କିଛି ବିଜ୍ଞାନର କଥା
June 19, 2022
ବେଟି ବଚାଓ , ବେଟି ପଢ଼ାଓ
June 19, 2022

ଡଃ ବିୟତପ୍ରଜ୍ଞା ଆଚାର୍ଯ୍ୟ

ସେତେବେଳ କୁ ଇଞ୍ଜିନିଅରିଂ ଏଣ୍ଟ୍ରାନ୍ସ ଫଳ ବାହାରିବାକୁ ଆଉ ଦୁଇ ଦିନ ବାକି ଥାଏ | ମୁଁ ମଧ୍ୟ ସେଥର ପରୀକ୍ଷା ଦେଇଥିଲି | ଜନୈକା ବାନ୍ଧବୀ ମୋତେ କହିଲେ , ଯେଉଁ ବ୍ରାଞ୍ଚ ହେଉ ପଛେ ଏଥରକ ମିଳିଗଲେ ମୁକ୍ତି | ଅନ୍ତତଃ ଆଉ ପରୀକ୍ଷା ଦେବାକୁ ପଡିବ ନାହିଁ | ମୋତେ ତାଙ୍କ କଥା ଶୁଣି ସେଦିନ ହସ ମାଡ଼ିଥିଲା |

ସତରେ ଏମିତି କୌଣସି ଏକ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ ପରୀକ୍ଷା ସରିଗଲା ! ଜୀବନ ପରୀକ୍ଷାମୟ | ପୃଥିବୀରେ ତିଷ୍ଠି ରହିବା ପାଇଁ ଆମକୁ ପ୍ରତି ମୁହୂର୍ତ୍ତରେ ପରୀକ୍ଷା ଦେବାକୁ ହୋଇଥାଏ | ଆମ ଜୀବନରେ ଏପରି ଏକ କ୍ଷଣ ଆସେନାହିଁ ଯାହାକି କୌଣସି ପରୀକ୍ଷା ସହ ସଂଶ୍ଲିଷ୍ଟ ନୁହେଁ |

ଜୀବନର ଆଦ୍ୟାବସ୍ଥାକୁ ଲକ୍ଷ କରାଯାଉ | ବଞ୍ଚିବାର ପ୍ରମାଣ ଦେବାକୁ ହେଲେ ଶିଶୁଟିକୁ କାନଫଟା ଚିତ୍କାର କରିବାକୁ ପଡିବ | ପରୀକ୍ଷାରେ ଅନୁତ୍ତୀର୍ଣ୍ଣ ହେଲେ ଶିଶୁଟିକୁ ମୃତ ବା ମାନସିକ ବିକଳାଙ୍ଗ ବୋଲି ଘୋଷଣା କରାଯାଏ | ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଶିଶୁଟିକୁ ପୁଣି ହାତଗୋଡ ହଲାଇ , ହସି ଖେଳି ନାନା କୃତୀ ଦେଖାଇ ନିଜକୁ ବୁଦ୍ଧିମାନ ଶିଶୁରୁପେ ପ୍ରତିପାଦନ କରିବାକୁ ପଡିବ |

ତା ପରେ ଶିଶୁଟି ଆଉ ଟିକିଏ ବଡ ହୋଇଯାଏ | ଏଥର ସେ ସ୍କୁଲ ଯିବାକୁ ଆରମ୍ଭ କରେ | ପ୍ରତିଯୋଗିତାର ଦୁନିଆରେ ଉତ୍ତୀର୍ଣ୍ଣ ହେବାକୁ ପିଲାଟିକୁ monthly test, half yearly test, ମୌଖିକ, ଲିଖିତ ଏମିତି କେତେ ଯେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡେ, ଇୟତ୍ତା ନାହିଁ | ଶିଶୁ ତାର ସରଳ ଶୈଶବକୁ ଭୁଲିଯାଇ କେତେବେଳେ ଏକ ବିଜ୍ଞ ବୟସ୍କରେ ପରିଣତ ହୋଇଯାଏ, ଜଣା ପଡେନାହିଁ | ଏମିତି ଅନେକ ଅନେକ ପରୀକ୍ଷାରେ ଗତି କରି ପିଲାଟି ବଡ ହୋଇଚାଲିଥାଏ | ସ୍କୁଲ ସହିତ ତାଳ ଦେଇ ଘରେ ମଧ୍ୟ ସେ ବିଭିନ୍ନ ପରୀକ୍ଷାର ସମ୍ମୁଖୀନ ହୋଇଥାଏ | ପ୍ରତି କ୍ଷେତ୍ରରେ ପିଲାଟିକୁ ଏକ ମୁଖାପିନ୍ଧା ଭଦ୍ରାମିର ପରୀକ୍ଷା ଦେବାକୁ ହୋଇଥାଏ |

