ଡଃ ଵିୟତପ୍ରଜ୍ଞା ଆଚାର୍ଯ୍ୟ
ଭାବୁଥିବେ ମୁଁ ମାଙ୍କଡ “କପି” ବିଷୟରେ କିଛି କହିବି ବୋଧେ—ଆଧ୍ୟାତ୍ମିକ ଚର୍ଚ୍ଚାରେ କୁହାଯାଏ “ଚିତ୍ତ କପି ” ମାନେ ମନ ଆମର କେମିତି ଏକ ସଦା–ଚଞ୍ଚଳ, ମଦ–ମତ୍ତ ମାଙ୍କଡ ଭଳି ଡେଇଁ ବୁଲୁଥାଏ …ଇତ୍ୟାଦି …
ନା ନା …ଏଥର ମୁଁ ତୁଚ୍ଛା “କପି” ଅର୍ଥାତ ଇଂରାଜୀରେ “ଚିଟିଙ୍ଗ” ଵିଷୟରେ ହିଁ ଲେଖିବି I
ଭଗବାନଙ୍କ ସୁଦୟାରୁ ପିଲାଦିନୁଁ ପାଠ ମନେ ରହି ଯାଉଥିଲାI ଅସୁବିଧା ହଉଥିଲା ଡ୍ରଇଁରେ I ତ୍ରିଭୁଜ ଭିତରେ ତିନୋଟି ଲଙ୍କାଆମ୍ବ , ଝୋଟି ,ଗାଈ ଚିତ୍ର ….ମା‘ ଲୋ …ମୋ ପ୍ରାଣେ ଭୟ ଥିଲା ଏ ଗୋଟିଏ ପରୀକ୍ଷାକୁ l ମଝିରେ ତିନୋଟି କ୍ଲାସ ଘରେ ପଢ଼ିଲି l କେଜାଣି କେମିତି ଚିତ୍ରକଳା ପ୍ରତି ସମ୍ପୂର୍ଣ୍ଣ ବିରାଗ ଥିଲା I ସପ୍ତମ ବୋର୍ଡ ପରୀକ୍ଷାରେ ବହୁତ କମ ମାର୍ଜିନରେ ଡ୍ରଇଁ ପରୀକ୍ଷାରେ ପାସ କରିଥିଲି l ଯଦି ସେଥିରେ ଫେଲ ହେଇଥାନ୍ତି, ମୋ “ଓ” ଗ୍ରେଡ଼ ଯାଇଥାନ୍ତା ଚୂଲୀକି I
ହଁ, ତେବେ ଆସିବା କପି ପ୍ରସଙ୍ଗକୁ I କେଜାଣି କୋଉ ବିକୃତ–ମସ୍ତିଷ୍କ ଶିକ୍ଷକ /ଶିକ୍ଷୟିତ୍ରୀ ପ୍ରଶ୍ନପତ୍ର ତିଆରି କରିଥିଲେ ସପ୍ତମ ଅର୍ଦ୍ଧ –ବାର୍ଷିକ ପରୀକ୍ଷାରେ ! ଗୋଟିଏ ହାତୀ ଉପରେ ବସିଥିବା ମାହୁନ୍ତର ଚିତ୍ର କର ନ ହେଲେ ପନିକି ଧରି ମାଛ କାଟୁଥିବା ସ୍ତ୍ରୀ ଲୋକର ଚିତ୍ର I କୋଉ କାଳେ ଶିଖେଇ ଥିଲେ ଏମିତି ଚିତ୍ର ଯେ ଆଜି ଏମିତି ପ୍ରଶ୍ନ ପକଉଛନ୍ତି ? ମନେ ମନେ ବଡ ହତାଶ ଲାଗିଲା I ଆଜି ବୁଝା ପଡୁଛି ଯେ, ଆମର ଶକ୍ତିକୁ ସେମିତି ପର୍ଯ୍ୟାପ୍ତ ରୂପେ ପ୍ରସାରିତ କର ଯାଇ ନ ଥିଲା I ସରକାରୀ ବହି ସବୁରେ ହାତ ଗଣତି କଳା ଧଳା ଛବି…ସେଥିରେ ସେ ବି ଅଧା ଲିଭି ଯାଇଥିବ I କଳ୍ପନାର ସମ୍ପ୍ରସାରଣ ସେପରି କେବେ ବି ହୋଇ ପାରି ନ ଥିଲା କିମ୍ବା କେହି ସେଥି ପ୍ରତି ଯତ୍ନବାନ ମଧ୍ୟ ନ ଥିଲେ l
ବର୍ତ୍ତମାନ ଅନନ୍ୟୋପାୟ ହୋଇ, ନିଜର ଟପ୍ପର ହେବାର ଅହମିକାକୁ କାନିରେ ଗଣ୍ଠି ମାରି, ଲଜ୍ଜା ଛାଡି ମୋ ଆଗରେ ବସିଥିବା ମୋ ସାଙ୍ଗକୁ ଫୁସଫୁସ କରି ଡାକିଲି , “ରୀନା (ରୀନା ଶୁଶାରୀ), ତୋ ହାତୀଟା ଟିକେ ଦେଖା ନା I” ସେ ବଡ଼ କଷ୍ଟରେ ମୋତେ ତା’ ଖାତାଟା ଠିଆ କରି ଟିକେ ସମୟ ପାଇଁ ଦେଖେଇ ଦେଲା I ସେ ବି ହାତୀ ଭଳି ଦିଶୁଥିବା ଜନ୍ତୁଟିଏ ବନଉଥାଏ l ଟିକିଏ ସାହସ ଆସିଲା , ତା‘ ପରେ ମନେ ପଡ଼ିଲା ମୋ ବୋଉଙ୍କ ହାତୀ ଚିତା I
