନାରେ  ବିଧୌତ  କରି ଦେଇଛନ୍ତି |

           ଆହାଃ ଚୁ ଚୁ କରି ,ଭଙ୍ଗା କାଚ ସଫା କରି ଦେଇ ଅତର୍ଚ୍ଛା ହୋଇ ବାହାରି ଆସିଲା ବେଳକୁ ବାନ୍ଧବୀ ଆଉ ଥରେ ସର୍ବତ ତିଆରି କରିବାକୁ ବାହାରିଲେ | ଝଟପଟ ଥଣ୍ଡା ପାଣି ଗ୍ଲାସଟିକୁ , ପାଟିକୁ ନେଇ ନିମିଷକରେ ଶେଷ କରି ,”ଥାଉ ଆଉ କେବେ ”  କହି ରିକ୍ସା ଡାକି ବସି ପଡିଲି | ରିକ୍ସା ଵାଲା କୁ ଠିକଣା କହି ଦେଲା ପରେ ଠୋ ଠୋ ହୋଇ ମନ କୁ ମନ ହସି କହିଲି ,” ଯା ହେଉ ମଣିଷ ବଂଚିଗଲା |”

Leave a Reply

Your email address will not be published. Required fields are marked *