ଏଥର ଚାକିରୀ ଜୀବନ | ଏଥର ଜଣେ ଚିନ୍ତା କରିପାରେ ଯେ , ହେ ଭଗବାନ | ଏଥର ପରୀକ୍ଷାର ଶେଷ ହେଲା | କିନ୍ତୁ ଭଦ୍ରଗଣ ! ଏପରି ଚିନ୍ତାଧାରାକୁ ପ୍ରକାଶିବା ପୂର୍ବରୁ ଥରେ ଚିନ୍ତା କରି ଦେଖନ୍ତୁ, କଣ ସତରେ ପରୀକ୍ଷାର ଶେଷ ହୋଇଗଲା ! ବରଂ ଆଗକୁ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାମାନ ଆସୁଛି | ଏସବୁ ପରୀକ୍ଷାରେ ଟିକିଏ ଭୁଲଚୁକ ହେଲେ ଆପଣଙ୍କର ଜୀବନର ଗତି ଓଲଟ ପାଲଟ ହୋଇଯିବ |

ପୁଅଟିକୁ ବାପାମାଙ୍କର ବାଧ୍ୟପୁତ୍ର ଭାବେ ଚାଲିବାକୁ ପଡିବ | ପିତାମାତାଙ୍କର ବାଧ୍ୟ ବୋଲି ପ୍ରମାଣ ଦେବାକୁ ଯୁବକଟିକୁ ନିଜର ସାଥି ନିର୍ବାଚନର ସ୍ୱାଧୀନତା ତ୍ୟାଗ କରିବାକୁ ପଡେ | ଏହା ପରେ ପତ୍ନୀଙ୍କ ସମ୍ମୁଖରେ ବାଧ୍ୟ ପତିଦେବ ଏବଂ ପିତାମାତାଙ୍କ ସମ୍ମୁଖରେ ବାଧ୍ୟପୁତ୍ରର ଅଭିନୟର ଅଭିନବ ପରୀକ୍ଷାରେ ଉତୀର୍ଣ୍ଣ ହେବା ଅତି ଜରୁରୀ ହୋଇପଡେ | ଗୃହସ୍ଥ ବିଚରାଟି ଏମିତି ଅନେକ ପରୀକ୍ଷା ଦେଇ ଦେଇ ଶେଷକୁ ଵୃଦ୍ଧାଵସ୍ଥାରେ ଆସି ପାଦଦିଏ |

ଏଥର ଝିଅଟିର ଜୀବନପ୍ରତି ଟିକିଏ ଦୃକପାତ କରାଯାଉ | ଝିଅଟିଏ, ପୁଣି ଭାରତୀୟ ହୋଇଥିବ ଏବଂ ତଦୁପରି ଯଦି ଓଡ଼ିଶାର ଝିଅ ହୋଇଥିବ ତେବେ କଥା ସରିଲା | ଆଦ୍ୟାବସ୍ଥାରୁ ହିଁ ଝିଅଟିକୁ କଠୋରତର ପରୀକ୍ଷାର ସମ୍ମୁଖୀନ ହେବାକୁ ପଡେ | ଝିଅଟିକୁ ଗୃହ କର୍ମରେ ନିପୁଣା ହେବାର ଅଛି | ନରମ କୋମଳ ଶିଷ୍ଟତାରେ ଅପର ହୃଦୟକୁ ଜିଣିବାର ଅଛି | ତା ଛଡା ବଡ ପାଟିରେ ହସିବା ମନା, ଦୁମ ଦୁମ ହୋଇ ଚାଲିବ ମନା , ଦର୍ପଣ ଆଗରେ ଠିଆ ହେବା ମନା , ବେଶ ପୋଷାକରେ ନାନା କଟକଣା | ଏପରି ଅନେକ ଛୋଟ ଛୋଟ ତଥା ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ମାନଙ୍କରେ ଉତ୍ତୀର୍ଣ୍ଣ ହେବା ଯେ ଝିଅଟିର ପକ୍ଷେ ନିତାନ୍ତ ଜରୁରୀ | ଏଥର ଝିଅଟି ପରିଣତ ହୁଅ ଯୁବତୀରେ | ପରୀକ୍ଷା ଗୁଡିକ ଦିନକୁ ଦିନ କଠୋରତର ହୋଇ ଚାଲିଥାଏ | ବାପାମାଙ୍କର ବାଧ୍ୟ ଝିଅ ବୋଲି ପ୍ରମାଣ ଦେବାକୁ ଅନେକ ଅନେକ ପରୀକ୍ଷାର ସାମ୍ନା କରିବାକୁ ପଡେ | ତା ପରେ ଆସେ ବାହାଘର ବୟସ | ଏଥର ଝିଅଟି ନିଜର ପସନ୍ଦ ନାପସନ୍ଦକୁ ତ୍ୟାଗ କରିଦେଇ ନିଜର ସୁଶୀଳତାର ପ୍ରମାଣ ଦେବାକୁ ପ୍ରତି ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ପ୍ରାଣପଣେ ଚେଷ୍ଟା କରେ | ପ୍ରତିଟି ପରୀକ୍ଷା ତାର ଜୀବନର ମୋଡ ବଦଳାଇ ଦିଏ |

ଝିଅଟି ପରିଣତ ହୁଅ ଏକ ନବବଧୂରେ | ଏଥର କଠୋରତମ ପରୀକ୍ଷା; ଏକରକମ ଅଗ୍ନି ପରୀକ୍ଷା | ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ସୁନାନାକି ବୋହୁ | ହେଲେ ..