“ଅରକ୍ଷିତକୁ ଦଇବ ସାହା” ଯା‘ ହଉ ଶେଷ ବେଞ୍ଚର କୋଣ ସିଟଟା ମୋତେ ମିଳିଥାଏ l ନ ହେଲେ ଯୋଉ ଚିତ୍ରକଳା କାଗଜରେ ଉଭୁରି ଆସୁଥିଲା , କୌଣସି ଶିକ୍ଷୟିତ୍ରୀ ଦେଖିଥିଲେ ମୋ କାନମୁଣ୍ଡା ଲାଜରେ ଲାଲ ହୋଇ ଯାଇଥାନ୍ତା I
କହିବା ବାହୁଲ୍ୟ, ସେତେବେଳେ ଚିତ୍ରକଳା ପ୍ରତି ସେମିତି ବିଶେଷ ଧ୍ୟାନ ଦିଅ ଯାଉ ନ ଥିଲା I ଯିଏ ଭଲ କଲା , ହଁ , ଭଗବାନ ତାକୁ କେତେ କଳା ଦେଇଛନ୍ତି ଆଉ ! ବାସ ସେତିକି I
ଭଙ୍ଗା –ତୁଟା ଅଳ୍ପ କିଛି କ୍ରେୟନ ଆମର ଗାଏ ମୋଟ ସମ୍ବଳ ଥିଲା I ହେଲେ ଆଜିକାଲି ଛୁଆ ମାନେ ସ୍କୁଲ ଜୀବନରେ ଅନ୍ତତଃ ପକ୍ଷେ କେଜିଏ ହେବ କ୍ରେୟନ, କେତେ ପ୍ରକାର କଲର, ଯନ୍ତ୍ରପାତି ବ୍ୟବହାର କରି ଦଉଥିବେ I
ମୋତେ ଭାରି ଈର୍ଷ୍ୟା ହେଉଥିଲା ନ ହେଲେ ଖୁବ ସମ୍ମାନ ଆସୁଥିଲା ଯଦି କିଏ ଭଲ ଡ୍ରଇଂ କରି ପାରୁଥିଲା l ମୋ ବେଷ୍ଟ ଫ୍ରେଣ୍ଡ କୁ ଦେଖି ଦେଖି ଧୀରେ ଧୀରେ ସୁନ୍ଦରୀ ଝିଅ ମୁହଁ ଟିଏମାନ ରଫ– ଖାତା ପଛରେ ଆଙ୍କି ଶିଖିଲି । ଭାଗ୍ୟକୁ ଦଶମ ବୋର୍ଡରେ ଏ ବିଷୟ ନ ଥିଲା ହୃତକମ୍ପ ଜାତ କରିବା ପାଇଁ I
ଯୁକ୍ତ ଦୁଇ ଶ୍ରେଣୀରେ ଯେତେବେଳେ ପ୍ରଥମ କରି ମାଇକ୍ରୋସ୍କୋପ ଟିଏ ଦେଖି ଦେଖି ମୋ ବୋଟନୀ ରେକର୍ଡରେ ଯେତେବେଳେ ଆଙ୍କିଲି, ମନ ବଡ଼ ଆତ୍ମସନ୍ତୋଷରେ ଭରି ଉଠିଲା Iହେଲେ ଏ ଆତ୍ମସନ୍ତୋଷ ଉପରେ କୁଠାରାଘାତ କଲେ ବୋଟନୀ ମାଡାମ ….”ଟ୍ରେସ କରିଛୁ ନା କାର୍ବନ ପକେଇ ଉତ୍ତାରିଛୁ l”
ମୋର ଚିତ୍ରକଳା ଉପରେ ସୀମିତ ଜ୍ଞାନ ବିଷୟରେ ଜାଣି ପାରୁଥିବେ I କାର୍ବନ ଆଉ ଟ୍ରେସିଙ୍ଗ ବିଷୟରେ କୌଣସି ଧାରଣା ନ ଥିଲା I ହେଲେ, କପି ଜୀବନରେ ଥରେ ଯାହା ସେଇ ହାତୀ ଚିତ୍ରର କପି କରିଥିଲି I ପରେ ଭାବିଲି , ଆଚ୍ଛା , ତେବେ ମୋ ଚିତ୍ର ଟା ସେତିକି ଭଲ ହୋଇଛି ବୋଲି ମାଡାମ ସିନା ଭାବିଲେ କାର୍ବନ ପକେଇ ଉତାରିଛି !
ଏଥର ଜୋଶ ବଢ଼ିଲା ….ମଡ଼େର୍ଣ ଆର୍ଟ ଗୁଡା ସହଜ ଲାଗିଲା …ଅନେକ ଗୁଡିଏ କରି ଚାଲିଲି I ହେଲେ ସେଇ ପ୍ଲାଗିଆରିଯମ(plagiarism)ରେ ହିଁ ମୋ ଚିତ୍ରକଳା ସୀମିତ ରହିଲା I
ତେବେ ସେଇ ଯେଉଁ ଚିତ୍ରକଳା ଶିଖିବାର ଅଧୁରାପଣ ରହିଗଲା, ସେତକ ମୋ ସାନ ଝିଅ ତନ୍ନିଷ୍ଠା (ମୁନମୁନ)ର ତୂଳୀ– ରଙ୍ଗ ସାକାର କଲା I