ଧୀରେ ଧୀରେ ନବଦମ୍ପତ୍ତି ପିତାମାତାର ଭାର ବହନ କରନ୍ତି ଏବଂ ସେମାନେ ନିଜର ପିଲାମାନଙ୍କର ପରୀକ୍ଷା ନେବା ଆରମ୍ଭ କରନ୍ତି | ପ୍ରକାରାନ୍ତରେ ସେମାନେ ହିଁ ପରୀକ୍ଷା ଦେଉଥାନ୍ତି | ପରୀକ୍ଷାତା ସେମାନେ ଦେଇଥାନ୍ତି | ପିଲାଙ୍କୁ ମଣିଷରୂପେ ଗଢିବାର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ନୂତନ ପରୀକ୍ଷାର ସମ୍ମୁଖୀନ ହୁଅନ୍ତି | ଏହିପରି କାଳଚକ୍ର ଗତି କରି ଆମକୁ ଆଣି ମୃତ୍ୟୁମୁଖରେ ପହଞ୍ଚାଇ ଦେଇଥାଏ | ଦିନେ ବିନା ନୋଟିସରେ ପ୍ରାଣପକ୍ଷୀଟି ଉଡିଯାଇ ମିଶିଯାଏ ଦୂର ମେଘମାଳାରେ |

ଏଥର ଆପଣମାନେ ଭାବିପାରନ୍ତି ଯେ ଆପଣଙ୍କର ପରୀକ୍ଷା ସରିଗଲା | ହଁ, ଏକ ପ୍ରକାରେ ସରିଗଲା | ଏଥର ପରୀକ୍ଷା ଫଳ ବିଷୟରେ ଚିନ୍ତା କରନ୍ତୁ | ଆପଣଙ୍କର ଜୀବନର ସମସ୍ତ ପରୀକ୍ଷାରେ ଥିବା ମୋଟ ନମ୍ବର ହିଁ ଆପଣଙ୍କର ମୂଲ୍ୟ ନିର୍ଦ୍ଧାରଣ କରିବ | ଆପଣଙ୍କର ସଫଳତାର ପରିମାଣ ପୁଣି ଭିନ୍ନ ଭିନ୍ନ , ଭିନ୍ନ ବ୍ୟକ୍ତିଙ୍କ ନିକଟରେ | ଆପଣ ପ୍ରତି ପରୀକ୍ଷାରେ ସଫଳ ହେବାକୁ ପ୍ରାଣପଣେ ଚେଷ୍ଟା କରିଥାନ୍ତୁ ପଛକେ ଲୋକପବାଦ କିଛି ନା କିଛି ଶୁଣିବାକୁ ହିଁ ପଡିବ | ଜଗତରେ ଏମିତି ଜଣେ ବ୍ୟକ୍ତି ଥିବେ ଯେ କି ଜୀବନ ପରୀକ୍ଷାରେ ସମ୍ପୂର୍ଣ୍ଣ କୃତକାର୍ଯ୍ୟ ହୋଇଥିବେ | ଏପରିକି ଶ୍ରୀକୃଷ୍ଣଙ୍କ ପରି ଅବତାରୀ ପୁରୁଷ ଅଥବା ଗାନ୍ଧିଜୀଙ୍କ ପରି ମହାପୁରୁଷମାନେ ମଧ୍ୟ ନୁହନ୍ତି |

କେହି ଆପଣଙ୍କ ସଫଳତା କଳିବ, ଆପଣ ଛାଡି ଯାଇଥିବା ଧନ ସମ୍ପତ୍ତିର ଆକଳନ କରି , କେହି ଆପଣଙ୍କ ସନ୍ତାନର ସଫଳତା ଉପରେ , କେହି ଆପଣଙ୍କ ସଫଳତା କଳିବ ଆପଣଙ୍କ ଶବାଧାରରେ ଚାଲୁଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଗଣନାରେ …..ଆପଣ ନିଜ ପରୀକ୍ଷା ପରୀକ୍ଷାଫଳ ବିଷୟରେ ଭାବନ୍ତି ?

Leave a Reply

Your email address will not be published. Required fields are marked *